ବେଳେ ବେଳେ ଆମ ଦୃଷ୍ଟିଶକ୍ତିରେ ସାମାନ୍ୟ ଅସ୍ବାଭାବିକତା ଦେଖାଦେଲେ ଆମେ ତାହାକୁ ଅଣଦେଖା କରଥା’ନ୍ତି। ମାତ୍ର ସେଭଳି ଦୃଷ୍ଟିଦୋଷର ଚିକିତ୍ସା ନକଲେ ସ୍ମରଣଶକ୍ତି ହ୍ରାସ (ଡିମେନ୍‌ସିଆ) ପରି ରୋଗ ଦେଖାଦେବାର ଆଶଙ୍କା ରହିଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପୂର୍ବ ଗବେଷଣାମାନଙ୍କରୁ ଧୀଶକ୍ତି ଓ ଦୃଷ୍ଟିଶକ୍ତି ଭିତରେ ସଂଯୋଗ ଥିବା ଜଣା ଥିଲା। ତେବେ ନିକଟରେ ଆମେରିକାର ୩,୦୦୦ ଚକ୍ଷୁରୋଗୀଙ୍କୁ ସାମିଲ କରି ସ୍ପଷ୍ଟ ହୋଇଛି ଯେ ଦୃଷ୍ଟିଦୋଷ ଯୋଗୁଁ ସ୍ମରଣ ଶକ୍ତିରେ ମଧ୍ୟ ହ୍ରାସ ଘଟୁଛି। ବାର୍ଦ୍ଧକ୍ୟାବସ୍ଥାରେ ସ୍ମରଣଶକ୍ତି ହ୍ରାସ ହେବା ସ୍ବାଭାବିକ କଥା। ମାତ୍ର ଏଇ ନୂତନ ନିର୍ଯାସ ସବୁ ବୟସର ଲୋକଙ୍କୁ ଚକ୍ଷୁର ଯତ୍ନ ନେବା ଲାଗି ପ୍ରୋତ୍ସାହିତ କରିଛି।

Advertisment

ଅନୁଧ୍ୟାନରୁ ମିଳିଥିବା ତଥ୍ୟ ମୁତାବକ, ୭୧ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୧୨.୩ ପ୍ରତିଶତଙ୍କ ଠାରେ ଡିମେନ୍‌ସିଆ ଦେଖାଦେଇଥିବା ବେଳେ ସାମାନ୍ୟ ଦୂରଦୃଷ୍ଟି ଦୋଷ ଥିବା ରୋଗୀଙ୍କ କ୍ଷେତ୍ରରେ ତାହା ୧୯.୫ ପ୍ରତିଶତ ଓ ସାମାନ୍ୟ ସମୀପ ଦୃଷ୍ଟିଦୋଷ ଥିବା ପୀଡ଼ିତଙ୍କ କ୍ଷେତ୍ରରେ ତାହା ୨୧.୫ ପ୍ରତିଶତ ରହିଥିଲା। ତେବେ ମଧ୍ୟମରୁ ଗୁରୁତର ଦୃଷ୍ଟିଦୋଷ ଥିବା ବ୍ୟକ୍ତିଙ୍କ ଭିତରୁ ୩୨.୯ ପ୍ରତିଶତଙ୍କର ଡିମେନ୍‌ସିଆ ଦେଖାଦେଇଥିଲା। ଏଥିରୁ ଦୃଷ୍ଟିଦୋଷର ଉପଚାର ନକଲେ କିପରି ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼େ ତାହା ସ୍ପଷ୍ଟ ହୋଇଛି। ତେଣୁ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଅତି କମ୍‌ରେ ବର୍ଷକୁ ଥରେ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଇ ଚକ୍ଷୁ ପରୀକ୍ଷା କରାଇନେବା ଶ୍ରେୟସ୍କର ବୋଲି ଗବେଷକମାନେ ପରାମର୍ଶ କରିଛନ୍ତି।