୩ଟନ୍‌ ଲୁହାରେ କଣ୍ଟା କରନ୍ତି କମାର ସେବକ, କଣ୍ଟା ପ୍ରସ୍ତୁତି ପାଇଁ ଲାଗିଥାଏ ୫୫ରୁ ୫୮ ଦିନ

ଅର୍ଜୁନ ମହାରଣା, ତାଳଧ୍ବଜ ରଥର ମୁଖ୍ୟ କମାର ସେବକ

ମହାପ୍ରଭୁଙ୍କ ରଥ ନିର୍ମାଣ ଶାସ୍ତ୍ରସମ୍ମତ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ଦିନରୁ ହିଁ କମାର ସେବକଙ୍କ ସେବା ଆରମ୍ଭ ହୋଇଯାଏ। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗାଉଥିବା ବେଳେ କାଠ ଖଣ୍ଡମାନଙ୍କୁ ରଥାକୃତି କରିବା ପାଇଁ ଆବଶ୍ୟକ ପଡ଼ୁଥିବା କଣ୍ଟା ପ୍ରସ୍ତୁତିରେ ନିୟୋଜିତ ହୁଅନ୍ତି କମାର ବା ଓଝା ସେବକ। ଦୋଳବେଦିର ନିମ୍ନ ଭାଗ ପାଲଟିଯାଏ ଏହି ସେବକଙ୍କର ଅସ୍ଥାୟୀ କମାରଶାଳ। ରଥ ଗଢ଼ିବା ପାଇଁ ସର୍ବନିମ୍ନ ୪ ମିଲିମିଟରର ଦୁଇ ଇଞ୍ଚ କଣ୍ଟାରୁ ଆରମ୍ଭ କରି ୨୫ ମିଲିମିଟରର ସାଢ଼େ ୪ ଫୁଟ ଲମ୍ବର କଣ୍ଟା ଆବଶ୍ୟକ ହୁଏ। ବ୍ୟବହୃତ କଣ୍ଟାର ପ୍ରକାର ଓ ନାମକରଣ ଭିନ୍ନ ଭିନ୍ନ।

ରଥ ଅନୁକୂଳ ଦିନ କମାର ସେବକଙ୍କ ଦ୍ବାରା ନିର୍ମିତ ୩ଟି ଛୋଟ କୁରାଢ଼ିରେ ଅନୁକୂଳ କାଠକୁ ସ୍ପର୍ଶ ଦିଆଯିବା ପରେ ରଥକାର୍ଯ୍ୟ ଆରମ୍ଭ ହୁଏ। ଅକ୍ଷୟତୃତୀୟା ପରଦିନଠାରୁ କମାରଶାଳରେ କାମ ଆରମ୍ଭ ହୋଇ ନେତ୍ର ଉତ୍ସବରେ ଶେଷ ହେଉଥିଲେ ହେଁ ହେରା ପଞ୍ଚମୀରେ ମହାଲକ୍ଷ୍ମୀ ରଥ ଭାଙ୍ଗିବା ପରେ ବି କମାର ସେବକଙ୍କୁ ଲୋଡ଼ା ପଡ଼େ। ରଥ ନିର୍ମାଣରେ ବିନିଯୋଗ ହେଉଥିବା କଣ୍ଟା ପ୍ରସ୍ତୁତି ଲାଗି ଦୋଳବେଦି ପରିସରରେ ତିନି ରଥ ପାଇଁ ୩ଟି ଶାଳ କରାଯାଇଥାଏ। ତିନି ରଥ ପାଇଁ ମୋଟ ୧୭ ଜଣ କମାର ସେବକ ନିୟୋଜିତ ହୁଅନ୍ତି। ନନ୍ଦିଘୋଷ ରଥ ପାଇଁ ୬ ଜଣ, ତାଳଧ୍ବଜ ରଥ ପାଇଁ ୬ ଜଣ ଓ ଦର୍ପଦଳନ ପାଇଁ ୫ ଜଣ କମାର ସେବକ ନିୟୋଜିତ ହୋଇ କମାରଶାଳରେ କଣ୍ଟା ପ୍ରସ୍ତୁତ କରନ୍ତି। ଗୋଡ଼ିଛାଲ ପାଇଁ ସବୁଠୁ ଛୋଟ ୨ଇଞ୍ଚର କଣ୍ଟା ପ୍ରସ୍ତୁତ କରାଯାଉଥିବା ବେଳେ ତେର ପରସ୍ତ ପୋଟଳକୁ ଯୋଖିବା ଲାଗି ୨୫ ଏମ୍‌ଏମ୍‌ର ସବୁଠୁ ବଡ଼ ସାଢ଼େ ୪ ଫୁଟିଆ କଣ୍ଟା ଜଙ୍ଘା ପ୍ରସ୍ତୁତ କରାଯାଏ।

