ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କଳିଯୁଗର ସର୍ବଶ୍ରେଷ୍ଠ ଦେବତା। ଶ୍ରୀକ୍ଷେତ୍ରରେ ସାକ୍ଷାତ୍ ମାନବୀୟ ଲୀଳା କରି, ବିଶ୍ୱର ମାନବ ସମାଜକୁ ସେ ଲୋକଶିକ୍ଷା ପ୍ରଦାନ କରୁଛନ୍ତି। ଏହି ରହସ୍ୟମୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ସେ ଜୀବନ୍ତ ଠାକୁର। ତାଙ୍କର ଘଟ ପରିବର୍ତ୍ତନ ହୁଏ ଏବଂ ପୁରାତନ କଳେବରକୁ ପରିତ୍ୟାଗ କରି ସେ ନୂତନ କଳେବରରେ ଅବତୀର୍ଣ୍ଣ ହୁଅନ୍ତି। ଏପରି ପରମ୍ପରା ସମଗ୍ର ବିଶ୍ୱରେ ବିରଳ। ଚତୁର୍ଦ୍ଧା ବିଗ୍ରହ ସ୍ୱରୂପରେ ଆବିର୍ଭୂତ ହେଲେ ହେଁ ବସ୍ତୁତଃ ସେ ଏକ ଅଟନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ତାଙ୍କର ରଥଯାତ୍ରା। ମହାପ୍ରଭୁ ସ୍ୱୟଂ ଜଣାଇଦିଅନ୍ତି ଯେ ଆମେ ଚତୁର୍ଦ୍ଧା ହେଲେ ହେଁ ଏକ।
ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବ ଦିନ ରଥଖଳାଠାରେ ତିନି ରଥରେ ଆଜ୍ଞାମାଳ ଲାଗି ହେଲା ପରେ, ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହୋଇ ସିଂହଦ୍ୱାରକୁ ଆସିଥାଏ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ରଥାରୂଢ଼ ହେବାପରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀଗୁଣ୍ଡିଚା ମଣ୍ଡପ ଅଭିମୁଖେ ଟଣାଯାଇଥାଏ। ସବୁଠାରୁ ବିରଳ ପରମ୍ପରା ହେଉଛି ହେରାପଞ୍ଚମୀ ପରଦିନର ନୀତି। ଏହି ଦିନ ଶ୍ରୀଜିଉଙ୍କ ଆଜ୍ଞାମାଳ ଆସିବା ପରେ ତାହା ରଥରେ ଲାଗି ହୋଇ, ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣମୋଡ଼ ହୋଇଥାଏ। ଅର୍ଥାତ୍, ରଥକୁ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରୁ ଟଣାଯାଇ ନାକଚଣା ଦ୍ୱାରଠାରେ ତିନି ରଥକୁ ଦକ୍ଷିଣାଭିମୁଖୀ କରି ରଖାଯାଏ। ତେଣୁ ଏହା ‘ଦକ୍ଷିଣମୋଡ଼’ ନାମରେ ଅଭିହିତ। ଏହାଦ୍ୱାରା ପ୍ରଭୁ ମାନବ ସମାଜକୁ ଜଣାଇ ଦିଅନ୍ତି ଯେ ଆମ ଭିତରେ ଭେଦଭାବ ବା ବଡ଼ ସାନ ନାହିଁ। ଏହା ‘ସର୍ବରଥ ସମଭାବ’ର ବାର୍ତ୍ତା ଦିଏ।
ମାନବୀୟ ଲୀଳାର ଅନ୍ୟତମ ନିଦର୍ଶନ ହେଉଛି ହେରା ପଞ୍ଚମୀ। ସେଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରି ସେଠାରୁ ଫେରିବା ବେଳେ ନନ୍ଦିଘୋଷ ରଥର କାଠ ଖଣ୍ଡିଏ ଭାଙ୍ଗି ଦେଇ ଅଭିମାନରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତାହାର ପରଦିନ ସକାଳ ଧୂପ ପରେ, ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ତିନି ଜଣ ପୂଜାପଣ୍ଡାଙ୍କ ଦ୍ୱାରା ତିନି ରଥରେ ପ୍ରଦାନ କରାଯାଏ, ଏବଂ ଗୁଣ୍ଡିଚାମନ୍ଦିରର ସିଂହଦ୍ୱାର ଠାରୁ ନାକଚଣା ଦ୍ୱାର ନିକଟକୁ ରଥଗୁଡ଼ିକୁ ନିଆଯାଇଥାଏ। ଏଥିରେ ରଥ ତିନିଟିକୁ ଦକ୍ଷିଣାଭିମୁଖୀ କରି ରଖାଯାଏ। ଏଥିପାଇଁ ବାହୁଡ଼ାଯାତ୍ରାର ଅନ୍ୟନାମ ଦକ୍ଷିଣାଭିମୁଖୀ ଯାତ୍ରା।
