ଲକ୍ଷ୍ନୌ: ଶତକରୁ ବଞ୍ଚିତ ଈଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଦ୍ରୁତ ବୋଲରଙ୍କ ଚମତ୍କାର ବୋଲିଂ କାରଣରୁ ସନ୍ରାଇଜର୍ସ ହାଇଦ୍ରାବାଦ ୪୨ ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ପରାସ୍ତ କରିଛି। ହାଇଦ୍ରାବାଦ କ୍ରମାଗତ ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଯାଉଛି। ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିସାରିଥିବା ଆର୍ସିବି କିନ୍ତୁ ଶୀର୍ଷ ୨ ସ୍ଥାନରେ ରହିବା ନେଇ ସନ୍ଦେହ ଭିତରେ ପଡ଼ିଛି। ହାତଖୋଲା ସଟ୍ ଖେଳି ହାଇଦ୍ରାବାଦ ୨୩୧ ରନ୍ କରିବା ପରେ ଆର୍ସିବି ପାଇଁ ଫିଲ୍ ସଲ୍ଟ (୩୨ ବଲ୍ରୁ ୬୨ ରନ୍) ଏବଂ ବିରାଟ କୋହଲି (୨୫ ବଲ୍ରୁ ୪୩ ରନ୍) ଭଲ ଆରମ୍ଭ କରିଥିଲେ। ଅନ୍ୟମାନଙ୍କଠାରୁ କିନ୍ତୁ ଦଳ ଉଚିତ ସମର୍ଥନ ନ ପାଇ ୧୮୯ ରନ୍ରେ ଅଟକିଯାଇଥିଲା।
ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆର୍ସିବିର କାମଚଳା ଅଧିନାୟକ ଜିତେଶ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିବାରୁ ଚାପମୁକ୍ତ ସନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ବିସ୍ଫୋରକ ଆରମ୍ଭ କରିଥିଲେ। କିନ୍ତୁ ଲମ୍ବା ସମୟ ବ୍ୟାଟିଂ କରିପାରିନଥିଲେ। ଅଭିଷେକ ୨୭ ବଲ୍ରୁ ୩୪ (୩ ଲେଖାଏଁ ଚୌକା ଓ ଛକା) ଏବଂ ହେଡ୍ ୧୦ ବଲ୍ରୁ ୧୭ ରନ୍ କରି ଯଥାକ୍ରମେ ଏନ୍ଗିଡି ଓ ଭୁବନେଶ୍ବର କୁମାରଙ୍କ ଶିକାର ହୋଇଥିଲେ। ପ୍ରଥମ ପାୱାର ପ୍ଲେ ଭିତରେ ହାଇଦ୍ରାବାଦ ଏହି ଦୁଇ ୱିକେଟ୍ ହରାଇ ୭୧ ରନ୍ ସଂଗ୍ରହ କରିଥିଲା। ଏହା ପରେ ବାମହାତୀ ବ୍ୟାଟର୍ ଈଶାନ କିଶନ୍ (୪୮ ବଲ୍ରୁ ୯୪* ରନ୍, ୭ ଚୌକା, ୫ ଛକା) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଆକର୍ଷଣୀୟ ସଟ୍ମାନ ଖେଳିଥିଲେ। ହେନରିକ୍ କ୍ଲାସେଁ (୧୩ ବଲ୍ରୁ ୨୪ ରନ୍), ଅନିକେତ ବର୍ମା (୯ ବଲ୍ରୁ ୨୬ ରନ୍), ପ୍ୟାଟ୍ କମିନ୍ସ (୬ ବଲ୍ରୁ ୧୩* ରନ୍) ପ୍ରମୁଖ ଛୋଟ ଛୋଟ ପାଳି ଖେଳିଥିଲେ ମଧ୍ୟ ଏହା ଦଳକୁ ୨୩୧ ରନ୍ରେ ପହଞ୍ଚାଇ ଦେଇଥିଲା। ରୋମାରିଓ ସେଫର୍ଡ ସର୍ବାଧିକ ୨ ୱିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ସନ୍ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୩୧/୬ (ଈଶାନ କିଶାନ-୯୪*, ଅଭିଷେକ ଶର୍ମା-୩୪, ଅନିକେତ ଶର୍ମା-୨୬, ରୋମାରିଓ ସେଫର୍ଡ-୨/୧୪, କ୍ରୁନାଲ ପାଣ୍ଡ୍ୟା-୧/୩୮, ଭୁବନେଶ୍ବର କୁମାର-୧/୪୩, ସୁୟାଶ ଶର୍ମା-୧/୪୫, ଲୁଙ୍ଗି ଏନ୍ଗିଡି-୧/୫୧)। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୯.୫ ଓଭରରେ ୧୮୯/୧୦ (ଫିଲ୍ ସଲ୍ଟ-୬୨, ବିରାଟ କୋହଲି-୪୩, ଜିତେଶ ଶର୍ମା-୨୪, ପ୍ୟାଟ୍ କମିନ୍ସ-୩/୨୮, ଈଶାନ ମାଲିଙ୍ଗା-୨/୩୭, ନୀତୀଶ କୁମାର ରେଡ୍ଡୀ-୧/୧୩, ହର୍ଷ ଦୁବେ-୧/୨୦, ହର୍ଷଲ ପଟେଲ୍-୧/୩୯, ଜୟଦେବ ଉନାଦକଟ୍-୧/୪୧)।