କ’ଣ ହୁଏ ତାଟି ଭିତରେ, ଗୋପନରେ ?

ରଥ କଥା/ ଅସିତ ମହାନ୍ତି

ଅଣସର ନୀତିର ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଅଣସରବେଳେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀସୁଭଦ୍ରାଙ୍କର ପଟିଦିଅଁ ମନ୍ଦିର ଭିତରେ ପୂଜା ପାଇବା ପରି, ସିଂହଦ୍ୱାର ଗୁମୁଟରେ ମଧ୍ୟ ଶ୍ରୀପତିତପାବନଙ୍କର ପଟିଦିଅଁ ପୂଜା ପାଆନ୍ତି । ଏହି ପଟିଦିଅଁ ‘ନାରାୟଣ’ ପଟିଦିଅଁଙ୍କ ଅନୁରୂପ । ତେଣେ ମନ୍ଦିର ଭିତରେ ଅଣସର ଠାକୁରମାନଙ୍କର ଗୁପ୍ତସେବା ଚାଲିଥାଏ ।

ଅଣସର ସମୟରେ ଅଣସର ତାଟି ଭିତରେ ଶ୍ରୀବିଗ୍ରହମାନଙ୍କର ଯେଉଁ ସେବା ହୁଏ, ତାହା ଗୁପ୍ତସେବା । କିନ୍ତୁ ସେହି ଗୁପ୍ତସେବା ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ସ୍ୱତନ୍ତ୍ର ବର୍ଣ୍ଣନା ଅଛି । ଅଣସର ବିଧି ସଂପର୍କରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବ୍ରହ୍ମା କହିଛନ୍ତି, “ହେ ରାଜା ! ବିଶ୍ୱାବସୁ ଓ ବିଦ୍ୟାପତି ବଂଶର ସେବକମାନେ ଦାରୁବ୍ରହ୍ମଙ୍କର ଅଙ୍ଗରୁ ଧୀରେ ଧୀରେ ଛଅଦିନ ପର୍ଯ୍ୟନ୍ତ ଲେପ ଛଡ଼ାଇବେ । ସପ୍ତମ ଦିନ ଶ୍ରୀଅଙ୍ଗରେ ସୁବାସିତ ତୈଳ ସହ ରାଶିତେଲ ମର୍ଦ୍ଦନ କରିବେ । ଅଷ୍ଟମଦିନ ଶ୍ରୀଅଙ୍ଗରେ ସୂକ୍ଷ୍ମ ପଟବସ୍ତ୍ର ବାନ୍ଧି, ତାହାପରେ ଝୁଣା ଚୂର୍ଣ୍ଣ କରି, ସେଥିରେ ସୁବାସିତ ରାଶିତେଲ ମିଶାଇ ଠାକୁରଙ୍କର ମୂଳ ଶରୀରରେ ମଜ୍ଜା କଳ୍ପନା କରି ମର୍ଦ୍ଦନ କରିବେ । ହେ ରାଜେନ୍ଦ୍ର ! ନବମ ଦିନ ଠାକୁରଙ୍କ ଶ୍ରୀଅଙ୍ଗରେ ଉକ୍ତ ଲେପକୁ ସୂକ୍ଷ୍ମ, ପତଳା, ଓଦା କନାରେ ଆଚ୍ଛାଦିତ କରି ରଖିବେ । ଦଶମଦିନ ହେଲେ ଠାକୁରଙ୍କର ସର୍ବାଙ୍ଗକୁ ଲୋହିତ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରି ଶରୀରର ରକ୍ତ କଳ୍ପନା କରିବେ । ଏକାଠି ମିଶାଇ ପେଷା ହୋଇଥିବା ଚନ୍ଦନ, କସ୍ତୁରୀ, କୁଙ୍କୁମ, କର୍ପୂର ଓ ଚନ୍ଦନସାରକୁ ନେତ୍ରପଟରେ ଲେପ ଦେବେ ।”