ଅତୀତରେ କଳାବେଠିଆ ସେବକମାନେ ଏହି ରଥମାନଙ୍କର ଦକ୍ଷିଣମୋଡ଼ କାର୍ଯ୍ୟରେ ନିୟୋଜିତ ହେଉଥିଲେ। ରଥର ପଛ ପାର୍ଶ୍ବରେ ହାତିମାନଙ୍କୁ ରଖାଯାଉଥିଲା। ସେତେବେଳେ ଶରଧାବାଲି ଅଞ୍ଚଳ ଜଳମଗ୍ନ ହୋଇଯାଉଥିବାରୁ ବହୁ କଷ୍ଟ ସ୍ୱୀକାର କରାଯାଇ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟ ୨/୩ ଦିନ ଧରି ଚାଲୁଥିଲା। ୧୯୮୫ ମସିହା ପରେ ଶରଧାବାଲିର ଉଭୟ ପାର୍ଶ୍ବକୁ ବାଲିରେ ପୋତା ଯାଇ ତାହାକୁ ଉଚ୍ଚ କରାଯିବା ସଙ୍ଗେ ସଙ୍ଗେ ବିଗତ ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି, ପୋଲିସ, କର୍ମଚାରୀ, ଭୋଇ, ମହାରଣା ଓ ରଥ ନିର୍ଦ୍ଦେଶକ ଦଳଙ୍କ ସହାୟତାରେ ରଥର ଦକ୍ଷିଣମୋଡ଼ କାର୍ଯ୍ୟ ସଂପାଦନ ହୋଇଆସୁଅଛି।
ଏହି ଦକ୍ଷିଣମୋଡ଼ରେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ, ତତ୍ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଏ।
ଏହି ଦ୍ୱାରର ନାମ କାହିଁକି ‘ନାକଚଣା ଦ୍ୱାର’ ହୋଇଛି, ସେ ସଂପର୍କରେ ଏକାଧିକ କାହାଣୀ ଅଛି। ସେଥିରୁ ଗୋଟିଏ ହେଉଛି, ରାଜା କପିଳେନ୍ଦ୍ର ଦେବଙ୍କ ସମୟ ପର୍ଯ୍ୟନ୍ତ ଗୁଣ୍ଡିଚାମନ୍ଦିରର ସମ୍ମୁଖ ଭାଗରେ ଥିଲା ଗୋଟିଏ ଦ୍ୱାର। ଏହି ରାଜାଙ୍କର ରାଣୀ ନିଜ ନାକଚଣା (ନାକ ଅଳଙ୍କାର)ର ମୂଲ୍ୟରେ ଏହି ଦ୍ୱାରର ନିର୍ମାଣ କରାଇଥିଲେ। ଅନ୍ୟ ଏକ କାହାଣୀ ଅନୁସାରେ, ଗୁଣ୍ଡିଚାରାଣୀ ନିଜ ନାକଚଣାର ବିନିମୟ ମୂଲ୍ୟରେ ଏହି ଦ୍ୱାରର ନିର୍ମାଣ କରାଇଥିଲେ। ଆଉ ଗୋଟିଏ କାହାଣୀ ଅନୁସାରେ, ଦେବୀ ଲକ୍ଷ୍ମୀ ହେରାପଞ୍ଚମୀ ଦିନ, କ୍ଷୁବ୍ଧ ହୋଇ ତରତରରେ ଚାଲିଯିବା ବେଳେ, ସେହି ଦ୍ୱାରଠାରେ ତାଙ୍କର ନାକଚଣାଟି ଖସିପଡ଼ିବାରୁ, ଏହାର ନାମ ନାକଚଣାଦ୍ୱାର ହୋଇଛି। ତେବେ ଏହି ଦ୍ୱାରର ଅନ୍ୟ ଏକ ନାମ ହେଉଛି ‘ବିଜୟ ଦ୍ୱାର’। କାରଣ, ଏହି ଦ୍ୱାରଠାରେ ଦକ୍ଷିଣମୋଡ଼ ହୋଇଥିବା ତିନିରଥକୁ ରଖାଯାଇଥାଏ ଏବଂ ସେହି ତିନିରଥରେ ଠାକୁରମାନେ ବାହୁଡ଼ା ବିଜୟ କରିଥାଆନ୍ତି।
ଶ୍ରୀଗୁଣ୍ଡିଚା ମହୋତ୍ସବର ପ୍ରମୁଖ ବିଧିବିଧାନ ମଧ୍ୟରେ ରଥ ତ୍ରୟର ଦକ୍ଷିଣମୋଡ଼ ବିଶେଷ ଗୁରୁତ୍ୱପୂର୍ଣ୍ଣ।
ମୋ: ୯୪୩୭୪ ୨୨୮୪୪