ଓଡ଼ିଆ ଜାତିର ସମ୍ମାନ ରହିଗଲା

ପୁରୀ : ୨୮୪ ବର୍ଷ ପରେ ଲେଖା ହୋଇଥା’ନ୍ତା ନୂଆ ଇତିହାସ। ଗତ ୨୮୪ ବର୍ଷ ଭିତରେ ଯାହା ହୋଇନଥିଲା ତାହା ଏଥର ହୋଇଥା’ନ୍ତା। ମାତ୍ର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭା‌ବାବେଗ, ଶ୍ରୀମନ୍ଦିର ପରିଚାଳନା କମିଟି, ସେବକ ସମାଜ, ଛତିଶାନିଯୋଗ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସର୍ବୋପରି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ଓଡ଼ିଆ ଜାତି ଲେଖିବାକୁ ଯାଉଥିବା ଏକ କଳଙ୍କିତ ଇତିହାସରୁ ବର୍ତ୍ତିଯାଇଛି।

୨୮୪ ବର୍ଷ ପରେ ଅଟକିବାକୁ ଯାଉଥିବା ଘୋଷଯାତ୍ରା ପୁଣି ସମ୍ଭବ ହୋଇଛି। କରୋନା କଟକଣା ଭିତରେ ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା ହେବ। ମୋଗଲ ଆକ୍ରମଣ ଯୋଗୁଁ ୧୭୩୬ ପର୍ଯ୍ୟନ୍ତ ଅନେକ ଥର ରଥଯାତ୍ରା ବନ୍ଦ ହୋଇଥିଲା। ମାତ୍ର ରତ୍ନ ସିଂହାସନକୁ ଫେରିବା ପରେ କେବେ ବି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନଥଲା। ଏପରିକି ନଅଙ୍କ ଦୁର୍ଭିକ୍ଷ ଓ ହଇଜା ମହାମାରୀ ‌ବେଳେ ମଧ୍ୟ ରଥଯାତ୍ରା ବନ୍ଦ ହୋଇନଥିଲା। ମାତ୍ର କରୋନା ଯୋଗୁଁ ଏଥର ରଥଯାତ୍ରା ନ କରିବାକୁ ଏକ ମାମଲାର ବିଚାର କରି ମାନ୍ୟବର ସୁପ୍ରି‌ମକୋର୍ଟ ଗତ ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ରଥଯାତ୍ରା ହେବ ନାହିଁ ‌ବୋଲି ସ୍ପଷ୍ଟ ହୋଇଥିଲା। ମାତ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ମିଳିତ ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାର ପୁନଃବିଚାର କରିବାକୁ ନିବେଦନ କରିଥିଲେ। ଏ‌ ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟରେ ୧୨ଟି ଆବେଦନ ହୋଇଥିଲା। ଶେଷରେ ମାନ୍ୟବର ସୁପ୍ରିମକୋର୍ଟ ରଥ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଣି ରଥଯାତ୍ରା ହେବାକୁ ଯାଉଛି।

ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ମାତ୍ର ଗୋଟିଏ ଦିନ ପୂର୍ବରୁ ଚୂଡ଼ାନ୍ତ ହୋଇଛି। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ପ୍ରଶାସନ ତିନି ମାସ ପୂର୍ବରୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଥମ ଥର ମାତ୍ର ଦିନକ ଭିତରେ ସବୁ ପ୍ରସ୍ତୁତ ହୋଇଛି। ତେବେ ‌କରୋନା ମହାମାରୀ ଯୋଗୁଁ ରଥଯାତ୍ରାକୁ ନେଇ ରହିଥିବା ଦ୍ବନ୍ଦ୍ବ ଓ ଘଟଣା କ୍ରମକୁ ନଜର ପକାଇଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ମାର୍ଚ ୨୦ ତାରିଖରେ କଟକଣା ଲାଗିଥିଲା। ପରେ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିଲେ।

ଏ ନେଇ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ ହେଲା, (୧)-ଅକ୍ଷୟ ତୃତୀୟା: ରଥକାଠ ଅନୁକୂଳ ( ଏପ୍ରିଲ-୨୬ ତାରିଖ), ଶ୍ରୀମନ୍ଦିର ଭିତରେ ହେଲା ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ର ବନ୍ଦ, ଭିତରେ ହେଲା ଚନ୍ଦନଯାତ୍ରା (୨) ରଥ ନିର୍ମାଣ ପାଇଁ କେନ୍ଦ୍ରକୁ ଅନୁମତି ପାଇଁ ରାଜ୍ୟ ଲେଖିଲା ଚିଠି, କେନ୍ଦ୍ର ହେଲା ନିର୍ମାଣ ଅନୁମତି (୩) ୧୨ ଦିନ ବିଳମ୍ବରେ ଅର୍ଥାତ ମେ ୮ ତାରିଖରେ ଆରମ୍ଭ ହେଲା ହେଲା ରଥ ନିର୍ମାଣ କାମ (୪) ଜୁନ ୫ରେ ବିନ‌ା ଭକ୍ତରେ ହେଲା ସ୍ନାନଯାତ୍ରା (୫) ରଥଯାତ୍ରାକୁ ବନ୍ଦ ପାଇଁ ମେ ୨୧ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଭାରତୀୟ ବିକାଶ ପରିଷଦ (୬) ଜୁନ ୯ ତାରିଖରେ ମାମଲାର ଶୁଣାଣି କରି ରାଜ୍ୟ ସରକାର ଚାହିଁଲେ ରଥଯାତ୍ରା କରି ପାରିବେ ବୋଲି ହାଇକୋର୍ଟ ଦେଲେ ନିର୍ଦ୍ଦେଶ (୭) ଜୁନ୍‌ ୧୦ ତାରିଖରେ ମାମଲା ଗଲା ସୁପ୍ରିମକୋର୍ଟ (୮) ଜୁନ ୧୮ରେ ଓଡ଼ିଶା ବିକାଶ ପରିଷଦ ଓ ଭାରତୀୟ ବିକାଶ ପରିଷଦର ମାମଲାର ବିଚାର କରି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ (୯) ଜୁନ ୧୯ରେ ଗଜପତିଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକ, ରାୟର ପୁନଃ ବିଚାର ପାଇଁ ଗଜପତିଙ୍କ ନିବେଦନ (୧୦) ଜୁନ ୨୦ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି, ଶଙ୍କରାଚାର୍ଯ୍ୟ ରାୟର ପୁନଃ ବିଚାର ପାଇଁ କଲେ ଆବେଦନ , ପକ୍ଷ ରଖିଲେ ୧୨ରୁ ଅଧିକ ସଂଗଠନ ଓ ବ୍ୟକ୍ତି (୧୧) ଜୁନ ୨୧ ମାମଲାକୁ ଗ୍ରହଣ କଲେ ସିଙ୍ଗଲ ‌ବେଂଚ, ଜୁନ ୨୨ ତାରିଖରେ ହେଲା ମାମଲାର ଶୁଣାଣି ଓ ରଥଯାତ୍ରାକୁ ମିଳିଲା ଅନୁମତି ।

ସମ୍ବନ୍ଧିତ ଖବର