ୟୁକେର କୁମ୍ବ୍ରିଆର ଜଣେ ମହିଳାଙ୍କୁ ନେଇ ଆଚମ୍ବିତ ଖବର ସାମନାକୁ ଆସିଥିଲା।  ମହିଳାଙ୍କ ୧୩ଟି ଆଭ୍ୟନ୍ତରୀଣ ଅଙ୍ଗ କଢ଼ାଯାଇଥିଲା। ମହିଳାଙ୍କ କର୍କଟ ରୋଗ ଥିଲା, ୩୯ ବର୍ଷୀୟା ରେବେକା ହିଣ୍ଡ୍‌ଙ୍କୁ ସ୍ୟୁଡୋମାଇକ୍ସୋମା ପେରିଟୋନେଇ ରୋଗ ନିରୂପଣ କରାଯାଇଥିଲା, ଏହା ଏକ ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ଜଣଙ୍କୁ ପ୍ରଭାବିତ କରେ। ଦି ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୮ରେ ଏକ ଅଫିସ ଖ୍ରୀଷ୍ଟମାସ ପାର୍ଟି ପରେ ହିଣ୍ଡ୍‌ ପ୍ରଥମେ ଲକ୍ଷଣ ଅନୁଭବ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ଭାବିଥିଲେ ଯେ ଏହା ଫୁଡ୍‌ ପଏଜନିଂ ପାଇଁ ଏପରି ହୋଇଥାଇପାରେ। କିନ୍ତୁ ଯେତେବେଳେ ତାଙ୍କ ଲକ୍ଷଣଗୁଡ଼ିକ ଆଠ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଲା, ସେତେବେଳେ ସେ ଚିନ୍ତିତ ହୋଇଗଲେ।  ଯେତେବେଳେ ସେ ଏହି ରୋଗ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ବହୁତ ଡେରି ହୋଇଯାଇଥିଲା ଏବଂ ତାଙ୍କ ଶରୀରର ଅଧିକାଂଶ ଅଂଶ ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଥିଲା। ମହିଳା ଜଣକ ଏକ ସାକ୍ଷାତ୍‌କାର ସମୟରେ କହିଥିଲେ, ‘ମୁଁ ଏହି ରୋଗ ବିଷୟରେ ଶୁଣି ବହୁତ ନିରାଶ ହୋଇଥିଲି, କିନ୍ତୁ ମୋତେ ଆଗକୁ ବଢ଼ିବାକୁ ପଡ଼ିଲା।’

Advertisment

ଏକ ରିପୋର୍ଟ ଅନୁଯାୟୀ, ପିଏମ୍‌ପି ଏକ ବିରଳ ମ୍ୟୁସିନସ କର୍କଟ। ଏହା ପ୍ରାୟତଃ ପେଟ ଫୁଲିବା, ଯନ୍ତ୍ରଣା, ବାନ୍ତି ଓ ଭୋକରେ ପରିବର୍ତ୍ତନ ଆଣିଥାଏ। ଏପ୍ରିଲ ୨୦୧୯ରେ, ୩୪ ବର୍ଷ ବୟସରେ, ହିଣ୍ଡ୍‌ ତାଙ୍କର ପ୍ରଥମ ଅସ୍ତ୍ରୋପଚାର କରିଥିଲେ, ଯେଉଁ ସମୟରେ ତାଙ୍କର ଆପେଣ୍ଡିକ୍ସ, ନାଭି, ଗ୍ରନ୍ଥି ଓ ୧.୬ ଗ୍ୟାଲନରୁ ଅଧିକ ମ୍ୟୁସିନ ବାହାର କରାଯାଇଥିଲା। କିନ୍ତୁ ଚିକିତ୍ସା ଏଠାରେ ଶେଷ ହୋଇନଥିଲା। ନଭେମ୍ବର ୨୦୧୯ରେ ତାଙ୍କର ଆଉ ଏକ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା ଯେଉଁଥିରେ ତାଙ୍କର ପିତ୍ତକୋଷ, ପ୍ଳିହା, ବୃହଦନ୍ତ, ଗର୍ଭାଶୟ କାଢ଼ିଦିଆଯାଇଥିଲା। ଏହା ପରେ ସେ କହିଥିଲେ, ‘ମୁଁ ୪୦ ବର୍ଷ ବୟସର ହୋଇଗଲି ଏବଂ ମୁଁ ସବୁକିଛିକୁ ହଁ କହିବାକୁ ଚାହୁଁଛି। ମୋ ଜୀବନ ଏକ ରୋଲରକୋଷ୍ଟର ଯାତ୍ରା ପରି। କିନ୍ତୁ ସକାରାତ୍ମକ ମନୋଭାବ ମୋତେ ହାରିବାକୁ ଦେଇ ନାହିଁ।’