ନାଲି ଟୁକୁଟୁକୁ ସାଧବବୋହୂ, କୁଆଡ଼େ ଯାଉରେ... କୁଆଡ଼େ ଯାଉ? ଏ ଗୀତ ଗାଇ ଗାଇ ସାଧବବୋହୂ ସହ ଖେଳିବାକୁ ଭଲପାଆନ୍ତି କିଶୋର କିଶୋରୀ। ବର୍ଷାକାଳରେ ଛନଛନ ସବୁଜ ଘାସପତ୍ର ଉପରେ ସାଧବବୋହୂଙ୍କ ଲାଲ୍‌ ଚେହେରା ବେଶ୍‌ ରମଣୀୟ ଦିଶେ। କେବଳ ନିଜର ରଂଗରୂପରେ ସେ ଆକର୍ଷିତ କରେନି, ସେମାନଙ୍କୁ ଛୁଇଁବା ଦ୍ବାରା ସୌଭାଗ୍ୟ ଓ ସମୃଦ୍ଧି ଆସିଥାଏ ବୋଲି ଲୋକବିଶ୍ବାସ ମଧ୍ୟ ରହିଛି। ଏଇ କୁନି କୁନି ସାଧବବୋହୂକୁ ନେଇ ରହିଛି ଅନେକ ରୋଚକ କଥା ଓ ତଥ୍ୟ। ଏମିତି କିଛି କଥାକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ...

Advertisment

ଆମ ରାଜ୍ୟରେ ମୌସୁମୀ ବାୟୁ ଆଗମନ ପରେ ପରେ ଅାକାଶରେ କଳାହାଣ୍ଡିଆ ମେଘ ଉଠାଇ ଦୁମୁକାଣି ବର୍ଷା ହେଲେ ବହୁସଂଖ୍ୟକ ସାଧବବୋହୂ ଚଳଚଞ୍ଚଳ ହୋଇ ପଦାକୁ ବାହାରିପଡ଼ନ୍ତି। ଉଜ୍ଜ୍ବଳ ଲାଲ୍‌ ରଙ୍ଗ ଓ ମଖମଲି ଚେହେରା ଯୋଗୁଁ ଜନମନ ଆକର୍ଷଣ କରୁଥିବା ସାଧବବୋହୂ ହେଉଛି ଗୋଟାଏ ଅଷ୍ଟପଦୀ କୀଟବିଶେଷ। ଏମାନଙ୍କ ବାହ୍ୟାବରଣ ମଖମଲ ବସ୍ତ୍ର ପରି କୋମଳ ଓ ଲାଲ୍‌। ‘ସାଧବବୋହୂ’ ଏକ ଦେଶଜ ଶବ୍ଦ। ସାଧବଘରର ସ୍ତ୍ରୀମାନେ ନାଲି ପାଟବସ୍ତ୍ର ପିନ୍ଧିଲାପରି ଏମାନଙ୍କ ଆବରଣ ମଖମଲି ହୋଇଥିବାରୁ ଏହି କୀଟକୁ ସାଧବବୋହୂ ବୋଲି କୁହାଯାଉଥାଇ ପାରେ। କିନ୍ତୁ, ଲାଲ୍‌ ଦିଶୁଥିବା ଏହି ଆବରଣ ତାଙ୍କର ଚର୍ମ ନୁହେଁ, ଚର୍ମ ଉପରେ ଉଠିଥିବା ଅସୁମାରି ସୂକ୍ଷ୍ମ ଆଁଶୁ ସଦୃଶ ଲୋମସମୂହ। ଓଡ଼ିଶାରେ ଇନ୍ଦ୍ର ଗୋପ, ପାଟ ପୋକ, ମଖମଲି ପୋକ ଭାବେ ପରିଚିତ ଏ ଜୀବଟି ଟିଙ୍କ ବା ବୁଢ଼ିଆଣୀ ପ୍ରଜାତିର। ବର୍ଷାକାଳରେ ସ୍ବଳ୍ପ ଦିନ ଧରି ଏହି ପକ୍ଷହୀନ ଅଷ୍ଟପଦୀ ପାଟ ପୋକ ଘାସପଡ଼ିଆ ଓ ଓଦା ମାଟିରେ ଦଳ ଦଳ ହୋଇ ଯା’ଆସ କରୁଥିବା ଦୃଷ୍ଟିଗୋଚର ହୁଅନ୍ତି। ବର୍ଷାଋତୁରେ ପ୍ରକଟ ହେଉଥିବାରୁ ଏହାର ଅନ୍ୟ ନାମ ବର୍ଷାଭୂ। ଏମାନେ ସ୍ତ୍ରୀଜାତୀୟ, କିନ୍ତୁ ଅଣ୍ଡିରା ପୋକଙ୍କର ଦୁଇଟି ପକ୍ଷ ଅଛି। ସେମାନେ ସ୍ତ୍ରୀଜାତୀୟ ପୋକଙ୍କଠାରୁ ଲମ୍ବା ଓ ସରୁ। ସେମାନଙ୍କ ମୁଣ୍ଡଆଡ଼େ ଦୁଇଟି ନିଶ ଓ ପଛ ପାଖେ ଦୁଇଟି ସରୁ କେଶ ବାହାରିଥାଏ। ସାଧବବୋହୂ ମାଟି ଭିତରେ ଏବଂ ନାଗଫେଣିଆ ସିଜୁ ଗଛରେ ବସାକରି ରହେ।

ପିଲାଙ୍କର ଅତି ପ୍ରିୟ
ଆଗେ ଆମ ରାଜ୍ୟରେ ପ୍ରାୟ ସର୍ବତ୍ର ସାଧବବୋହୂ କୀଟ ଦେଖାଯାଉଥିଲେ ବୋଲି ବୟୋଜ୍ୟେଷ୍ଠ ଲୋକମାନଙ୍କଠାରୁ ଶୁଣିଥିବା କଥା ଅନେକେ କହନ୍ତି। ମଣିଷର କୌଣସି କ୍ଷତି କରୁ ନ ଥିବା ଏହି କୀଟ ବିଶେଷକରି, ପିଲାମାନଙ୍କର ଅନ୍ୟତମ ପ୍ରିୟ କ୍ରୀଡ଼ନକ। ଚିତ୍ରବିଚିତ୍ର ପ୍ରଜାପତି, ଲାଲ୍‌କଙ୍କି, ସବୁଜଝିଣ୍ଟିକା, କଳାଭଅଁର, ଜୁଳୁଜୁଳା ପୋକ ଧରି ଖେଳକୌତୁକରେ ମାତିଲା ପରି ପିଲାମାନେ ସାଧବବୋହୂ କୀଟ ବି ଧରନ୍ତି। ଏ ମନୋଲୋଭା କୀଟ ସହିତ ଖେଳିବା ଲାଗି ପିଲାମାନେ ସୁଖପାଆନ୍ତି। କେବଳ ଆମ ରାଜ୍ୟ ନୁହେଁ, ଆମ ଦେଶର ଅନେକ ପ୍ରାନ୍ତରେ ପିଲାମାନଙ୍କୁ ସାଧବବୋହୂ ଧରିବାକୁ ଉତ୍ସାହିତ କରାଯାଏ। ଏହା ସେ ସବୁ ଅଞ୍ଚଳର ସ୍ଥାନୀୟ ପରମ୍ପରା। ଏହାଦ୍ବାରା ସୌଭାଗ୍ୟ ଆସେ ବୋଲି ପିଢ଼ି ପରେ ପିିିିିଢ଼ି ଲୋକେ ବିଶ୍ବାସ କରିଆସୁଛନ୍ତି। ଏ ନିରୀହ କୀଟକୁ ପିଲାଏ ପୋଷାପ୍ରାଣୀ ବୋଲି ମନେକରନ୍ତି। ସେମାନେ ଏହାକୁ ଅତି ଯତ୍ନ ସହକାରେ ଧରି ଛୋଟ କାଚ ବୋତଲରେ ଭର୍ତ୍ତିକରି ରଖନ୍ତି। ତା’ର ଲାଲ୍‌ ରଙ୍ଗ ଓ ଧୀରମନ୍ଥର ଚାଲି ପିଲାଙ୍କୁ ବିମୋହିତ କରେ। ଏହାଦ୍ବାରା ପ୍ରକୃତି ଓ ପ୍ରାଣୀମାନଙ୍କ ପ୍ରତି ପିଲାମାନଙ୍କର ସମବେଦନା ଓ ଦାୟିତ୍ବବୋଧ ବୃଦ୍ଧିପାଏ ବୋଲି କେତେକ କହନ୍ତି।

ସବୁଜ ଗାଲିଚାରେ ଲାଲ୍‌ କୀଟ 
ବର୍ଷାକାଳରେ ଏହି ପ୍ରଜାତିର ଅନେକ କୀଟପତଙ୍ଗ ବାହାରନ୍ତି, କିନ୍ତୁ ଲାଲ୍‌ ରଙ୍ଗ ଯୋଗୁଁ ସମସ୍ତଙ୍କଠାରୁ ବାରି ହୋଇପଡ଼େ ସାଧବବୋହୂ। ଉଜ୍ଜ୍ବଳ ଲାଲ୍‌ ବର୍ଣ୍ଣ ପାଇଁ ହିଁ ଆମ ରାଜ୍ୟରେ ଏହା ସଭିଙ୍କର ପ୍ରିୟଭାଜନ ହୋଇଛି। ଲାଲ୍‌ ରଙ୍ଗର ପରିପୂରକ ହେଉଛି ସବୁଜ ରଙ୍ଗ। ବର୍ଷାକାଳରେ ବନପ୍ରାନ୍ତରରେ ଉଠିଥିବା ଛନଛନ ସବୁଜ ଘାସପତ୍ର ଉପରେ ସାଧବବୋହୂଙ୍କ ଲାଲ୍‌ ଚେହେରା ବେଶ୍‌ ରମଣୀୟ ଦିଶେ। ତେଣୁ ଏହା ଲୋକଙ୍କୁ ଆକର୍ଷିତ କରିବା ସ୍ବାଭାବିକ।  ଓଡ଼ିଆ ସାହିତ୍ୟ ବିଶେଷକରି, କେତେକ କାବ୍ୟକବିତାରେ ମଧ୍ୟ ଏହି ଅତ୍ୟୁତ୍ତମ କାନ୍ତିଧାରୀ ରକ୍ତବର୍ଣ୍ଣ କ୍ଷୁଦ୍ର କୀଟବିଶେଷର ବର୍ଣ୍ଣନା ରହିଛି। ଗୋଟାଏ ପ୍ରାଚୀନ ଛାନ୍ଦରେ ସାଧବବୋହୂର ଲାଲ୍‌ ରଙ୍ଗ କଥା ଏଭଳି ବର୍ଣ୍ଣନା କରାଯାଇଛି-

ଇନ୍ଦ୍ର ଗୋପଜିତ ରଙ୍ଗଚରଣ ଯେ ଏରୂପେ ସୁମରି,
ଇନ୍ଦ୍ରଜିତସୁତ ଏ ଛାନ୍ଦ ଭଣଇ ରାଧା ଧ୍ୟାନ କରି।
ସେହିପରି ଭକ୍ତକବି ମଧୁସୁଦନ ରାଓଙ୍କ ପ୍ରଣୀତ ‘ଛାନ୍ଦମାଳା’ ପୁସ୍ତକର ‘ବର୍ଷା’ କବିତାରେ ବି ସାଧବବୋହୂ କୀଟ ପ୍ରସଙ୍ଗ ଏମିତି ରହିଛି-
ଶ୍ୟାମଳ ଦୁର୍ବାଦଳେ ଶୋଭିତ ମହୀ, ସାଧବବୋହୂ ତଥିପରେ ଶୋଭଇ।

ଏହାଛଡ଼ା, ପିଲାମାନଙ୍କ ପଠନ ନିମନ୍ତେ ଉଦ୍ଦିଷ୍ଟ ଅନେକ ଓଡ଼ିଆ ଲେଖା, ବିଶେଷତଃ ବର୍ଷା କବିତାରେ ସାଧବବୋହୂ କୀଟ କଥା ଉଲ୍ଲେଖଥାଏ। ହୁଏତ ଓଡ଼ିଆ ସଂସ୍କୃତି ସହିତ ଆଗକାଳରେ ଇନ୍ଦ୍ର ଗୋପ କୀଟ ବା ସାଧବବୋହୂ ଜଡ଼ିତ ଥାଇପାରେ, କିନ୍ତୁ ଏବେ ଆଉ ସେଭଳି କୌଣସି ବିଧାନ ପରିଲକ୍ଷିତ ହେଉନାହିଁ। 

କେଉଁ ରାଜ୍ୟରେ କି ନାଁ!
ଆମର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ସମେତ ଭାରତର କେତେକ ପ୍ରାନ୍ତରେ ସାଧବବୋହୂର ସାଂସ୍କୃତିକ ଓ ପୌରାଣିକ ତାତ୍ପର୍ଯ୍ୟ ରହିଛି। ସେମାନେ ସୌଭାଗ୍ୟ ଓ ସମୃଦ୍ଧି ଆଣନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି। ଭାରତୀୟ ସଂସ୍କୃତିରେ ଲାଲ୍‌ ରଙ୍ଗ ସମୃଦ୍ଧି ଓ ସକାରାତ୍ମକ ଶକ୍ତିର ପ୍ରତୀକ ହୋଇଥିବାରୁ ସମ୍ଭବତଃ ସାଧବବୋହୂ ପ୍ରତି ଲୋକମାନଙ୍କର ଏତାଦୃଶ ଧାରଣା ରହିଛି। ମୌସୁମୀ ବର୍ଷା ଆଗମନ କାଳରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ବି ବହୁସଂଖ୍ୟକ ସାଧବବୋହୂ ଦେଖାଯାଆନ୍ତି। ସେମାନେ କିନ୍ତୁ, ଏହାକୁ ଡାକନ୍ତି ‘ରାଣୀକୀଡ଼ା’ ବା ରାଣୀପୋକ। ଉତ୍ତର ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଏହାର ନାଁ ‘ଭଗବାନ୍‌ କୀ ବୁଢ଼ୀୟା’। ସଂସ୍କୃତ ଓ ହିନ୍ଦୀରେ ସାଧବବୋହୂ ନାଁ ‘ବୀରବହୁଟୀ’ ଉର୍ଦ୍ଦୁରେ ‘ବୀରବାବୋତି’, ତେଲୁଗୁ ଭାଷାରେ ‘ଅରୁଦ୍ର ପୁରୁଗୁ’, ଗୁଜୁରାଟୀରେ ‘ଗୋକଲ୍‌ ଗାଏ’ ବା ‘ମାମା ନି ଗାଏ’ ଓ ବଙ୍ଗଳାରେ ‘ମଖମଲୀପୋକା’ ବା ‘ସିନ୍ଦୂରେ‌େପାକା’। ସାଧବବୋହୂ ସାଧାରଣତଃ ଭାରତୀୟ ଉପମହାଦେଶର ଉତ୍ତରପ୍ରାନ୍ତରେ ଅଧିକ ଦେଖାଯାଆନ୍ତି ବୋଲି ଗବେଷକ ମତ ଦିଅନ୍ତି।

୩୦୦ ଜାତିର ସାଧବବୋହୂ
କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟାନ୍ୟ ଅନେକ ଦେଶରେ ସାଧବବୋହୂ ଦେଖାଯାଆନ୍ତି। ଏସିଆ, ୟୁରୋପ୍‌, ଉତ୍ତର ଆଫ୍ରିକା ଓ ଆମେରିକା ସମେତ ବିଶ୍ବବ୍ୟାପୀ ବିଭିନ୍ନ ମହାଦେଶ ଓ ଦେଶରେ ପ୍ରାୟ ୩୦୦ ପ୍ରଜାତିର ସାଧବବୋହୂ ଅଛନ୍ତି। ଆହୁରି ୧୦୦ରୁ ଅଧିକ ପ୍ରଜାତିର ସାଧବବୋହୂ ଥାଇପାରନ୍ତି ବୋଲି ମଧ୍ୟ ଜୀବବିଜ୍ଞାନୀମାନେ ଆକଳନ କରିଛନ୍ତି। ଏମାନଙ୍କର ଆକାର ଅତିକ୍ଷୁଦ୍ରରୁ ଆରମ୍ଭ କରି ୧.୩ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ। ଏହାର ସବୁଠୁ ବଡ଼ ପ୍ରଜାତିର ନାଁ ‘ଜାଏଣ୍ଟ୍‌ ଭେଲ୍‌ଭେଟ୍‌ ମାଇଟ୍‌’। ଏମାନେ ସାଧାରଣତଃ ବଣଜଙ୍ଗଲ, ଘାସପ୍ରାନ୍ତର, ମରୁଭୂମି, ଚାଷଜମି, ନଗର ଓ ଉପନଗରାଞ୍ଚଳରେ ଦେଖାଯାଆନ୍ତି। ସାଧବବୋହୂ ବାହାରିଲେ ବର୍ଷାଋତୁ ଆଗମନ ହୁଏ‌ ବୋଲି ନାମିବ୍ୟାବାସୀ କହନ୍ତି।

ରହେ କେଉଁଠି, ଖାଏ କ’ଣ?
