ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ନେତ୍ରୋତ୍ସବ ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଯେଉଁ ତିନିରଥ ନିର୍ମାଣ କରାଯାଇଥାଏ, ତାହା ଶାସ୍ତ୍ରୀୟ ପଦ୍ଧତିରେ ନିର୍ମିତ ହୁଏ। ପୂର୍ବ ବର୍ଣ୍ଣିିତ ‘ସପ୍ତ ରଥକାର’ ବା ‘ସପ୍ତ ରଥବିନ୍ଧାଣି’ ଏହି ନିର୍ମାଣ କାର୍ଯ୍ୟ କରିଥାଆନ୍ତି। ରଥଚିତ୍ର, ରଥାବରଣ ଓ ରଥଧ୍ୱଜ ଏବଂ ଅନ୍ୟାନ୍ୟ ମଣ୍ଡଣି କର୍ମ ମଧ୍ୟ ଏହାର ଅନ୍ତର୍ଭୁକ୍ତ।
ରଥର ନିର୍ମାଣବିଧାନ ବିଭିନ୍ନ ଶିଳ୍ପଶାସ୍ତ୍ର ଗ୍ରନ୍ଥରେ ଲିପିବଦ୍ଧ ଅଛି। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ନିର୍ମିତ ହେଉଥିବା ତିନିରଥ ପ୍ରସଙ୍ଗରେ ସାଧାରଣତଃ ‘ଅପରାଜିତ ପୁଚ୍ଛା’ ଓ ଅନ୍ୟାନ୍ୟ ଶିଳ୍ପଶାସ୍ତ୍ରର ଉଲ୍ଲେଖ କରାଯାଏ। ସେହିସବୁ ଶିଳ୍ପଶାସ୍ତ୍ର ମଧ୍ୟରେ ‘ମାନସାର’ ବିରଚିତ ‘ମାନସାର ଶିଳ୍ପଶାସ୍ତ୍ର’, ‘ମୟ’ ବିରଚିତ ‘ମୟମନ୍ତ୍ରମ୍’, ‘ରାଜା ଭୋଜ’ ବିରଚିତ ‘ସମରାଙ୍ଗଣ ସୂତ୍ରଧର’ ଓ ‘ଶିଳ୍ପରତ୍ନ’ ଆଦି ପ୍ରମୁଖ। ‘ବିଶ୍ୱକର୍ମା’ ବିରଚିତ ‘ବିଶ୍ୱକର୍ମା ବାସ୍ତୁଶାସ୍ତ୍ର’ର ମଧ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖ କରାଯାଏ। ଏସବୁ ହେଉଛି ସଂସ୍କୃତ ଭାଷାରେ ରଚିତ ବାସ୍ତୁ ବା ଶିଳ୍ପଶାସ୍ତ୍ର ଗ୍ରନ୍ଥ।
ଏଥିରୁ କେତେକକୁ ପୁରାଣବର୍ଣ୍ଣିିତ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ସହିତ ମଧ୍ୟ ସଂପର୍କିତ କରାଯାଇଛି। ପୁରାଣ ପ୍ରସଙ୍ଗ ଅନୁସାରେ, ଏହି ଦେବଶିଳ୍ପୀ ‘ବିଶ୍ୱକର୍ମା’ ବ୍ରହ୍ମାଙ୍କର ପୁତ୍ର। ମୂଳ ସଂସ୍କୃତରେ ସେ ‘ବିଶ୍ୱକର୍ମନ୍’। ‘ବିଶ୍ୱ’ର ଅର୍ଥ ସର୍ବବ୍ୟାପୀ ଓ ‘କର୍ମନ୍’ର ଅର୍ଥ କାର୍ଯ୍ୟ ହୋଇଥିବାରୁ ଏହା ସର୍ବବ୍ୟାପକ କର୍ମର ଅଧିପତିଙ୍କୁ ବୁଝାଏ। ଅନ୍ୟ ପୁରାଣମତ ମଧ୍ୟ ଅଛି ଯେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରେ ବିଶ୍ୱକର୍ମା ଜନ୍ମଗ୍ରହଣ କରିଥିଲେ।
ତେବେ ବେଦରେ ବିଶ୍ୱକର୍ମା ‘ତ୍ଵଷ୍ଟ୍ଵା’ ବା ‘ତ୍ଵଷ୍ଟୁ’ ଭାବରେ ବିଦିତ। ସ୍ଥାପତ୍ୟ ବିଜ୍ଞାନର ପ୍ରଥମ ପ୍ରକାଶକ ଭାବରେ ମଧ୍ୟ ସେ ସୁପ୍ରସିଦ୍ଧ।
ବିଶ୍ୱକର୍ମା ସାରା ବିଶ୍ୱର ଦେବଶିଳ୍ପୀ ଏବଂ ଚାରି ହସ୍ତରେ ସେ କମଣ୍ଡଳୁ, ପୁସ୍ତକ ଓ ନିହଣ ଆଦି ଆୟୁଧ ଧାରଣ କରିଥାନ୍ତି ବୋଲି ପୁରାଣମାନଙ୍କରେ ବର୍ଣ୍ଣିିତ ହୋଇଛି।
ଅପରାଜିତ ଜଣେ ଋଷି ବୋଲି ଜଣାଯାଏ। କିନ୍ତୁ ତାହାଙ୍କୁ ବିଶ୍ୱକର୍ମାଙ୍କ ପୁତ୍ର ବୋଲି କୁହାଯାଇଛି। ‘ଅପରାଜିତ ପୁଚ୍ଛା’ ତାଙ୍କ ରଚିତ ଶିଳ୍ପଶାସ୍ତ୍ର ହେଲେହେଁ ତାହାର ମୂଳ ନାମ ‘ଅପରାଜିତ ପ୍ରଚ୍ଛ’ (ଅପରାଜିତ ପ୍ରଶ୍ନ) ବୋଲି ଅନେକତ୍ର ଉଲ୍ଲେଖ ଅଛି। ଏଥିରୁ ଜଣାଯାଏ, ଏହି ଗ୍ରନ୍ଥ ମୂଳରୂପରେ ହୁଏତ ପ୍ରାକୃତ ଭାଷାରେ ରଚିତ ହୋଇଥିଲା। ପରେ ସଂସ୍କୃତରେ ‘ଅପରାଜିତ ପୁଚ୍ଛା’ ନାମରେ ପ୍ରକାଶ ପାଇଛି।
ଏଥିରେ ପିତା ବିଶ୍ୱକର୍ମାଙ୍କୁ ପୁତ୍ର ଅପରାଜିତ ବିଭିନ୍ନ ବାସ୍ତୁ ବା ଶିଳ୍ପଶାସ୍ତ୍ରଗତ ନିର୍ମାଣ ପ୍ରସଙ୍ଗରେ ଯେଉଁସବୁ ପ୍ରଶ୍ନ ପଚାରିଛନ୍ତି, ବିଶ୍ୱକର୍ମା ସେସବୁର ଉତ୍ତର ଦେଇଛନ୍ତି। ସେହି ପ୍ରସଙ୍ଗରେ ଆସିଛି ରଥନିର୍ମାଣ ପ୍ରସଙ୍ଗ। ଏହା ଭୁବନଦେବ ବିରଚିତ ବୋଲି ସୂଚନା ମିଳେ।
ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ତିନିରଥର ନିର୍ମାଣ ବିଧାନ ଉଲ୍ଲିଖିତ ଶିଳ୍ପଶାସ୍ତ୍ରଗୁଡ଼ିକ ସମେତ ଏହି ‘ଅପରାଜିତ ପୁଚ୍ଛା’ ଅନୁସାରେ ନିର୍ଦ୍ଧାରିତ ହୋଇଥିବା ଜଣାଯାଏ। ବିଶ୍ୱକର୍ମାଙ୍କ ରଚିତ ବାସ୍ତୁଶାସ୍ତ୍ରର ଯେଉଁ ଅଂଶ ରଥନିର୍ମାଣ ସଂପର୍କିତ, ତାହାକୁ ‘ବିଶ୍ୱକର୍ମୀୟ ରଥଲକ୍ଷଣମ୍’ ଭାବରେ ଅଭିହିତ କରାଯାଇଛି। କିନ୍ତୁ ‘ବିଶ୍ୱକର୍ମୀୟ ରଥ ଲକ୍ଷଣମ୍’ (ରଘୁନାଥ ପୁରୁଷୋତ୍ତମ କୁଲକର୍ଣ୍ଣିି ସଂପାଦିତ ତଥା କନିଷ୍କ ପବ୍ଲିଶର୍ସ, ନୂଆଦିଲ୍ଲୀ ପ୍ରକାଶିତ)ରେ ନବବିଧ ରଥର ଉଲ୍ଲେଖ ଅଛି। ‘ଅପରାଜିତ ପୁଚ୍ଛା’ (ଡକ୍ଟର ଶ୍ରୀକୃଷ୍ଣ ଜୁଗନୁ ଓ ପ୍ରଫେସର ଭଓଁର ଶର୍ମା ସଂପାଦିତ ଓ ଅନୂଦିତ ଏବଂ ପରିମଳ ପବ୍ଲିକେଶନ୍ସ, ଦିଲ୍ଲୀ ପ୍ରକାଶିତ)ରେ ମଧ୍ୟ ନବବିଧ ରଥର ବର୍ଣ୍ଣନା ରହିଛି।
‘ବିଶ୍ୱକର୍ମୀୟ ରଥ ଲକ୍ଷ୍ମଣମ୍’ ଅନୁସାରେ, ନବରଥ ହେଉଛି- ୧. ନନ୍ଦ, ୨. ନନ୍ଦ୍ୟାବର୍ତ୍ତ, ୩. ନନ୍ଦିଘୋଷ, ୪. ପରଂଜୟ, ୫. ପତାକ, ୬. ପଦ୍ମକ, ୭. ପୃଥ୍ଵୀଜୟ, ୮. ମହୋଦ୍ଭବ ଓ ୯. ଶ୍ରୀମେରୁ। ସେହିପରି ‘ଅପରାଜିତ ପୁଚ୍ଛା’ର ନବରଥ ହେଉଛି- ୧. ଶ୍ରୀକର, ୨. ବିଜୟ, ୩. କାନ୍ତ, ୪. ଶ୍ରୀକେଶ, ୫. ବିଶାଳକ, ୬. ଶ୍ରୀଭଦ୍ର, ୭. ଶ୍ରୀବିଶାଳ, ୮. ଭଦ୍ର ଓ ୯. ଭଦ୍ରବିଶାଳକ। ଏଥିମଧ୍ୟରୁ ‘ଅପରାଜିତ ପୁଚ୍ଛା’ରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ଏବଂ ଦେବୀ ସୁଭଦ୍ରାଙ୍କ ‘ପଦ୍ମକ’ ବା ‘ପଦ୍ମଧ୍ୱଜ’ ରଥର ନାମ ରହିଥିବାବେଳେ, ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ନାମ ନାହିଁ। କିନ୍ତୁ ସେଥିରେ ବର୍ଣ୍ଣିିତ ‘ଶ୍ରୀମେରୁ’କୁ ଗବେଷକ ଓ ତତ୍ତ୍ଵବିତ୍ମାନେ ଶ୍ରୀବଳଭଦ୍ରଙ୍କ ରଥ ବୋଲି କହିଛନ୍ତି।
-ଅସିତ ମହାନ୍ତି