କର୍ମବେଦିରୁ ଜନ୍ମବେଦି

ଅସୁରକ୍ଷିତ କୋଠାରେ ହଜାର ହଜାର ଭକ୍ତ

ପୁରୀ : ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଆଜି ଅସୁରକ୍ଷିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବର୍ଷେ ତଳେ ଜିଲ୍ଲା ପ୍ରଶାସନ ବଡ଼ଦାଣ୍ଡର କେତୋଟି କୋଠା, ମଠକୁ ଅସୁରକ୍ଷିତ ଘୋଷଣା କରିଥିଲା। କିନ୍ତୁ ଏହିସବୁ କୋଠାରେ ରଥଯାତ୍ରାରେ ବେପାର ହୋଇଛି। ଚେୟାର ପିଛା ବସିବା ପାଇଁ ହଜାର ହଜାର ଟଙ୍କା ଆଦାୟ ହୋଇଛି। ଏହାକୁ ନେଇ ସାଧାରଣରେ ସମାଲୋଚନା ବି ଆରମ୍ଭ ହୋଇଯାଇଛି। ରଥଯାତ୍ରା ପୂର୍ବରୁ ଆର୍‌ଡିସି, ଜିଲ୍ଲାପାଳ ରଥଯାତ୍ରା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ। ସେଥିରେ ବିଭିନ୍ନ କୋଠା ଉପରେ ଅସୁରକ୍ଷିତ ଭାବେ ଦର୍ଶନ ସ୍ଥିତି ଯାଞ୍ଚ ପାଇଁ କମିଟି ଗଠନ ନିଷ୍ପତ୍ତି ହୋଇଥିଲା। ଏହି କମିଟି କୋଠା ଉପରକୁ ଯାଇ ଯାଞ୍ଚ ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ସେଭଳି କିଛି ହୋଇନି। ଆଜି ବି ଅସୁରକ୍ଷିତ ଅବସ୍ଥାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଅଇଁଠା ମାଡ଼ିଲେ ଠାକୁର

ଆଜି ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଅନେକ ମାଗଣା ଅନ୍ନଛତ୍ର ଖୋଲିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଗଠନ ଆସି ଭକ୍ତଙ୍କୁ ମାଗଣା ଖାଇବା ବାଣ୍ଟିଥିଲେ। କିନ୍ତୁ ଏମାନଙ୍କ ଭୁଲ୍‌ ଯୋଗୁଁ ଆଜି ତିନି ଠାକୁର ଅଇଁଠା ମାଡ଼ିଛନ୍ତି। ବଡ଼ଦାଣ୍ଡ ଉପରେ ଅଇଁଠା ଖଲି, ପ୍ଲେଟ୍‌ ଉପରେ ତିନି ରଥ ଯାତ୍ରା କରିଛନ୍ତି। କାରଣ ଏହି ସଂଗଠନ ସବୁ ମାଗଣା ଖାଇବା ବ୍ୟବସ୍ଥା କରିଥିଲେ ସତ, କିନ୍ତୁ ଭକ୍ତମାନଙ୍କୁ ଯେଉଁଥିରେ ଖାଇବାକୁ ଦେଉଥିଲେ, ତାର ସଫାସୁତରା ଉପରେ ଦୃଷ୍ଟି ଦେଇ ନଥିଲେ। ଯେଉଁଥିପାଇଁ ଭକ୍ତମାନେ ଖାଇବା ପରେ ଅଇଁଠା ପତ୍ର ସବୁ ବଡ଼ଦାଣ୍ଡରେ ଛାଡ଼ି ପଳାଇଥିଲେ। ଆଉ ରଥଯାତ୍ରା ସମୟରେ ଏହି ଅଇଁଠା ସବୁ ତିନି ରଥକୁ ମାଡ଼ିକି ଯିବାକୁ ପଡ଼ିଥିଲା।

