ଭାଇ ମହାରଣା ଓ ପାହି ମହାରଣା

ପଣ୍ଡିତ ସଦାଶିବ ରଥଶର୍ମାଙ୍କ ବିବରଣୀର କ୍ରମ-୧୬ରେ ‘ପାହି ମହାରଣା’ ସେବାର ଉଲ୍ଲେଖ ଥିବାବେଳେ, ଅନ୍ୟ ବିବରଣୀରେ ଏହି ସେବା ସହିତ ‘ଭାଇ ମହାରଣା’ ନାମର ଉଲ୍ଲେଖ ମଧ୍ୟ ମିଳେ। ଶ୍ରୀ ରଥଶର୍ମା ଲେଖିଛନ୍ତି- ଏମାନେ (ପାହି ମହାରଣା) ଥିଲେ, ‘‘ଗ୍ରାମମାନଙ୍କରୁ ଆସିଥିବା, ସେବା ଭାବରେ ସାମାନ୍ୟ ଖାଉଟି ଓ ଚଞ୍ଛା କାଠ ନେଇ କାର୍ଯ୍ୟ କରିବା ବଢ଼ାଇଗଣ’’। କିନ୍ତୁ ଏହି ଧରଣର ବଢ଼େଇ ସେବକଙ୍କୁ ଅନ୍ୟ ବିବରଣୀରେ ଭାଇ ମହାରଣା ବୋଲି ଉଲ୍ଲେଖ କରାଯାଇଛି। ସେହି ବିବରଣୀ ଏହିପରି-

୧୩. ଭାଇ ମହାରଣା: ଏମାନେ ଶ୍ରୀମନ୍ଦିରରୁ ଜମିବାଡ଼ି ବା ଖେଇ ପାଉଥିବା ବଢ଼େଇ ସେବକ ନୁହନ୍ତି। ଆବଶ୍ୟକତା ଅନୁସାରେ ଏମାନେ ଆଖପାଖ ଗ୍ରାମରୁ ଆସି ଅଧିକ ମହାରଣା ଭାବରେ ରଥନିର୍ମାଣ କାର୍ଯ୍ୟରେ ଯୋଗଦାନ କରନ୍ତି ଏବଂ ପ୍ରତିବଦଳରେ ପାରିତୋଷିକ ପାଆନ୍ତି।

୧୪. ପାହି ମହାରଣା: ତିନି ରଥର ପ୍ରୟୋଜନ ଅନୁସାରେ ଏମାନେ ରଥନିର୍ମାଣ କରୁଥିବା ମହାରଣାମାନଙ୍କ ବ୍ୟବହାରପାଇଁ ଗଦାକୁ ଗଦା କାଠ ଖଞ୍ଜି ଯୋଗାଇ ଦିଅନ୍ତି।

ତେବେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ଵଲିପି ଅନୁସାରେ, ‘ବଢ଼େଇ ମହାରଣା’ ସେବାର ବିବରଣୀ ଭିନ୍ନମତେ ଉଲ୍ଲେଖ ଅଛି। ପୂର୍ବବର୍ଣ୍ଣିିତ ରଥଖଳା ବା ମହାଖଳା ଅମିନ (ରଥକଥା-୨୦) ମଧ୍ୟ ଏହାର ଅନ୍ତର୍ଭୁକ୍ତ। ସ୍ୱତ୍ଵଲିପିରେ ସେହି ସେବାକୁ ‘ରଥ ଅମିନ’ ଭାବରେ ଉଲ୍ଲେଖ କରାଯାଇଛି।

ଶ୍ରୀମନ୍ଦିର ସ୍ୱତ୍ଵଲିପିର ସେବକ କ୍ରମ- ୧୦୫ ଅନୁସାରେ, ବଢ଼େଇ ମହାରଣା ସେବା ବଂଶାନୁକ୍ରମିକ। ଏମାନେ ଶାଢ଼ିବନ୍ଧା ସେବକ। ଏମାନେ ରଥନିର୍ମାଣ କରନ୍ତି। ନବକଳେବର ସମୟରେ ଦାରୁ ଅନେ୍ଵଷଣରେ ଯିବା ସହିତ ଦଇତା ସେବକଙ୍କ ନିର୍ଦ୍ଦେଶରେ ମୂର୍ତ୍ତିି ନିର୍ମାଣ କରନ୍ତି। ଚନ୍ଦନଯାତ୍ରାର ଚାପ (ଡଙ୍ଗା) ତିଆରି ସମେତ ଝୁଲଣ ବିମାନ ମଧ୍ୟ ତିଆରି କରନ୍ତି। ସାରାବର୍ଷ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରାରେ ଯେଉଁସବୁ ପିଢ଼ା, ରୁଖା, ଶ୍ରୁବ, ଶ୍ରୁଚ, ଭଦ୍ରାସନ ଓ ବେଶ ଉପକରଣ ଆଦି କାଠକାମ ଆବଶ୍ୟକ ହୁଏ, ସେସବୁ ଏହି ବଢ଼େଇ ମହାରଣା ସେବକ କରିଥାଆନ୍ତି। ‘ଶ୍ରୀପୁରୁଷୋତ୍ତମ ଦେଉଳ ସେବକ ଖଟଣି ନିଯୋଗ କର୍ମାଙ୍ଗୀ’ ବା ‘କର୍ମାଙ୍ଗୀ ମାଦଳା’ରେ ଏମାନଙ୍କୁ ‘ବିଶ୍ୱକର୍ମା’ କୁହାଯାଇଛି। ସେଥିରେ ଥିବା ଉଲ୍ଲେଖ ଅନୁସାରେ ‘‘ଏ ରଥ ଚାପ ଦୋଳ ଆବର ଯେତେ କାଠ ସୁଆଁସ କାମ ସକଳ ପଦାର୍ଥ କରିବେ। ପରମେଶ୍ୱରଙ୍କୁ ମଠାଣିବେ। ସକଳ ଦେବଦେବୀଙ୍କୁ ପ୍ରମାଣେ ପରମେଶ୍ୱରଙ୍କ ସକଳ କାଠକର୍ମ କରିବେ। ମାପଚୁପ ରଖିବେ।’’ ଏ ବାବଦରେ ସୂଚନାଯୋଗ୍ୟ ଯେ ରଥକାଠ ସମେତ ସମସ୍ତ କାଠକାମପାଇଁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ କାଠ ଯୋଗାଇ ଦେଇଥାଆନ୍ତି।

ଏଣୁ ଏହି ଶାଢ଼ିବନ୍ଧା ବଢ଼େଇ ମହାରଣା ହିଁ ରଥ ନିର୍ମାଣର ମୁଖ୍ୟ ସେବକ। ‘ରଥ ଅମିନ’ଙ୍କ ସମେତ ‘ସୂତାର ମହାରଣା’, ‘ତଳି ମହାରଣା’ ଓ ‘ମହାରଣା’ ଆଦି ବିଭିନ୍ନ ବର୍ଗରେ ସେମାନଙ୍କୁ ଚିହ୍ନିତ କରାଯାଇଛି।

ରଥ ନିର୍ମାଣର ପ୍ରୟୋଜନ ଅନୁସାରେ ପ୍ରତିବର୍ଷ ଆଖପାଖ ଗ୍ରାମାଞ୍ଚଳରୁ ଯେଉଁ ଅଧିକ ମହାରଣା ଆସି ସେମାନଙ୍କୁ ସହଯୋଗ କରିଥାଆନ୍ତି, ସେମାନେ ‘ଭାଇ ମହାରଣା’ ବା ‘ଭାଇପୁଅ’ ଭାବରେ ପରିଚିତ ହୁଅନ୍ତି।

ଏ ପ୍ରସଙ୍ଗରେ ଶ୍ରୀ ରଥଶର୍ମା ତାଙ୍କ ରଥସେବା ବିବରଣୀର କ୍ରମ-୧୧ରେ ‘ତୁମ୍ବକଟା ପାହି ମହାରଣା’ ନାମରେ ଏକ ସ୍ୱତନ୍ତ୍ର ସେବାର ଉଲ୍ଲେଖ କରିଛନ୍ତି। ସେହି ବିବରଣୀ ଅନୁସାରେ- ‘ଭଅଁର’ ନାମକ ଉପକରଣଦ୍ଵାରା ସେମାନେ ରଥଚକର ‘ତୁମ୍ବ’ରେ ଅଖପାଇଁ ନାଳି ଫିଟାନ୍ତି। କିନ୍ତୁ ଅନ୍ୟ ବିବରଣୀରେ ଏପରି ସ୍ୱତନ୍ତ୍ର ସେବାର ଉଲ୍ଲେଖ ନାହିଁ।

ଏବେ କିନ୍ତୁ ତୁମ୍ବରେ ନାଳି ଫିଟାଇବାପାଇଁ ହାତ-ଚାଳିତ ‘ଭଅଁର’ ପରିବର୍ତ୍ତେ ସ୍ୱତନ୍ତ୍ର ଭାବରେ ନିର୍ମିତ ମେସିନ୍‌ର ଉପଯୋଗ ହେଲାଣି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର