ଆମେ ସାଧାରଣତଃ ଚଳାଉଥିବା ମୋଟରଗାଡ଼ିକୁ କୌଣସି ସ୍ଥାନରେ ବୁଲାଇବା ଲାଗି ଉକ୍ତ ଯାନକୁ ଆଗପଛ କରିଥା’ନ୍ତି। ଅର୍ଥାତ୍‌ ଗାଡ଼ିକୁ କିଛି ମୁହୂର୍ତ୍ତ ପାଇଁ ପଛୁଆ ଚଲାଇବା ଦରକାର ପଡ଼ିଥାଏ। ମାତ୍ର ସୌଖୀନ ଗାଡ଼ିଚାଳକମାନେ କିଛି ନୂଆ କରି ଦେଖାଇବା ପାଇଁ ଗାଡ଼ିକୁ ନିରନ୍ତର ପଛୁଆ ଚଲାଇଥା’ନ୍ତି। ଏହି କ୍ରମରେ ତାମିଲନାଡୁର ଜଣେ ଯୁବକ ନିଜର କାର୍‌କୁ ୩୦ ମିନିଟ୍‌ ଭିତରେ ଦୀର୍ଘ ୧୬ କି.ମି.ରୁ ଅଧିକ ବାଟ ପଛୁଆ ଚଲାଇ ବିଶ୍ବ ରେକର୍ଡ କରିଛନ୍ତି। ତାମିଲନାଡୁର ସଲେମ ଜିଲ୍ଲା ଅନ୍ତର୍ଗତ ୩୫ ବର୍ଷୀୟ ଚନ୍ଦ୍ରମୌଲି ଏହି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ତାମିଲନାଡୁର ଏଡ଼ାପ୍ପଡ଼ି ବାଇପାସ୍‌ ରାସ୍ତାରେ ସେ ଏହି ବିରଳ କୀର୍ତ୍ତି ସ୍ଥାପନ କରିଛନ୍ତି। ଚନ୍ଦ୍ରମୌଳିଙ୍କୁ ୧୦ ବର୍ଷ ବେଳୁ ତାଙ୍କର କାର୍‌ ଚଳାଇବା ପ୍ରତି ଏକ ଅହେତୁକ ଦୁର୍ବଳତା ଜାଗି ରହିଥିଲା। ତେବେ ଗାଡ଼ିଚାଳନାରେ ଅଭ୍ୟସ୍ତ ହେବା ପରେ ସେ ବିଭିନ୍ନ କୌଶଳ ପ୍ରଦର୍ଶନରେ ରୁଚି ରଖିଥିଲେ।

Advertisment

ଏହି ଅବସରରେ ପଛୁଆ ଗାଡ଼ି ଚଳାଇ ୩୦ ମିନିଟ୍‌ ଭିତରେ ସର୍ବାଧିକ ୧୪.୨ କି.ମି. ଦୂରତା ଅତିକ୍ରମ କରିଥିବା କେରଳ ପଠନମ୍‌ଥିତ୍ତାର ୨୨ ବର୍ଷୀୟ ଟେସନ୍‌ ଥମାସଙ୍କ ରେକର୍ଡ ଭାଙ୍ଗିବାକୁ ସେ ମନ ବଳାଇଥିଲେ। ଗତ ସପ୍ତାହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ୨୯ ମିନିଟ୍‌ ୧୦ ସେକେଣ୍ଡ୍‌ ଭିତରେ ୧୬ କି.ମି. ୧୪୦ ମିଟର ଦୂରତା ପଛୁଆ ଯାଇ ଏହି ନୂଆ ରେକର୍ଡ କରିଛନ୍ତି। ଅବଶ୍ୟ ସେ ସବୁଠୁ କମ୍‌ ସମୟ ଭିତରେ ଏହି ରେକର୍ଡ କରିଛନ୍ତି। ତେବେ ସର୍ବାଧିକ ଦୂରତା ପଛୁଆ ଗାଡ଼ି ଚଲାଇବା ରେକର୍ଡ ରହିଛି ଆମେରିକାର ଯୁଗ୍ମ ଚାଳକ ବ୍ରିଆନ୍‌ କିନ୍‌ ଓ ଜେମ୍‌ସ ରାଇଟ୍‌ଙ୍କ ନାମରେ। ସେମାନେ ଏକ ସେବ୍ରୋଲେଟ୍‌ ବ୍ଲେଜ୍‌ କାର୍‌ରେ ୩୭ ଦିନରେ ଆମେରିକାର ୧୫ଟି ପ୍ରଦେଶ ଓ କାନାଡ଼ାର କିଛି ଅଂଶ ମଧ୍ୟ ଦେଇ ଦୀର୍ଘ ୧୪,୫୩୪ କି.ମି. ବାଟ ପଛୁଆ ଅତିକ୍ରମ କରିଥିଲେ।