ଡିଜିଙ୍କ ରଥ କର୍ଡନ୍‌ ଚେକିଂ

ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ଵ ନେବା ପରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କର ଏହା ପ୍ରଥମ ରଥଯାତ୍ରା। ଆଜି ସେ ନିଜେ ସିଂହଦ୍ଵାରଠାରେ ପହଞ୍ଚି ତିନି ରଥର ଚାରିକଡ଼ରେ ଥିବା କର୍ଡ଼ନ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। କର୍ଡନ୍‌ ଦାୟିତ୍ଵରେ ଥିବା ପୁଲିସମାନେ କିପରି ନିଜ ନିଜର ଡ୍ୟୁଟି ସଂପାଦନ କରୁଛନ୍ତି ସେ ସବୁର ବି ଯାଞ୍ଚ ପରଖିଥିଲେ ଡିଜି ଶ୍ରୀ ଶର୍ମା। ତାଙ୍କ ସହିତ ଅତିରିକ୍ତ ପୁଲିସ ଡିଜି ସତ୍ୟଜିତ୍‌ ମହାନ୍ତି ଏବଂ ଆଇଜି ଅସିତ ପାଣିଗ୍ରାହୀ ରହି ଯାଞ୍ଚ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ।

ପଶିଗଲେ ଅଣସେବାୟତ

ନା କୌଣସି ସେବା ଥିଲା, ନା ଏମାନେ କୌଣସି ସେବାୟତ ଥିଲେ। ତଥାପି ପହଣ୍ଡିବେଳେ ଓ ରଥ ଉପରେ ଏହି ଅଣସେବାୟତମାନେ ପଶିବାକୁ ପଛାଇନାହାଁନ୍ତି। ଏମାନେ ପହଣ୍ଡି ସମୟରେ ସେବାୟତଙ୍କ ବେଶ ଧାରଣ କରି, ପାଟବସ୍ତ୍ର ପିନ୍ଧି ଠାକୁରଙ୍କୁ ବି ଛୁଇଁଛନ୍ତି। ତିନି ଠାକୁର ଧାଡ଼ି ପହଣ୍ଡି ହୋଇ ଆସୁଥିବାବେଳେ ବାଇଶି ପାହାଚରେ ଏମାନେ ଆଜି ଠାକୁରଙ୍କୁ ସ୍ପର୍ଶ କରିବାକୁ ଉଦ୍ୟମ କରିଛନ୍ତି। ସେହିପରି କେତେକ ସେବାୟତଙ୍କ ବେଶ ଧାରଣ କରି ରଥ ଉପରେ ବି ଚଢ଼ିଛନ୍ତି।

ଏକା ସାଙ୍ଗେ ରଥ ଟାଣିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିଛନ୍ତି। ତେବେ ଏଥର ତାଙ୍କ ସହିତ ରହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ଗଜପତିଙ୍କର ଛେରା ପହଁରା ପରେ ଚାରମାଳ ଖୋଲାଯାଇ ଘୋଡ଼ା ଜୋଚା ଯାଇଥିଲା। ଏହାପରେ ବଡ଼ଠାକୁରଙ୍କର ରଥ ଆଗକୁ ବଢ଼ିଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଆଗକୁ ବଢ଼ିବା ସମୟରେ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ପହଞ୍ଚି ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା କେନ୍ଦ୍ରର ଛାତ ଉପରକୁ ଉଠିଥିଲେ। ଏହାପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଆଗକୁ ବଢ଼ିବା ପାଇଁ ତୟାର ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ରଥ ଟାଣିବେ ବୋଲି ସୂଚନା ଆସିଲା। ତେଣୁ ବରିଷ୍ଠ ପଦାଧିକାରୀମାନେ ନନ୍ଦିଘୋଷ ରଥର ଗୋଟିଏ ଦଉଡ଼ିକୁ ଖାଲି କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ସେଠାରେ ପହଞ୍ଚି ମିଳିମିଶି ରଥ ଦଉଡ଼ାକୁ ଟାଣିଥିଲେ। ଏଥି ସହିତ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ପ୍ରଦୀପ ମହାରଥୀ, ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସୁପ୍ରିମ୍‌ କୋର୍ଟର ବିଚାରପତି ଅରଜିତ୍‌ ପଶାୟତ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭିନୀତ ସରନ୍‌, ମାନବାଧିକାର କମିଶନର ବୀରକିଶୋର ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ରଥ ଟାଣିଥିଲେ।

ପୁଲିସ ପାଇଁ ଫେରିଗଲେ ପୂଜାପଣ୍ଡା, ଏସ୍‌ପିଙ୍କୁ ଗାଳିଦେଲେ ଆଇଜି

ପୁଲିସର ଦୁର୍ବ୍ୟବହାର ପାଇଁ ଆଜି ଶ୍ରୀଜିଉଙ୍କ ପୂଜାପଣ୍ଡା ଶିବ ପୂଜାପଣ୍ଡା ଫେରିଯିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଥିଲା। ଏଥି ପାଇଁ ଆଇଜି ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ ବିଗିଡ଼ିବାର ଦେଖିବାକୁ ମିଳିଛି। ପ୍ରକାଶ ଯେ, ଶ୍ରୀଜିଉଙ୍କ ପୂଜା ପାଇଁ ଶ୍ରୀ ପୂଜାପଣ୍ଡା ପୁଲିସ କର୍ଡନ୍‌ ଭିତରକୁ ଯିବାକୁ ପ୍ରୟାସ କରୁଥିବା ବେଳେ କର୍ଡନ୍‌ ଦାୟିତ୍ଵରେ ଥିବା ପୁଲିସ ତାଙ୍କୁ ଅଟକାଇଥିଲେ। ପରିଚୟ ଦେଲା ପରେ ବି ପୁଲିସମାନେ ତାଙ୍କୁ ଛାଡ଼ି ନଥିଲେ। ଯେଉଁଥିପାଇଁ ଶ୍ରୀ ପୂଜାପଣ୍ଡା ଘରକୁ ଫେରିଯିବାକୁ ବାହାରିଥିଲେ। ଆଇଜି ଏହା ଜାଣିବା ପରେ ଦାୟିତ୍ଵରେ ଥିବା ପୁଲିସଙ୍କ ଜରିଆରେ ଶ୍ରୀ ପୂଜାପଣ୍ଡାଙ୍କୁ ପୁର୍ନବାର ଡାକିଥିଲେ। ଶ୍ରୀ ପୂଜାପଣ୍ଡା ଆସିଥିଲେ ସତ, କିନ୍ତୁ ଏଥିପାଇଁ ଆଇଜିଙ୍କ ରାଗ କମିନଥିଲା। ଏସ୍‌ପିଙ୍କୁ ଡାକି ଗାଳି ଦେଇଥିଲେ। ଲୋକଙ୍କୁ ଅଟକାଇବା ଆଗରୁ ପ୍ରଥମେ ଚିହ୍ନିବା ଦରକାର ବୋଲି କହିଥିଲେ। ଏସ୍‌ପିଙ୍କୁ ଏହାର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ପାଇଁ କହିଥିଲେ।

ରଥ ଟାଣିଲେ କେନ୍ଦ୍ର ମନ୍ତ୍ରୀ

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥ ଟାଣିଛନ୍ତି। ଶ୍ରୀ ପ୍ରଧାନ ଆଜି ଅପରାହ୍‌ଣରେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ପ୍ରଥମେ ବଳଭଦ୍ରଙ୍କ ରଥକୁ ଛୁଇଁବା ସହ ଟାଣିଥିଲେ। ଶ୍ରୀ ପ୍ରଧାନ ରଥଟଣାରେ ସାମିଲ୍‌ ହେବା ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଭକ୍ତଙ୍କୁ ପ୍ରସାଦ ବାଣ୍ଟିଥିଲେ। କ୍ରୀଡ଼ା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଆମ୍ବୁଲାନ୍‌ସ ସେବାର ଶୁଭାରମ୍ଭ କରିଥିଲେ। ଶ୍ରୀ ପ୍ରଧାନଙ୍କ ସହ ବହୁ ବିଜେପି ନେତା, କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଲହଡ଼ିମାଡ଼ରେ ୩୭ ଆହତ; ଶତାଧିକଙ୍କୁ ଅଂଶୁଘାତ

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରବଳ ଗୁଳୁଗୁଳି ଯୋଗୁ ବହୁ ଭକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ଅଂଶୁଘାତ ଯୋଗୁ ଶତାଧିକ ଭକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର୍‌କୁ ୮୩୯ଜଣ ରୋଗୀ ଆସିଥିବା ବେଳେ ଇନ୍‌ଡୋରରେ ୧୩୫ ଜଣ ରୋଗୀ ଭର୍ତି ହୋଇଥିଲେ। ଛୋଟମୋଟ ଘଟଣାରେ ୬୫ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣାରେ ଜଣେ ଆହତ ହୋଇଥିଲେ। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ସମୁଦ୍ରରେ ଗାଧୁଆ ବେଳେ ଲହଡି ମାଡ଼ରେ ୩୭ ଜଣ ଆହତ ହୋଇଥିଲେ।

ମହାପ୍ରଭୁଙ୍କ ପହଣ୍ଡିରେ ନାଚିଲେ ବିଦେଶୀ ନୃତ୍ୟାଙ୍ଗନା

ଖାସ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଓ ତାଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରି ଆତ୍ମତୃପ୍ତି ଲାଭ କରିବାକୁ ବିଦେଶୀ ଭକ୍ତ କଲମ୍ବିଆରୁ ଆସିଥିଲେ। ଭାରତୀୟ ନାମରେ ନାମିତ କଲମ୍ବିଆର ଅମ୍ବିକା, ପାର୍ବତୀ ବୃନ୍ଦାବନରୁ ପୁରୀ ଆସିଛନ୍ତି। ଉଭୟ ଭକ୍ତ ଆଜି ରଥ କର୍ଡନ ଭିତରେ ମହାପ୍ରଭୁଙ୍କ ପହଣ୍ଡି ବେଳେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ସ୍ୱାଗତ କରିଥିଲେ। ସେମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି ବୋଲି କହିଥିଲେ।

ବାଁ କଡ଼ ଛାଡ଼ିଲାନି କାଳିଆ

ଆଜି ବଡ଼ଦାଣ୍ଡର ବାଁ କଡ଼ ଛାଡ଼ିନି କାଳିଆ। ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାଁ କଡ଼ ମାଡ଼ି ଯାତ୍ରା ଆରମ୍ଭ କରିଥିଲା। ରଥ ଦାୟିତ୍ଵରେ ଥିବା ସେବକମାନେ ନନ୍ଦିଘୋଷ ରଥକୁ ଡାହାଣ ମୋଡ଼ ଦେବାକୁ ଚେଷ୍ଟା କରିଥିଲେ ବି ଏହା ବାମ ମୋଡ଼ ଦେଇ ଯାତ୍ରା କରିଛି। ଯେଉଁଥି ପାଇଁ ଆଜି ବଳଗଣ୍ଡି ଛକଠାରେ ନନ୍ଦିଘୋଷ ରଥ ରାସ୍ତା କଡ଼ ଡ୍ରେନ୍‌ ଆଡ଼କୁ ମାଡ଼ିଯାଇଥିଲା। ବାମ କଡ଼କୁ ମାଡ଼ି ଡ୍ରେନ୍‌ଠାରୁ ମାତ୍ର ୪/୫ ଫୁଟ ଦୂରରେ ନନ୍ଦିଘୋଷ ରଥ ଅଟକିଛି। କେବଳ ସେତିକି ନୁହେଁ, ବାମ କଡ଼କୁ ମାଡ଼ିଯିବାରୁ ବଳଗଣ୍ଡି ଛକରେ ଥିବା କୃଷ୍ଣଚୂଡ଼ା ଗଛ ଆଜି ନନ୍ଦିଘୋଷ ରଥକୁ ଅଟକାଇଛି।

କର୍ଡନ୍‌ ଭିତରେ ସେବାୟତ ବେଶଧାରୀ ପର୍ଯ୍ୟଟକ

ରଥଯାତ୍ରା ସମୟରେ ଯେତେ ଯାହା କଟକଣା ହେଲେ ବି ପ୍ରଚଳିତ ବ୍ୟବସ୍ଥା ଆଗରେ ସେସବୁ ହାର୍‌ ମାନୁଛି। ଚଳିତ ବର୍ଷ କର୍ଡନ ଭିତରେ ବହୁ ସଂଖ୍ୟାରେ ସେବାୟତ ବେଶଧାରୀ ବଙ୍ଗୀୟ ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସେବାୟତ ବେଶଧାରୀ ପର୍ଯ୍ୟଟକମାନଙ୍କୁ ଦେଖୁଥିଲେ ବି ପୁଲିସ କର୍ମଚାରୀ ମୁହଁ ବୁଲେଇ ଚାଲିଯାଉଥିଲେ। ଏପଟେ କିନ୍ତୁ ସାଧାରଣ ଭକ୍ତ ରଥ ପାଖକୁ ଆସୁଥିବା ବେଳେ ତାଙ୍କୁ ମିଳୁଥିଲା ଲାଠି ପ୍ରହାର। ପୁଲିସର ଏପ୍ରକାର ପକ୍ଷପାତିତାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା।

ହେଲିକେପ୍ଟଟରୁ ରଥ ଦର୍ଶନ

ଆଜି ତିନି ରଥକୁ ମହାପ୍ରଭୁ ବିଜେ ହେବା ପରେ ଭୁବନେଶ୍ୱରକୁ ଖବର ଦିଆଯାଇଥିଲା। ଏହା ପରେ କିଛି ଭିଭିଆଇପିଙ୍କୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରୁ ପୁରୀ ଉଡି ଆସିଥିଲା ଏକ ହେଲିକେପ୍ଟଟର। ଶ୍ରୀମନ୍ଦିର ଚାରିକଡ଼େ ଘୁରି ବୁଲିଥିଲା ଏହି ହେଲିକେପ୍ଟଟର। ରଥଯାତ୍ରା ସମୟରେ ପୁରୀକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ମନା କରିଦେବା ପରେ ଏହାର ସୁଯୋଗ ନେଇଥିଲେ କିଛି ଭିଭିଆଇପି। ତଳେ ଜନ ସମୁଦ୍ର, ଉପରେ ହେଲିକେପ୍ଟଟରରେ ଉଡି ରଥଯାତ୍ରା ଦୃଶ୍ୟ ଉପଭୋଗ କରିବାର ମହାର୍ଘ ସୁଯୋଗକୁ ହାତଛଡ଼ା କରିନଥିଲେ ଭିଭିଆଇପି।

ଶ୍ରୀମନ୍ଦିର ଗୁମୁଟ ଉପରେ ଚଢ଼ିଗଲେ

ପୁରୀ : ତିନି ଠାକୁରଙ୍କ ପହଣ୍ଡି ଓ ରଥଯାତ୍ରା ସମୟରେ ଆଜି ଅନେକ ଭକ୍ତ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢ଼ିବାକୁ ବି ପଛାଇନାହାଁନ୍ତି। ଅସୁରକ୍ଷିତ ଅବସ୍ଥାରେ ଗୁମୁଟ ଉପରେ ଝୁଲି ରହି ଏହି ଭକ୍ତମାନେ ପହଣ୍ଡି ଦେଖିଛନ୍ତି। ଏତେ ସବୁ ପୁଲିସ ଥିଲେ ବି କେହି ଏଥିପ୍ରତି ବାରଣ ନଥିଲେ। ସେପଟେ ଠାକୁର ଗୁମୁଟ ତଳେ ପହଣ୍ଡି ହୋଇ ଆସୁଥିବାବେଳେ ଭକ୍ତମାନେ ଗୁମୁଟ ଉପରେ ଚଢ଼ି ରହିବା ମହାପ୍ରଭୁଙ୍କୁ ଅସମ୍ମାନ ସଦୃଶ ହୋଇଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ଜିତେନ୍ଦ୍ର, ନିରଞ୍ଜନ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶା ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶନିବାର ଦିନ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା, ଏଆଇସିସି ସମ୍ପାଦକ ଜି ରାଜୁ ଏବଂ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୋଧୁରୀ ମଧ୍ୟ ଉପସ୍ଥିତ ଥିଲେ। ପୁରୀ ଯାଇ ରଥାରୁଢ ତିନିଦିଅଁଙ୍କୁ ଦର୍ଶନ କରିବା ପରେ ଶ୍ରୀ ସିଂହ ଏବଂ ଅନ୍ୟମାନେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। କଂଗ୍ରେସ ନେତୃବୃ୍‌ନ୍ଦ ଏହି ଅବସରରେ ସମଗ୍ର ଓଡ଼ିଶା ଓ ଦେଶବାସୀଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର