ରଥ ତିନି, ଆଜ୍ଞାମାଳ ପାଞ୍ଚ

ରଥ କଥା/ ଅସିତ ମହାନ୍ତି

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଯେପରି ବିଚିତ୍ର, ସେପରି ବ୍ୟବସ୍ଥିତ । ପ୍ରତିବର୍ଷ ବାରମାସରେ ତେରଯାତ୍ରା ସହିତ ସେଠାରେ ଅନେକ ଯାନି ବା ଉପଯାତ୍ରା ଓ ପର୍ବ ଅନୁଷ୍ଠିତ ହୋଇଥାଏ । ପୁଣି ପ୍ରତିବର୍ଷ ତିନିଟି ନୂଆ ରଥର ନିର୍ମାଣ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶେଷ ହୁଏ । ଏହିସବୁ ବିରାଟ ବ୍ୟାପାର କିପରି ସୁଚାରୁ ରୂପେ ସଂପନ୍ନ ହୁଏ ତାହା ହିଁ ବିସ୍ମୟକର ।

କିନ୍ତୁ ପାରମ୍ପରିକ ଭାବରେ ଏସବୁ ପାଇଁ ‘ଆଜ୍ଞାମାଳ’ର ବ୍ୟବସ୍ଥା ରହିଛି । ଏହା ହେଉଛି ପ୍ରଭୁଙ୍କର ‘କାର୍ଯ୍ୟାଦେଶ’ ବା ଇଂରାଜିରେ କହିଲେ ‘ୱାର୍କ ଅର୍ଡ଼ର’ । ସମସ୍ତ କାର୍ଯ୍ୟ ତାଙ୍କରି ଆଦେଶରେ ହୋଇଥାଏ । ତାଙ୍କର ବିନା ଆଦେଶରେ କୌଣସି କାର୍ଯ୍ୟ ହୁଏନାହିଁ ।

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ଏହି ‘ଆଜ୍ଞାମାଳ’ର ଅର୍ଥରେ କୁହାଯାଇଛି- ଏହା ହେଉଛି ଦେବତାଙ୍କର ଆଜ୍ଞା ବା ଆଦେଶର ଚିହ୍ନ ସ୍ୱରୂପ ଆଜ୍ଞା ପାଳନକାରୀ ନିକଟକୁ ପଠାଯାଉଥିବା ‘ଉପଭୁକ୍ତ’ (ବ୍ୟବହୃତ) ମାଳ । ଏହା ଦେବତାଙ୍କର ଆଜ୍ଞା ବା ଆଦେଶର ନିଦର୍ଶନ ।

‘ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ନାମରେ ଗୋଟିଏ ପୁସ୍ତକ ଲେଖିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ରବୀନ୍ଦ୍ରନାଥ ପ୍ରତିହାରୀ । ସେଥିରେ ସେ ଶ୍ରୀମନ୍ଦିର ପରମ୍ପରାରେ ପ୍ରଚଳିତ ୧୩୯ଟି ଆଜ୍ଞାମାଳର ଉଲ୍ଲେଖ କରିଛନ୍ତି । ତାହା ଅନୁସାରେ, ପ୍ରଭୁଙ୍କଠାରୁ ଆଜ୍ଞାମାଳପାଇ ବିଭିନ୍ନ ଯାନିଯାତ୍ରାରେ ଯେଉଁମାନେ ଅଂଶଗ୍ରହଣ କରନ୍ତି, ସେମାନଙ୍କର ସଂଖ୍ୟା ୩୫ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏଥିରେ ‘ଚଳନ୍ତି ପ୍ରତିମା’ ଯେପରି ଥାଆନ୍ତି, ସେପରି ‘ଚେତନ’ (ନିର୍ଦ୍ଦିଷ୍ଟ ବ୍ୟକ୍ତି) ଓ ‘ଜଡ଼’ ପଦାର୍ଥ ମଧ୍ୟ ଥାଆନ୍ତି ।

ଚେତନଙ୍କ ମଧ୍ୟରେ ଥାଆନ୍ତି ବୈଶାଖ କୃଷ୍ଣ ଦ୍ୱିତୀୟାରେ ରାବଣବଧ ଉତ୍ସବପାଇଁ ରାବଣ ବେଶଧାରୀ ବ୍ୟକ୍ତି ବା ‘ବାଲିସାହି ରାବଣ’ । ଜଡ଼ପଦାର୍ଥ ମଧ୍ୟରେ ଥାଏ ଶ୍ରୀରାମନବମୀର ଅଭିଷେକ ଉତ୍ସବ ନିମନ୍ତେ ଶ୍ରୀରାମଙ୍କ ‘ରତ୍ନପାଦୁକା’ । ସେହିପରି ନବକଳେବରରେ ଚାରି ‘ଦାରୁବୃକ୍ଷ’ ମଧ୍ୟ ଆଜ୍ଞାମାଳ ପାଆନ୍ତି ।

ଅକ୍ଷୟ ତୃତୀୟାର ରଥ ଅନୁକୂଳ ପାଇଁ ଆଜ୍ଞାମାଳ

ରଥଯାତ୍ରାରେ ତିନିରଥର ନିର୍ମାଣପାଇଁ ଏବଂ ଶ୍ରୀଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ମଧ୍ୟ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ଆସିଥାଏ । ଏହି ତିନିଠାକୁର ନିଜ ନିଜର ରଥପାଇଁ ଆଜ୍ଞାମାଳ ଦେଇଥାଆନ୍ତି । ଏଥିପାଇଁ ମୋଟ ପାଞ୍ଚଥର ଆଜ୍ଞାମାଳ ମିଳିଥାଏ ।

ପ୍ରଥମ ଆଜ୍ଞାମାଳ ଆସେ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ । ଶ୍ରୀପଞ୍ଚମୀ ଦିନ ପୂଜା ଓ ସଂସ୍କାର ହୋଇ ରହିଥିବା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଏହିଦିନ ଗୀତଗୋବିନ୍ଦ ଖଣ୍ଡୁଆ ଓ ଆଜ୍ଞାମାଳ ଆଦି ଦିଆଯାଇ ପାରମ୍ପରିକ ଭାବରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ଶ୍ରୀନଅର ସାମ୍ନା ରଥଖଳାଠାରେ ଏହା କରାଯାଏ । ‘ନନ୍ଦିଘୋଷ’ ରଥପାଇଁ ଶ୍ରୀଜଗନ୍ନାଥ, ‘ତାଳଧ୍ୱଜ’ ରଥପାଇଁ ଶ୍ରୀବଳଭଦ୍ର ଓ ‘ଦେବଦଳନ’ ରଥପାଇଁ ଦେବୀ ସୁଭଦ୍ରା ଆଜ୍ଞାମାଳ ଦେଇଥାଆନ୍ତି ।

ଭଉଁରୀର ଚକ ଡେରା ପାଇଁ ଆଜ୍ଞା ମାଳ

ଏହା ପରର ଦ୍ୱିତୀୟ ଆଜ୍ଞାମାଳ ଦିଆଯାଏ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ଦିନ । ଏହିଦିନ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଚନ୍ଦନଯାତ୍ରାର ‘ଭଉଁରୀ ଉତ୍ସବ’ । ଏହିଦିନ ପ୍ରତିରଥର ଦୁଇଟି ଲେଖାଏଁ ଚକ ଗୋଟିଏ ଲେଖାଏଁ ଅଖରେ ଲାଗିବାର ବିଧାନ ରହିଛି । ଏହାକୁ ‘ଚକଡେରା’ କୁହାଯାଏ । ଏହିପରି ଭାବରେ ତିନି ରଥର ଛଅଟି ଚକ ତିନିଟି ଅଖରେ ଲାଗି ଡେରା ହୁଅନ୍ତି ଏବଂ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ପାଆନ୍ତି । ରଥନିର୍ମାଣ ସୁଚାରୁ ରୂପେ ଓ ନିର୍ଦ୍ଧାରିତ ସମୟରେ ସଂପନ୍ନ ହେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ରଥର କଳସକୁ ଆଜ୍ଞାମାଳ: ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପ୍ରସ୍ତୁତ

ଏହାପରେ, ତୃତୀୟ ଥର ଆଜ୍ଞାମାଳ ଦିଆଯାଏ ତିନିରଥଙ୍କୁ- ଆଷାଢ଼ ଶୁକ୍ଳ ପ୍ରତିପଦା ଦିନ । ଏହି ଦିନଟି ହେଉଛି- ଠାକୁରମାନଙ୍କର ନବଯୌବନ ଦର୍ଶନ । ଏହି ଦିନକୁ ତିନିଟିଯାକ ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ । ଏଣୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନର ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ସେହି ତିନି ରଥଙ୍କୁ ରଥଖଳାଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାକୁ ଅଣାଯାଏ । ଏଥିପାଇଁ ତିନି ରଥ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ପାଇଥାଆନ୍ତି ।

ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ଵାରକୁ ରଥଟଣା ପାଇଁ ଆଜ୍ଞାମାଳ

ଶ୍ରୀଗୁଣ୍ଡିଚା ଯାତ୍ରାର ଚତୁର୍ଥ ଆଜ୍ଞାମାଳ ଦିଆଯାଏ ତିନିରଥର ତିନି କଳସଙ୍କୁ । ଏହି ଆଜ୍ଞାମାଳ ଲାଗି କରାଯାଇ ତିନି ରଥର କଳସଙ୍କୁ ରଥର ଚୂଡ଼ାରେ ସ୍ଥାପନ କରାଯାଏ । କଳସ ଉପରେ ଧ୍ୱଜ ପ୍ରତିଷ୍ଠା ପରେ ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ତିନିଟି ଯାକ ରଥ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯାଆନ୍ତି ।

ଏହି ତିନି ରଥଙ୍କୁ ପଞ୍ଚମ ତଥା ଶେଷ ଆଜ୍ଞାମାଳ ଦିଆଯାଏ ଶ୍ରୀଗୁଣ୍ଡିଚା ମନ୍ଦିରର ଶରଧାବାଲିଠାରେ- ବାହୁଡ଼ା ଯାତ୍ରା ନିମନ୍ତେ ରଥର ଦକ୍ଷିଣମୋଡ଼ ପାଇଁ ।

ସମ୍ବନ୍ଧିତ ଖବର