ଜଣେ ୨୩ ବର୍ଷୀୟା ଭାରତୀୟ ଡାକ୍ତରୀ ଛାତ୍ରୀ ୧୯୬୬ ମସିହାରେ ସାରା ପୃଥିବୀରୁ ଆସିଥିବା ୫୦ଜଣ ଦକ୍ଷ ପ୍ରତିଯୋଗିନୀଙ୍କୁ ପଛରେ ପକେଇ ବିଶ୍ବସୁନ୍ଦରୀ ମୁକୁଟ ବିଜୟିନୀ ହୋଇ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କଲେ। ସେ ଯାଏଁ କୌଣସି ଏସୀୟ ମହିଳା ଏହି ସମ୍ମାନ ହାସଲ କରି ନଥିଲେ।

Advertisment

ରୀତା ଫରିଆଙ୍କ ସୌନ୍ଦର୍ଯ୍ୟ ଓ ବୁଦ୍ଧିମତା ବର୍ଣ୍ଣ ପାଇଁ ଭାରତୀୟଙ୍କୁ ନୀଚ ଦେଖୁଥିବା କେତେକ ବିଦେଶ ରାଷ୍ଟ୍ରଙ୍କ ଭାବନାରେ ପରିବର୍ତ୍ତନ ଆଣିଥିଲା। ଅବଶ୍ୟ ରୀତା ତା’ ପୂର୍ବରୁ ମିସ୍ ବମ୍ବେ ଓ ଇଫ୍ ଉଇକ୍ଲି ଦ୍ବାରା ଆୟୋଜିତ ମିସ୍ ଇଣ୍ଡିଆ ୧୯୬୬ ବିଜୟିନୀ ହୋଇଥିଲେ। ସାଙ୍ଗରେ ଥିଲା ଅଳ୍ପକିଛି ଲିପ୍‌ଷ୍ଟିକ୍। ତାହା ସହିତ ଧାରକରା ଶାଢ଼ୀ, ଜଣେ ସାଙ୍ଗର କିଛି ହଳ ଜୋତା ନେଇ ସେ ସେହି ପ୍ରତିଯାଗିତାରେ ପହଞ୍ଚିଥିଲେ। ପର୍ସରେ ଥିଲା ମାତ୍ର ୩ ପାଉଣ୍ଡ। ରୢାମ୍ପ୍ ପାଇଁ ପ୍ରସ୍ତୁତ ହେଉଥିବା ୫ ଫୁଟ୍ ଆଠ ଇଞ୍ଚ୍ ଉଚ୍ଚତାର ରୀତାଙ୍କୁ ସାଙ୍ଗର ଜୋତା ଫିଟ୍ ହେଲା ନାହିଁ। ଏଣୁ ସଙ୍ଗେ ସଙ୍ଗେ ଜୋତା କିଣିବାକୁ ପଡ଼ିଥିଲା। ପ୍ରଥମେ ପ୍ରତିଯୋଗିତାର ସୁଇମ୍ ସୁଟ୍ ରାଉଣ୍ଡକୁ ଜିତିଥିଲେ। ପୁଣି ସାନ୍ଧ୍ୟ ପୋଷାକ ରାଉଣ୍ଡରେ ସମସ୍ତେ ଗାଉନ୍ ପିନ୍ଧିଥିଲାବେଳେ ସେ ଶାଢ଼ି ପିନ୍ଧି ବିଜୟୀ ହୋଇଥିଲେ।

publive-image JanBharat Times

ରୀତା ଫରିଆ ୧୯୪୩ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତା’ଙ୍କ ପିତାଙ୍କ ନାମ ଜନ୍ ଓ ମାତାଙ୍କ ନାମ ଆଣ୍ଟୋଏନେଟ ଥିଲା। ତାଙ୍କ ପିତା ଏକ ଖଣିଜ ଜଳ କାରଖାନାରେ କାମ କରୁଥିବାବେଳେ ମା’ ଏକ ସେଲୁନ୍‌ରେ କାମ କରୁଥିଲେ। ବାଲ୍ୟକାଳରୁ ରୀତାଙ୍କର ଉଚ୍ଚତା ସାଧାରଣ ଭାରତୀୟ ଝିଅମାନଙ୍କର ଉଚ୍ଚତାଠାରୁ ଅଧିକ ଥିଲା। ହକି ଗ୍ରାଉଣ୍ଡ୍‌ରେ ଥିବା ସହପାଠୀମାନେ ତାଙ୍କ ଉଚ୍ଚତା ଦେଖି ରୀତାଙ୍କୁ ଥଟ୍ଟା କରୁଥିଲେ। କିନ୍ତୁ ସେହି ଉପହାସ ଦିନେ ପ୍ରଥମ ପୃଷ୍ଠା ପାଲଟିଗଲା।

