ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷର ସପ୍ତମ ଦିବସକୁ ସପ୍ତମୀ କୁହାଯାଏ। ଏହାକୁ ମିତ୍ର ପଦା ମଧ୍ୟ କହନ୍ତି। କାରଣ ଏହି ତିଥିର ଅଧିପତି ସ୍ୱୟଂ ଆଦିତ୍ୟନାରାୟଣ ସୂର୍ଯ୍ୟଦେବ। ଭିନ୍ନ ଭିନ୍ନ ସପ୍ତମୀର ଭିନ୍ନ ଭିନ୍ନ ନାମ ରହିଛି। କାରଣ ଏହି ତିଥିମାନଙ୍କରେ ସୂର୍ଯ୍ୟଦେବଙ୍କ ସହିତ ଅନ୍ୟ ଦେବଦେବୀମାନେ ମଧ୍ୟ ପୂଜିତ ହୋଇଥାନ୍ତି; ଯେପରି ଚୈତ୍ରଶୁକ୍ଳ ସପ୍ତମୀ ଶୀତଳା ସପ୍ତମୀ, ବୈଶାଖ ଗଙ୍ଗା ସପ୍ତମୀ, ମାର୍ଗଶିର ବିଷ୍ଣୁ ସପ୍ତମୀ, ଭାଦ୍ରବ ଲଳିତା ସପ୍ତମୀ, ଆଶ୍ୱିନ ଦୁର୍ଗା ସପ୍ତମୀ ଇତ୍ୟାଦି। କିନ୍ତୁ ଏହି ସପ୍ତମୀମାନଙ୍କ ମଧ୍ୟରେ ମାଘ ଶୁକ୍ଳ ସପ୍ତମୀ ବିଶେଷ ମହତ୍ତ୍ୱ ରଖେ। ଏହି ସପ୍ତମୀକୁ ମାଘ ସପ୍ତମୀ, ଆରୋଗ୍ୟ ସପ୍ତମୀ, ରଥ ସପ୍ତମୀ, ବିଶୋକ ସପ୍ତମୀ ଆଦି ନାମରେ ଚିହ୍ନିତ କରାଯାଏ। ମାଘମାସ ଆପାତତଃ ଆଦିତ୍ୟନାରାୟଣଙ୍କର ଉତ୍ତରାୟଣ ଯାତ୍ରାର ପ୍ରାରମ୍ଭକାଳ। ଏଣୁ ଏହା ଦେବତାମାନଙ୍କର ଦିବସକାଳ ହୋଇଥିବାରୁ, ଦକ୍ଷିଣାୟନ ସମୟରେ ଯେଉଁ କାର୍ଯ୍ୟମାନ ଅଟକି ରହିଥାଏ ଉତ୍ତରାୟଣରେ ତାହା ସଂପୂର୍ଣ୍ଣ ହୁଏ। ସାତ ହେଉଛି ସୂର୍ଯ୍ୟଦେବଙ୍କର ପ୍ରିୟ ସଂଖ୍ୟା। କାରଣ, ତାଙ୍କ ରଥର ଅଶ୍ୱସଂଖ୍ୟା ସାତ। ବିଜୟ, ଜୟ, ଅଜୟ, ଜିତପ୍ରାଣ, ଜିତକର୍ମ, ଜିତକ୍ରୋଧ ଓ ମନୋଜପ ତାଙ୍କର ସପ୍ତ ଅଶ୍ୱ। ତାଙ୍କ ଦ୍ୱାରା ସୃଷ୍ଟ ଇନ୍ଦ୍ରଧନୁର ରଙ୍ଗ ମଧ୍ୟ ସାତ। ସପ୍ତାହର ସାତଦିନ ରବି ବା ସୂର୍ଯ୍ୟଙ୍କଠାରୁ ଆରମ୍ଭ।
Sambad is now on WhatsApp
Join and get latest news updates delivered to you via WhatsApp
କଥିତ ଅଛି, ଉତ୍ତରାୟଣର ପ୍ରାରମ୍ଭକାଳ ହେତୁ, ମାଘଶୁକ୍ଳ ସପ୍ତମୀ ତିଥିରେ ଗଙ୍ଗାଙ୍କ ସହିତ ସମସ୍ତ ନଦୀ ଏକତ୍ର ହୋଇ ସୂର୍ଯ୍ୟଦେବଙ୍କର ବନ୍ଦନା କରିଥାନ୍ତି। ଏହି ସପ୍ତମୀ ଦିନ ଉପବାସ ରହି ବ୍ରତ ପାଳନ କରି ସୂର୍ଯ୍ୟଦେବଙ୍କୁ ଆରାଧନା କଲେ, ମନୁଷ୍ୟ କରିଥିବା ସପ୍ତ ପାପ, ଯଥା- ଜାଣତରେ, ଅଜାଣତରେ, କଠୋର ବାକ୍ୟ ପ୍ରୟୋଗରେ, କୁଚିନ୍ତନରେ, ଶାରୀରିକ ଭାବରେ ଏବଂ ପୂର୍ବଜନ୍ମରେ କରିଥିବା ପାପକର୍ମ ଆଦିରୁ ମୁକ୍ତି ମିଳିଥାଏ। ପୁରାଣର ବର୍ଣ୍ଣନା ଅନୁଯାୟୀ, କୃଷ୍ଣପୁତ୍ର ଶାମ୍ବ କୁଷ୍ଠରୋଗରେ ଆକ୍ରାନ୍ତ ହେବାରୁ, ନାରଦଙ୍କ ନିର୍ଦ୍ଦେଶରେ ସେ ଚନ୍ଦ୍ରଭାଗା ନଦୀ ଓ ଦକ୍ଷିଣ ସମୁଦ୍ରର ମିଳନ ସ୍ଥଳ- ଯାହାକି ଅର୍କକ୍ଷେତ୍ର ଭାବରେ ପ୍ରସିଦ୍ଧ ସେଠାକୁ ଆସି ସୂର୍ଯ୍ୟଙ୍କୁ ପୂଜନ କରି, ସପ୍ତମୀ ବ୍ରତ ରଖି, କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ। ତେଣୁ ମାଘ ଶୁକ୍ଳ ସପ୍ତମୀର ଅନ୍ୟ ନାମ ଆରୋଗ୍ୟ ସପ୍ତମୀ। ଶ୍ରଦ୍ଧାଳୁମାନେ ରୋଗହୀନ ଜୀବନଯାପନ କରିବା ନିମିତ୍ତ ମାଘ ସପ୍ତମୀ ଦିନ ଆସି ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କରିଥାନ୍ତି। ଶୋକରହିତ ନିରାମୟ ଜୀବନ ନିମିତ୍ତ ପ୍ରାର୍ଥନା କରନ୍ତି ବୋଲି ଏ ସପ୍ତମୀର ନାମ ମଧ୍ୟ ବିଶୋକ ସପ୍ତମୀ।
ଏହିଦିନ ତିରୁମାଲା ମନ୍ଦିରରେ ମଳୟାପାଙ୍କର ଆଦିତ୍ୟନାରାୟଣ ରଥଯାତ୍ରା ଅନୁଷ୍ଠିତ ହୁଏ। ସେଥିରେ ବିଭିନ୍ନ ଦେବଦେବୀମାନେ- ଶେଷବାହନ, ଗରୁଡ଼ବାହନ, ହନୁମାନବାହନ, କଳ୍ପବୃକ୍ଷବାହନ, ଚନ୍ଦ୍ରପ୍ରଭବାହନ, ସୂର୍ଯ୍ୟପ୍ରଭବାହନ ଆଦିରେ ଆରୋହଣ କରି ଆସି ରଥଯାତ୍ରାରେ ସମ୍ମିଳିତ ହୋଇଥାନ୍ତି। ଏଣୁ ଏହି ସପ୍ତମୀକୁ ରଥ ସପ୍ତମୀ ମଧ୍ୟ କହନ୍ତି। ଅବଶ୍ୟ, ଅର୍କକ୍ଷେତ୍ରରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା ଶାମ୍ବଦଶମୀ ଦିନ ପାଳିତ ହୋଇଥାଏ।
-ଡକ୍ଟର ତୁଳସୀ ଓଝା