ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ଏକ ବିଶାଳ ରାମଦୋଳିକୁ ହାତରେ ବୁଲାଇ ଏକ ନୂଆ ଗିନିସ୍ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କ ନାମ ଟ୍ରଏ କନ୍‌ଲି-ମାଗ୍‌ନସନ୍। ୩୯ ବର୍ଷୀୟ ଟ୍ରଏ ନିଜ ଶରୀରର ଶକ୍ତି ଖଟାଇ ସିଡନି ସ୍ଥିତ ଲୁନା ପାର୍କର ରାମଦୋଳିଟିକୁ ପ୍ରାୟ ୧୬ ମିନିଟ୍ ୫୫ ସେକେଣ୍ଡରେ ବୁଲାଇବାରେ ସଫଳ ହୋଇଥିଲେ। ସବୁଠାରୁ କମ୍ ସମୟରେ ରାମଦୋଳିକୁ ଥରେ ବୁଲାଇବାର ରେକର୍ଡ ଭାବେ ଏହାକୁ ଗିନିଜ୍ ବୁକ୍‌ରେ ପଞ୍ଜୀକରଣ କରାଯାଇଛି। ଏଥିପାଇଁ ରାମଦୋଳିଟିକୁ ‘ଫ୍ରିହ୍ବିଲିଙ୍ଗ୍‌’ ଅବସ୍ଥାରେ ରଖାଯାଇଥିଲା ଯାହାର ଅର୍ଥ ହେଉଛି ଏଥିରେ ଲାଗିଥିବା ହାଇଡ୍ରୋଲିକ୍‌ସ ଓ ବ୍ରେକ୍‌ଗୁଡ଼ିକୁ ଅଚଳ କରିଦିଆଯାଇଥିଲା। ଟ୍ରଏ ପୂର୍ବରୁ ତିନିଟି ଗିନିସ୍ ରେକର୍ଡ କରିସାରିଛନ୍ତି।

Advertisment

ଏହି ଚତୁର୍ଥ ଉଦ୍ୟମଟି ତାଙ୍କ ପାଇଁ ଶାରୀରିକ ଓ ମାନସିକ ରୂପେ ସବୁଠାରୁ କଷ୍ଟଦାୟକ ଥିଲା ବୋଲି ସେ କହିଛନ୍ତି। ୧୧ ବର୍ଷୀୟ ଜାକ୍ ନାମକ ଶିଶୁର ସ୍ମରଣରେ ସେ ଏହି ରେକର୍ଡ ସ୍ଥାପନର ଉଦ୍ୟମ କରିଥିଲେ, ଯିଏ ଗତ ବର୍ଷ ଚକ୍ଷୁ କର୍କଟରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଉକ୍ତ ରେକର୍ଡ ଜରିଆରେ ସଂଗ୍ରହ କରିଥିବା ଟଙ୍କାକୁ ଟ୍ରଏ ‘ଲିଟିଲ୍ ଵିଙ୍ଗ୍‌ସ’ ନାମକ ବଦାନ୍ୟ ସଂଗଠନକୁ ଦାନ କରିଦେବେ ଯାହା କର୍କଟ ଭଳି ମାରାତ୍ମକ ରୋଗ ଭୋଗୁଥିବା ଶିଶୁଙ୍କ ଚିକିତ୍ସାରେ ଲାଗିବ। ଟ୍ରଏ ନିଜେ ଏକ ବଦାନ୍ୟ ସଂଗଠନ ଚଳାଉଛନ୍ତି ଯାହାର ନାମ ‘ପୁଲ୍ ୪ ପର୍ପଜ୍’। ଏହି ସଂଗଠନର ଅତ୍ୟନ୍ତ ଶକ୍ତିଶାଳୀ ସଦସ୍ୟମାନେ ଶାରୀରିକ ଶକ୍ତିର ଅଭୂତପୂର୍ବ କ୍ଷମତା ପ୍ରଦର୍ଶନ କରି ମହତ୍ ଉଦ୍ଦେଶ୍ୟ ସାଧନ ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି।