କୋଭିଡ୍-୧୯ ଭୂତାଣୁର ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। କରୋନା ନିକଟରେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡ଼ିଛି ବିଶ୍ବର ଏହି ପ୍ରଭାବଶାଳୀ ରାଷ୍ଟ୍ର। ସେହି ରାଷ୍ଟ୍ରରେ ରହି ଏବେ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ମନେ ପକାଉଛନ୍ତି ରତ୍ନାକର ଦାସ। ଏହି ଗଳ୍ପରେ ରହିଥିବା ମହାମାରୀ ଚିତ୍ରକୁ ଏବେକାର ପରିସ୍ଥିତି ସହିତ ତୁଳନା କରୁଛନ୍ତି। ତଫାତ୍ ହେଉଛି ସେତେବେଳେ ମହାମାରୀରୁ ବର୍ତ୍ତିବା ପାଇଁ ମଣିଷ ପାଖରେ କୌଣସି ସାଧନ ନଥାଇ ଯେମିତି ଅସହାୟ ଥିଲା, ଏବେ ‘ରେବତୀ’ ଗଳ୍ପର ୧୨୨ ବର୍ଷ ପରେ ବି ମଣିଷ ମହାମାରୀ ନିକଟରେ ସେମିତି ଅସହାୟ ହୋଇପଡ଼ିଛି। ସଂଯୋଗକ୍ରମେ ଶ୍ରୀ ଦାସଙ୍କ ୟ ବାଲେଶ୍ବର, ଯେଉଁଠି ଫକୀରମୋହନଙ୍କ ଜନ୍ମମାଟି।
ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ଠାରେ ପରିବାର ସହିତ ରହୁଛନ୍ତି ଶ୍ରୀ ଦାସ। ସେଠାରେ ସେ ଆଇଟି କମ୍ପାନି ‘ଆମଡକ୍ସ’ରେ କାର୍ଯ୍ୟ କରୁଛନ୍ତି, ଯାହାର ଏକ ଅଫିସ୍ ଭାରତର ପୁନେଠାରେ ବି ରହିଛି। ‘ସମ୍ବାଦ’ ସହ କଥା ହେଲାବେଳେ ସେ କହିଛନ୍ତି ଯେ, ‘ ନ୍ୟୁୟର୍କି କିମ୍ବା ନ୍ୟୁଜର୍ସି ଭଳି କରୋନାର ପ୍ରଭାବ ଟେକ୍ସାସରେ ନାହିଁ। ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ସବୁସମୟରେ ଦେଶବିଦେଶର ଲୋକଙ୍କ ଆତଯାତ ସେଠାରେ ଲାଗିରହିଥାଏ। କରୋନା ବ୍ୟାପିବାର ଏହା ଏକ କାରଣ ହୋଇପାରେ। ମାତ୍ର, ବଡ଼କାରଣ ହେଉଛି ଗତ ଫେବ୍ରୁଆରି ମାସରେ ସେଠାରେ ଲୋକମାନେ କରୋନାକୁ ଗୁରୁତ୍ବର ସହ ନନେଇ ବିନ୍ଦାସ୍ ହୋଇବୁଲିଲେ। ଯାହାଫଳରେ, ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଲା।’
‘ଅପେକ୍ଷାକୃତ କମ୍ ପ୍ରଭାବିତ ଥାଇ ବି ଆମକୁ ଏବେ ମାସେଧରି ଲକ୍ଡାଉନ୍ ଅବସ୍ଥାରେ ରହିବାକୁ ପଡ଼ିଛି। ଅନ୍ଲାଇନ୍ରେ ଅର୍ଡର ଦେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିଯାଉଛି। କେବେକେବେ ସାମାଜିକ ଦୂରତା ବଜାୟ ରଖି ପାଖ ଦୋକାନରୁ ଜିନିଷ କିଣି ହେଉଛି। ମାତ୍ର, ବାହାରକୁ ଗଲେ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଠାରେ ଗାଡ଼ି ଚଳାଇଲାବେଳେ ଅଟକାଇ ଟେଷ୍ଟ କରାଯାଉଛି, ୧୫ ମିନିଟ୍ ମଧ୍ୟରେ ରିପୋର୍ଟ ମିଳିଯାଉଛି,’ ବୋଲି କହିଛନ୍ତି ଶ୍ରୀ ଦାସ।
ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ‘ ଏବେ ଘରେ ରହି ଅଫିସ୍ କାମ କରିବାକୁ ପଡ଼ୁଛି। କାମ ନ ଥିଲେ ଟିଭି ଦେଖିବା କିମ୍ବା ଭିଡ଼ିଓ ଗେମ୍ରେ ସମୟ ବିତୁଛି। କେବେକେବେ ମନହେଲେ ସଂଧ୍ୟା ସମୟରେ ପରିବାର ଲଙ୍ଗ୍ଡ୍ରାଇଭ୍ରେ ବାହାରି ଯାଉଛି। ଏଥିପାଇଁ ଏଠାରେ କଟକଣା ନାହିଁ।’
ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଦିନ ହୁ’ ହୁ’ ବଢ଼ୁଥିବା ପଜିଟିଭ୍ ରୋଗୀ ଏବଂ ମୃତକଙ୍କ ସଂଖ୍ୟା ଅନେକ ସମୟରେ ବ୍ୟସ୍ତବିବ୍ରତ କରିପକାଉଛି ବୋଲି କହିଛନ୍ତି ଶ୍ରୀ ଦାସ। ଏଥିସହିତ, ଭାରତ ଓ ନିଜ ରାଜ୍ୟର ପରିସ୍ଥିତି ଉପରେ ନଜର ବି ରହିଛି ଏବଂ ଉଭୟ ସରକାର କରୋନାର ମୁକାବିଲା କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ, ଭାରତ କିମ୍ବା ଓଡ଼ିଶା ସରକାର ଆର୍ଥିକ ଦିଗ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। ଯେମିତିକି, ଯୁକ୍ତରାଷ୍ଟ୍ରରେ ପ୍ରତ୍ୟେକ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହିତ ଚାକିରି ହରାଉଥିବା ବ୍ୟକ୍ତିଙ୍କୁ ପ୍ରତି ସପ୍ତାହରେ ୬୦୦ ଡଲାର ଦିଆଯାଉଛି। ଆମ ସରକାର ଏଥିପ୍ରତି ମଧ୍ୟ ଦୃଷ୍ଟିଦେବା ଉଚିତ ବୋଲି ‘ସମ୍ବାଦ’କୁ କହିଛନ୍ତି ଶ୍ରୀ ଦାସ।
– ରତ୍ନାକର ଦାସ, ଟେକ୍ସାସ, ଯୁକ୍ତରାଷ୍ଟ୍ର ଆମେରିକା