୬୪ ବିନ୍ଧାଣି- ଏକ ସାଂଖ୍ୟିକ ବିଭ୍ରାନ୍ତି

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ତାଙ୍କ ‘ରଥ ନିର୍ମାଣରେ ‘ଚଉଷଠି’ ବିନ୍ଧାଣି’ ସୂଚୀରେ ବାକି ୩୨ (୩୩-୬୪) ବିନ୍ଧାଣିଙ୍କ ବିବରଣୀ ଏହିପରି ଦେଇଛନ୍ତିି।

୩୩. କୋଠସୁଆଁସିଆ- ଅସ୍ଥାୟୀ ରଥଶାଳାରେ ଚାରମାଳ ବାନ୍ଧିବା ସହ ଚାନ୍ଦୁଆ ବାନ୍ଧିବା କାମ କରନ୍ତି। ୩୪. ଓଝା ନାୟକ- ଚକାବଳା, ରଥ ପାଇଁ ଲୁହାକଣ୍ଟାପ୍ରଭୃତି ତିଆରି କରନ୍ତି। ୩୫. କୋରା ମୁଣ୍ଡିଆ- ରଥର ଚକ ଓ ଅନ୍ୟାନ୍ୟ ଅଂଶକୁ ସଜାଡ଼ି ରଖନ୍ତି। ୩୬. ରୂପକାର- ରଥର ସମସ୍ତ ରୂପକାମ କରନ୍ତି। ୩୭. ରୂପଖଞ୍ଜା ମହାରଣା- ଅଷ୍ଟସଖୀଙ୍କୁ ଖଞ୍ଜନ୍ତି। ୩୮. ଚିତ୍ରକାର- ରଥର ସମସ୍ତ ଚିତ୍ରକାମ କରନ୍ତି। ୩୯. ଦରଜୀ ନାୟକ- ରଥର ମଣ୍ଡଣି, ଚାନ୍ଦୁଆ ଆଦିର ସିଲେଇ କାମ କରନ୍ତି। ୪୦. ମଣ୍ଡଣି- ରଥର ବିଭିନ୍ନ ସାଜସଜ୍ଜା କରନ୍ତି। ୪୧. ଜଉଶାଳ ଚିତ୍ରକାର- ରଥର ବିଭିନ୍ନ ଅଂଶରେ ରଙ୍ଗ ଦିଅନ୍ତି। ୪୨. ରଙ୍ଗତା ନାୟକ- ରଥମଣ୍ଡଣିପାଇଁ ଜରି, ଜମ୍ବୁରା କାମ କରନ୍ତି। ୪୩. ବଳାଆଣ୍ଟିଆ- ପାରାଭାଡ଼ି ନିର୍ମାଣରେ ସହାୟତା କରନ୍ତି। ୪୪. ଦଉଡ଼ିବଳା- ରଥ ଦଉଡ଼ି ବଳି ଯୋଗାଇ ଦିଅନ୍ତି। ୪୫. ପାଟଡୋରି ନାୟକ- ପାଟଡୋରି ବଳି ଯୋଗାନ୍ତି। ୪୬. ରୁନ୍ଧାଫିଟା ନାୟକ- ରଥର ରୁନ୍ଧା ଫିଟାନ୍ତି। ୪୭. ଅହ୍ମୁଣିଆ ମହାରଣା ନାୟକ- ବାହୁଟ କାଠ ଛନ୍ଦନ୍ତି। ୪୮. ତାମ୍ବରା ନାୟକ- ତମ୍ବାରେ ବାହୁଟ ପଟାକୁ ସଂଯୋଗ କରନ୍ତି। ୪୯. ବକୁଳ ବନ ପାହି ମହାରଣା- ସତ୍ୟବାଦୀର ବକୁଳବନର ବାହୁଟ ପାଇଁ କାଠ କାଟନ୍ତି। ୫୦. ତେଲଦିଆ କମାର- ରଥ ଚକାରେ (ଅଖରେ) ଶୁଦ୍ଧ ରାଶିତେଲ ଦିଅନ୍ତି। ୫୧. କଳାବେଠିଆ- ସାମୟିକ ଭାବେ ପାରିଶ୍ରମିକ ପାଇ ରଥଠେଲିବା କାମ କରନ୍ତି ଏବଂ ବଡ଼ଦାଣ୍ଡ ମାଟିରେ ରଥ ଚାଲିଲାବେଳେ ଏବଂ ତିଆରି ବେଳେ ରଥଚକ ପୋତି ହେଲେ ଚକ ଉଠାନ୍ତି। ୫୨. ଝାଡ଼ୁଦାର- ରଥଖଳା ପରିଷ୍କାର କରନ୍ତି। ୫୩. ଆଢ଼ତ ଜଗିଆ- ରଥ ଗଡ଼ିଲାବେଳେ ରଥର ଅଙ୍ଗ ଭାଙ୍ଗିଲେ ମରାମତି କରନ୍ତି। ୫୪. ଖୁରୁପିଆ- ରଥ ଗଡ଼ିଲା ବେଳେ ପୋତି ହୋଇଗଲେ ମାଟି ଆଡ଼େଇ ଚକକୁ ଠିକ୍‌ ବାଗକୁ ଆଣନ୍ତି। ରଥଖଳାରୁ ସିଂହଦ୍ଵାରକୁ ରଥ ଯିବାବେଳେ ମଧ୍ୟ ଚକର ସୁରକ୍ଷା ନିଅନ୍ତି। ୫୫. ମହଣ ନାୟକ- ରଥରେ ପାଣି ନଗଳିବା ବ୍ୟବସ୍ଥା କରନ୍ତି। ୫୬. ଗଜପତି- ରଥ ଅନୁକୂଳଠାରୁ ନିର୍ମାଣ ଶେଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ତଦାରଖ କରନ୍ତି। ୫୭. ରାଜଗୁରୁ- ଗଜପତିଙ୍କ ବ୍ୟକ୍ତିଗତ ତଦାରଖରେ ଗଜପତିଙ୍କୁ ସହାୟତା କରନ୍ତି। ୫୮. ବିନ୍ଧାଣୀ ସେବକ- ସୋଲଚିତା ପ୍ରସ୍ତୁତ କରନ୍ତି। ୫୯. କାପୁଡ଼ିଆ ମଠ ମହାରାଜ- ଚାନ୍ଦୁଆ ପ୍ରସ୍ତୁତ କରି ଦେଉଥିଲେ। ୬୦. ପାଟରା ମଠ ଅଧିକାରୀ- ପହଣ୍ଡି ଡୋରି, ଅଣସର ପଇତା ଓ ଘଣା ଡୋରି ଯୋଗାନ୍ତି। ୬୧. ରାଜଗୁରୁ ମଠ ଅଧିକାରୀ- ରଥଦଉଡ଼ି ବଳା ଦାୟିତ୍ଵରେ ଥିଲେ। ୬୨. ଧ୍ୱଜଦେବତା ରୂପକାର- ନନ୍ଦିଘୋଷ ପାଇଁ ସର୍ପଧାରୀ ଉଡ଼୍‌ଡ଼ୀୟମାନ ଗରୁଡ଼ଙ୍କ ରୂପ, ତାଳଧ୍ୱଜ ରଥପାଇଁ ସପ୍ତ ଛନ୍ଦମୟ ଲାଙ୍ଗଳ ଧ୍ୱଜ, ଦର୍ପଦଳନପାଇଁ ପଦ୍ମ ଧ୍ୱଜ ଚକ୍ତଚନ୍ଦନ କାଠରେ ନିର୍ମାଣ କରନ୍ତି। ୬୩. ବିଜେ କାହାଳିଆ- ରଥ ଅନୁକୂଳ ଓ ରଥ ପ୍ରତିଷ୍ଠା ବେଳେ ଏବଂ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କଲାବେଳେ, ପାରମ୍ପରିକ ରୀତିରେ କାହାଳୀ ବାଦନ କରନ୍ତି। ୬୪. ସୂତାର ମହାରଣା ଓ ତଳି ମହାରଣା- ଶାଢ଼ିବନ୍ଧା ମହାରଣା। ଅମିନ ମହାରଣାଙ୍କ ନିର୍ଦ୍ଦେଶରେ ରଥକାର୍ଯ୍ୟ ଆରମ୍ଭଠାରୁ ରଥ ଭଙ୍ଗା ପର୍ଯ୍ୟନ୍ତ ସହକାରୀ ସ୍ଥପତି ଭାବରେ ସମସ୍ତ କାର୍ଯ୍ୟ ଦେଖାଶୁଣା କରନ୍ତି।

ଏହି ବିବରଣୀରୁ ମନେହୁଏ, ଡକ୍ଟର ମିଶ୍ର ଏହି ଶ୍ରୀଗୁଣ୍ଡିଚା ଯାତ୍ରାର ରଥନିର୍ମାଣ ପ୍ରସଙ୍ଗରେ ୬୪ ବିନ୍ଧାଣିଙ୍କ ଉପସ୍ଥାପନା ମାଧ୍ୟମରେ କିଛି ନୂଆ କଥା କହିଥିବାର ଏକ ଧାରଣା ସୃଷ୍ଟି କରିଛନ୍ତି। କିନ୍ତୁ ଏହି ତାଲିକାରେ କେତେକ ଅପ୍ରାସଙ୍ଗିକ କଥା ରହିଛି। ସେ ସଂପର୍କରେ କିଞ୍ଚିତ୍‌ ସୂଚନା ନଦେଲେ ପ୍ରସଙ୍ଗଟି ଅଯଥା ଜଟିଳ ଓ ଦ୍ଵନ୍ଦ୍ୱାତ୍ମକ ମନେହେବ। ତେବେ ମନେରଖିବାକୁ ହେବ ଯେ ଆଜିର ରଥ ନିର୍ମାଣ ବା ରଥ ବିନ୍ଧାଣି ତାଲିକା ଆଦୌ ୩୬, ୪୧ କି ୬୪ ନୁହେଁ। ସେଇ ସାତ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର