ନୂଆଦିଲ୍ଲୀ: ଦୁନିଆରେ ଅନେକ ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ପୃଥିବୀରେ ତିନି ହଜାରରୁ ଅଧିକ ପ୍ରଜାତିର ସାପ ଥିବା କୁହାଯାଉଛି। ଏଥିମଧ୍ୟରୁ ଏମିତି କିଛି ସାପ ଅଛନ୍ତି ଯେଉଁମାନେ କି ଖୁବ ବିଷାକ୍ତ ଥାଆନ୍ତି। ଏହି ବିଷାକ୍ତ ସାପମାନଙ୍କ ଗୋଟିଏ ଚୋଟରେ ମଣିଷର ଜୀବନ ଆଖିପିଛୁଳାକେ ଚାଲିଯିବାର ଅନେକ ସମ୍ଭାବନା ରହିଥାଏ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତରେ ୬୯ଟି ପ୍ରଜାତିର ସାପ ଅତ୍ୟନ୍ତ ବିଷାକ୍ତ ରହିଛନ୍ତି । କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଲାଲ ରଙ୍ଗର ସାପ ଥିବା ଦେଖିବାକୁ ମିଳୁଛି। ଏହି ସାପ ନାଗ ସାପ ଥିବା କୁହାଯାଉଛି।
କିଛିଲୋକ ଏହି ଭିଡିଓକୁ ନକଲି ବୋଲି କହୁଥିବା ବେଳେ ଇନଷ୍ଟାଗ୍ରାମରେ @ସ୍ନେକଫ୍ରେଣ୍ଡ ନାମକ ଏକ ଆକାଉଣ୍ଟରେ ଏହି ଲାଲ ସାପର ଭିଡିଓ ପୋଷ୍ଟ କରାଯାଇଛି।
ଭିଡିଓରେ ଜଣେ ବ୍ୟକ୍ତି ଲାଲ ରଙ୍ଗର ସାପକୁ ଧରିଥିବାର ନଜର ଆସୁଛନ୍ତି। ବ୍ୟକ୍ତିଜଣକ ଉକ୍ତସାପକୁ ଟାଣିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଫଣା ମେଲାଇ ଦେଇ ଘଟଣାସ୍ଥଳରୁ ଚାଲିଯିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି।
View this post on Instagram
ଆନିମଲ୍ ଡାଇଭର୍ସିଟି ୱେବସାଇଟ୍ ଅନୁଯାୟୀ, ଲାଲ୍ ରଙ୍ଗର ନାଗସାପ ଏକ ବିରଳ ପ୍ରଜାତିର ସାପ, ଯାହା ଆଫ୍ରିକାରେ ଦେଖାଯାଏ। ଏହି ସାପର ବୈଜ୍ଞାନିକ ନାମ ହେଉଛି ‘ନାଜା ପଲ୍ଲିଡା’। ଏମାନେ ଦୂରରେ ଥାଇ ନିଜ ବିଷକୁ ଅନ୍ୟ ଉପରକୁ ଫିଙ୍ଗି ପାରନ୍ତି। ଏଭଳି ସାପ ଅଧିକାଂଶ ଇଜିପ୍ଟ, ତାଞ୍ଜାନିଆ, ଉଗାଣ୍ଡା ପରି ଅଞ୍ଚଳରେ ଦେଖିବାକୁ ମିଳିଥାଏ।