ସେ ଗାଉଣ୍ଟ୍ ମେଡିକାଲ୍ କଲେଜ ଓ ମୁମ୍ବାଇର ସାର୍ ଜାମସେଦଜୀ ଜିଜିବାଇ ଗ୍ରୁପ୍ ଅଫ୍ ଏମ୍‌ବିବିଏସ୍ ଡିଗ୍ରି ହାସଲ କରିଥିଲେ ଓ ଉଚ୍ଚଶିକ୍ଷା ପାଇଁ ଲଣ୍ଡନର କିଙ୍ଗ୍ସ କଲେଜକୁ ଯାଇଥିଲେ। ଅଧ୍ୟୟନ ସହିତ ମଡେଲିଂରେ ରୀତା ଫରିଆ ବେଶ୍ ପ୍ରବୀଣ ଥିଲେ। ୧୯୭୧ରେ ରୀତା ଫରିଆ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡେଭିଡ୍ ପାୱେଲଙ୍କୁ ବିବାହ କରିଥିଲେ। ପରେ ନିଜ ସ୍ବାମୀଙ୍କ ସହ ୧୯୭୩ ମସିହାରେ ଡବଲିନକୁ ଯାଇଥିଲେ। ତାଙ୍କର ଦୁଇ ଝିଅ ଓ ପାଞ୍ଚ ନାତିନାତୁଣୀ ରହିଛନ୍ତି।

ବିଶ୍ବସୁନ୍ଦରୀ ହେବା ପରେ ସେ ବାଦବିବାଦରେ କିଛି ବର୍ଷ ଘେରି ରହିଥିଲେ। ବିଜୟ ପରେ ରୀତା ବିଶ୍ବଯାତ୍ରା ଆରମ୍ଭ କରିଥିଲେ। ସେଥିରେ ସେ ଖ୍ରୀଷ୍ଟମାସ ସମୟର ଅଭିନେତା ତଥା ହାସ୍ୟ ଅଭିନେତା ବବ୍ ହୋନଙ୍କ ସହ ଭିଏତନାମ ଯାଇଥିଲେ, ଯେଉଁଠାରେ ଯୁଦ୍ଧ ସମୟରେ ଆମେରିକୀୟ ସେନା ଉପସ୍ଥିତ ଥିଲେ। ସେମାନଙ୍କ ଦୟନୀୟ ଅବସ୍ଥା ଦେଖି ରୀତା ଦୁଃଖ ପ୍ରକାଶ କରିଥିଲେ। ସେତେବେଳେ ଭାରତ ସରକାର ଉତ୍ତର ଭିଏତନାମର କମ୍ୟୁନିଷ୍ଟ୍ ସରକାରକୁ ସମର୍ଥନ କରୁଥିଲେ। ସେ ସମୟରେ ଭାରତରେ ଆମେରିକୀୟ ସୈନ୍ୟମାନଙ୍କ ସହ ରୀତାଙ୍କ ଫଟୋକୁ ବିରୋଧ କରାଯାଇଥିଲା। ଏପରିକି ଏହି ପ୍ରସଙ୍ଗରେ ସଂସଦରେ ବିତର୍କ ବି ହୋଇଥିଲା।

୧୯୬୬ମସିହାରେ ରୀତା ଲଣ୍ଡନରେ ଚାଲିଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇ ବିଶ୍ବସୁନ୍ଦରୀ ହୋଇଥିଲେ। ସେ ପ୍ରଥମ ଭାରତୀୟ ସହିତ ପ୍ରଥମ ଏସୀୟ ଭାବେ ବିଶ୍ବ ସୁନ୍ଦରୀ ମୁକୁଟ ଜିତିଥିଲେ। ପରେ ମେଡିକାଲ୍ କ୍ଷେତ୍ରରେ ନିଜ କ୍ୟାରିୟର କରିଥିଲେ। ରୀତାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଭାରତ, ଆମେରିକା ଏବଂ ଆୟର୍ଲାଣ୍ଡରେ ଚର୍ଚ୍ଚା ହୋଇଥିଲା। ବିଭିନ୍ନ ସାକ୍ଷାତ୍‌କାର ଦେବାପାଇଁ ଡାକରା ଆସିଥିଲା। ପ୍ରଥମ ଇଣ୍ଡିଆନ୍ ମିସ୍ ୱାର୍ଲ୍ଡ ରୀତା ଫରିଆଙ୍କୁ ବ୍ରିଟେନର ଗୋଆନ୍ ସମ୍ପ୍ରଦାୟ ଦ୍ବାରା ସମ୍ମାନିତ କରାଯାଇଥିଲା।