‘ନୀଳାଦ୍ରିବିଜେ ହେଉଛି, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ। ସ୍ନାନପୂର୍ଣ୍ଣମୀ ଦିନ ସ୍ନାନବେଦି ଛାଡ଼ିଥିବା ଶ୍ରୀଜଗନ୍ନାଥ-ଚତୁର୍ଦ୍ଧାମୂର୍ତ୍ତି ଏହିଦିନ ପୁଣି ରତ୍ନସିଂହାସନକୁ ବାହୁଡ଼ନ୍ତି। ‘ସ୍କନ୍ଦପୁରାଣ’ର ଉକ୍ତିରେ ଏହା ତାଙ୍କର ‘ପରମ ପ୍ରୀତିକର ସ୍ଥାନ’। ତେଣୁ ନୀଳାଦ୍ରିବିଜେ ଏକ ପରମ ପ୍ରୀତିଦାୟକ ପର୍ବ। ସେହି ପର୍ବର ଅତ୍ୟନ୍ତ ପ୍ରୀତିଦାୟକ ଭୋଗ ହେଉଛି ରସଗୋଲା। ଏଣୁ ଏହା ‘ନୀଳାଦ୍ରିବିଜେର ପ୍ରୀତିନୈବେଦ୍ୟ’।
ବର୍ତ୍ତମାନ ଶ୍ରୀମନ୍ଦିରରେ ପାଳିତ ନୀଳାଦ୍ରିବିଜେ ନୀତି ସଂପର୍କରେ ପ୍ରାମାଣିକ ନଥି ହେଉଛି- ଶ୍ରୀମନ୍ଦିରର ଅଧିକାର ଅଭିଲେଖ ବା ସ୍ୱତ୍ୱଲିପି। ସେଥିରେ ନିର୍ଦ୍ଦିଷ୍ଟ ଭାବରେ ‘ରସଗୋଲା ଭୋଗ’ର ଉଲ୍ଲେଖ ନଥିଲେ ମଧ୍ୟ, ଏହି ‘ଭୋଗ’ ଯେ ‘ରସଗୋଲା’ ତାହା ଅତି ସ୍ପଷ୍ଟ ଭାବରେ ସୂଚିତ ହୋଇଛି। ଅତୀତରେ ‘ନୀଳାଦ୍ରିବିଜେ’ ନୀତି ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ହେଉଥିଲା। ତେଣୁ, ‘ଦ୍ୱାଦଶୀ ନୀଳାଦ୍ରିବିଜେ’ ପ୍ରସଙ୍ଗରେ ଏହାର ବିଧି ବର୍ଣ୍ଣିତ ହୋଇଛି। ସେଥିରେ ଉଲ୍ଲେଖ ଅଛି- “ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଆସିଲାବେଳେ ପ୍ରତ୍ୟେକ ଠାକୁରଙ୍କୁ ଶୁଆ-ଶାରୀ ଦେଉଳଠାରେ ପତି ମହାପାତ୍ରେ ପ୍ରସାଦ ଲାଗି ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା କରନ୍ତି। ଜଗମୋହନଠାରେ ମଧ୍ୟ ସେହି ନୀତି ହୁଏ।”
ସେହିପରି, ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ନୀତି ସଂପର୍କରେ ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି, “ଦ୍ୱାର ଫିଟି, ଠାକୁର ଭଣ୍ଡାରକୁ ମୁହଁ କରି ଭଣ୍ଡାରଦ୍ୱାରଠାରେ ବିଜେ କରିଥିବା ଲକ୍ଷ୍ମୀଙ୍କ ପାଖରେ ବିଜେ ହେଲେ, ରୁକ୍ମିଣୀ ବିବାହର ଗଇଣ୍ଠାଳ ଭିତରଛ ମହାପାତ୍ର ଫିଟାନ୍ତି। ବନ୍ଦାପନା ଓ ଭୋଗ ହୁଏ। ଘସା, ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରନ୍ତି।
ସ୍ୱତ୍ୱଲିପିରେ ଲିପିବଦ୍ଧ ଏହି ନୀତିର ତାତ୍ପର୍ଯ୍ୟ ହେଉଛି- ରତ୍ନସିଂହାସନକୁ ବିଜେ ହେବାବେଳେ, ବଡ଼ଠାକୁର ଓ ଦେବୀ ସୁଭଦ୍ରାଙ୍କୁ କେବଳ “ପ୍ରସାଦ ଲାଗି ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା” ହେବା କଥା ଲିପିବଦ୍ଧ ଥିବାବେଳେ, ରତ୍ନସିଂହାସନକୁ ବିଜେ ହେବାବେଳେ, ଶ୍ରୀଜଗନ୍ନାଥଙ୍କୁ “ବନ୍ଦାପନା ଓ ଭୋଗ” ଏବଂ “ପ୍ରସାଦ ଲାଗି ଘସା, ବିଡ଼ିଆ ମଣୋହି” ହେବା କଥା ଉଲ୍ଲେଖ ଅଛି। ଏଣୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅଧିକ ଭାବରେ ଉଲ୍ଲେଖ ଥିବା କଥାଟି ହେଉଛି “ଭୋଗ”। ପାରମ୍ପରିକ ଭାବରେ ଏହି ସମୟରେ “ରସଗୋଲା ଭୋଗ” ହେଉଥିବାରୁ, ଏହି “ଭୋଗ” ଯେ “ରସଗୋଲା” ଏଥିରେ କୌଣସି ସନ୍ଦେହ ନାହିଁ। ଭିତରଛ ମହାପାତ୍ର ସେବକ, ନିଜ ଘରେ, ସାତ୍ତ୍ୱିକ ଭାବରେ ପ୍ରସ୍ତୁତ କରି ଆଣିଥିବା ଏହି “ରସଗୋଲା ଭୋଗ” ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଅର୍ପିତ ହୋଇଥାଏ।
ଶ୍ରୀମନ୍ଦିର ସ୍ୱତ୍ୱଲିପିର ‘ଭିତରଛ ସେବାର ନିୟମ’ ପ୍ରସଙ୍ଗରେ ମଧ୍ୟ ଏ ସଂପର୍କରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ଅଛି। ‘ନୀଳାଦ୍ରି ବିଜେ’ ଦିନର ‘ଭିତରଛ ସେବା’ର ବିବରଣୀରେ ଏ ପ୍ରସଙ୍ଗରେ କୁହାଯାଇଛି, ଏହି ସେବକ “ନୀଳାଦ୍ରିବିଜେ ଦିନ ଭେଟମଣ୍ଡପଠାରେ ବନ୍ଦାପନା ଓ ମଣୋହି, ଗରୁଡ଼ଙ୍କ ବନ୍ଦାପନା, ଜଗନ୍ନାଥ ରଥରୁ ସିଂହାସନକୁ ବିଜେ କାଳେ ରୁକ୍ମିଣୀଙ୍କ ଗଇଣ୍ଠାଳ ଫିଟା ନୀତିରେ ଦହିପଟି, ଘସା, ବିଡ଼ିଆ ମଣୋହି ଓ ଭୋଗ” କରିଥାନ୍ତି। ଏଣୁ ଭିତରଛ ମହାପାତ୍ରଙ୍କ ଦ୍ୱାରା କରାଯାଉଥିବା “ରସଗୋଲା ଭୋଗ” ଯେ ସ୍ୱତ୍ୱଲିପିରେ ଉଲ୍ଲିଖିତ “ଭୋଗ”, ଏହା ଏଥିରୁ ପ୍ରମାଣିତ ହୁଏ। ତେବେ, ଏହି ବିବାହ ଗଇଣ୍ଠାଳ ଫିଟାବେଳେ, ପୁରୀର ରାଘବଦାସ ମଠ ପକ୍ଷରୁ ମଧ୍ୟ ସେଠାରେ ପାରମ୍ପରିକ ଭାବରେ ରସଗୋଲା ଭୋଗ କରାଯାଇଥାଏ।
