ରେଖାପଞ୍ଚମୀ ନୀତି ଶ୍ରୀମନ୍ଦିରର ଏକ ବିଶେଷ ନୀତି। ଏହି ନୀତି ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ। ସାଧାରଣରେ ଗୋଟିଏ ଧାରଣା ଅଛି, ଯେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୀଳାଦ୍ରିବିଜେରେ ଶେଷ ହୁଏ। ମାତ୍ର ପ୍ରକୃତରେ ଶ୍ରାବଣ ଅମାବାସ୍ୟାର ଚିତାଲାଗି ଓ ଭାଦ୍ରବ କୃଷ୍ଣ ପଞ୍ଚମୀର ‘ରାହୁରେଖା’ ଲାଗି ପରେ ହିଁ ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ନୀତିର ଶେଷ ହୋଇଥାଏ।

Advertisment

ଏହି ରାହୁରେଖା ହେଉଛି–ସୁନାରେ ତିଆରି ‌ଏକ ପ୍ରକାରର ପଟି। ଏହା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ କପାଳ ସମେତ ଶ୍ରୀମୁଖର ଦୁଇ ପାର୍ଶ୍ବର ଶୋଭା ବୃଦ୍ଧି କରିଥାଏ। ତିନି ଠାକୁରଙ୍କର ଶ୍ରୀମୁଖର ଆକୃତି ଭିନ୍ନ ଭିନ୍ନ ହୋଇଥିବାରୁ ଏହାର ଆକାର ଭିନ୍ନ ଭିନ୍ନ ହୋଇଥାଏ। (ଛବି ଦ୍ରଷ୍ଟବ୍ୟ)। ଏହି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖର ରାହୁରେଖାର ଆକାର ବଡ଼, ଶ୍ରୀବଳଭଦ୍ରଙ୍କର ମଧ୍ୟମ ଓ ଦେବୀ ସୁଭଦ୍ରାଙ୍କର ସାନ।

ଏହି ତିନି ରାହୁରେଖା ତିନି ଠାକୁରଙ୍କ ମସ୍ତକର ରତ୍ନଚିତା ଉପରଦେଇ ସେମାନଙ୍କର ଶ୍ରୀମୁଖର ଦୁଇ ପାର୍ଶ୍ବକୁ ବେଷ୍ଟନ କରିଥାଏ। ଜ୍ୟେଷ୍ଠପୂର୍ଣ୍ଣିମା ଦିନ ସ୍ନାନବେଦୀରେ ଶ୍ରୀଜିଉମାନଙ୍କର ସ୍ନାନ ଓ ହାତୀବେଶ ନୀତି ପରେ, ହାତୀବେଶ ଉଲାଗି ହୁଏ ଏବଂ  ତାହା ପରେ ସେମାନେ ଗୋଟି ପହଣ୍ଡିରେ ଅଣସର ଘରକୁ ଯାଇଥାଆନ୍ତି।

ତାହାପରେ, ବିଧିମତେ ସେମାନଙ୍କର ରତ୍ନଚିତା ଓ ରାହୁରେଖାକୁ ଉଲାଗି କରାଯାଇ ଭଣ୍ଡାରଘରେ ରଖାଯାଏ। ଉଲାଗି କରାଯାଇଥିବା ରତ୍ନଚିତା ଶ୍ରାବଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା ଦିନ ଲାଗି କରାଯିବା ପରେ, ରାହୁରେଖା ଭାଦ୍ରବ କୃଷ୍ଣ ପଞ୍ଚମୀ ଦିନ ଲାଗି କରାଯାଏ। ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ରଥାରୂଢ଼ ଠାକୁରମାନଙ୍କୁ ରତ୍ନଚିତା ପରିବର୍ତ୍ତେ ସୁବର୍ଣ୍ଣ ଖଚିତ ସୋଲଚିତା ଲାଗି କରାଯାଉଥିବା ବେଳେ, ରାହୁରେଖା ପରିବର୍ତ୍ତେ ସେମାନଙ୍କୁ ଅନ୍ୟ କୌଣସି ଅଳଙ୍କାର ଲାଗି କରାଯାଇ ନ ଥାଏ। ରେଖା ପଞ୍ଚମୀ ଦିନ ବିଶ୍ବାବସୁ ଓ ବିଦ୍ୟାପତି ବଂଶର ଦଇତା ଓ ପତି ସେବକମାନେ ବିଧିମତେ ଏହି ରାହୁରେଖା ଲାଗି କରିଥାଆନ୍ତି। ଏହି ସୁବର୍ଣ୍ଣ ରାହୁରେଖା ଶ୍ରୀଜୀଉମାନଙ୍କର ମୁଖମଣ୍ଡଳର ଏକ ଅଳଙ୍କାର ରୂପେ ପରିଗଣିତ ହୁଏ। କିନ୍ତୁ ଲୋକକଥିତ ମତେ, ସେମାନେ ଦାରୁବ୍ରହ୍ମ ରୂପରେ ମଧ୍ୟ ମାନବୀୟ ଲୀଳା କରୁଥିବାରୁ, ରାହୁ ଗ୍ରହ ଆଦିଙ୍କର ଗ୍ରହକୋପ ନିବାରଣ ନିମନ୍ତେ ଏହି ରାହୁରେଖା ପରିଧାନ କରିଥାନ୍ତି।
-ଅସିତ ମହାନ୍ତି