ଦୁନିଆରେ ହଜାର ହଜାର ଫୁଲ ଅଛି। କେବଳ ଗୋଲାପକୁ କାହିଁକି ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ? ଏହା ପଛର କାହାଣୀ ଏବଂ ଏହି ଫୁଲର ଇତିହାସ କ’ଣ? ଏମିତି କେତେ ପ୍ରଶ୍ନ ମନକୁ ଆସେ। ‘ଲାଲ୍ ଗୋଲାପ ଦିବସ’ ଅବସରରେ ଗୋଲାପ ସମ୍ବନ୍ଧୀୟ ସଂକ୍ଷିପ୍ତ ଆଲେଖ୍ୟ...
ଲାଳିତ୍ୟ ଓ ନିସର୍ଗ ସୁଷମା ଲାଗି ଗୋଲାପ ଫୁଲ ସମଗ୍ର ବିଶ୍ବରେ ଖୁବ୍ ଆଦରଣୀୟ। ଯୁଗେ ଯୁଗେ ପ୍ରେମ ଓ ଶ୍ରଦ୍ଧାର ପ୍ରତିନିଧିତ୍ବ କରୁଥିବା ଏହି କମନୀୟ ଫୁଲ ସମ୍ମାନ, କୃତଜ୍ଞତା, ସ୍ତୁତି ଓ ସାହସ ଭଳି ଶକ୍ତିଶାଳୀ ଆବେଗ ମଧ୍ୟ ବ୍ୟକ୍ତ କରିପାରେ। ତେଣୁ, ଆଦିମ କାଳରୁ ବିଶ୍ବର ଅଧିକାଂଶ ସଂସ୍କୃତିରେ ଗୋଲାପ ପ୍ରେମ, ସ୍ନେହ, ସୌନ୍ଦର୍ଯ୍ୟ ଓ ସମ୍ମାନ ପରିପ୍ରକାଶର ମାଧ୍ୟମ ରୂପେ ବିବେଚିତ ହୋଇଆସିଛି। ଆଉ ବହୁବର୍ଣ୍ଣା ଗୋଲାପର ବିଭିନ୍ନ ରଙ୍ଗ ମଧ୍ୟରୁ ଲାଲ୍ ହିଁ ସବୁଠାରୁ ଲୋକପ୍ରିୟ। ଆଉ ଗୋଲାପ କହିଲେ, ସାଧାରଣ ଭାବେ ଲାଲ୍ ରଙ୍ଗର ଗୋଲାପକୁ ହିଁ ବୁଝାଏ।
ପ୍ରେମର ପ୍ରତୀକ ଗୋଲାପ
ବାସ୍ତବରେ ଗୋଲାପ ଫୁଲରେ କି ଯାଦୁଶକ୍ତି ଅଛି, ଯାହା ଦୁଇଟି ହୃଦୟକୁ ସଂଯୋଗ କରିପାରେ? ଏହାର ଉତ୍ତର ଖୁବ୍ ସହଜ। ହଜାର ହଜାର ବର୍ଷ ଧରି ଗୋଲାପ ପ୍ରେମ ଓ ସ୍ନେହ ବ୍ୟକ୍ତ କରିବା ପାଇଁ ବ୍ୟବହୃତ ହୋଇ ପ୍ରତୀକ ପାଲଟିଯାଇଛି। ଏହି କାରଣରୁ, ଗୋଲାପ ଦେଖିବା ମାତ୍ରେ ସଭିଙ୍କ ମନରେ ସେହି ଏକା ଭାବନା ଆସେ। ପ୍ରତୀକତାର ଏହି ଭାବବୋଧ ଯୋଗୁଁ ହିଁ ଗୋଲାପ ଦୁଇଟି ହୃଦୟ ସଂଯୋଗ କରିବାରେ ସକ୍ଷମ ହୁଏ।
ଦେବୀଙ୍କ ଚାଲିରେ ଫୁଟେ ଗୋଲାପ
ଗ୍ରୀକ୍ ଦେବୀ ଏଫ୍ରୋଡାଇଟ୍ ପ୍ରେମ, ସୌନ୍ଦର୍ଯ୍ୟ ଓ ଯୌନତାର ପ୍ରତୀକ ଭାବେ ବିବେଚିତ। ସେ ଯେଉଁଆଡ଼େ ଯାଉଥିଲେ ସେଠାରେ ଲାଲ୍ ଗୋଲାପ ଫୁଟିଉଠୁଥିଲା। ସେଥିପାଇଁ ଲାଲ୍ ଗୋଲାପ ପ୍ରେମ ଓ କାମନାର ପ୍ରତୀକ ଭାବରେ ପରିଗଣିତ ହେଲା। ସେହିପରି, ହଳଦିଆ ଗୋଲାପ ବନ୍ଧୁତ୍ୱ ଏବଂ ଧଳା ଗୋଲାପ ନିଃସର୍ତ୍ତ ପ୍ରେମ ପ୍ରତିପାଦନ କରେ। କମଳା ଗୋଲାପ ଉତ୍ସାହର ପ୍ରତୀକ। କଳା ଗୋଲାପର ଅର୍ଥ ସମ୍ପର୍କର ସମାପ୍ତି।
ମନକୁ ସକାରାତ୍ମକ କରେ ଗୋଲାପ
ଜାପାନର ମିଜୁହୋ ସୂଚନା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଗୋଲାପ ଦେଖିବା ମାତ୍ରକେ ମନରେ ଶାନ୍ତି ଆସେ। ଗୋଲାପର ସୁଗନ୍ଧ ମାନସିକ ଚାପ ହ୍ରାସ କରେ ଓ ଭଲ ନିଦ କରାଏ। ଗୋଲାପ ରସରେ ଥିବା ‘ରୋଜ୍ ଅକ୍ସାଇଡ୍’ ମନ ଓ ଶରୀରକୁ ଆରାମ ଦେଇଥାଏ। ଗୋଲାପରୁ ପ୍ରସ୍ତୁତ ଗୁଲକନ୍ଦରେ ଲାକ୍ସାଟିଭ୍ ଗୁଣ ପର୍ଯ୍ୟାପ୍ତ ପରିମାଣର ଥାଏ। ଗୋଲାପଜଳରେ ଆଣ୍ଟିବ୍ୟାକ୍ଟେରିଆଲ୍ ଶକ୍ତି ଥାଏ। ଏହି ଜଳ ବ୍ୟବହାର ଦ୍ୱାରା ମୁହଁର ତ୍ୱଚା ଉଜ୍ଜ୍ବଳ ଓ ଚିକ୍କଣ ହୁଏ।
ଲାଲ୍ ଗୋଲାପ ଦିବସ
ଗତ ଦଶନ୍ଧିରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟ କେତେକ ଦେଶରେ ପ୍ରତିବର୍ଷ ଜୁନ୍ ୧୨ ‘ଜାତୀୟ ଲାଲ୍ ଗୋଲାପ ଦିବସ’ ଭାବେ ପାଳିତ ହୋଇଆସୁଛି। କିନ୍ତୁ ଏ ଦିବସର ଉତ୍ପତ୍ତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ କି, ପାଳନ ଲାଗି ରୀତିନୀତି ନାହିଁ। ମନହେଲେ, ବିଭିନ୍ନ ରଙ୍ଗର ଲାଲ୍ ଗୋଲାପ ଆଣି ତୋଡ଼ାଟିଏ କରନ୍ତୁ। ସାମାଜିକ ଗଣମାଧ୍ୟମରେ ଲାଲ୍ ଗୋଲାପ ଫଟୋ ସେୟାର୍ କରନ୍ତୁ ବା ପ୍ରିୟତମ ବ୍ୟକ୍ତିଙ୍କୁ ଉପହାର ଦିଅନ୍ତୁ। ଲାଲ୍ ଗୋଲାପ ଚାରାଟିଏ ଲଗାନ୍ତୁ। କୌଣସି ଗୋଲାପ ଉଦ୍ୟାନକୁ ବୁଲିଯାଆନ୍ତୁ। ନଚେତ୍ ବିଭିନ୍ନ ପ୍ରକାରର ଲାଲ୍ ଗୋଲାପ ବିଷୟରେ ଜାଣନ୍ତୁ।