ରଥଭୋଇ, ସାଙ୍ଗୀ ଓ ବାଡ଼ଭୋଇ

ପଣ୍ଡିତ ରଥଶର୍ମାଙ୍କ ରଥସେବା ବିବରଣୀର କ୍ରମ-୧୨,୧୩ ଓ ୧୪ରେ ‘ରଥଭୋଇ ନାୟକ’, ‘ସାଙ୍ଗୀ ନାୟକ’ ଓ ‘ଯନ୍ତାବସାଳି ପାହିଭୋଇ’ ସେବାର ଉଲ୍ଲେଖ ଅଛି। କିନ୍ତୁ ଅନ୍ୟ ବିବରଣୀରେ ଏହି ସେବାକୁ ‘ରଥଭୋଇ ନାୟକ’, ‘ଯନ୍ତାଭେଣ୍ଡିଆ’ ଓ ‘ବାଡ଼ଭୋଇ’ କୁହାଯାଇଛି। ସେବାର ବିବରଣୀ ଦୃଷ୍ଟିରୁ ସେମାନଙ୍କୁ ଏହିପରି ଭାବରେ ଉପସ୍ଥାପିତ କରାଯାଇପାରିବ।

୧୭. ରଥଭୋଇ ନାୟକ: ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ-୯୭ରେ ‘ରଥଭୋଇ’ ସେବାର ବିବରଣୀ ଉଲ୍ଲେଖ ଅଛି। ଏହାକୁ ‘ସର୍ଦ୍ଦାର ଭୋଇ’ ବୋଲି କୁହାଯାଇଛି। ଉଲ୍ଲେଖ ଅଛି- ରଥ କାମରେ ଯେତେ ମୂଲିଆ ଦରକାର ହୁଏ, ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଏବଂ ଅନ୍ୟ ମୂଲିଆ ଲଗାଇ କାମ କରାନ୍ତି। ବାହାରେ ଯେତେ ଛାମୁଣ୍ଡିଆ ହୁଏ ସବୁ ଏମାନେ କରନ୍ତି। ରଥଯାତ୍ରା ପରେ ରଥଭଙ୍ଗା କାମ ମଧ୍ୟ କରନ୍ତି ଓ କରାନ୍ତି। ‘ସପ୍ତରଥକାର ବା ସପ୍ତ ରଥନାୟକ’ (ରଥକଥା-୧୬)ରେ ଏ ସଂପର୍କରେ ଉଲ୍ଲେଖ କରାଯାଇଛି।

୧୮. ଯନ୍ତା ବସାଳି ବା ଯନ୍ତା ଭେଣ୍ଡିଆ: ରଥଖଳା ପରିଭାଷାରେ ‘ଯନ୍ତା’ ଏକ ସ୍ୱତନ୍ତ୍ର ଶବ୍ଦ। କେତେକ ବିବରଣୀରେ ଏହାକୁ ‘ଚକ’ର ଅନ୍ୟନାମ ବୋଲି କୁହାଯାଇଥିଲେ ମଧ୍ୟ, ଶ୍ରୀ ରଥଶର୍ମାଙ୍କ ସୂଚୀ ଓ ଅନ୍ୟାନ୍ୟ ବିବରଣୀ ଅନୁସାରେ, ଏହା ହେଉଛି- ସ୍ୱତନ୍ତ୍ର ଭାବରେ ଖୋଳା ଯାଇଥିବା ଖାଲ, ଯେଉଁଥିରେ ଚକ କଷାଯାଏ। ରଥଶର୍ମା ଏହି ସେବାକୁ ‘ଯନ୍ତା ବସାଳି’ କହିଥିବାବେଳେ ଅନ୍ୟ କେତେକ ‘ଯନ୍ତା ଭେଣ୍ଡିଆ’ କହିଛନ୍ତି। ଏହା ‘ପାହି ଭୋଇ’ ସେବା ବୋଲି ମଧ୍ୟ ତାଙ୍କ ବିବରଣୀରେ ଉଲ୍ଲେଖ ଅଛି। ‘ସପ୍ତରଥକାର ବା ସପ୍ତରଥନାୟକ’ ପ୍ରସଙ୍ଗରେ କେତେକ ବିବରଣୀରେ ଏହାକୁ ‘ବାଉରି ଭେଣ୍ଡିଆ’ (ରଥକଥା-୧୬) ବୋଲି ମଧ୍ୟ କୁହାଯାଇଛି। ଏମାନେ ଯନ୍ତାଠାରେ ‘କୋରାମୁଣ୍ଡିଆ’ (କୋରାମୁଣ୍ଡା ବା କାଠର ବଡ଼ ହାତୁଡ଼ି) ଦ୍ଵାରା ରଥଚକ ନିର୍ମାଣ (ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ବା ‘ସିଙ୍ଗଡ଼ାବାଡ଼ିଆ’) କାମରେ ସହଯୋଗ କରନ୍ତି।

୧୯. ସାଙ୍ଗୀ ନାୟକ ଓ ବାଡ଼ଭୋଇ: ରଥଶର୍ମାଙ୍କ ବିବରଣୀରେ ଏକ ସ୍ୱତନ୍ତ୍ର ସେବା ଭାବରେ ‘ସାଙ୍ଗୀନାୟକ’ର ଉଲ୍ଲେଖ ଅଛି ଏବଂ କାର୍ଯ୍ୟ ବିବରଣୀରେ- ଏମାନେ ସାଙ୍ଗୀରେ କାଠ, ତୁମ୍ବ ଓ ଚକ ବୋହିବା କାମ କରନ୍ତି ବୋଲି କୁହାଯାଇଛି। ଅନ୍ୟ ବିବରଣୀରେ ‘ବାଡ଼ଭୋଇ’ଙ୍କ ସଂପର୍କରେ କୁହାଯାଇଛି- ଏମାନେ ତିନିବାଡ଼ଙ୍କ (ତିନି ଠାକୁରଙ୍କ) ରଥରେ କାମ କରିବାପାଇଁ ଆସିଥିବା ଭେଣ୍ଡିଆ ଯୁବକ। ଏମାନେ ମଧ୍ୟ ରଥ ଖଞ୍ଜିବା କାମ କରିଥାଆନ୍ତି।

ତେବେ ‘ରଥ-ଛତିଶା ନିଯୋଗ’ ତାଲିକା ଗୁଡ଼ିକରେ ଉପରୋକ୍ତ ସେବକମାନଙ୍କୁ ଭିନ୍ନ ଭିନ୍ନ କ୍ରମରେ ସୂଚିତ କରାଯାଇଥିଲେ ମଧ୍ୟ, ସ୍ୱତ୍ଵଲିପିର ବ୍ୟବସ୍ଥା ଅନୁସାରେ, ‘ଭୋଇ ସେବକ’ ଗୋଟିଏ ମାତ୍ର ସେବା। ‘ରଥଭୋଇ ନାୟକ’ ବା ‘ଭୋଇ ସର୍ଦ୍ଦାର’ ନିଜେ ରଥ କାମ କରିବା ସହିତ ଅନ୍ୟ ମୂଲିଆ (ଭୋଇ) ଲଗାଇ ରଥକାମ କରାଇଥାଆନ୍ତି। ଏ ଶାଢ଼ିବନ୍ଧା ସେବକ ନୁହନ୍ତି ଏବଂ ସେବାପାଇଁ ସନନ୍ଦ ବା ଜମି ଖଞ୍ଜା ନାହିଁ ବୋଲି ମଧ୍ୟ ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର