ଠାକୁର ଆମର ଖାଇବା ପ୍ରିୟ। ମନ୍ଦିର ଭିତରେ ରତ୍ନ ସିଂହାସନରେ ବିରାଜିତ ଥିବାବେଳେ ତାଙ୍କ ପାଖରେ ବିଧି ମୁତାବକ ନାନାଦି ଶଙ୍କୁଡ଼ି ଭୋଗ ଲାଗି ହୋଇଥାଏ। କିନ୍ତୁ ରଥଯାତରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବା ପରେ ସେ ଖାଆନ୍ତି କ’ଣ?
ରଥ ଉପରେ ଏକାଧିକ ଦିନ ରହିବା ବେଳେ ଠାକୁରେ କ’ଣ ଉପାସ ରହନ୍ତି?
ଏହାର ଉତ୍ତର ହେଲା- ନା। ଏଥିପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ରଥଯାତ୍ରା ଦିନ ସକାଳେ ମନ୍ଦିର ଭିତରେ ମଙ୍ଗଳଆଳତି, ଅବକାଶ ଓ ବେଶ ପରେ ସକାଳଧୂପ (ଖେଚେଡ଼ି ଭୋଗ) ସହ ଗୋପାଳବଲ୍ଲଭ ଭୋଗ ମଣୋହି କରାଯାଏ। ଏଥିରେ ବାରଗୋଟି ଅଧସେର କୁଡ଼ୁଆରେ ଖେଚେଡ଼ି ଭୋଗ ସହ ପରିବା ଭଜା ଏକ ସରା, ଶାଗଭଜା ପାଞ୍ଚ ଓଳି, ବଡ଼କାନ୍ତି ପାଞ୍ଚ ସରା, ପୁଳିପିଠା ଚାରି ସରା, ଚଣ୍ଡପିଠା ଛତିଶି ଗୋଟି, ଟାକୁଆ ପାଞ୍ଚ ସରା ଓ ଅଦା ପାଚେଡ଼ି ଭୋଗ ହୁଏ। ଗୋପାଳବଲ୍ଲଭ ଭୋଗରେ ପାଗଖଇ, ଛୋଟ ନଡ଼ିଆକୋରା, ଦହି, ଖୁଦିନଡ଼ିଆ, କଦଳୀ, ଖୁଆମଣ୍ଡା, ସର ଓ ବିଭିନ୍ନ ଫଳ ଭୋଗ ଲାଗେ। ତା’ ପରେ ଘଷାଜଳ ଭୋଗ ଲାଗେ। ଭୋଗ ମଣୋହି ସରିବା ପରେ ବିଡ଼ିଆ ପାନ ମଣୋହି ହୁଏ ଏବଂ ତା’ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୁଏ। ଅର୍ଥାତ୍‌ ଠାକୁରେ ଖାଇପିଇ ମନ୍ଦିରରୁ ବାହାରନ୍ତି।

Advertisment

ରଥଭୋଗର ପ୍ରସ୍ତୁତି ପ୍ରଣାଳୀ
ଖେଚେଡ଼ି: ସରୁ ଅରୁଆ ଚାଉଳ, ଚୋପାଲଗା ଫାଳମୁଗ ଓ ଲୁଣ ପଡ଼ି ରନ୍ଧାଯିବା ପରେ ଅଦାଗୁଣ୍ଡ, ହେଙ୍ଗୁ ଓ ଭଲ ଘିଅ ଦିଆଯାଇ ମୁତୁମୁଳ ହୁଏ।
ବିରିପିଠା: କାନ୍ତିପିଠା, ପୁଳିପିଠା ଓ ଚଣ୍ଡପିଠା ବିରିପିଠା ଜାତୀୟ। ଏହାକୁ ପ୍ରସ୍ତୁତ କରିବା ପାଇଁ ବଟାବିରିରେ ଅଦାଗୁଣ୍ଡ, ହେଙ୍ଗୁ ଓ ଲୁଣ ପଡ଼ି ଭଲ ଘିଅରେ ପତଳା ଆକାର ହୋଇ ଛଣାଯାଏ।
ଟାକୁଆ: ବଟାବିରି ଓ ଚାଉଳଚୁନାକୁ ଭଲ ଘିଅରେ ଭଜାଯାଇ ଗୁଡ଼ ପକାଇ ଟାକୁଆପିଠା ପ୍ରସ୍ତୁତ କରାଯାଏ।
ଅଦା ପାଚେଡ଼ି: ଅଦାକୁ ଗୋଲ ଆକାରରେ କଟାଯାଇ ସରାରେ ଖଞ୍ଜାଯାଏ। ତାହା ମଝିରେ ତେନ୍ତୁଳିମଣ୍ଡ, ଲୁଣ ଓ ଚିନି ପଡ଼ି ଏହି ପାଚେଡ଼ି ପ୍ରସ୍ତୁତ ହୁଏ। କାନ୍ତି ସରା ଉପରେ ଅଦା ପାଚେଡ଼ି ସରା ରହି ପନ୍ତିରେ ଲାଗେ।
ପାଗଖଇ: ଲିଆକୁ ଭଲ ଘିଅରେ ଭଜା ଯିବା ପରେ ନଡ଼ିଆପାତି, ଅଳେଇଚ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଦିଆଯାଇ ଚିନିକୁ ରନ୍ଧାଯାଇ ସିରା ହେବା ପରେ ସେଥିରେ ଖଇ ପାଗ କରାଯାଏ।
ନଡ଼ିଆକୋରା: ଚିନି ପାଗ କରାଯାଇ କୋରାନଡ଼ିଆ, ଗୋଲମରିଚ ଗୁଣ୍ଡ ଓ ଅଳେଇଚ ଗୁଣ୍ଡ ପକାଯାଇ ବଡ଼ ଆକାର, ମଧ୍ୟମ ଆକାର ଓ ଛୋଟ ଆକାରର କୋରା ବିଧି ମୁତାବକ ପ୍ରସ୍ତୁତ ହୋଇଥାଏ।
ମଣ୍ଡାଏଣ୍ଡୁରି କୋରା: ଏହା ଏକ ବିଶେଷ ଧରଣର କୋରା। ନଡ଼ିଆ କୋରା ଉପରେ ଶାକର ପାଗ ଦିଆଯାଇ ଏହି ଶଙ୍ଖାକୃତି ଓ ଗୋଲାକୃତି କୋରା ପ୍ରସ୍ତୁତ କରାଯାଏ। ଏହା କେବଳ ରଥଭୋଗ ସମୟରେ ହିଁ ପ୍ରସ୍ତୁତ କରାଯାଇଥାଏ।

କିନ୍ତୁ ରଥଟଣା ସମୟରେ ଆଉ କୌଣସି ଭୋଗର ବ୍ୟବସ୍ଥା ନାହିଁ। ରଥଟଣା ବନ୍ଦ ହେବା ପରେ ପୁଣି ଦେବନୀତି ଆରମ୍ଭ ହୋଇଥାଏ। ସକାଳଧୂପ ମନ୍ଦିରରେ ଶେଷ ହୋଇଥିବାରୁ ମଧ୍ୟାହ୍ନଧୂପ, ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ ରଥ ଉପରେ ଅନୁଷ୍ଠିତ ହୁଏ। ତେବେ ରଥ ଉପରେ ବିଭିନ୍ନ ଧୂପରେ କେବଳ ନିଶଙ୍କୁଡ଼ି ଭୋଗ ହିଁ ଲାଗେ। ଏଥିରେ ପାଗଖଇ, ସାନ, ମଧ୍ୟମ ଓ ବଡ଼ ହୋଇ ତିନି ଆକାରର କୋରା, ମଣ୍ଡାଏଣ୍ଡୁରି କୋରା, ବତୁରାମୁଗ, ପାତିନଡ଼ିଆ ତଥା ବିଭିନ୍ନ ଫଳ ଥାଳିମାନଙ୍କରେ ବଢ଼ାଯାଏ। ଥାଳିମାନଙ୍କରେ ବଢ଼ାଯାଇଥିବା ପାଗଖଇ ଉପରେ ଶୁଦ୍ଧ ଗୁଆଘିଅ ପଡ଼ିଥାଏ। ଏହାସହ ଘଷାଜଳ ମଧ୍ୟ ପନ୍ତିରେ ବଢ଼ାଯାଏ। ରଥ ଉପର ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ଷୋଡ଼ଶ ଉପଚାର ବିଧିରେ ଓ ବଡ଼ସିଂହାର ଭୋଗ ପଞ୍ଚ ଉପଚାର ବିଧିରେ ସମ୍ପନ୍ନ ହୋଇଥାଏ। ଷୋଡ଼ଶ ଉପଚାର ପୂଜାବିଧି ପରେ ବିଡ଼ିଆ ପାନ ମଣୋହି ହୁଏ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ବଲ୍ଲଭଘରେ ଗୁଡ଼ିଆ ସେବକମାନେ ଭୋଗ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ଠାକୁର ଏକାଧିକ ଦିନ ରହିଲେ ବିଧିମତେ ତାଙ୍କର ସମସ୍ତ ରୀତିନୀତି ଓ ତିନି ଧୂପ ହୁଏ। କେବଳ ଶଙ୍କୁଡ଼ି ଭୋଗ ଛଡ଼ା ଉପରୋକ୍ତ ରୀତିରେ ରଥଭୋଗ କରାଯାଏ।