‘‘ଅଣସର ଘରେ ଥିଲ ଆଜ ବାହାର ହେଲ
ତ୍ରିଭଙ୍ଗୀ ଭଙ୍ଗୀ କରି ଚାହିଁଛ।
ଶ୍ରୀଭୁଜେ ଭୁଜ ପେଲି ମତ୍ତଗଜ ପ୍ରାୟେ ଝୁଲି
ମହାପାତକମାନଙ୍କୁ ଦହୁଛ।।’’
Sambad is now on WhatsApp
Join and get latest news updates delivered to you via WhatsApp
ଭକ୍ତକବି ସାଲବେଗଙ୍କର ଏହି ପଦଟି କେବଳ ଭଜନ ଦୃଷ୍ଟିରୁ ଭାବପୂର୍ଣ୍ଣ ନୁହେଁ- ଏହା ଶ୍ରୀଗୁଣ୍ଡିଚାଯାତ୍ରାର ଏକ ଆକର୍ଷଣୀୟ ଦୃଶ୍ୟ। ଶ୍ରୀଅଙ୍ଗରକ୍ଷକ ଦଇତାପତି ସେବକମାନଙ୍କର ଭୁଜ ସହ ଭୁଜ ମିଶାଇ, ମତ୍ତଗଜ ପରି ଝୁଲିଝୁଲି, ଅଣସର ଘରୁ ନବଯୌବନ ନେଇ ବାହାରିଥିବା ପ୍ରଭୁଙ୍କର ରୂପଶୋଭା ପ୍ରତି ମୁଗ୍ଧଭାବ ଏଥିରେ ସ୍ପଷ୍ଟ।
କିନ୍ତୁ ସାଲବେଗଙ୍କର ଏହି ଭଜନର ଆଉ ଯେଉଁ ପଦଟିକୁ ଗାୟକମାନେ ଗାୟନ ସୁବିଧା ଦୃଷ୍ଟିରୁ ଛାଡ଼ିଯାଆନ୍ତି- ସେହି ପଦରେ ରହିଛି ଶ୍ରୀଜଗନ୍ନାଥଙ୍କ ପହଣ୍ଡିର ଚମତ୍କାର ବର୍ଣ୍ଣନା। ସେହି ପଦଟି ହେଉଛି-
‘‘ଗୁଣନିଧି ମୋ କେଣିକି ଯାଉଛ…
ଯାଉଛ, ପହଣ୍ଡେ ରହୁଛ।’’
‘ପହଣ୍ଡି’ ଶବ୍ଦର ଉତ୍ସ କେଉଁଠି, ସେ ନେଇ ଭିନ୍ନଭିନ୍ନ ମତ ଅଛି। ବଙ୍ଗୀୟ ଲେଖକ ଗୁରୁଦାସ ସରକାରଙ୍କ ପରି କେତେକ, ସଂସ୍କୃତ ‘ପଦହୁଣ୍ଡନ’ରୁ ପହଣ୍ଡି ଶବ୍ଦର ସୃଷ୍ଟି ହୋଇଛି ବୋଲି କହିଛନ୍ତି। କିନ୍ତୁ ‘ଶ୍ରୀକ୍ଷେତ୍ର’ ପୁସ୍ତକର ବଙ୍ଗୀୟ ଲେଖକ ସୁନ୍ଦରାନନ୍ଦ ବିଦ୍ୟାବିନୋଦ, ପାଣ୍ଡ୍ୟ ନରେଶ ପାଣ୍ଡୁ ବିଜୟଙ୍କ ନାମାନୁସାରେ ‘ପହଣ୍ଡି’ ବା ‘ପହଣ୍ଡି ବିଜେ’ର ସୃଷ୍ଟି ହୋଇଛି ବୋଲି କହିଛନ୍ତି। ଏହି ମତର ସମର୍ଥକଙ୍କ ଅନୁସାରେ, ବୌଦ୍ଧମାନେ ଏକଦା ମାଧବଙ୍କ ସମେତ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବୁଦ୍ଧ-ଧର୍ମ-ସଂଘ (ବୌଦ୍ଧ ତ୍ରିରତ୍ନ)ର ପ୍ରତୀକ ରୂପେ ପୂଜା କରୁଥିଲେ। ପାଣ୍ଡ୍ୟ ଦେଶର ବୈଷ୍ଣବ ରାଜା ପାଣ୍ଡୁ ବିଜୟ ସେମାନଙ୍କ ଠାରୁ ତାହାଙ୍କୁ ନେଇ ନୀଳାଚଳରେ ପୁନଃ ପ୍ରତିଷ୍ଠା କରିଥିଲେ। ତାଙ୍କରି ନାମାନୁସାରେ ‘ପହଣ୍ଡି ବିଜେ’ର ସୃଷ୍ଟି ହୋଇଛି।
କିନ୍ତୁ ‘ପୁରୀବୋଲି’ ପୁସ୍ତକର ଲେଖକ ତଥା ଶ୍ରୀମନ୍ଦିରର ଦେଉଳ ପୁରୋହିତ ସେବକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ‘ପହଣ୍ଡ’ ବା ପଦପାତରୁ ‘ପହଣ୍ଡି’ର ସୃଷ୍ଟି ହୋଇଛି ବୋଲି କହନ୍ତି। ଏ ପ୍ରସଙ୍ଗରେ ସେ ଉଦ୍ଧାର କରିଛନ୍ତି ଆଦିକବି ସାରଳା ଦାସଙ୍କ ‘ମହାଭାରତ’ର ଏକ ପଦକୁ- ଯେଉଁଠି ସାରଳା ଦାସ ଲେଖିଛନ୍ତି-
‘‘ୟେକା ପହଣ୍ଡକେ କୋଶେ ଯାଇ କ୍ଷେପି।
ପୃଥ୍ଵୀ ଡେଇଁତେ ପାରେ ସେ ଅସୁର କାମରୂପୀ।।’’
ତାଙ୍କ ମତାନୁସାରେ, ଏଇ ‘ପହଣ୍ଡ’ରୁ ସୃଷ୍ଟି ହୋଇଛି ‘ପହଣ୍ଡ ମଣାଇବା’ (ପାଛୋଟି ନେବା) ଓ ‘ପହଣ୍ଡି ବିଜେ’ ଶବ୍ଦ। ଏଣୁ ଏହା ଏକ ନିଛକ ଓଡ଼ିଆ ଶବ୍ଦ।
ତେବେ ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ଯେପରି ଭାବରେ ପହଣ୍ଡି ହୁଏ, ଦେବୀ ସୁଭଦ୍ରାଙ୍କର ଓ ଶ୍ରୀସୁଦର୍ଶନଙ୍କର ସେପରି ଭାବରେ ପହଣ୍ଡି ହୁଏନାହିଁ। ସୁଭଦ୍ରା ଓ ସୁଦର୍ଶନ ଭୂମିରେ ପାହୁଣ୍ଡ ପାହୁଣ୍ଡ ଚାଲି ପହଣ୍ଡି ବିଜେ କରନ୍ତି ନାହିଁ। ସଂପୃକ୍ତ ଦଇତାପତି ସେବକଙ୍କ କାନ୍ଧ ଉପରେ ବିଜେ ହୋଇ ପହଣ୍ଡି ହୁଅନ୍ତି। ତେଣୁ ତାହାକୁ ‘ଶୂନ୍ୟ ପହଣ୍ଡି’ କୁହାଯାଏ।
ସାରା ବର୍ଷରେ ସେମାନଙ୍କର ସର୍ବମୋଟ ଛଅଥର ପହଣ୍ଡି ହୋଇଥାଏ। ତାହା ହେଉଛି- ୧. ସା୍ନନଯାତ୍ରା ଦିନ ରତ୍ନବେଦୀରୁ ସ୍ନାନବେଦୀ, ୨. ସେହିଦିନ ହାତୀବେଶ ଉଲାଗି ପରେ ସ୍ନାନବେଦୀରୁ ଅଣସର ପିଣ୍ଡି, ୩. ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅଣସର ପିଣ୍ଡିରୁ ତିନିରଥ, ୪. ଶରଧାବାଲିଠାରେ ପହଞ୍ଚିବା ପରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିର, ୫. ବାହୁଡ଼ାଯାତ୍ରା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ତିନିରଥ ଏବଂ ୬. ନୀଳାଦ୍ରି ବିଜେ ଦିନ ରଥରୁ ଶ୍ରୀମନ୍ଦିରର ରତ୍ନବେଦୀ।
ଏହି ଛଅଥରର ପହଣ୍ଡି ଦୁଇପ୍ରକାରର। ଗୋଟିଏ- ‘ଧାଡ଼ି ପହଣ୍ଡି’ ଓ ଅନ୍ୟଟି ‘ଗୋଟି ପହଣ୍ଡି’। ‘ଧାଡ଼ି ପହଣ୍ଡି’ ହେଉଛି ଜଣଙ୍କ ପରେ ଆଉ ଜଣେ ପଛକୁ ପଛ ଆସିବା ଏବଂ ‘ଗୋଟି ପହଣ୍ଡି’ ହେଉଛି ଜଣେ ନିଜ ଆସ୍ଥାନରୁ ବାହାରି ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଆଉଜଣେ ନିଜ ଆସ୍ଥାନରୁ ଯିବାପାଇଁ ବାହାରିବା।
ଏହାର ତାତ୍ତ୍ଵିକ ତାତ୍ପର୍ଯ୍ୟ ରହିଛି। ତାହା ହେଉଛି- ଠାକୁରମାନେ ଯେତେବେଳେ ମନ୍ଦିର ଭିତରୁ ଭକ୍ତଙ୍କ ଗହଣକୁ ଆସନ୍ତି, ସେତେବେଳେ ଆଗ୍ରହ ଆତିଶଯ୍ୟରୁ ସେମାନଙ୍କର ତର ସହେ ନାହିଁ। ତେଣୁ ସେମାନେ ପଛକୁ ପଛ ଧାଡ଼ିବାନ୍ଧି ଚାଲି ଆସନ୍ତି। କିନ୍ତୁ ଯେତେବେଳେ ଭକ୍ତଙ୍କ ମେଳରୁ ମନ୍ଦିରକୁ ଫେରନ୍ତି- ସେତେବେଳେ ବଡ଼ କୁଣ୍ଠିତ ଭାବରେ ଯାଆନ୍ତି। ତେଣୁ ଜଣେ ଯାଇ ନିଜ ଆସ୍ଥାନରେ ପହଞ୍ଚିସାରିବା ପରେ ଆଉ ଜଣେ ଯିବାକୁ ବାହାରନ୍ତି।
ସେଇଥିପାଇଁ ସ୍ନାନବେଦୀକୁ, ରଥକୁ ଓ ବାହୁଡ଼ା ରଥକୁ ଆସିବାବେଳେ ସେମାନଙ୍କର ଧାଡ଼ି ପହଣ୍ଡି ଏବଂ ଅଣସର ଘରକୁ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଓ ରଥରୁ ରତ୍ନବେଦୀକୁ ଯିବାବେଳେ ଗୋଟି ପହଣ୍ଡି ହୋଇଥାଏ।
-ଅସିତ ମହାନ୍ତି