ନୂଆଦିଲ୍ଲୀ: ଭାରତ ବିବିଧତାରେ ପରିପୂର୍ଣ୍ଣ ଏକ ଦେଶ। ଏହା ଏମିତି ଏକ ଦେଶ ଯେଉଁଠାରେ ଗୋଟିଏ ପଟେ ଲଙ୍କାପତି ରାବଣଙ୍କୁ ବିଜୟାଦଶମୀ ବା ଦଶହରାଦିନ ରାକ୍ଷସ ଭାବରେ ପୋଡ଼ି ଦିଆଯାଉଥିବା ବେଳେ ଅନ୍ୟ କିଛିସ୍ଥାନରେ ତାଙ୍କୁ ଦେବତା ଭାବରେ ପୂଜା କରାଯାଇଥାଏ। କିଛି ସ୍ଥାନରେ ରାବଣଙ୍କ ଦଶ ମୁଣ୍ଡକୁ ଅହଂକାର ଏବଂ ଅଧର୍ମର ପ୍ରତୀକ କୁହାଯାଉଥିବା ବେଳେ ଆଉ କିଛିସ୍ଥାନରେ ଲଙ୍କାପତିଙ୍କୁ ଜ୍ଞାନ ଏବଂ ଶକ୍ତିର ପ୍ରତୀକ ଭାବରେ ପୂଜା କରାଯାଇ ଫୁଲ ଅର୍ପଣ କରାଯାଇଥାଏ।
ରାଜସ୍ଥାନର ହାଡୋତିରେ ଜେଠି ସମ୍ପ୍ରଦାୟର ଲୋକମାନେ ମାଟିରେ ରାବଣଙ୍କ ଏକ ପ୍ରତିମା ତିଆରି କରନ୍ତି ଏବଂ ତା'ପରେ ଏହାକୁ ପାଦତଳେ ଦଳି ଦିଅନ୍ତି।
ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ଭାଟଖେଡି ଗାଁର ଲୋକମାନେ ରାବଣକୁ ରାକ୍ଷସ ନୁହେଁ ବରଂ ସେମାନଙ୍କର ଇଷ୍ଟଦେବ ଏବଂ ରକ୍ଷକ ମାନି ପୂଜା-ଅର୍ଚ୍ଚନା କରିଥାଆନ୍ତି।
ଉତ୍ତର ପ୍ରଦେଶର କାନପୁରରେ ରାବଣଙ୍କର ଏକ ମନ୍ଦିର ଅଛି, ଯେଉଁଠାରେ ରାବଣଙ୍କୁ ଜ୍ଞାନ ଏବଂ ଭକ୍ତିର ପ୍ରତୀକ ଭାବରେ ପୂଜା କରାଯାଏ। ଦଶାନନ ମନ୍ଦିର କାନପୁରର ଶିବଳା ଅଞ୍ଚଳରେ ଅବସ୍ଥିତ। ଏହି ମନ୍ଦିର କେବଳ ଦଶହରାରେ ଖୋଲା ଥାଏ। ବିଜୟାଦଶମୀ ଦିନ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥାଏ। କୁହାଯାଏ ଯେ ଏହା ପ୍ରାୟ ୧୫୦ ବର୍ଷ ପୂର୍ବେ ମହାରାଜା ଗୁରୁ ପ୍ରସାଦ ଶୁକ୍ଳାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ରାବଣ ଜଣେ ମହାନ ବିଦ୍ୱାନ ଏବଂ ବିଦ୍ୱାନ ପୁରୁଷ ଥିଲେ। ସେ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ। ଦଶାନନ ମନ୍ଦିରରେ ରାବଣଙ୍କ ପାଣ୍ଡିତ୍ୟ, ଜ୍ଞାନ ଏବଂ ବୀରତ୍ୱର ପୂଜା କରାଯାଏ।
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଭୋପାଳରୁ ପ୍ରାୟ ୯୦ କିଲୋମିଟର ଦୂରରେ, ନାଟେରାନ ତହସିଲରେ ରାବଣଙ୍କ ନାମ ଅନୁଯାୟୀ ଏକ ଗ୍ରାମ ଅଛି। ଏହି ଗ୍ରାମର ଏକ ମନ୍ଦିରରେ ରାବଣଙ୍କ ଏକ ବିଶାଳ ପ୍ରାଚୀନ ପ୍ରତିମା ରହିଛି। ଗ୍ରାମବାସୀମାନେ ଦଶହରା ଦିନ ରାବଣଙ୍କୁ ଧୁମଧାମରେ ପୂଜା କରନ୍ତି। ଏଥିସହିତ ଗ୍ରାମରେ କୌଣସି ବିବାହ କିମ୍ବା ନୂତନ ପ୍ରକଳ୍ପର ଆରମ୍ଭ ହେବା ପୂର୍ବରୁ ଗ୍ରାମବାସୀ ପ୍ରଥମେ ରାବଣଙ୍କୁ ପୂଜା କରିଥାଆନ୍ତି।
ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ବିସରାଖ ନାମରେ ଏକ ଗାଁ ଅଛି। ପୌରାଣିକ ବିଶ୍ୱାସ ଅନୁସାରେ ରାବଣ ଏହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ବିସରାଖ ଗ୍ରାମ ରାବଣଙ୍କ ପିତା ତଥା ଋଷି ବିଶ୍ରାବଙ୍କ ନାମରେ ନାମିତ ହୋଇଥିଲା। ଏହାର ପ୍ରାଚୀନ ନାମ ବିଶ୍ୱେଶର ଥିଲା, ଯାହା ସମୟ ସହିତ ବିସରାଖରେ ପରିବର୍ତ୍ତିତ ହୋଇଥିଲା।
ଏହି ଗ୍ରାମର ମୁଖ୍ୟ ପୁରୋହିତ ରାମଦାସଙ୍କ କହିବାନୁସାରେ, ‘ବିସରାଖ ଗ୍ରାମ ରାବଣଙ୍କ ଜନ୍ମସ୍ଥାନ। ଏଠାରେ ସ୍ଥାପିତ ଶିବଲିଙ୍ଗ ସ୍ୱୟଂପ୍ରକାଶିତ। ଏଠାରେ ଋଷି ବିଶ୍ରବାଙ୍କ ପୁତ୍ର ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଏବଂ କନ୍ୟା ସୂର୍ପନଖା ଜନ୍ମଗ୍ରହଣ କରିଥିଲେ। ଏଠାରେ ଦଶହରା ପାଳନ କରାଯାଏ, କିନ୍ତୁ ରାବଣକୁ ଦହନ କରାଯାଏ ନାହିଁ। ଯଜ୍ଞଶାଳା ସମ୍ମୁଖରେ ରାବଣଙ୍କ ଏକ ପ୍ରତିମା ରଖି ଜଜ୍ଞ କରାଯାଇଥାଏ। ଏଠାକାର ଗାଁଲୋକେ ରାବଣଙ୍କୁ ସେମାନଙ୍କର ପୂର୍ବପୁରୁଷ ବୋଲି ମାନିଥାଆନ୍ତି।