୨୦୦ରୁ ଅଧିକ ସ୍ୱାଦର ରସଗୋଲା ପ୍ରସ୍ତୁତ କରୁଛନ୍ତି ସ୍ୱାତୀ

କଲକାତାର ସ୍ୱାତୀ ସରାଫ ଏପ୍ରିଲ୍‌ ୨୦୧୬ରେ ରସଗୋଲା ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ତାଙ୍କ ଦୋକାନରେ ବିକ୍ରି ହେଉଛି ୨୦୦ରୁ ଅଧିକ ପ୍ରକାରର ରସଗୋଲା। ସ୍ୱାତୀ କହନ୍ତି- ଆଜିକାଲି ମଧୁମେହ, ମେଦବହୁଳତା ଆଦି କାରଣରୁ ଅନେକ ମିଠା ଖାଇବାକୁ ପସନ୍ଦ କରୁନାହାନ୍ତି। ଆଉ ଏହା ହିଁ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ରସଗୋଲା ତିଆରିକରିବା ପାଇଁ ଉତ୍ସାହିତ କରିଥିଲା। ତାଙ୍କର ସବୁ ପ୍ରକାରର ରସଗୋଲା ଯଦିଓ ଛେନାରେ ତିଆରି, ତେବେ, ଚିନିର ପରିମାଣ କମ୍‌। ପ୍ରତି ପ୍ରକାରର ରସଗୋଲାର ସ୍ୱାଦ ଭିନ୍ନ।

ସେ ତିଆରିକରୁଛନ୍ତି ବ୍ଲାକ୍‌ କୁରାଣ୍ଟ୍‌, ଷ୍ଟ୍ରବେରି, ରାସ୍‌ପବେରି, ଗ୍ରିନ୍‌ ଆପଲ୍‌, ବ୍ଲୁବେରି, ଲିଚି, କଦଳୀ, ତରଭୁଜ, ଡାଳଚିନି, ତୁଳସୀ, ଜିରା, ପୋଦନା, ଡାଳଚିନି, ଲବଙ୍ଗ, ଧନିଆ, ବିଲାତୀ ବାଇଗଣ ଆଦି ରସଗୋଲା। ଏପରିକି ଭୋଦ୍‌କା ରସଗୋଲା, ଗୁଣ୍ଡି ପାନ ରସଗୋଲା, ପୁଚକା, ଲଙ୍କା, କଲରା ରସଗୋଲା ମଧ୍ୟ ତିଆରିକରୁଛନ୍ତି। ଏକ ନୂଆ ବର୍ଷ ଆସର ପାଇଁ ସେ ଦଶ ହଜାର ଭୋଦ୍‌କା ରସଗୋଲା ବିକିଥିବା ପ୍ରକାଶ। ଆଗକୁ ହୋଲି ଉପଲକ୍ଷେ ଭାଙ୍ଗ ରସଗୋଲା ଏବଂ ଖରାଦିନେ ଆଲ୍‌ଫନ୍‌ସୋ ରସଗୋଲା ତିଆରିକରିବେ। ରସଗୋଲା ପ୍ରସ୍ତୁତି ସ୍ୱାତୀଙ୍କ ପାଇଁ ଏକ କଳା ଏବଂ ଏହି କଳା ଲାଗି ସେ ଶତ ପ୍ରତିଶତ ଉତ୍ସର୍ଜିତ। ପ୍ରତିଟି ସ୍ୱାଦ ପ୍ରସ୍ତୁତ କଲା ପରେ ପୁଅ ରାଧେଶଙ୍କୁ ଚାଖିବାକୁ ଦିଅନ୍ତି। ପୁଅ ହିଁ ତାଙ୍କ ବିଦ୍ୟାର ସମାଲୋଚକ।

ସମ୍ବନ୍ଧିତ ଖବର