କିନ୍ତୁ ସମୟକ୍ରମେ, ଏହି ରସଗୋଲା ଭୋଗ ଭିତରଛ ମହାପାତ୍ରଙ୍କ ପକ୍ଷରୁ ଭଣ୍ଡାର ଘର ଠାରେ ହେବା ସହିତ, ଭେଟମଣ୍ଡପଠାରେ ମଧ୍ୟ ହେଉଛି। ନୀଳାଦ୍ରିବିଜେର ପାରମ୍ପରିକ ନୀତି ଅନୁସାରେ, ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନକୁ ବିଜେ ହେବାପାଇଁ, ନନ୍ଦିଘୋଷ ରଥରୁ ଚାରମାଳ ଉପରକୁ ଟାହିଆ ପିନ୍ଧି ଓହ୍ଲାନ୍ତି। ସେତେବେଳକୁ ଶ୍ରୀମନ୍ଦିରର ଦକ୍ଷିଣ ପଟେ ମେଘନାଦ ପାଚେରିକୁ ଲାଗି ରହିଥିବା ଭେଟମଣ୍ଡପଠାରେ, ଦେବୀ ଲକ୍ଷ୍ମୀ ସୁବେଶ ହୋଇ ଯାଇ, ବିରାଜମାନ କରିଥାଆନ୍ତି। ଭେଟମଣ୍ଡପଠାରେ ଥିବା ଦେବୀ ଲକ୍ଷ୍ମୀଙ୍କ ସହିତ, ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଚାରିଚକ୍ଷୁର ମିଳନ ହୁଏ। ସେତେବେଳେ ଏକ ସମୟରେ ଉଭୟଙ୍କର ବନ୍ଦାପନା ହୁଏ। ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ପତିମହାପାତ୍ର କରିବାବେଳେ, ଦେବୀ ଲକ୍ଷ୍ମୀଙ୍କର ବନ୍ଦାପନା ଭିତରଛ ମହାପାତ୍ର କରନ୍ତି। ସେହି ସମୟରେ ଭେଟମଣ୍ଡପଠାରେ ମଧ୍ୟ ଭିତରଛ ମହାପାତ୍ରଙ୍କ ଘରୁ ଆସିଥିବା ରସଗୋଲା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ନିବେଦିତ ହୁଏ। ନୀଳାଦ୍ରିବିଜେର ସେହି ପବିତ୍ର ଅବସରରେ, ସାରାଦିନ ତିନି ରଥରେ ଥିବା ଠାକୁରମାନଙ୍କୁ ମଧ୍ୟ, ଅଗଣିତ ଭକ୍ତ ରଥ ନିକଟରେ ରସଗୋଲା ଭୋଗ ନିବେଦନ କରିଥାଆନ୍ତି। ପୁରୀର ବିଭିନ୍ନ ମଠ ପକ୍ଷରୁ ମଧ୍ୟ ପରମ୍ପରାକ୍ରମେ ସେହିଦିନ ରଥାରୂଢ଼ ଦେବତାମାନଙ୍କୁ ରସଗୋଲା ନିବେଦିତ ହୋଇଥାଏ।
କଥିତ ଅଛି ଯେ ଦେବୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ, ବଡ଼ଭାଇ ଓ ସାନଭଉଣୀଙ୍କୁ ନେଇ ଶ୍ରୀଗୁଣ୍ଡିଚାଯାତ୍ରାରେ ଚାଲି ଯାଇଥିବାରୁ, ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପ୍ରତି ରୁଷ୍ଟ ହୋଇଥାଆନ୍ତି। ସେଇଥିପାଇଁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନକୁ ଫେରିବା ସମୟରେ ହୋଇଥାଏ ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’। ଏଣୁ ଏହି ରସଗୋଲା ଭୋଗ କେବଳ ‘ନୀଳାଦ୍ରିବିଜେର ପ୍ରୀତି-ନୈବେଦ୍ୟ’ ନୁହେଁ; ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତିର ପ୍ରତୀକ ମଧ୍ୟ।
ମୋ: ୯୪୩୭୦ ୩୪୮୦୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ratharudha-sri-jiu-nku-rasagola-bhoga-karajauchi.jpg)