ରଥ ନିର୍ମାଣ କାର୍ଯ୍ୟରେ ପ୍ରାୟ ୩ଟନ୍‌ରୁ ଅଧିକ ଲୁହା କଣ୍ଟା ବ୍ୟବହୃତ ହୋଇଥାଏ। ରଥର ବିଭିନ୍ନ ଅଂଶକୁ ଯୋଡ଼ିବା ଲାଗି ପ୍ରାୟ ୭୦ରୁ ୭୫ ପ୍ରକାରର କଣ୍ଟା ବ୍ୟବହୃତ ହୁଏ। ତେବେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ରଥରେ ଅଧିକ କାଠ ଖଣ୍ଡ ଓ କଣ୍ଟା ବ୍ୟବହୃତ ହେଉଥିବା ବେଳେ ତୁଳନାତ୍ମକ ଦୃଷ୍ଟିରୁ ଦେବୀସୁଭଦ୍ରାଙ୍କ ରଥରେ କମ୍‌ କାଠ ଓ କଣ୍ଟା ଲାଗିଥାଏ। ସେହିପରି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥର ୧୧ ଦଣ୍ଡା ଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୯ଦଣ୍ଡା କାମ ହୋଇଥାଏ। ସେହିପରି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ରଥର ୧୬ଟି ଯୋଖା କାମ ହେଉଥିବା ବେଳେ ଦେବୀସୁଭଦ୍ରାଙ୍କ ରଥର ୧୨ ଯୋଖା କାମ ହୋଇଥାଏ। କେବଳ ତାଳଧ୍ବଜ ରଥର ଚକା ପାଇଁ ୩୨ଟି କଣ୍ଟା ସହ ୪ଟି ପନ୍ଦାରି ଚାବି, ୨ଟି ପନ୍ଦାରି, ୨ଟି ବଳା ଲାଗେ। ସେହିଭଳି ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ରଥରେ ବି ଅନୁରୂପ କଣ୍ଟାର ଆବଶ୍ୟକତା ପଡ଼ିଥାଏ।

ରଥ ପାଇଁ ବ୍ୟବହୃତ କଣ୍ଟାଗୁଡ଼ିକର ବିଭିନ୍ନ ନାମକରଣ କରାଯାଇଛି। ଯେପରି ଅରକଣ୍ଟା, ତୁମ୍ବରେ ଲାଗୁଥିବା ପନ୍ଦାରି, ପନ୍ଦାରିଚାବି, ତୁମ୍ବ ବାହାର ବଳା, ମୁହଁବିଡ଼ିଆ, ଦଣ୍ଡାବିଡ଼ିଆ, ଗରଗରା, ଗୟଳ, ଛନ୍ଦାଗୟଳ, ଯୋଖା, କଇଁଚି, ଭୂଇଁ, ଚାରପରିଚ୍ଛା, କତରା, ଧମକ, ବାହୁଟି ପଠାଲିଆ, ସିଂହାସନରାୟ, ଜଗତଭୂଷଣ ଶେଣି, ସିଂହାସନ ଗୁଣ୍ଠି, ନାରାଜ, ଶିଖର ଡମ୍ବରୁ, ଅନ୍ଧାରିତାଗ, ଧ୍ବଜବଣ, କଞ୍ଚାଧମକ, କାଣ୍ଡଚୁନାଟ, ଧୂଳିଦଣ୍ଡା, ପ୍ରଭା, ସିଙ୍ଗଡ଼ା ଆଦି କଣ୍ଟା କମାର ସେବକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥାଏ।

ସଂପ୍ରତି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ଦାଶରଥି ମହାରଣା, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ପାଇଁ ଅର୍ଜୁନ ମହାରଣା ଏବଂ ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ କେଦାର ମହାରଣା ମୁଖ୍ୟ କମାର ସେବକ ତଥା ଓଝା ସେବକ ଭାବେ ନିୟୋଜିତ ହୋଇଥିବା ବେଳେ ତାଙ୍କ ଅଧୀନରେ ୧୪ ଜଣ କାର୍ଯ୍ୟରତ। ମୁଖ୍ୟ ଓଝା ସେବକ ହିଁ ଶାଢ଼ି ବନ୍ଧାଉଥିବା ବେଳେ ହବିଷ୍ୟାନ୍ନ ଖାଇ ରଥ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ସେବା ଦେଇଥାଆନ୍ତି। ରଥ ନିର୍ମାଣ ବେଳେ ସେମାନଙ୍କୁ କଣ୍ଟା ପ୍ରସ୍ତୁତି ପାଇଁ ୫୫ରୁ ୫୮ ଦିନ ସମୟ ଲାଗିଥାଏ।

ସମ୍ବନ୍ଧିତ ଖବର