ସାହିଯାତର ନାଗାସାଜ : ନାଗାର୍ଜୁନ ବେଶ ନାଗାସାଜ ଅନୁରୂପ ହେଲେ ହେଁ, ସେଥିରେ ରହିଛି ଅନେକ ସାଂସ୍କୃତିକ ସ୍ୱାତନ୍ତ୍ର‌୍ୟ

ବେଶର ନାମ ନାଗାର୍ଜୁନ- ୭/ ଅସିତ ମହାନ୍ତି

ପୁରୀର ସାହିଯାତ ଶ୍ରୀକ୍ଷେତ୍ରର ଏକ ସମୃଦ୍ଧ, ସାଂସ୍କୃତିକ ପରମ୍ପରା । ଏଥିରେ ‘ନାଗାବେଶ’ ବା ‘ନାଗାସାଜ’ରେ କଳାକାର ବାହାରିଥାଆନ୍ତି । ଏହି ବେଶ ପରିପାଟୀ ଖୁବ୍ ଆକର୍ଷଣୀୟ ହୋଇଥାଏ । ଏହା ଓଡ଼୍ର-କଳିଙ୍ଗ ସାମରିକ ପରମ୍ପରାର ପ୍ରତୀକ । ଏଥିପାଇଁ ନିର୍ଦ୍ଦିଷ୍ଟ ବେଶ ପରିପାଟୀ ଓ ସାଜ ଅଛି । ସେଥିରେ ସଂପୃକ୍ତ ନାଗାବେଶଧାରୀ ପାଟକାଛେଣୀ ପିନ୍ଧନ୍ତି ଓ କାନ୍ଧରେ ଉତ୍ତରୀୟ ପକାନ୍ତି । ଦେହରେ ତିଳକ ଶୋଭାପାଏ । ମୁହଁରେ ଥାଏ ବହଳ ନିଶ ଓ ଦାଢ଼ି । କପାଳରେ ଶୋଭାପାଏ ସିନ୍ଦୂର କଲି । ‘ପୁରୀର ସାହିଯାତ୍ରା’ ପୁସ୍ତକରେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଏହାର ବିଶଦ ବର୍ଣ୍ଣନା ଦେଇଛନ୍ତି ।

ଏହି ନାଗାବେଶ ବା ନାଗାସାଜର ଭିତ୍ତି ହେଉଛି ଓଡ଼୍ର ପାଇକ ପରମ୍ପରା । ତେବେ ପାଇକ ସାଜଠାରୁ ଏହି ନାଗାସାଜର କେତେକ ଭିନ୍ନତା ଅଛି । ଏହାର ଶିରସ୍ତ୍ରାଣ ସବୁଠୁ ଆକର୍ଷଣୀୟ । ଶିରରେ ଶିରସ୍ତ୍ରାଣ ବନ୍ଧାଯାଇ ଜଟା ପ୍ରସ୍ତୁତ ହୁଏ ଏବଂ ତାହା ବଙ୍କା ହୋଇ ମୁଣ୍ଡ ଉପରେ ବନ୍ଧା ଯାଏ । ପୁରୀବୋଲିରେ ଏହା ‘ନାଗାଚୂଳ’ ବା ‘ନାଗାପାଗ’ । ଏହାର ଅନ୍ୟ ସ୍ଥାନୀୟ ନାମ ‘ହାଣ୍ଡିଆ’ । ଚୂଳର ଅଗ୍ରଭାଗରେ ଶୋଭାପାଏ ସୋଲର ବଡ଼ ଫୁଲ । ଚନ୍ଦ୍ରହାର, ବେଙ୍ଗପାଟିଆ ମାଳ, ପାଉଁଜି ଓ ବାଘ ନଖରେ ଏହି ‘ନାଗାପାଗ’ ସୁସଜ୍ଜିତ ହୋଇଥାଏ ।

ଏସବୁ ସହିତ ନାଗାବେଶଧାରୀର ଗଳାରେ ଥାଏ ସୁନା ଓ ପୋହଳାର କଠା ବା ମାଳି । ତାହାର ମଝିରେ ଥାଏ ବାଘନଖ । ନାଗା ବେଶଧାରୀ ଗଳାରେ ରୁଦ୍ରାକ୍ଷ ମାଳ ବି ପିନ୍ଧନ୍ତି ।

ଧନୁ ନାଗାବେଶର ଏକ ପ୍ରମୁଖ ଅସ୍ତ୍ର । ଏଣୁ ନାଗାବେଶଧାରୀଙ୍କର ଗୋଟିଏ କାନ୍ଧରେ ଧନୁ ସହିତ ‘ଢେଣୁ’ ବା ତୂଣୀର ଥାଏ ଏବଂ ଅନ୍ୟ କାନ୍ଧରେ ଥାଏ ବାଘଛାଲର ହୁଦା (ପଟି) । ସ୍ଥାନୀୟ ଭାଷାରେ ଏହାର ନାମ ‘ପରିତାଳ’ । ଏହା ବ୍ୟତୀତ, ବାହୁମୂଳରେ ଏରାପକ୍ଷୀର ପର (କଲିଙ୍ଗି), ହାତର କହୁଣୀଠାରୁ କଚଟିଯାଏ ପାଟକନାର ‘ଓଳମାଳ’ (ଓହଳ ମାଳ) ଏବଂ ମୋଟା ଓସାରିଆ ବାହୁଟି ଥାଏ । ମଣିବନ୍ଧ ମୂଳରେ ଥାଏ ବାଘଛାଲର ପଟି ଏବଂ ଛାତିରୁ ଅଣ୍ଟାଯାଏ ମଧ୍ୟ ବାଘଛାଲ ପରିବେଷ୍ଟିତ ହୋଇଥାଏ ।

ନାଗାବେଶ ଏକ ବୀରବେଶ ହୋଇଥିବାରୁ ଏହି ବେଶଧାରୀର ପିଠିରେ ଧନୁ ସହିତ ଥିବା ଢେଣୁରେ ରହିଥାଏ କାଣ୍ଡ, ତ୍ରିଶୂଳ, ବର୍ଚ୍ଛା ଓ ପତାକା । ଅଣ୍ଟା ବା କମରର ଦୁଇ ପଟରେ ସୁରକ୍ଷା ପାଇଁ ଥାଏ ଦୁଇଟି ଢାଲ । ବାମପଟ ଢାଲ କଡ଼ରେ ରହେ ବାଙ୍କଛୁରୀ ଏବଂ ଦୁଇପଟେ ଜଙ୍ଘ ଉପରକୁ ଥାଏ ଦୁଇଟି ଝୋବା । ଏହା ବ୍ୟତୀତ ଜଙ୍ଘରେ ଘଣ୍ଟି, ଗୋଇଠିରେ ‘ବଜ୍ର ଚଉଁରୀ’ ବା କେଶ ନିର୍ମିତ ଦଉଡ଼ି ଥାଏ । ଏହା ଚମରୀ ଗାଈ ବା ଘୋଡ଼ାର କେଶରେ ପ୍ରସ୍ତୁତ ହୋଇଥାଏ ବୋଲି କହାଯାଏ । ହାତରେ ଥାଏ ବନ୍ଧୁକ ତୁଲ୍ୟ ‘ଗଣ୍ଠିଆ’ ଓ ମଇଁଷି ଶିଙ୍ଗର ତୂରୀ । ଏହା ବ୍ୟତୀତ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ବି ଥାଏ ।

କିନ୍ତୁ ଶ୍ରୀମନ୍ଦିରର ରତ୍ନବେଦିରେ ଶ୍ରୀଜଗନ୍ନାଥ ଯେଉଁ ନାଗାର୍ଜୁନ ବେଶ ହୁଅନ୍ତି, ତାହା ସାହିଯାତର ଏହି ନାଗାବେଶ ବା ନାଗାସାଜ ଅନୁରୂପ ହେଲେ ହେଁ, ସେଥିରେ ରହିଛି ଅନେକ ସାଂସ୍କୃତିକ ସ୍ୱାତନ୍ତ୍ର‌୍ୟ ।

ସମ୍ବନ୍ଧିତ ଖବର