ବାତ୍ୟା ଉଡ଼ାଇ ନେଇଥିଲା ଘର ଛାତ; ଏହି ବ୍ୟକ୍ତିଙ୍କୁ ଦୀପାବଳିରେ ସ୍କୁଲ ସାଙ୍ଗ ଦେଲେ ଘର ଉପହାର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁଁ ଅନେକଙ୍କ ଚାକିରି ଚାଲି ଯାଇଛି। ଯେଉଁଥିପାଇଁ ସେମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କ‌ରୋନା ହେତୁ ତାମିଲନାଡୁ ପୁଡୁକ୍କୋଟ୍ଟୋଇରେ ବସବାସ କରୁଥିବା ମୁଥୁକୁମାରଙ୍କ ପାରିଶ୍ରମିକ ବି ହ୍ରାସ ପାଇଥିଲା।

ମୁଥୁକୁମାର ଜଣେ ଟ୍ରକ ଚାଳକ। ତାଙ୍କର ମାସିକ ରୋଜଗାର ୧୫ ହଜାର ଟଙ୍କା ଥିଲା। କରୋନା ସଂକ୍ରମଣ ହେତୁ ଜାରି ହୋଇଥିବା ଲକଡାଉନ୍ କାରଣରୁ ୧୫ ହଜାର ଟଙ୍କାରୁ ସେ ୨ ହଜାର ଟଙ୍କା ପାଉଥିଲେ। ଏଥିରେ ତାଙ୍କ ପରିବାର ଚଳିବା ପାଇଁ ଅନେକ ଅସୁବିଧା ହେଉଥିବା ବେ‌ଳେ ହଠାତ୍  ବାତ୍ୟା ଆସି ତାଙ୍କ ଉପରେ ଆହୁରି ଦାଉ ସାଧିଥିଲା। ବାତ୍ୟା ଯୋଗୁଁ ତାଙ୍କ ଘର ଛାତ ଉଡ଼ି ଯାଇଥିଲା। ଏହି କାରଣରୁ ମୁଥୁକୁମାରଙ୍କ ପରିବାର ଅନେକ ଅସୁବିଧାରେ ଦିନ କାଟୁ ଥିଲେ।

https://in.news.yahoo.com/

ତେବେ କିଛି ମାସ ପୂର୍ବରୁ ମୁଥୁକୁମାରଙ୍କ ସାକ୍ଷାତ ତାଙ୍କର ଜଣେ ସ୍କୁଲ ବନ୍ଧୁ କେ.ନଗେନ୍ଦ୍ରନଙ୍କ ସହ ହୋଇଥିଲା। ମୁଥୁକୁମାର ନିଜ ବନ୍ଧୁଙ୍କୁ ଏତେ ଦିନ ପରେ ଭେଟି ଖୁସିରେ ନିଜ ଘରକୁ ଆମନ୍ତ୍ରିତ କରିଥିଲେ। କେ.ନଗେନ୍ଦ୍ରନ ବନ୍ଧୁଙ୍କ ଆମନ୍ତ୍ରଣ ରକ୍ଷା କରି ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ନିଜ ବନ୍ଧୁ ଓ ତାଙ୍କ ପରିବାରର ଅଭାବ ଅସୁବିଧା ଦେଖି ଅତ୍ୟନ୍ତ ଦୁଃଖିତ ହୋଇଯାଇଥିଲେ। ଆଉ ସେ ତାଙ୍କ ଦ୍ବାରା ଯେତିକି ସମ୍ଭବ ହୋଇପାରିବ ସେତିକି ନିଶ୍ଚୟ ସାହାଯ୍ୟ କରିବେ ବୋଲି ମନସ୍ଥ କରିଥିଲେ।

ନଗେନ୍ଦ୍ରନ୍ ଏଥିପାଇଁ ସୋସିଆଲ ମିଡ଼ିଆର ସାହାଯ୍ୟ ନେଲେ। ହ୍ୱାଟ୍ସଆପରେ ଏକ ଗ୍ରୁପ କଲେ। ଏହି ଗ୍ରୁପରେ ସେ ସ୍କୁଲ ସାଙ୍ଗମାନଙ୍କୁ ସାମିଲ କଲେ। ସ୍କୁଲ ସାଙ୍ଗମାନଙ୍କୁ ମୁଥୁକୁମାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ। କିଛି ଦିନ ମଧ୍ୟରେ ତାଙ୍କ ପାଖରେ ଦେଢ଼ ଲକ୍ଷ ଟଙ୍କା ଏକାଠି ହୋଇ ଯାଇଥିଲା। ଏହି ଟଙ୍କାରେ ଏକ ନୂଆ ଘର କରି ସ୍କୁଲ ସାଙ୍ଗମାନେ ମୁଥୁକୁମାରଙ୍କୁ ଦୀପାବଳି ଦିନ ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର