ଭାରତର ମଧୁରଜଳରେ ପ୍ରାୟ ୨୯ ପ୍ରଜାତିର କଇଁଛ ଦେଖିବାକୁ ମିଳିଥାଆନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କଠୋର ଆଇନ ପ୍ରଣୟନ ହୋଇଛି। କିନ୍ତୁ ଲାଲ୍ କାନ ଥିବା ଏକ ସ୍ୱତନ୍ତ୍ର ପ୍ରଜାତିର ଶିକାରୀ କଇଁଛ ଏକ ବ୍ୟତିକ୍ରମ। କାରଣ ଏମାନଙ୍କର ଉପସ୍ଥିତି ଜଳାଶୟର ଜୈବବିବିଧତା ଓ ପରିସଂସ୍ଥାନ ପ୍ରତି ବିପଦ ସୃଷ୍ଟି କରୁଥିବା ଜଣାପଡ଼ିଛି। ଏହି ପ୍ରଜାତି କଇଁଛର ବଂଶ ବିସ୍ତାର ଓ ଚୋରା ଚାଲାଣ ରୋକିବାକୁ ବିଶ୍ୱ ବନ୍ୟପ୍ରାଣୀ ଅନୁଷ୍ଠାନସମୂହ ଆହ୍ବାନ କରିଛନ୍ତି।
ପ୍ରକୃତିର ବୈଚିତ୍ର୍ୟ ହେତୁ ବିଶ୍ୱବ୍ୟାପି ବିଭିନ୍ନ ପ୍ରଜାତିର ସୁନ୍ଦର ସୁନ୍ଦର କଇଁଛ ଦେଖିବାକୁ ମିଳିଥାଆନ୍ତି। ମାତ୍ର ଏହି ସୁନ୍ଦର କଇଁଛମାନଙ୍କ ମଧ୍ୟରେ ଏଭଳି ଏକ ପ୍ରଜାତି ରହିଛି, ଯାହା ଆଜି ଭାରତର ମଧୁର ଜଳରେ ବାସକରୁଥିବା କଇଁଛମାନଙ୍କ ପାଇଁ ବିପଦ ପ୍ରମାଣିତ ହୋଇଛି। ଏହାକୁ ନେଇ କଇଁଛ ସଂରକ୍ଷକ ଓ ଗବେଷକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ଘନନୀଳ ରଙ୍ଗର ଶରୀର ଓ ମୁଣ୍ଡର ଉଭୟ ପାର୍ଶ୍ୱରେ ଉଜ୍ଜ୍ବଳ ଲାଲ୍ ରଙ୍ଗ ଚିହ୍ନ ରହିଥିବା ଏହି ପ୍ରଜାତିର କଇଁଛକୁ ପ୍ରାଣୀବିଜ୍ଞାନୀମାନେ ‘ଟ୍ରାକେମିସ୍ ସ୍କ୍ରିପ୍ଟା ଏଲିଗାନ୍ସ’ ନାମକରଣ କରିଛନ୍ତି। ଏହି କଇଁଛ ପ୍ରଥମେ ମିସିସିପି ନଦୀ ଓ ମେକ୍ସିକୋ ଉପସାଗରରେ ଦେଖିବାକୁ ମିଳିଥିଲା। ‘ଇଣ୍ଟର୍ନ୍ୟାସନାଲ୍ ୟୁନିଅନ୍ ଫର୍ କଞ୍ଜର୍ଭେସନ୍ ଅଫ୍ ନେଚର୍’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୧୯୮୯ରୁ ୧୯୯୭ ମଧ୍ୟରେ ଆମେରିକାରୁ ୫୨ ମିଲିୟନ୍ରୁ ଅଧିକ ସଂଖ୍ୟାରେ ଏହି ଲାଲ୍ କାନ ସ୍ଲାଇଡର୍ କଇଁଛ ଚୀନ୍, ଶ୍ରୀଲଙ୍କା ଏବଂ ଭାରତକୁ ଚୋରାଚାଲାଣ ହୋଇଥିଲା। ‘ଗ୍ଲୋବାଲ୍ ଇନ୍ଭେସିବ୍ ସ୍ପେସିସ୍’ (ବିଶ୍ୱ ଶିକାରୀ ପ୍ରଜାତି) ପ୍ରାଣୀ ଅନୁଷ୍ଠାନ ପକ୍ଷରୁ ଲାଲ୍ କାନ ସ୍ଲାଇଡର୍ କଇଁଛକୁ ଏକ ଭୟଙ୍କର ଶିକାରୀ ପ୍ରଜାତିର ଜଳଚର ଭାବେ ଦର୍ଶାଯାଇଛି। ଏହି ପ୍ରଜାତିର ବଂଶବୃଦ୍ଧି ଦ୍ୱାରା ସ୍ଥାନୀୟ ଜଳଚର ଜୀବଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି । ଏହାକୁ ଦେଖିବା ମାତ୍ରେ ତୁରନ୍ତ ନିକଟସ୍ଥ ବନ୍ୟପ୍ରାଣୀ ବିଭାଗକୁ ଖବର ଦେବାକୁ ସୂଚନା ପ୍ରଦାନ କରାଯାଇଛି।
ଲାଲ୍ କାନଥିବା ସ୍ଲାଇଡର୍ କଇଁଛ ସାପ ଭଳି ଉଭୟଚର ଜୀବ ସମେତ ମାଛ, କୀଟପତଙ୍ଗ, ପକ୍ଷୀଛୁଆମାନଙ୍କୁ ଖାଇଦେଇଥାଏ। ସୁଯୋଗ ପାଇଲେ ଏହା ସ୍ଥଳଭାଗକୁ ଆସି ବିଭିନ୍ନ ସରୀସୃପ ଓ କୀଟପତଙ୍ଗ ଶିକାର କରିଥାଏ ବୋଲି ବିଶେଷଜ୍ଞଙ୍କ ମତ।
ଲାଲ୍ କାନ ଥିବା ଏହି ସ୍ଲାଇଡର୍ କଇଁଛ ଅନ୍ତର୍ଜାତୀୟ ବେଆଇନ ବନ୍ୟପ୍ରାଣୀ ଚୋରା କାରବାରର ଏକ ଅଂଶ ପାଲଟିଛି। ବ୍ୟାଙ୍କକ୍, ଚୀନ୍ ଓ ଶ୍ରୀଲଙ୍କାରୁ ଏହି କଇଁଛ ବହୁ ସଂଖ୍ୟାରେ ବେଆଇନ ଭାବେ ଭାରତକୁ ଚାଲାଣ ହେଉଛି। କେରଳ ଓ ତାମିଲନାଡୁ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ ଏହାର ମୁଖ୍ୟ ବ୍ୟବସାୟ କେନ୍ଦ୍ର ପାଲଟିଛି। ୨୦୧୮ ଡିସେମ୍ବରରେ ଚେନ୍ନାଇ ବିମାନବନ୍ଦରରେ କଷ୍ଟମ୍ ଅଧିକାରୀ ବିଦେଶୀ କଇଁଛ ଚୋରା ଚାଲାଣ ମାମଲାରେ ୨ ଜଣ ମାଫିଆଙ୍କୁ ଗିରଫ କରିଥିଲେ। ବ୍ୟାଙ୍କକ୍ରୁ ଆସିଥିବା ଏହି ୨ କଇଁଛ ମାଫିଆଙ୍କଠାରୁ ୭,୨୦୦ଟି ଲାଲ୍ କାନ ଥିବା ଏହି ସ୍ଲାଇଡର୍ କଇଁଛ ଜବତ କରିଥିଲେ। ସେହିପରି ୨୦୧୯ରେ ତ୍ରିଚି ବିମାନବନ୍ଦରରେ ଶ୍ରୀଲଙ୍କା ଏୟାର୍ଲାଇନ୍ସର ଏକ ବିମାନରେ ଆସିଥିବା ତିନି ଯାତ୍ରୀଙ୍କ ଠାରୁ ୪,୫୦୦ଟି ଲାଲ୍ କାନ ଥିବା ସ୍ଲାଇଡର୍ କଇଁଛ ଜବତ ହୋଇଥିଲା। ଲାଲ୍ କାନ ଥିବା ସ୍ଲାଇଡର୍ କଇଁଛ ଦେଖିବାକୁ ଖୁବ୍ ସୁନ୍ଦର। ଆକ୍ୱାରିୟମ୍ରେ ରଙ୍ଗିନ ମାଛ ଭଳି ଜଳଚର ଜୀବମାନଙ୍କୁ ଘରେ ସଉକରେ ପାଳନ କରୁଥିବା ବ୍ୟକ୍ତିବିଶେଷ ଏହି କଇଁଛକୁ କିଣିଥା’ନ୍ତି। ଯେତେବେଳେ କଇଁଛଟି ବଡ଼ ହୋଇ ତା’ର ଶିକାରୀ ପ୍ରବୃତ୍ତି ଦେଖାଏ, ସେତେବେଳେ ପାଳିଥିବା ବ୍ୟକ୍ତି ଅଗତ୍ୟା ଏହାକୁ ନିକଟସ୍ଥ ଜଳାଶୟରେ ଛାଡ଼ିଦିଅନ୍ତି। ପରବର୍ତ୍ତୀ ସମୟରେ ଏହି କଇଁଛ ଜଳାଶୟର ଜଳଚର ଜୀବଙ୍କୁ ମାରିବା ସହ ଏବଂ ସେମାନଙ୍କ ବଂଶବୃଦ୍ଧିରେ ବାଧକ ସାଜିଥାଏ।
ଭାରତର ମହାରାଷ୍ଟ୍ର, କେରଳ, ତାମିଲନାଡୁ ଭଳି ରାଜ୍ୟର ଜଳାଶୟରେ ଏହି ପ୍ରଜାତିର କଇଁଛ ଘାତକ ହୋଇ ଉଭା ହେଲାଣି। ଗଙ୍ଗା ଓ ବ୍ରହ୍ମପୁତ୍ର ପ୍ରମୁଖ ନଦୀରେ ଲାଲ୍ କାନଥିବା ସ୍ଲାଇଡର୍ କଇଁଛ ବିପଦ ସୃଷ୍ଟି କଲାଣି। ଭାରତରେ ମଧୁରଜଳ କଇଁଛମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଉତ୍ତର-ପୂର୍ବ ରାଜ୍ୟରେ ଦେଖାଯାନ୍ତି। ସେହିସବୁ ରାଜ୍ୟରେ ମଧ୍ୟ ଏହି ପ୍ରଜାତିର କଇଁଛ ବିପଦ ହୋଇ ଉଭା ହେଲାଣି। ଯଦି ଏହାର ନିୟନ୍ତ୍ରଣ ପାଇଁ କଠୋର ଆଇନ ପ୍ରଣୟନ କରା ନ ଯାଏ ଏବଂ ସଚେତନତା ସୃଷ୍ଟି ନ ହୁଏ ତେବେ ଜଳାଶୟର ଜୈବବିବିଧତା ଧ୍ବଂସ ହେବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି କହନ୍ତି ବିଶିଷ୍ଟ ବନ୍ୟପ୍ରାଣୀ ଗବେଷକ ଡକ୍ଟର୍ ଲାଲା ଅଶ୍ବିନୀ କୁମାର ସିଂ। ଭାରତରେ ଲାଲ୍ କାନଥିବା ସ୍ଲାଇଡର୍ କଇଁଛମାନଙ୍କ ପ୍ରକୃତ ସଠିକ୍ ସଂଖ୍ୟା ଆକଳନ ହୋଇନାହିଁ। ଏହି ପ୍ରଜାତି କଇଁଛ ଖାଦ୍ୟ ନ ଖାଇ ମାସ ମାସ ଧରି ବଞ୍ଚିପାରେ ଏବଂ ନିଜ ଶରୀରର ଅଭିବୃଦ୍ଧି ମଧ୍ୟ କରିବାକୁ ସକ୍ଷମ ଅଟେ। ଖାଦ୍ୟର ଅଭାବ ସେମାନଙ୍କ ବଂଶବୃଦ୍ଧିରେ ବ୍ୟାଘାତ ସୃଷ୍ଟି କରି ନ ଥାଏ। ଲାଲ୍ କାନଥିବା ସ୍ଲାଇଡର୍ କଇଁଛ ସାପ ଭଳି ଉଭୟଚର ଜୀବ ସମେତ ମାଛ, କୀଟପତଙ୍ଗ, ପକ୍ଷୀଛୁଆମାନଙ୍କୁ ଖାଇଦେଇଥାଏ। ସୁଯୋଗ ପାଇଲେ ଏହା ସ୍ଥଳଭାଗକୁ ଆସି ବିଭିନ୍ନ ସରୀସୃପ ଓ କୀଟପତଙ୍ଗ ଶିକାର କରିଥାଏ ବୋଲି ବିଶେଷଜ୍ଞଙ୍କ ମତ।