ପୁରୀ: ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଚଳଚଞ୍ଚଳ ରଥଖଳା ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ଲାଗିଛି। ଗତକାଲି ଦୁଆର କାମ ଶେଷ ପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ଗତକାଲି ଚିତ୍ରକର ସେବକମାନେ ରଙ୍ଗ ଦେବା କାମ ଶେଷ କରିଥିଲେ। ତିନି ରଥର ଚାରିଟି ଲେଖା ୧୨ଟି ଦୁଆର ଥିବା ବେଳେ ଆଜି ରାତି ସୁଦ୍ଧା ତିନି ରଥରେ ଏକାଧିକ ଦୁଆର ସଂଯୋଗ କାମ ଶେଷ ହୋଇଛି। ଅପରାହ୍ଣରୁ ରାତି ପର୍ଯ୍ୟନ୍ତ ଲଗାଣ ବର୍ଷା ଆଜି ରଥ ନିର୍ମାଣରେ ଅନ୍ତରାୟ ସୃଷ୍ଟି କରିଛି। ଅନ୍ୟପଟେ ପ୍ରଭା କାମ ଏହା ଭିତରେ ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ପ୍ରଭା ସଂଯୋଗ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ତିନି ରଥ ପାଇଁ ଆବଶ୍ୟକ ପିଣ୍ଡି ପ୍ରସ୍ତୁତି ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାରି ଉପରେ ମହାପ୍ରଭୁ ବିଜେ କରିବେ। ପିଣ୍ଡି ଉପରେ ବସି ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ନୀତି ସଂପନ୍ନ କରିବେ। ସୁନାବେଶ ବି ଏହାରି ଉପରେ ଶେଷ ହେବ। ଆଜି ରଥଖଳାରେ ପଡ଼ିଥିବା ଚାଳି ଖୋଲାଯାଇଛି। ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ଚାଳି ଫିଟା ଶେଷ ପରେ ତିନି ରଥ ପ୍ରସ୍ତୁତ ହୋଇ ସିଂହଦ୍ବାର ସମ୍ମୁଖ ରଥ ଚକଡ଼ାକୁ ଯିବେ। ଅନ୍ୟପଟେ ଦର୍ଜୀ ସେବକମାନେ ରଥକନା ସିଲେଇ କାମ ଶେଷ କରିଛନ୍ତି। ମହାରଣା ସେବକମାନେ ରଥ ନିର୍ମାଣ କାମ ଶେଷ କରିବା ପରେ କନା ସଂଯୋଗ କାମ ସଂପାଦନ ହେବ। ମହାପ୍ରଭୁ ବର୍ତମାନ ଚକାବିଜେ କରି ଅଧିଷ୍ଠିତ ଅଛନ୍ତି। ଆସନ୍ତାକାଲି ଚକା ଅପସର ନୀତି ଅନୁଷ୍ଠିତ ହେବ। ଯେଉଁ ଚକାରେ ମହାପ୍ରଭୁ ବିଜେ କରିଛନ୍ତି ସେଥିରୁ ଓହ୍ଲାଇବେ। ଚକା ଅପସର ନୀତି ସଂପାଦନ ପାଇଁ ଦର୍ଜୀ ସେବକମାନେ କପଡ଼ାରେ ସ୍ବତନ୍ତ୍ର ଭାବେ ଚକା ଅପସର ଜିନିଷ ପ୍ରସ୍ତୁତ କରିଛନ୍ତି।
ରଥଖଳା ଚଳଚଞ୍ଚଳ, ଲାଗିଲା ଦୁଆର, ଚାଲିଛି ସିଂହାସନ କାମ
/sambad/media/post_attachments/wp-content/uploads/2019/07/Untitled-20-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)