 ଅଷ୍ଟିଓପୋରୋସିସ୍‌ କ’ଣ ଓ ଏହା କାହିଁକି ହୋଇଥାଏ?
ଅଷ୍ଟିଓ ଶବ୍ଦର ଅର୍ଥ ହାଡ଼ ବା ଅସ୍ଥି। ‘ପୋରୋସିସ୍‌’ର ଅର୍ଥ ଛିଦ୍ରଯୁକ୍ତ। ତେଣୁ ଯେଉଁ ରୋଗରେ ହାଡ଼ ଶୁଖିଲା ପିତାତରଡ଼ା ଫଳ ଭଳି ଛିଦ୍ରାଳ ଦେଖାଯାଏ, ସେହି ରୋଗକୁ ଡାକ୍ତରମାନେ ‘ଅଷ୍ଟିଓପୋରୋସିସ୍‌’ କହିଥାଆନ୍ତି। ଏହା ଏକ ନିରବ ବ୍ୟାଧି। ପିଚା ହାଡ଼, କଚଟି ହାଡ଼ କି ମେରୁହାଡ଼ରୁ କ୍ୟାଲସିଅମ୍‌ କମି ହାଡ଼ର ଘନତ୍ୱ ହ୍ରାସ ପାଇବା ହେତୁ ପଡ଼ିଗଲେ କି ସାମାନ୍ୟ ଆଘାତ ପାଇଲେ ହାଡ଼ ଭାଙ୍ଗିଯାଏ। ଏହାର ପଶ୍ଚାତରେ ଥାଏ ଅଷ୍ଟିଓପୋରୋସିସ୍‌। 
 ଏହି ରୋଗ କେଉଁମାନଙ୍କ କ୍ଷେତ୍ରରେ ଅଧିକ ହୋଇଥାଏ?
ମହିଳାମାନଙ୍କଠାରେ ଋତୁଚକ୍ର ବନ୍ଦ ହୋଇଯିବା ପରେ ଏବଂ ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହି ରୋଗ ଦେଖାଯିବା ଆରମ୍ଭ ହୋଇଥାଏ। ପାରାଥାଇରଏଡିଜମ୍‌, ଥାଇରଏଡିଜମ୍‌, ଡାଇବେଟିସ୍‌, ରିମାଟିକ୍‌, କ୍ରୋନିକ୍‌ କିଡ୍‌ନି ରୋଗ, କ୍ୟାନ୍‌ସର୍‌ ଓ କିଛି ନିର୍ଦ୍ଦିଷ୍ଟ ବଟିକା ଅଧିକ ସମୟ ଧରି ଖାଇଲେ ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ହୋଇଥାଏ। ଅଧିକ ସମୟ କମ୍ପ୍ୟୁଟର୍‌ ଆଗ‌େର ବସିଲେ ଓ ଧୂମପାନ କରିବା ଯୋଗୁଁ ଏହି ରୋଗ ଅଧିକ ହୋଇଥାଏ। 
 ମହିଳାମାନେ ଏହାଦ୍ବାରା ଅଧିକ ଆକ୍ରାନ୍ତ ହୁଅନ୍ତି କାହିଁକି?
ଆମ ଦେଶରେ ୩୫ ବର୍ଷ ପରେ ଏକ-ତୃତୀୟାଂଶ ମହିଳାଙ୍କ କ୍ଷେତ୍ରରେ ଛିଦ୍ରମୟ ଅସ୍ଥି ରୋଗ ଦେଖାଯାଏ। ଏଥିରେ ଆକ୍ରାନ୍ତ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ମୁଖ୍ୟତଃ ବୟସାଧିକ୍ୟ ଓ ହର୍‌ମୋନ୍‌ ଅସନ୍ତୁଳନ ଜନିତ କାରଣ ରହିଥାଏ।
 ଏଥିପ୍ରତି କିପରି ସଚେତନ ହେବା ଉଚିତ?
ଏବେ ଅଷ୍ଟିଓପୋରୋସିସ୍‌ରୁ ଆରୋଗ୍ୟଲାଭ କରିହେଉଛି। ଚିକିତ୍ସା ଦ୍ବାରା ହାଡ଼କୁ ଅପେକ୍ଷାକୃତ ଶକ୍ତ ଓ ସୁରକ୍ଷିତ ରଖିବା ସମ୍ଭବ ହେଉଛି। ରୋଗୀମାନଙ୍କୁ କ୍ୟାଲ୍‌ସିଅମ୍‌ ଓ ଭିଟାମିନ୍‌ ‘ଡି-୩’ ଔଷଧ ଦେଇ ଚିକିତ୍ସା କରାଯାଇଥାଏ। ନିୟମିତ ବ୍ୟାୟାମ ଓ ଯୋଗ ମଧ୍ୟ ଉପକାରୀ ହୋଇଥାଏ। ଭିଟାମିନ୍‌ ଡି-୩ ପାଇଁ ସକାଳ ୬ରୁ ୯ ଖରାରେ ବସିବା ଦରକାର, ନିୟମିତ ସ୍କ୍ରିନିଂ କରିବା ଓ ‌ପଡ଼ି ନଯିବା ଉପରେ ଗୁରୁତ୍ବ ଦେବା ଉଚିତ। ବୟସ୍କମାନଙ୍କ କହୁଣି, ଅଣ୍ଟା ଓ ମେରୁଦଣ୍ଡ ଉପରେ ବିଶେଷ ନଜର ରଖିବା ଜରୁରି। 
 ଏହି ରୋଗ ନହେବା ପାଇଁ କେଉଁ ଖାଦ୍ୟାଭ୍ୟାସ ଉପଯୁକ୍ତ?
କିଶୋରାବସ୍ଥାରୁ ଅଷ୍ଟିଓପୋରୋସିସ୍‌ର ନିବାରଣମୂଳକ ବ୍ୟବସ୍ଥା ଆରମ୍ଭ କରିବାକୁ ପଡ଼ିବ। ଖାଦ୍ୟରେ ଯଥେଷ୍ଟ କ୍ୟାଲ୍‌ସିଅମ୍‌ ଖାଇବା ଉଚିତ। କ୍ଷୀର, ଦହି, ଛେନା, ସବୁପ୍ରକାର ଶାଗ, ମାଣ୍ଡିଆ, ଡାଲି, ସୋୟାବିନ୍‌, ମାଛ, ଚିଙ୍ଗୁଡ଼ି ଆଦିରୁ ବେଶୀ କ୍ୟାଲ୍‌ସିୟମ୍‌ ମିଳିଥାଏ। ତେଣୁ ଖାଦ୍ୟରେ ଏ ସବୁ ସାମିଲ ହେବା ବିଧେୟ।