ତ୍ରିରଥ ନିର୍ମାଣର ବିଧି ଓ ଅବଧି

ପୂର୍ବରୁ ସୂଚିତ ହୋଇଛି ଯେ ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଏବେ ଛଅଟି ପରିବର୍ତ୍ତେ ତିନିଟି ରଥ ନିର୍ମାଣ ହେଉଛି। ଏହି ରଥପର୍ବ ଶେଷ ହେବାପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ। କେବଳ ସାରଥି, ଅଶ୍ୱ, ପାର୍ଶ୍ୱଦେବଦେବୀ, ସଖୀମୂର୍ତ୍ତିି, ପିତଳରେ ତିଆରି କଦଳୀ ଗଛ, ମଗର ଓ ରଥବାଡ଼ ଆଦିକୁ ପରବର୍ତ୍ତୀ ବର୍ଷଗୁଡ଼ିକର ରଥପାଇଁ ସାଇତି ରଖାଯାଏ।

ଏହି ଯାତ୍ରାପାଇଁ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ ନିର୍ମାଣର ଅନୁକୂଳ ହୋଇ ଆଷାଢ଼ ଶୁକ୍ଳ ପ୍ରତିପଦା ପୂର୍ବରୁ ତିନିଟିଯାକ ରଥର ନିର୍ମାଣ ସଂପୂର୍ଣ୍ଣ ହେବାର ବିଧି ରହିଛି।

ଏଣୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାପାଇଁ, ବିଭିନ୍ନ ପର୍ଯ୍ୟାୟ ନିମନ୍ତେ ବିଭିନ୍ନ ତିଥିର ନିର୍ଦ୍ଧାରଣ କରାଯାଇଛି।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ଶ୍ରୀଜଗନ୍ନାଥଙ୍କ ନନ୍ଦିିଘୋଷ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ମାପ ଭିନ୍ନ ଭିନ୍ନ। ୬ ଫୁଟ ବ୍ୟାସର ୧୬ଟି ଚକ ଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ହୋଇଥିବା ବେଳେ ଉଚ୍ଚତା ୪୫ ଫୁଟ ୬ ଇଞ୍ଚ। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଚକ ଶ୍ରୀଜଗନ୍ନାଥଙ୍କ ରଥଠାରୁ ୬ ଇଞ୍ଚ ବଡ଼ ହେଲେ ମଧ୍ୟ ଏହାର ସଂଖ୍ୟା କମ୍‌। ୬ ଫୁଟ ୬ ଇଞ୍ଚ ବ୍ୟାସର ୧୪ଟି ଚକ ଥିବା ଏହି ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୩ ଫୁଟ ହୋଇଥିବାବେଳେ ଉଚ୍ଚତା ୪୫ ଫୁଟ। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଚକ ଅନ୍ୟ ଦୁଇ ରଥ ଅପେକ୍ଷା ବଡ଼। କିନ୍ତୁ ଏହି ରଥର ଚକ ସଂଖ୍ୟା ସବୁଠୁ କମ୍‌। ୬ ଫୁଟ ୮ ଇଞ୍ଚ ବ୍ୟାସର ୧୨ଟି ଚକ ଥିବା ଏହି ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଏବଂ ଉଚ୍ଚତା ୪୪ ଫୁଟ ୬ ଇଞ୍ଚ।

ଅକ୍ଷୟ ତୃତୀୟାଠାରୁ ଏହି ତିନି ରଥ ନିର୍ମାଣର ଶୁଭ ଅନୁକୂଳ ହୋଇ ଜ୍ୟେଷ୍ଠ ଅମାବାସ୍ୟା ସୁଦ୍ଧା ସଂପୂର୍ଣ୍ଣ ହେଉଥିବାରୁ, ସାଧାରଣବର୍ଷରେ ଏହି ନିର୍ମାଣ ନିମନ୍ତେ ପ୍ରାୟ ୫୬/୫୭ ଦିନ ଲାଗିଥାଏ। କିନ୍ତୁ ଯେଉଁବର୍ଷ ଏହା ମଧ୍ୟରେ ମଳମାସ ପଡ଼େ (ଯେପରି ଏବର୍ଷର ଜ୍ୟେଷ୍ଠ ମାସଟି ମଳମାସ), ସେ ବର୍ଷ ଏହାର ଅବଧି ବଢ଼ିଯାଏ। ତେବେ ରଥର ବିଭିନ୍ନ ପର୍ଯ୍ୟାୟର ନିର୍ମାଣ ନିମନ୍ତେ ଯେଉଁ ତିଥି/ଦିନ ଧାର୍ଯ୍ୟ ହୋଇଥାଏ, ମଳମାସ ପଡ଼ୁଥିବା ବର୍ଷରେ ସେଥିରେ କୌଣସି ବ୍ୟତିକ୍ରମ ହୁଏନାହିଁ।

ଏଥିନିମନ୍ତେ ପାରମ୍ପରିକ ଭାବରେ ଧାର୍ଯ୍ୟ କରାଯାଇଥିବା ତିଥି/ଦିନଗୁଡ଼ିକ ଏହିପରି-

୧. ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟତୃତୀୟାରେ ଠାକୁରଙ୍କ ଆଜ୍ଞାମାଳ ଆସି ରଥନିର୍ମାଣର ଅନୁକୂଳ।

୨. ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀରେ ରଥଗୁଜ ନିର୍ମାଣର ଅନୁକୂଳ।

୩. ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ବା ଚନ୍ଦନଯାତ୍ରାର ଭଉଁରୀ ଦିନ ସୁଦ୍ଧା ତିନି ରଥର ତିନି ଅଖ ଓ ଦୁଇଟି କରି ଛଅଟି ଚକ ତିିଆରି ଶେଷ ହୋଇ ଠାକୁରଙ୍କ ଆଜ୍ଞାମାଳ ଲାଗି ଓ ଚକଡେରା।

୪. ଜ୍ୟେଷ୍ଠ ପୂର୍ଣ୍ଣିିମା ବା ଦେବସ୍ନାନ ପୂର୍ଣ୍ଣିିମାରେ ଚାରି ନାହାକା ଡେରାର ଅନୁକୂଳ।

୫. ଆଷାଢ଼ ଅମାବାସ୍ୟା ବା ନେତ୍ରୋତ୍ସବ ପୂର୍ବରୁ ରଥନିର୍ମାଣ ସଂପୂର୍ଣ୍ଣ ହୋଇ, ଆଷାଢ଼ ଶୁକ୍ଳ ପ୍ରତିପଦା ବା ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବଦିନ ଠାକୁରଙ୍କ ଆଜ୍ଞାମାଳ ଲାଗି ହୋଇ ରଥଖଳାରୁ ସିଂହଦ୍ଵାର ପର୍ଯ୍ୟନ୍ତ ରଥଟଣା।

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ରଥଯାତ୍ରାରେ ଏହି ପାରମ୍ପରିକ ବିଧି ଓ ଅବଧି ଅବଧାରିତ ଭାବରେ ପାଳନ କରାଯାଇଥାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର