ଅନ୍ତରୀକ୍ଷରେ ବିଭିନ୍ନ ମହାକାଶୀୟ ପିଣ୍ଡରୁ ସଂଗୃହୀତ ଧୂଳିରେ ବୈଜ୍ଞାନିକମାନେ ଏକ ବିଶେଷ ଧରଣର କଂକ୍ରିଟ୍ ପ୍ରସ୍ତୁତ କରିପାରିଛନ୍ତି। ଏହି ଅତି ସୁଦୃଢ଼ ‘ଷ୍ଟାର-କ୍ରେଟ୍’ ନାମକ କଂକ୍ରିଟ୍କୁ ଚନ୍ଦ୍ର ଓ ମଙ୍ଗଳ ପୃଷ୍ଠରେ ଗୃହ ନିର୍ମାଣ ପାଇଁ ଉପଯୋଗ କରାଯାଇପାରିବ ବୋଲି ସେମାନେ କହିଛନ୍ତି। ବିଶେଷ କରି ମଙ୍ଗଳ ଓ ଚନ୍ଦ୍ର ପୃଷ୍ଠରେ ଉପଲବ୍ଧ ଅନୁରୂପ ଧୂଳି ସହିତ ମହାକାଶଚାରୀମାନେ ବ୍ୟବହାର କରୁଥିବା ଖାଦ୍ୟରୁ ସଂଗୃହୀତ ଲୁଣ ଓ ଆଳୁ ଷ୍ଟାର୍ଚ ମିଶାଇ ଏଭଳି କଂକ୍ରିଟ ନିର୍ମାଣ କରାଯାଇଛି। ‘ଷ୍ଟାର-କ୍ରେଟ୍’ କଂକ୍ରିଟ୍ ଅନ୍ୟାନ୍ୟ ସାଧାରଣ କଂକ୍ରିଟ୍ ଅପେକ୍ଷା ଦୁଇଗୁଣ ଅଧିକ ଦୃଢ଼ ବୋଲି ଦାବି କରାଯାଇଛି।
ସୁତରାଂ ମହାକାଶରେ ଅତି କଠୋର ପରିବେଶରେ ବସବାସ କରିବାକୁ ଥିବା ମାନବ ପାଇଁ ଆବଶ୍ୟକ ଗୃହନିର୍ମାଣରେ ଏହି କଂକ୍ରିଟ୍ ବେଶ ଉପାଦେୟ ହେବ ବୋଲି ଏହାର ନିର୍ମାତା ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ବିଶେଷ କରି ସୌରଝଡ଼, ମହାଜାଗତିକ ରଶ୍ମି ଓ ବିଭିନ୍ନ ଉଲ୍କାପିଣ୍ଡ ମାଡ଼ରୁ ମୁକୁଳିବା ପାଇଁ ମଙ୍ଗଳ ଓ ଚନ୍ଦ୍ରପୃଷ୍ଠରେ କେଇ ମିଟର ଓସାରର କାନ୍ଥ ବିଶିଷ୍ଟ ଗୃହର ଆବଶ୍ୟକତା ରହିଛି। ତେଣୁ ମଙ୍ଗଳ ଓ ଚନ୍ଦ୍ର ପୃଷ୍ଠରେ ‘ଷ୍ଟାର-କ୍ରେଟ୍’ କଂକ୍ରିଟ୍ ଉପଯୁକ୍ତ ସୁରକ୍ଷା ଯୋଗାଇପାରିବ। ମଙ୍ଗଳରୁ ମିଳିଥିବା ଆଗ୍ନେୟ ଶିଳାକୁ ଗୁଣ୍ଡ କରି ତାହାର ଧୂଳି ୯୫ ଭାଗ ସହିତ ୫ ଭାଗ ଷ୍ଟାର୍ଚ୍ଚ ଓ ସାମାନ୍ୟ ଲୁଣ ମିଶାଇ ଏହି କଂକ୍ରିଟ ପ୍ରସ୍ତୁତ କରାଯାଇଛି ଯାହାର ଚାପ ସହିବାର କ୍ଷମତା ୭୨ ମେଗାପାସ୍କାଲ ବୋଲି ଜଣାଯାଇଛି। ସେହିପରି ଚନ୍ଦ୍ର ଧୂଳିରେ ପ୍ରସ୍ତୁତ କଂକ୍ରିଟ୍ର ଚାପ ସହନଶୀଳତା ୯୧ ମେଗାପାସ୍କାଲ ରହିଛି। ଅପରପକ୍ଷେ, ଆମେ ବ୍ୟବହାର କରୁଥିବା ଉଚ୍ଚମାନର ସିମେଣ୍ଟ କଂକ୍ରିଟ୍ର ଚାପ ସହନଶୀଳତା ୩୨ ମେଗାପାସ୍କାଲ୍। ଅନ୍ତରୀକ୍ଷରେ ଭିତ୍ତିଭୂମି ନିର୍ମାଣ କରିବା ସମ୍ପ୍ରତି ଏକ ଦୁରୂହ ତଥା ଖର୍ଚ୍ଚସାଧ୍ୟ ବ୍ୟାପାର ହୋଇଥିବା ବେଳେ ସେ ଦୃଷ୍ଟିରୁ ଷ୍ଟାର-କ୍ରେଟ୍ ଏକ ସହଜଲବ୍ଧ ନିର୍ମାଣ ସାମଗ୍ରୀ ଭାବେ ଉଭା ହୋଇପାରିବ ବୋଲି ଗବେଷମାନେ ଆଶ୍ବସ୍ତି ପ୍ରକାଶ କରିଛନ୍ତି।