ପଞ୍ଚମୁଖୀ ହନୁମାନଙ୍କ ବ୍ୟତୀତ, ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ବାମପାର୍ଶ୍ୱର ଅନ୍ୟ ଦୁଇ ଦେବତା ହେଉଛନ୍ତି ରାମ ଓ ଲକ୍ଷ୍ମଣ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-

Advertisment

୨. ରାମ: ରାମ ବା ଶ୍ରୀରାମ ତ୍ରେତୟା ଯୁଗର ଅବତାର ହେଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ରଥର ପାର୍ଶ୍ୱଦେବତା ରୂପେ ସ୍ଥାନିତ ହୋଇଛନ୍ତି। ଶ୍ରୀଜଗନ୍ନାଥ ସର୍ବାବତାରର ପ୍ରତିଭୂ ହୋଇଥିବାରୁ ଏଥିରେ କୌଣସି ଅସଙ୍ଗତି ମଧ୍ୟ ନାହିଁ।

କିନ୍ତୁ ଶ୍ରୀରାମଙ୍କର ଯେଉଁ ରୂପ ଏହି ରଥଦେବତା ମୂର୍ତ୍ତିିରେ ଖୋଦିତ, ତାହା ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ର ବର୍ଣ୍ଣନା ଅନୁରୂପ। ଏହି ରାମାୟଣ ‘ବିଶି ରାମାୟଣ’ ଭାବରେ ମଧ୍ୟ ଓଡ଼ିଶାରେ ଖ୍ୟାତ। କବି ବିଶ୍ୱନାଥ ଖୁଣ୍ଟିଆ ଉପେନ୍ଦ୍ର ଭଞ୍ଜ ଓ ଦୀନ କୃଷ୍ଣ ଦାସଙ୍କ ସମସାମୟିକ। ଏହି ରାମାୟଣର ଭଣିତାରେ ଗଜପତି ଦିବ୍ୟସିଂହ ଦେବଙ୍କର ନାମ ରହିଥିବାରୁ, ସେ ଅଷ୍ଟାଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିବା ଅନୁମାନ କରାଯାଏ। ଏହା ଗୋଟିଏ ଗୁରୁତ୍ଵପୂର୍ଣ୍ଣ ସୂଚନା ଦିଏ ଯେ- ଶ୍ରୀଜଗନ୍ନାଥଙ୍କ ରଥର ଏହି ପାର୍ଶ୍ୱଦେବତାଙ୍କ ରୂପକୁ ଦେଖି ସେ ତାଙ୍କ ରାମାୟଣରେ ଅନୁରୂପ ବର୍ଣ୍ଣନା କରିଛନ୍ତି।

ନନ୍ଦିଘୋଷ ରଥର ପାର୍ଶ୍ୱଦେବତା ରୂପେ ସ୍ଥାନିତ ରାମଙ୍କର ରୂପରେ, ସେ ଲଙ୍କାଯାତ୍ରା କରିବା ପୂର୍ବରୁ ସୁବଳଗିରିରେ ଅବସ୍ଥାନ କରୁଥିବାର ଦୃଶ୍ୟ ରୂପାୟିତ। ତାଙ୍କର ବାମ ପାଦଟି ତଳକୁ ଲମ୍ବି ଯାଇଛି ଏବଂ ସେହି ପାଦରେ ହନୁମାନ ସେବାରତ। ଦକ୍ଷିଣ ପାଦ ନିକଟରେ ଲକ୍ଷ୍ମଣ ବିରାଜମାନ କରିଛନ୍ତି। ତାଙ୍କର ଦକ୍ଷିଣଭୁଜ ନିକଟରେ ଅଙ୍ଗଦ ଓ ବିଭୀଷଣ ବିଦ୍ୟମାନ ଏବଂ ବାମ ପାର୍ଶ୍ୱରେ ଭଲ୍ଲୁକରାଜ ଜାମ୍ବବାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ। ସେ ବାମହସ୍ତରେ କୋଦଣ୍ଡଧନୁ ଧାରଣ କରିଛନ୍ତି ଏବଂ ସେହି ହସ୍ତ ଲଙ୍କାଗଡ଼ ଦିଗରେ ଉଦ୍ୟତ। ସବୁଠୁ ଉଲ୍ଲେଖନୀୟ ବିଷୟ ହେଉଛି- ଲଙ୍କରାଜ ରାବଣ ନିଜର ପୁଷ୍ପକଯାନରେ ଆକାଶମାର୍ଗରୁ ସେମାନଙ୍କୁ ନିରୀକ୍ଷଣ କରୁଥିବାର ଚିତ୍ର ମଧ୍ୟ ସେଥିରେ ଅଛି- ଯାହା ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ର ବର୍ଣ୍ଣନା ଅନୁରୂପ। ସେହି ବର୍ଣ୍ଣନାର ପଦଟି ହେଉଛି-

‘‘ମନ୍ତ୍ରୀ ମୁଖୁଁ ଶୁଣି କୋପେ ବିଂଶପାଣି
ପୁଷ୍ପକ ଯାନେ ବିଜେ କଲା।
ଧନୁଶର ଧରି ଆକାଶେ ରହିଣ
ସୁବଳ ଗିରିକି ଚାହିଁଲା।।
ଡୋଳେ ଦେଖିଲା ଦୁର୍ବାଦଳ ରାମ ଶରୀର।
ବ୍ରହ୍ମାଣ୍ଡ ଶୋଭା କି ଘେନି ଅବତାର
ମଦନ ଯା’ର ପରିଚାର।’’

୩. ଲକ୍ଷ୍ମଣ: ନନ୍ଦିଘୋଷ ରଥର ବାମପାର୍ଶ୍ୱର ଅନ୍ୟ ଦେବତା- ଲକ୍ଷ୍ମଣ। ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଶ୍ରୀରାମଙ୍କ ଅନୁଜ ଲକ୍ଷ୍ମଣ ଶ୍ରୀରାମ ଓ ସୀତାଙ୍କ ସହିତ ହିଁ ପୂଜିତ ହୋଇଥାନ୍ତି। ଏକକ ଦେବତା ରୂପେ ସମ୍ଭବତଃ କେବଳ ଶ୍ରୀଜଗନ୍ନାଥଙ୍କ ରଥରେ ସେ ସ୍ୱୀକୃତ ହୋଇଛନ୍ତି। ତେବେ ବଳରାମ ଦାସଙ୍କ ‘ରାମାୟଣ’, ଯାହା ‘ଜଗମୋହନ ରାମାୟଣ’ ଭାବରେ ମଧ୍ୟ ଖ୍ୟାତ- ସେଥିରେ ଲକ୍ଷ୍ମଣଙ୍କ ଶରୀରରେ ବିଷ୍ଣୁଙ୍କର ତେଜ ବିଦ୍ୟମାନ ବୋଲି କୁହାଯାଇଛି। ପୁଣି ସେ ସ୍ୱୟଂ ବିଶ୍ୱନାଥଙ୍କ ‘ଶାଖା’ ବା ଅବତାର ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି।

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥରେ, ଅଙ୍ଗଦଙ୍କ କାନ୍ଧରେ ଲକ୍ଷ୍ମଣ ବିରାଜମାନ କରିଥିବାର ରୂପ ଅଙ୍କିତ। ଏହାର ପୌରାଣିକ ଭିତ୍ତି ଅଛି। ତାହା ହେଉଛି- ଶ୍ରୀରାମ ପିତୃସତ୍ୟ ପାଳନ କରି ବନବାସରେ ଯିବାବେଳେ ଲକ୍ଷ୍ମଣ ତାଙ୍କ ସାଙ୍ଗରେ ବନଗମନ କରିଥିଲେ। ସୀତାଚୋରି ପରେ, ରାବଣ ସହ ଯୁଦ୍ଧ କାଳରେ, ସେ ରାବଣପୁତ୍ର ଇନ୍ଦ୍ରଜିତ୍‌କୁ ବଧ କରିଥିଲେ। ଇନ୍ଦ୍ରଜିତ୍‌ର ନାମ ମେଘନାଦ ଥିଲା, କିନ୍ତୁ ଇନ୍ଦ୍ରଙ୍କୁ ଜିଣି ସେ ଇନ୍ଦ୍ରଜିତ୍‌ ନାମ ପାଇଲା। ବ୍ରହ୍ମାଙ୍କୁ ତପସ୍ୟାରେ ତୁଷ୍ଟ କରି ସେ ଅମରବର ମାଗିଥିଲା। କିନ୍ତୁ ବ୍ରହ୍ମା ବର ଦେବା ସହିତ ତାର ମୃତ୍ୟୁଭେଦ ମଧ୍ୟ ସୂଚାଇ ଥିଲେ। କହିଥିଲେ- ଯେଉଁ ବ୍ୟକ୍ତି ଦୀର୍ଘ ବାରବର୍ଷ ଆହାର, ନିଦ୍ରା ଓ ମୈଥୁନ ତ୍ୟାଗ କରିଥିବ, ସେ ହିଁ ତାକୁ ବଧ କରିବ। କେବଳ ଲକ୍ଷ୍ମଣ ତାହା କରିଥିବାରୁ ସେ ଇନ୍ଦ୍ରଜିତ୍‌କୁ ବଧ କରିବାରେ ସମର୍ଥ ହୋଇଥିଲେ। ପୌରାଣିକ ଉପାଖ୍ୟାନ ଅନୁସାରେ- ଇନ୍ଦ୍ରଜିତ୍‌କୁ ବଧ କରିବା ପରେ ଅଙ୍ଗଦ ତାଙ୍କୁ କାନ୍ଧରେ ବସାଇ ଯୁଦ୍ଧ କ୍ଷେତ୍ରରୁ ଶ୍ରୀରାମଙ୍କ ନିକଟକୁ ଆଣିଥିଲେ। ତାଙ୍କୁ ଅଙ୍ଗଦଙ୍କ କାନ୍ଧରେ ଦେଖି ସମସ୍ତେ ଆନନ୍ଦିତ ହେବା ସହିତ ଶ୍ରୀରାମଙ୍କ ନିକଟକୁ ପାଛୋଟି ନେଇଥିଲେ। ଲକ୍ଷ୍ମଣଙ୍କର ସେହି ରୂପ ରଥର ପାର୍ଶ୍ୱଦେବତା ଭାବରେ ରୂପାୟିତ।

-ଅସିତ ମହାନ୍ତି