ସବୁ ପ୍ରକାର ମାଟିରେ ସାଧବବୋହୂ ଦେଖାଯାଉଥିଲେ ବି କର୍ଦ୍ଦମାକ୍ତ ଓ ଉର୍ବର ମାଟିରେ ଅଧିକସଂଖ୍ୟକ ଥାଆନ୍ତି। ମୋଟାମୋଟି କହିବାକୁ ଗଲେ ସନ୍ତସନ୍ତିଆ ଓ ଆର୍ଦ୍ର ପରିବେଶରେ ରହିବାକୁ ଏମାନେ ସୁଖ ପାଆନ୍ତି। ଜଳଶୁ‌ଷ୍କତା ଓ ରୌଦ୍ରତେଜରୁ ରକ୍ଷା ପାଇବା ପାଇଁ ଏହି କୀଟ ମାଟି ଖୋଳି ତା’ ଭିତରେ ନିରାପଦରେ ରହିଥାଆନ୍ତି। ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ଅସରା ପରେ ପରେ ଏମାନେ ମାଟି ଭିତରେ ଥିବା ଗାତରୁ ବାହାରି ପଡ଼ନ୍ତି ଅନ୍ୟାନ୍ୟ କୀଟ ଶିକାର କରିବା ଉଦ୍ଦେଶ୍ୟରେ। ନାହୁଡ଼ ପରି ଦିଶୁଥିବା ପାଟି‌େର ସେମାନେ ବର୍ଷାକାଳରେ ପଦାକୁ ବାହାରୁଥିବା କେତେକ ଉଈ ପ୍ରଜାତି ପୋକଜୋକ ଓ ସେମାନଙ୍କ ଶୂକକୀଟ ଧରି ଖାଆନ୍ତି। ପାଣି ପରିବର୍ତ୍ତେ ଏମାନେ ଜଳୀୟବାଷ୍ପ ପାନ କରି ତୃଷା ନିବାରଣ କରନ୍ତି। ବର୍ଷକୁ ଥରେ ଅଣ୍ଡା ଦିଅନ୍ତି। କିଛି ଗବେଷକ କହନ୍ତି ଯେ ବର୍ଷାକାଳ ଅଣ୍ଡାଦେବା ସମୟ ହୋଇଥିବାରୁ ସାଧବବୋହୂମାନେ ପଦାକୁ ବାହାରନ୍ତି। କିନ୍ତୁ, ଏମାନଙ୍କର ଅଣ୍ଡାଦେବା ସମୟ ସଚରାଚର ସମାନ ନୁହେଁ। କେତେକ ଅଞ୍ଚଳରେ ବସନ୍ତ, ଗ୍ରୀଷ୍ମ ଓ ଶରତ୍‌କାଳରେ ବି ଏମାନେ ଅଣ୍ଡା ଦିଅନ୍ତି।
କେବଳ ଭୂଇଁ କି, ଘାସ ନୁହେଁ ସାଧବବୋହୂ ପଥର ଓ ଗଛବୃଚ୍ଛରେ ମଧ୍ୟ ଚାଲୁଥିବା ଦେଖାଯାଏ। ଜୀବବିଜ୍ଞାନୀମାନେ କହନ୍ତି ଯେ ଏମାନେ ବର୍ଷ ତମାମ ବୁଲାବୁଲି କରୁଥିଲେ ବି ନିର୍ଦ୍ଦିଷ୍ଟ ଭାବେ ବର୍ଷାଋତୁରେ ଅଧିକସଂଖ୍ୟକ ବାହାରୁ ଥିବାରୁ ମନୁଷ୍ୟର ଦୃଷ୍ଟିଗୋଚର ହୁଅନ୍ତି। ଅନ୍ୟ ସମୟରେ ସାଧବବୋହୂମାନେ ମାଟି, ପଚାଶଢ଼ା ପତ୍ର, ଶିଉଳି ଓ ଖତ ଭଳି ପଦାର୍ଥରେ ଲୁଚି ରହିଥାଆନ୍ତି। ଶରତ୍‌ ଓ ଶୀତକାଳରେ ଏମା‌ନେ ନିଷ୍କ୍ରିୟ ହୋଇପଡ଼ନ୍ତି। କେତେକ ଗବେଷକ କହନ୍ତି, ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ଏମାନେ ଶୀତନିଦ୍ରା ଯାଆନ୍ତି।

ସାଧବବୋହୂର ଜୀବନ ଚକ୍ର
ଏମାନଙ୍କର ଆଦ୍ୟାବସ୍ଥା ଅଣ୍ଡା। ସାଧବବୋହୂ ସନ୍ତସନ୍ତିଆ ମାଟିରେ ଅଣ୍ଡା ଦିଏ। ସେଥିପାଇଁ ସେ ଶତ୍ରୁ କବଳରୁ ନିରାପଦ ରହି ସୁରୁଖୁରୁରେ ଫୁଟିବା ଭଳି ସ୍ଥାନ ଚୟନ କରିଥାଏ। ଗୋଟିଏ ସାଧବବୋହୂ ଥରକେ ଶତାଧିକ ଅଣ୍ଡା ଦେଇଥାଏ। ପ୍ରାୟ ଦୁଇମାସରେ ଅଣ୍ଡା ଫୁଟି ପ୍ରାକ୍‌-ଶୂକକୀଟ ଓ ତା’ପରେ ପୂର୍ଣ୍ଣାଙ୍ଗ ଶୂକକୀଟ ବା ଲାର୍ଭା ହୁଏ। ସେ ଶୂକକୀଟ ହୁଏ ପ୍ୟୁପା ଓ ପ୍ୟୁପା ବଢ଼ି ପ୍ରାପ୍ତ ବୟସ୍କ ସାଧବବୋହୂ  ହୁଏ। ଲାଲ୍‌ ଅଣ୍ଡା ପରି ଦିଶୁଥିବା ସାଧବବୋହୂର କ୍ଷୁଦ୍ର ଶୂକକୀଟ ପରାଙ୍ଗପୁଷ୍ଟ ହୋଇଥିବାରୁ ବୁଢ଼ିଆଣୀ, ଜନ୍ଦା, ପିମ୍ପୁଡ଼ି ଭଳି ଅନ୍ୟ ଅଷ୍ଟପଦୀ କୀଟ ଦେହରେ ଝୁଲି ରହି ସେମାନଙ୍କ ଦେହରୁ ରସ ଶୋଷିଖାଏ। ଏହି ଶୂକକୀଟ ସବୁ ଉକ୍ତ କୀଟ ଦେହରେ ସବୁଠୁ ନିରାପଦ ମଣୁଥିବା ସ୍ଥାନରେ ଲାଖିଥାଏ। ଫଳରେ ଉକ୍ତ କୀଟ ଏହି ଶୂକକୀଟକୁ ଘଷିହୋଇ କି, ରାମ୍ପିଦେଇ ନିଜ ଦେହରୁ ହଟାଇ ପାରେନାହିଁ। ସପ୍ତାହେ ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ଝୁଲି ରହିବା ପରେ ଶୂକକୀଟ ଆପଣାଛାଏଁ ସେ କୀଟ ଦେହରୁ ବାହାରି ଆସି କିଛିଦିନ ଭୂଇଁରେ ବାସକରେ। ଏହା ତା’ର ବିଶ୍ରାମ ବା ଶାରୀରିକ ବିକାଶ ସମୟ। ସେ ସମୟରେ ଏହାର ୬ଟି ଗୋଡ଼ଥାଏ। ଶୂକକୀଟ ଅବସ୍ଥା ହିଁ ସାଧବବୋହୂ କୀଟ ଜୀବନର ଅତି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ଏ ଅବସ୍ଥାରେ ବଢ଼ିବା ପାଇଁ ସେ ପର୍ଯ୍ୟାପ୍ତ ଖାଦ୍ୟ ଆବଶ୍ୟକ କରେ। ତେଣୁକରି, ପୋଷକତତ୍ତ୍ବ ପାଇବା ଲାଗି ଶୂକକୀଟ କେତେକ କ୍ଷୁଦ୍ର କୀଟ ଓ ସେମାନଙ୍କ ଅଣ୍ଡା ଖାଆନ୍ତି। କ୍ରମେ ପୂର୍ଣ୍ଣାବୟବ ପ୍ରାପ୍ତ ହୋଇ ସାଧବବୋହୂ ହୋଇଗଲେ ଏହାର ୮ଟି ଗୋଡ଼ ହୋଇଯାଏ ଓ ସେ ସ୍ବଚ୍ଛନ୍ଦରେ ଚାରିଆଡ଼େ ବିଚରଣ କରେ। ଏବେ ଆଉ ପରାଙ୍ଗପୁଷ୍ଟ ନ ହୋଇ ସେ ନିଜେ ଶିକାର ଧରି ଖାଏ।

ମଣିଷ ହିଁ ପରମଶତ୍ରୁ!
ନଗରାଞ୍ଚଳ ସମ୍ପ୍ରସାରଣ, ଔଷଧୀୟ ଦ୍ରବ୍ୟ ବ୍ୟବହାର ଓ କୀଟନାଶକ ପ୍ରୟୋଗ କରାଯାଉଥିବାରୁ ସାଧବବୋହୂଙ୍କ ସଂଖ୍ୟା ଦ୍ରୁତ ହ୍ରାସପାଉଛି। ଏହାଛଡ଼ା ପକ୍ଷୀ, କ୍ଷୁଦ୍ର ସ୍ତନ୍ୟପାୟୀ ଜୀବ, ବଡ଼ ଅଷ୍ଟପଦୀ ପ୍ରାଣୀ ଇତ୍ୟାଦି ଖାଇଦେଉଥିବାରୁ ଏମାନଙ୍କ ସଂଖ୍ୟା କମି କମି ଆସୁଛି। ସେ ଯାହାହେଉ, ଗବେଷକମାନେ କହନ୍ତି- ପ୍ରକୃତିରେ ସାଧବବୋହୂଙ୍କ ଶତ୍ରୁସଂଖ୍ୟା ସ୍ବଳ୍ପ। କାରଣ, ଏମାନଙ୍କ ସ୍ବାଦ ଭଲ ନୁହେଁ; ଲାଲ୍‌ ରଙ୍ଗ ହୋଇଥିବାରୁ ଅନ୍ୟ ଜୀବଜନ୍ତୁମାନେ ତାଙ୍କୁ ଖାଇବାକୁ ଭୟ କରନ୍ତି। ସେମାନଙ୍କର ଧାରଣା ଲାଲ୍‌ ହୋଇଥିବାରୁ ତାହା ନିଶ୍ଚୟ ବିଷାକ୍ତ ଓ ଅସ୍ବାଦୁ ହୋଇଥିବ। ସାଧବବୋହୂ ଉପରେ ଗବେଷଣା କରିଆସିଥିବା କୃଷିବିଜ୍ଞାନୀ ପଙ୍କଜ ଔଧିଆ କହନ୍ତି, ‘‘୧୯୯୦ରୁ ମୁଁ ସ୍ବାଭାବିକ ଭାବେ ଅଧିକ ସାଧବବୋହୂ ଦିଶୁଥିବା ଛତିଶଗଡ଼ ଓ ଓଡ଼ିଶାର ୫୦ରୁ ଅଧିକ ସ୍ଥାନରେ ପର୍ଯ୍ୟବେକ୍ଷଣ କରିଛି। ସେସବୁ ଅଞ୍ଚଳରେ ସାଧବବୋହୂଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି।’’ ପରିବେଶବିତ୍‌ମାନେ କହନ୍ତି ଯେ ଅତିକ୍ଷୁଦ୍ର ହେଲେ ବି ପରିବେଶ ନିମନ୍ତେ ସାଧବବୋହୂର ଉପସ୍ଥିତି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଅରଣ୍ୟାଞ୍ଚଳରେ ବିଘଟନ ବ୍ୟବସ୍ଥାରେ ଅନ୍ୟାନ୍ୟ ଅଷ୍ଟପଦୀ କୀଟଙ୍କ ପରି ଏମାନଙ୍କର ବି ବିଶେଷ ଅବଦାନ ରହିଛି। ପ୍ରକୃତିରେ ବିଘଟନକ୍ରିୟା କରନ୍ତି କବକ ଓ ବ୍ୟାକ୍ଟେରିଆ ଭଳି ଅଣୁଜୀବମାନେ। କବକ ଓ ବ୍ୟାକ୍ଟେରିଆଭକ୍ଷୀ କୀଟପତଙ୍ଗମାନଙ୍କୁ ଖାଇ ଏହି ପ୍ରଜାତିର ଅଷ୍ଟପଦୀମାନେ ପ୍ରକୃତିରେ ବିଘଟନପ୍ରକ୍ରିୟା ଅବ୍ୟାହତ ରଖନ୍ତି। ଏଥିଯୋଗୁଁ ଜୈବବ୍ୟବସ୍ଥା ସଠିକ୍‌ ରହେ। ଏମାନଙ୍କ ସଂଖ୍ୟା ହ୍ରାସପାଇଲେ ମୃତ୍ତିକାରେ ଚାଲୁଥିବା ଅନେକ ଜଟିଳ ପ୍ରକ୍ରିୟା ମନ୍ଥର ହୋଇଯାଏ। ଏହାଛଡ଼ା ଉଦ୍ଭିଦଭକ୍ଷୀ କୀଟପତଙ୍ଗ ଖାଇ ସେମାନଙ୍କ ସଂଖ୍ୟା ସନ୍ତୁଳନ କରି ରଖିବାରେ ବି ସାଧବବୋହୂର ଭୂମିକା ଗୁରୁତ୍ବପୂର୍ଣ୍ଣ। ଫଳତଃ ଉଦ୍ଭିଦରାଜି ସୁସ୍ଥସବଳ ହୋଇ ବଢ଼ନ୍ତି। କୁହାଯାଏ ସାଧବବୋହୂଙ୍କୁ ବଂଶ ନ ବୁଡ଼ାଇବା ଲାଗି ବୈଦ୍ୟମାନେ ପ୍ରତି ବର୍ଷ ସ୍ଥାନ ପରିବର୍ତ୍ତନ କରି ସେମାନଙ୍କୁ ସଂଗ୍ରହ କରାନ୍ତି। ଅର୍ଥାତ୍‌ ଏ ବର୍ଷ ଯେଉଁ ଜାଗାରୁ ସାଧବବୋହୂ ସଂଗ୍ରହ କରାଗଲା ଆସନ୍ତାବର୍ଷ ଆଉ ସେଠାରୁ ସଂଗ୍ରହ ନ କରି ସେମାନେ ଅନ୍ୟ ସ୍ଥାନରୁ ତାହା ସଂଗ୍ରହ କରାନ୍ତି। ଏଭଳି ସଂଗ୍ରହ ପଦ୍ଧତି ଯୋଗୁଁ ପ୍ରକୃତିରେ ସାଧବବୋହୂସଂଖ୍ୟା ସନ୍ତୁଳିତ ହୋଇ ରହେ। କିନ୍ତୁ, ଅଧିକସଂଖ୍ୟକ ସାଧବବୋହୂ ସଂଗ୍ରହ କରିବା ଲାଗି ନୂତନ ସଂଗ୍ରାହକମାନଙ୍କୁ ପ୍ରୋତ୍ସାହନ ଦିଅାଯାଉବାରୁ ସମସ୍ୟା ସୃଷ୍ଟିହେଉଛି। ଅଳ୍ପ ସମୟରେ ଅଧିକସଂଖ୍ୟକ ସାଧବବୋହୂ ସଂଗ୍ରହ କରି ସେମାନେ ଅଧିକ ଅର୍ଥ ଉପାର୍ଜନ କରିବାକୁ ପାରମ୍ପରିକ ସଂଗ୍ରହ ପଦ୍ଧତି ମାନୁନାହାନ୍ତି। ବିଡ଼ମ୍ବନାର କଥା ଯେ, ମନୁଷ୍ୟର ହାନି କରୁ ନ ଥିବା ଏ ସୁଶୋଭନ କୀଟର ଆଜି ମନୁଷ୍ୟ ହିଁ ପରମ ଶତ୍ରୁ।