ଆମେରିକାର ଓହିଓ ପ୍ରଦେଶ ଅନ୍ତର୍ଗତ କ୍ଲିଭଲାଣ୍ଡ୍ ସହରରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ହଜାର ହଜାର ସଂଖ୍ୟାରେ ପରିତ୍ୟକ୍ତ ଘରେ ନାନା ଜାତିର ଛତୁ ମାଡ଼ିଯିବା ସହ କିଛି ଘରକୁ ମଧ୍ୟ ଛତୁ ସଂପୂର୍ଣ୍ଣ ହଜମ କରିଦେଇଥିବା ଜଣାଯାଇଛି। ଏହି ଘରଗୁଡ଼ିକରେ ସୀସା ପରି ବିଷାକ୍ତ ପଦାର୍ଥ ଚରିଯାଇ ଉକ୍ତ ଭଗ୍ନ କୋଠାଗୁଡ଼ିକୁ ଏପରି ଜରାଜୀର୍ଣ୍ଣ କରିଦେଇଛି ଯେ, ସେଗୁଡ଼ିକ ଆଉ ପୂର୍ବ ସତ୍ତା ଫେରି ପାଇବାର ସମ୍ଭାବନା ରହିନାହିଁ। ଛତୁ ପରି ଏହି ପ୍ରାଚୀନ ପ୍ରାକୃତିକ କବକର ଏପରି ସ୍ବତନ୍ତ୍ର ସର୍ବଗ୍ରାସୀ ଗୁଣକୁ ବୈଜ୍ଞାନିକମାନେ ସକାରାତ୍ମକ କାମରେ ଉପଯୋଗ କରିବାକୁ ଆଶା ରଖିଛନ୍ତି।
ପରିବେଶ ପ୍ରଦୂଷଣ କରୁଥିବା ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ଛତୁ ଦ୍ବାରା ନିଶ୍ଚିହ୍ନ କରିବା ଲାଗି ସେମାନେ ଚିନ୍ତା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ବିଶ୍ବର ମୋଟ ପ୍ରଦୂଷଣକାରୀ ଅଙ୍ଗାରର ୧୧ ପ୍ରତିଶତ ଗୃହନିର୍ମାଣ ସାମଗ୍ରୀରୁ ଆସିଥାଏ। ଏକ ଆକଳନ ଅନୁୟାୟୀ, ଛତୁ ବଂଶ ବୃଦ୍ଧି କରାଇ ୨୦୨୭ ସୁଦ୍ଧା ପରିବେଶରେ ମିଶୁଥିବା ଅଙ୍ଗାର ପରିମାଣରୁ ପାଖାପାଖି ୧,୬୦,୦୦୦ ମେଟ୍ରିକ୍ ଟନ୍ କମାଯାଇପାରିବ। ନିଉଜିଲାଣ୍ଡ୍ରେ ଛତୁ ସାହାଯ୍ୟରେ ଏକ କେନାଲ ପାଣିରୁ ତୈଳ ଛାଣିବା ସମ୍ଭବ ହୋଇଛି। ସେହିପରି ୟୁରୋପରେ ‘ଲାଇପ୍ ମାଇଁସଏଲ୍’ ନାମକ ପ୍ରକଳ୍ପ ଦ୍ବାରା ତିନିଟି ସ୍ଥାନରେ ମାଟିର ମୋଟ ପେଟ୍ରୋଲିଅମ୍ ହାଇଡ୍ରୋକାର୍ବନ ପରିମାଣକୁ ୯୦ ପ୍ରତିଶତ କମାଯାଇପାରିଛି। ମିନେସୋଟା ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ସ୍ବତନ୍ତ୍ର ପ୍ରଜାତିର ଛତୁ ସାହାଯ୍ୟରେ ଫ୍ଲୋରିନ୍ଯୁକ୍ତ ଅତିବିଷାକ୍ତ ପଦାର୍ଥକୁ ବିଘଟନ କରାଇ ତାହାକୁ ସଂପୂର୍ଣ୍ଣ ଫ୍ଲୋରିନ୍ବିହୀନ କରିପାରିଛନ୍ତି। ଛତୁର ଏପରି ଅଭିନବ ପ୍ରୟୋଗ ଦିଲ୍ଲୀ ପରି ପ୍ରଦୂଷିତ ସହର ପାଇଁ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gjgdgjjdggjd.jpg)