ପତିତପାବନଙ୍କ ଅଣସର ପଟି

କେବଳ ଏତିକି ନୁହେଁ, ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ଆହୁରି ମଧ୍ୟ କୁହାଯାଇଛି, “ହେ ରାଜା ! ଏକାଦଶୀ ଦିନ ସନ୍ଧ୍ୟାପୂଜା ସମାପ୍ତ ହେବାପରେ, କାହାଳୀ, ଘଣ୍ଟା ପ୍ରଭୃତି ବାଦ୍ୟଧ୍ୱନି ମଧ୍ୟରେ ଠାକୁରଙ୍କର ସର୍ବାଙ୍ଗରେ ଚନ୍ଦନ ପ୍ରଭୃତି ଲେପ ଦେଇ ଶରୀରର ମାଂସ କଳ୍ପନା କରିବେ । ଦ୍ୱାଦଶୀ ଦିନ ଶୁକ୍ଳବସ୍ତ୍ର ଶ୍ରୀଅଙ୍ଗରେ ଗୁଡ଼ାଇ ପୁନର୍ବାର ଭଲ ଭାବରେ ଚନ୍ଦନ ଲେପ ଦେବାବେଳେ ଶ୍ରୀଅଙ୍ଗରେ ଚର୍ମ କଳ୍ପନା କରିବେ । ଏହାପରେ ତ୍ରୟୋଦଶୀ ଦିନ ଦକ୍ଷ ଚିତ୍ରକର ଠାକୁରଙ୍କର ଶ୍ରୀଅଙ୍ଗକୁ ନାନାବର୍ଣ୍ଣରେ ରଂଜିତ କରି ସେଥିରେ ଲୋମ କଳ୍ପନା କରିବେ ।”

ଏବେ ଏହି ନୀତି କେତେକ ପରିବର୍ତ୍ତନ ସହ ହେଉଥିବା ଜଣାଯାଏ । ଉଦାହରଣ ସ୍ୱରୂପ, ଛଅଦିନ ପର୍ଯ୍ୟନ୍ତ ଠାକୁରଙ୍କ ଶ୍ରୀଅଙ୍ଗରୁ ଲେପଛଡ଼ାଇ, ସପ୍ତମୀ ଦିନ ଫୁଲୁରି ତେଲ ଲାଗି ହେବାର ବିଧାନ ‘ନୀଳାଦ୍ରି ମହୋଦୟ’ରେ ଥିବାବେଳେ, ଏବେ ଚାରିଦିନ ମଧ୍ୟରେ ଲେପ ଛଡ଼ାଯାଇ ପଞ୍ଚମୀ ଦିନ ‘ଫୁଲୁରି ଲାଗି’ କରାଯାଉଛି ।

ତେବେ, ‘ନୀଳାଦ୍ରି ମହୋଦୟ’ରେ ଯାହା ସୂଚିତ ହୋଇଛି, ଶ୍ରୀମନ୍ଦିର ପରିଭାଷାରେ ତାହା ହେଉଛି ‘ସପ୍ତାବରଣ’ ନୀତି । ଏହାର ତାତ୍ପର୍ଯ୍ୟ ହେଉଛି, ଆମର ଶରୀର ଯେପରି ସପ୍ତଧାତୁରେ ଗଢ଼ା, ଦାରୁବିଗ୍ରହଙ୍କର ଶରୀର ମଧ୍ୟ ସେହିପରି ସପ୍ତଧାତୁରେ ଗଢ଼ା ହୋଇଥାଏ । ଏହି ସପ୍ତଧାତୁ ହେଉଛି- ଅସ୍ଥି, ମଜ୍ଜା, ମାଂସ, ରକ୍ତ, ଶିରାପ୍ରଶିରା, ଶୁକ୍ର ଓ ଚର୍ମ । ଏହି ବିଧି ଗୋପନୀୟ ଏବଂ କେବଳ ଦଇତା ଓ ପତି ସେବକମାନେ ଏହି ନୀତି ଅଣସର ଘରେ ଗୋପନରେ ସଂପାଦନ କରିଥାଆନ୍ତି । ତେଣୁ ଏ ସଂପର୍କରେ ବିଭିନ୍ନ ଲେଖକଙ୍କ ଲେଖାରେ ଭିନ୍ନତା ଦେଖାଯାଏ । କିନ୍ତୁ ଏଥିରୁ ସ୍ପଷ୍ଟ ହୁଏ ଯେ କେବଳ ନବକଳେବର ବର୍ଷରେ ଦାରୁବିଗ୍ରହମାନଙ୍କର ମୂଳ ଢାଞ୍ଚାଟି ନିର୍ମିତ ହୋଇଥାଏ ଏବଂ ତାହା ଆଉ ଗୋଟିଏ ନବକଳେବର ହେବା ଯାଏ ରହେ । ଦାରୁରେ ନିର୍ମିତ ସେହି ମୂଳ ଢାଞ୍ଚାଟି ତାଙ୍କର ଅସ୍ଥି ରୂପେ ପରିକଳ୍ପିତ । ପ୍ରତିବର୍ଷର ଅଣସର ସମୟରେ ସେହି ମୂଳ ଢାଞ୍ଚାଟି ରହି, ମଜ୍ଜା, ମାଂସ, ରକ୍ତ, ଶିରାପ୍ରଶିରା, ଶୁକ୍ର ଓ ଚର୍ମ ଆଦି ନୂତନ ଭାବରେ ଗଠିତ ହୁଏ । ଏହି ବିଧାନ ଯେପରି ସ୍ୱତନ୍ତ୍ର ଓ ଗୋପନୀୟ, ସେପରି ତାତ୍ତ୍ୱିକ ଓ ରହସ୍ୟମୟ ।

ପୂର୍ବରୁ କୁହାଯାଇଛି ଯେ ଏକାଦଶୀ ଦିନ ଠାକୁରମାନଙ୍କୁ ‘ଦଶମୂଳମୋଦକ’ ଲାଗି ହେବା ପରେ ସେମାନେ ସୁସ୍ଥ ହୁଅନ୍ତି । ଏ ସଂପର୍କରେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ସ୍ନାନପୂର୍ଣ୍ଣିମାର ପରଦିନରୁ ଠାକୁରମାନେ ଅସୁସ୍ଥ ହେବାରୁ, ସେହି ଦିନ, ଅର୍ଥାତ୍‌ ଆଷାଢ଼ ଶୁକ୍ଳ ପ୍ରତିପଦା ଠାରୁ ଅଣସର ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ ଆଦି ବାଜେ ନାହିଁ କି ମନ୍ଦିର ଭିତରେ ନାମ ସଂକୀର୍ତ୍ତନ ହୁଏନାହିଁ । ଏପରିକି ଅଣସର ପିଣ୍ଡିରେ ପତିମହାପାତ୍ର ଠାକୁରମାନଙ୍କୁ ଯେଉଁ ଭୋଗ ଲଗାନ୍ତି ଓ ପୂଜା କରନ୍ତି, ସେଥିରେ ଘଣ୍ଟି ବାଜେ ନାହିଁ କି ଶଙ୍ଖ, ପିଢ଼ା, ଥାଳି ଆଦି ବ୍ୟବହାର କରାଯାଏ ନାହିଁ । ପୁଣି ସେହି ସମୟରେ ଠାକୁରମାନେ ଏକବସ୍ତ୍ରୀ ହୋଇ ରହୁଥିବାରୁ ଦଇତା ଓ ପତିସେବକମାନେ ମଧ୍ୟ ଏହି ଗୁପ୍ତନୀତି ଏକବସ୍ତ୍ରୀ ହୋଇ ସଂପନ୍ନ କରିଥାନ୍ତି ।

ସମ୍ବନ୍ଧିତ ଖବର