ଡକ୍ଟର ଭାସ୍କର ମିଶ୍ର
ନୀଳାଚଳସ୍ଥିତ ଭବ୍ୟ ଶ୍ରୀମନ୍ଦିରରେ ବିରାଜିତ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କର ପ୍ରସିଦ୍ଧ ଦ୍ବାଦଶ ଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା ସର୍ବଶ୍ରେଷ୍ଠ । ସମଗ୍ର ଭାରତବର୍ଷରେ ଏହି ପୁଣ୍ୟଧାମରେ ଅନୁଷ୍ଠିତ ରଥଯାତ୍ରାର ପ୍ରସିଦ୍ଧି ପୁରାତନ ସମୟରୁ ରହି ଆସିଛି। ଗଙ୍ଗବଂଶୀ ରାଜାମାନଙ୍କର ୩୩୪ ବର୍ଷର ରାଜତ୍ବ କାଳ ମଧ୍ୟରେ ଶ୍ରୀେକ୍ଷତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେଉଥିଲା। ସେହିପରି ସୂର୍ଯ୍ୟବଂଶୀ ରାଜାମାନଙ୍କର ପ୍ରାୟ ୧୦୦ ବର୍ଷର ରାଜତ୍ବ କାଳ ମଧ୍ୟରେ ମହାପ୍ରଭୁମାନଙ୍କ ପ୍ରସିଦ୍ଧ ଗୁଣ୍ଡିଚା ମହୋତ୍ସବ ଆହୁରି ବର୍ଣ୍ଣାଢ଼୍ୟ ଭାବେ ଅନୁଷ୍ଠିତ ହେଉଥିବା ଜଣାଯାଏ। କିନ୍ତୁ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ବ କାଳର ଶେଷ ସମୟରେ ଶ୍ରୀମନ୍ଦିର ଉପରେ ବଙ୍ଗର ଆଫଗାନ୍ ଶାସକମାନଙ୍କର ଆକ୍ରମଣ ଘଟିଲା। ଶାସନତନ୍ତ୍ର ଦୁର୍ବଳ ହେବା ସହିତ ଏହି ରାଜବଂଶର ବିଲୋପ ଘଟିଲା। ୧୫୬୮ ଖ୍ରୀଷ୍ଟାବ୍ଦରେ ଦୁର୍ଦ୍ଧର୍ଷ କଳାପାହାଡ଼ର ବର୍ବର ଆକ୍ରମଣ ଦ୍ବାରା ଶ୍ରୀବିଗ୍ରହମାନଙ୍କର ଅଶେଷ କ୍ଷତି ସାଧନ ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଲୁଣ୍ଠନ ହେବା ସହ ଚତୁର୍ଦ୍ଧା ବିଗ୍ରହଙ୍କୁ ନେଇ ଯାଇ ଗଙ୍ଗା କୂଳରେ ଅଗ୍ନି ସଂଯୋଗ କରିବା ଭଳି ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ଘଟିଥିଲା। ଅର୍ଦ୍ଧଦଗ୍ଧ ଦାରୁ କଳେବରରୁ ବିଶର ମହାନ୍ତି ମୃଦଙ୍ଗ ମଧ୍ୟରେ ବ୍ରହ୍ମ ପଦାର୍ଥକୁ ଗୋପନରେ ଆଣି ଗଡ଼କୁଜଙ୍ଗରେ ରଖିବାରୁ ପ୍ରାୟ ୯ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନ ସିଂହାସନ ବିଗ୍ରହଶୂନ୍ୟ ହୋଇଯିବା ସଙ୍ଗେ ସଙ୍ଗେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ହୋଇଯାଇଥିଲା।
୧୫୬୮ ଖ୍ରୀଷ୍ଟାବ୍ଦରୁ ୧୭୩୫ ଖ୍ରୀଷ୍ଟାବ୍ଦ ମଧ୍ୟରେ କଲ୍ୟାଣ ମଲ୍ଲ, ଅହମ୍ମଦ ବେଗ୍, ହାସିମ୍ ଖଁା, ମିର୍ଜା ଖୁରୁସ, ଏକରାମ ଖଁା, ମହମ୍ମଦ ତକି ଖଁା, କେଶୋଦାସ ମାରୁ ପ୍ରଭୃତି ଯବନ ସେନାପତି ଓ ସୁବେଦାରମାନଙ୍କ ଦ୍ବାରା ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେବା ଫଳରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗଡ଼କୋକଲ, କପିଳେଶ୍ବରପୁର ଶାସନ, ଚିଲିକାର କାଙ୍କଣଶିଖରୀ କୁଦ, ନଈରୀର ହରୀଶ୍ବର ମଣ୍ଡପ, ପୋଲସରାର ମାରଦା, ଚିକିଲି, ଚିଲିକାର ମହିଷାନାସି/ଚକାନାସି, ଗୁରୁବାଇଗଡ଼, ବାଣପୁରର ଗବପଦର, ଝଢ଼େଇଗୁହା ପର୍ବତ, ବଡ଼ ହନ୍ତୁଆଡ଼, ଅନ୍ଧାରୀମହିମ, ଖୋର୍ଦ୍ଧାର ଗଡ଼ମାଣତିର ଇତ୍ୟାଦି ଅଞ୍ଚଳରେ ଅତ୍ୟନ୍ତ ଗୋପନୀୟ ଭାବେ ବିଜେ କରାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଉଥିଲା। ଏହି ଆକ୍ରମଣ ସମୟରେ ପ୍ରାୟ ୪୫୫ ବର୍ଷର ଇତିହାସରେ ୩୨ ବର୍ଷ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇପାରି ନ ଥିଲା। ସେହିପରି ଶ୍ରୀବିଗ୍ରହମାନଙ୍କର ଏହି ସାମୟିକ ରହଣିକାଳରେ କେତେକ ସ୍ଥାନରେ ନିରାଡ଼ମ୍ବର ଭାବରେ ତଥା ବିନା ଭକ୍ତରେ ଦୋଳଯାତ୍ରା, ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହୋଇଥିବାର ପ୍ରମାଣ ମିଳେ। ତନ୍ମଧ୍ୟରେ ଶ୍ରୀକ୍ଷେତ୍ର ବାହାରେ ମହାପ୍ରଭୁଙ୍କର ୫ ଥର ରଥଯାତ୍ରା ଅନୁଷ୍ଠିତ ହୋଇଥିବାର ସୂଚନା ମିଳେ।
ଚକାନାସିରେ ରଥଯାତ୍ରା
୧୬୧୧ ଖ୍ରୀଷ୍ଟାବ୍ଦ ମଇ ମାସରୁ ଜୁନ୍ ମାସ ମଧ୍ୟରେ କଲ୍ୟାଣ ମଲ୍ଲର ବର୍ବର ଆକ୍ରମଣରେ ଶ୍ରୀମନ୍ଦିରରେ ଅଧିଷ୍ଠିତ ଶ୍ରୀବିଗ୍ରହମାନଙ୍କ ଉପରେ ବିପଦର ଆଶଙ୍କା କରାଯାଇ ଭାର୍ଗବୀ ନଦୀ ଯୋଗେ ଚିଲିକାରେ ଚକାନାସି ଠାରେ ଦିଅଁମାନଙ୍କୁ ବିଜେ କରାଯାଇଥିଲା। ଚତୁର୍ଦ୍ଧା ବିଗ୍ରହ ୧୬୧୧ ମସିହା ଜୁନ୍ ମାସ ଠାରୁ ୧୬୧୨ ମସିହା ଜୁନ୍-ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଚକାନାସିରେ ଅବସ୍ଥାନ କରିଥିଲେ। ୧୬୧୨ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲର ଦ୍ବିତୀୟବାର ଆକ୍ରମଣ ସମୟରେ ଶ୍ରୀବିଗ୍ରହମାନଙ୍କୁ ଚକାନାସିରୁ ସିପିନାସିକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ମହାପ୍ରଭୁଙ୍କର ରଥଯାତ୍ରା ପଡ଼ିଥିଲା। ସ୍ଥାନୀୟ ଲୋକଶ୍ରୁତି ଅନୁଯାୟୀ ଚକାନାସିରୁ ରଥାକୃତି ଶଗଡ଼ରେ ଦିଅଁମାନଙ୍କୁ ତିନି କିଲୋମିଟର ଦୂର ସିପିନାସି (ମହିଷାନାସି)କୁ ବିଜେ କରାଯାଇଥିଲା। ଏବେ ବି ଏହି ଘଟଣା ସଂପର୍କରେ ସ୍ଥାନୀୟ ଲୋକଶ୍ରୁତିରେ ସଂଜୀବିତ ଥିବା ଗୀତଟି ହେଲା-
‘‘ଚକାନାସିରୁ ସିପିନାସି,
ଦିଅଁ ପଳାଇଲେ ରଥରେ ବସି।’’
ସ୍ଥାନୀୟ ଅଧିବାସୀମାନଙ୍କ ମତରେ ସେତେବେଳେ ନିରାଡ଼ମ୍ବର ତଥା ଗୋପନୀୟ ଭାବରେ ମହାପ୍ରଭୁଙ୍କ ରଥଯାତ୍ରା ପାଳିତ ହୋଇଥିଲା। ଗବେଷକ ଓ ପ୍ରାବନ୍ଧିକମାନେ ଲୋକଗୀତ, ଜନଶ୍ରୁତିକୁ ପାଥେୟ କରି ରଥାକୃତି ଶଗଡ଼ରେ ମହାପ୍ରଭୁଙ୍କୁ ବିେଜ କରାଯାଇ ରଥାଯାତ୍ରା ହୋଇଥିବା ଅନୁମାନ କରନ୍ତି।
ଗଡ଼ମାଣତିରରେ ରଥଯାତ୍ରା
୧୬୨୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଯବନ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ପୁରୁଷୋତ୍ତମ ଦେବଙ୍କ ପୁତ୍ର ନରସିଂହ ଦେବ ସିଂହାସନ ଆରୋହଣ କରିସାରିଥିଲେ। ଗଜପତିଙ୍କର ପରାମର୍ଶକ୍ରମେ ସେବକ ଓ ରାଜକର୍ମଚାରୀମାନେ ମହାପ୍ରଭୁମାନଙ୍କୁ ଅନ୍ଧାରୀଗଡ଼ ବା ଅନ୍ଧାରୀମହିମକୁ ନେଇ ସେଠାରେ ଗୋପନୀୟ ଭାବେ ଅଧିଷ୍ଠିତ କରିଥିଲେ। ତଥାପି ସୁବେଦାର କୌଣସି ସୂତ୍ରରୁ ଖବର ପାଇ ଅନ୍ଧାରୀମହିମକୁ ଆକ୍ରମଣ କରି ଶ୍ରୀବିଗ୍ରହମାନଙ୍କର କଳେବର ହାନି ଘଟାଇବା ପାଇଁ ଚକ୍ରାନ୍ତ କରିଥିଲା। ମହାପ୍ରଭୁଙ୍କ ସେବକମାନେ ସମୟର ସ୍ବଳ୍ପତା ଦୃଷ୍ଟିରୁ ‘ବ୍ରହ୍ମ ପଦାର୍ଥ’କୁ ଲୁଗାରେ ଗୁଡ଼ାଇ ରାତାରାତି ଗଡ଼ମାଣତିର ଗ୍ରାମକୁ ନେଇ ଆସିଥିଲେ। ଏହା ଥିଲା ୧୬୨୩ ମସିହା ଅଗଷ୍ଟ ୮ ତାରିଖ। ବନଯାଗ ବିଧିରେ ମହାରଣାମାନଙ୍କ ଦ୍ବାରା ଚତୁର୍ଦ୍ଧା ମୂର୍ତ୍ତି ଗଠନ ଏବଂ ‘ବ୍ରହ୍ମ’ ପଦାର୍ଥ ସଂସ୍ଥାପନ ପୂର୍ବକ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଗଡ଼ରେ ଶ୍ରୀବିଗ୍ରହମାନେ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଅବସ୍ଥାନ କରିଥିଲେ। ୧୬୨୪ ମସିହାରେ ରଥଯାତ୍ରା ପାଳନର ଅବ୍ୟବହିତ ପୂର୍ବରୁ ଗଜପତି ନରସିଂହ ଦେବ ଓ ତାଙ୍କର ବିଶ୍ବସ୍ତ ପାଇକ, ରାଜକର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ମହାପ୍ରଭୁଙ୍କ ଆସ୍ଥାନ ଠାରୁ ୮୪ ମିଟର ଦୂରରେ ମାର୍ଥାପଦାରେ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯିବା ସହିତ ପୂର୍ବର ଦାଣ୍ଡକୁ ପ୍ରଶସ୍ତ କରାଯାଇଥିଲା। ସ୍ବତନ୍ତ୍ର ରଥାକୃତି ଚଉଦୋଳରେ ମହାପ୍ରଭୁମାନେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରିଥିଲେ। ସ୍ବୟଂ ଗଜପତି ମହାରାଜା ନରସିଂହ ଦେବ ବିଧିବିଧାନ ସହ ଛେରାପହଁରା ନୀତି ସଂପାଦନ କରିଥିଲେ। ଗୁଣ୍ଡିଚା ଘରେ ଠାକୁରମାନଙ୍କର ଯଥାବିଧି ନୀତି, ରୀତିମାନ ପାଳିତ ହୋଇଥିଲା।
ବଡ଼ହନ୍ତୁଆଡ଼ରେ ଦୁଇଥର ରଥଯାତ୍ରା
୧୬୯୨ ଖ୍ରୀଷ୍ଟାବ୍ଦରୁ ୧୭୦୭ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାଣପୁରର ବଡ଼ହନ୍ତୁଆଡ଼ ଗ୍ରାମରେ ୧୫ ବର୍ଷ କାଳ ରହଣି ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କର ମୋଟ ଦୁଇଥର ନିରାଡ଼ମ୍ବର ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଭାଟପଡ଼ା ଦଳବେହେରାଙ୍କ ତତ୍ତ୍ବାବଧାନରେ ଏହି ଗୁଣ୍ଡିଚା ଯାତ୍ରା ସଂପନ୍ନ ହେବା ସମେତ ତାଙ୍କଦ୍ବାରା ରଥ ଉପରେ ଛେରାପହଁରା ସେବା କରାଯାଇଥିଲା। ଅତୀତର ସେହି ସେବା ସଂପାଦନର ସ୍ମୃତିସ୍ବରୂପ ଖୋର୍ଦ୍ଧା ଗଜପତି ମହାରାଜାଙ୍କ ଠାରୁ ଭାଟପଡ଼ା ଦଳବେହେରା ସଂପୂର୍ଣ୍ଣ ସମାର୍ଜନୀ ପ୍ରାପ୍ତ ହୋଇଥିଲେ।
ନଈରୀରେ ରଥଯାତ୍ରା
ଭୋଇ ବଂଶର ଗଜପତି ମହାରାଜା ରାମଚନ୍ଦ୍ର ଦେବ (୨ୟ)ଙ୍କ ୯ ବର୍ଷର ରାଜତ୍ବ କାଳରେ ଆସିଥିଲା ଚରମ ଦୁର୍ଦ୍ଦିନର ସମୟ। ୧୭୩୧ ଖ୍ରୀଷ୍ଟାବ୍ଦରୁ ୧୭୩୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ଓଡ଼ିଶାର ସୁବେଦାର ଦୁର୍ଦ୍ଧର୍ଷ ତକି ଖଁା ବାରମ୍ବାର ଖୋରଧାଗଡ଼ ଓ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବା ଯୋଗୁଁ ଠାକୁରମାନଙ୍କୁ ଚିଲିକା ବାଟ ଦେଇ ନଈରୀର ହରୀଶ୍ବର ମଣ୍ଡପରେ ବିଜେ କରାଯାଇଥିଲା। ଏହିଠାରେ ପ୍ରସ୍ତର ଚକା ଉପରେ ମହାପ୍ରଭୁମାନେ ୭ ମାସ ୨୭ ଦିନ ଅବସ୍ଥାନ କରିଥିଲେ। ସେହି ସମୟରେ ୧୭୩୨ ଖ୍ରୀଷ୍ଟାବ୍ଦରେ ରଥଯାତ୍ରା ପଡ଼ିବାରୁ ସଂପୂର୍ଣ୍ଣ ଗୋପନୀୟ ତଥା ନିରାଡ଼ମ୍ବର ଭାବରେ ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ପାଳିତ ହୋଇଥିଲା। ରଥ ନିର୍ମାଣ ନ ହୋଇ ତିନିଗୋଟି ନୂତନ ଶଗଡ଼ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ବିଜେ କରାଯାଇ କେବଳ ଗ୍ରାମବାସୀ, ସେବକବୃନ୍ଦ ଓ କେତେକ ବିଶ୍ବସ୍ତ ରାଜକର୍ମଚାରୀମାନଙ୍କ ସହଯୋଗରେ ଏହି ଯାତ୍ରା ପାଳିତ ହୋଇଥିଲା।
ରଥଯାତ୍ରାର ମୁଖ୍ୟ ଆୟୋଜକ ଥିଲେ ଗଜପତି ମହାରାଜା ରାମଚନ୍ଦ୍ର ଦେବ (୨ୟ)ଙ୍କ ପୁତ୍ର ଯୁବରାଜ କୃଷ୍ଣ ରାୟ। ସଂପୂର୍ଣ୍ଣ ଗୋପନୀୟତାର ସହ ଯୁବରାଜ ଛେରାପହଁରା ସେବା ସଂପନ୍ନ କରିଥିଲେ। ତାଙ୍କର ପରାମର୍ଶକ୍ରମେ ସେତେବେଳେ ଜରୁରିକାଳୀନ ଭାବେ ଗ୍ରାମର ପୂର୍ବଦିଗରେ ଥିବା ବୃହତ୍କାୟ ବଟବୃକ୍ଷ ନିକଟରେ ନିର୍ମାଣ ହୋଇଥିଲା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର। ଏପରିକି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ରୀତିନୀତି ପାଇଁ ଗୋଟିଏ ଦିନରେ ସେଠାରେ ଏକ କୂପ ଖନନ କରାଯାଇଥିଲା। ସେହି ‘କୂପ’ଟି ଏବେ ବି ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ‘ଗୁଣ୍ଡିଚା କୂଅ’ ନାମରେ ପରିଚିତ ଅଟେ। ରଥଯାତ୍ରା ଦିନ ୩ଟି ନୂତନ ଶଗଡ଼ରେ ଛତି ସଂସ୍ଥାପିତ ପୂର୍ବକ ମହାପ୍ରଭୁମାନଙ୍କୁ ଅଧିଷ୍ଠିତ କରାଯାଇ ନଈରୀ ଦାଣ୍ଡରେ ବିଜେ କରାଯାଇଥିଲା। ଅତୀତର ସେହି ସ୍ମୃତି ଅନୁଯାୟୀ ଏବେ ବି ସ୍ଥାନୀୟ ଅଞ୍ଚଳରେ ସେହି ବିଜେ ଦାଣ୍ଡକୁ ‘ରଥ ଦାଣ୍ଡ’ ନାମରେ ଅଭିହିତ କରାଯାଇଛି। ୧୭୩୬ ଖ୍ରୀଷ୍ଟାବ୍ଦ ପରେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣର ଆଶଙ୍କା ନ ଥିବାରୁ ଏହା ପରଠାରୁ ରତ୍ନ ସିଂହାସନରୁ ଶ୍ରୀବିଗ୍ରହମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନାହିଁ। ଅର୍ଥାତ୍ ୨୮୮ ବର୍ଷ ଧରି ଶ୍ରୀକ୍ଷେତ୍ରରେ ନିୟମିତ ଭାବେ ପ୍ରତିବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ
ଶ୍ରୀଜଗନ୍ନାଥ ଧାମ, ପୁରୀ
ମୋ: ୯୪୩୭୨୮୧୧୦୨