ଆମ ଦେଶରେ, ଖାଲି ଓଡ଼ିଶାରେ ନୁହେଁ, ସର୍ବତ୍ର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଅବସ୍ଥା ହେଉଛି- ‘ଦାଣ୍ତରୁ ଆଣି ହାଣ୍ତିରେ ପକା।’ ଫସଲ ଅମଳ ପରେ ତାହାକୁ ସାଇତି ରଖିବାର ପରିସ୍ଥିତି ସେମାନଙ୍କର ନାହିଁ। ଧାନ ବିକିଲେ ସଂସାରର ଅନ୍ୟ ଖର୍ଚ୍ଚ ସାଙ୍ଗକୁ କୋଅପରେଟିଭ୍ ଓ ଅନ୍ୟ ସରକାରୀ ଋଣ ସେମାନଙ୍କୁ ଶୁଝିବାକୁ ପଡ଼ିବ। ସେଥିପାଇଁ ଅନନ୍ୟୋପାୟ ହୋଇ ଅର୍ଥଗୃଧ୍ର ମୁନାଫାଖୋରମାନଙ୍କୁ ଦର ଯାହା ହେଉନା କାହିଁକି ସେମାନେ ଧାନ ମପେଇ ଦିଅନ୍ତି। ଏ ପରିସ୍ଥିତିରେ ସରକାରୀ କଳ ସେମାନଙ୍କୁ ଯେଉଁ ସୁରକ୍ଷା ଦେବା କଥା, ତାହା ଦେଉ ନ ଥିବା ଅତ୍ୟନ୍ତ ପରିତାପର ବିଷୟ।

Advertisment

(ସଂପାଦକୀୟ: କୁମ୍ଭକର୍ଣ ନିଦ ଭାଙ୍ଗୁ,
‘ସମ୍ବାଦ’ ୩୦.୧୦.୧୯୮୫)

“ସୁଜ୍ଞଜନେ! ଏମିତି ଢେଏରେ ଢେଏରେ ନୋକ ଅଛିନି, ଯୋଉମାନେ ପିଣ୍ତା ଓପରୁ ଦାଣ୍ତଧୂଳିକି ଓହ୍ଲାନ୍ତି ନାହିଁ। ଗୋେଡ଼ରେ ଧୂଳି ନାଗିଯିବା ଆଁ? ଦାଣ୍ଡେରେ କିଏ ଭଲା କିଏ ଗଲା ସେଥିରେ ତାଙ୍କର କିଛି ନ ଥାଏ। ଅଣ୍ଟିକଟା, ତଣ୍ଟିକଟା, ପେଟକଟା, କାନିକଟା, ସିନ୍ଧିକଟା ଚୋର, ଗଣ୍ଠିଲି ଚୋର, କଖାରୁ ଚୋରମାନେ ସବୁ ତାଙ୍କ ଆଗେରେ ଥାନାକୁ ଜୁରି ନିଅନ୍ତୁ କି ଲୁଟି ନିଅନ୍ତୁ ସେମାନେ ତେଇଁକି ‘ହାଁ’ ବୋଲି ବି କହିମେ ନେଇ, ସବୁ କଥାରେ ପାନ ଚୋବେଇ ଚୋବେଇ କଇମେ - ହ, ଆମର କି ଯାଏ?’’ ସେମାନଙ୍କ ଆଖି ଆଗେରେ ଯେତେକ ଅସନା ଅବର୍ଜିଆ କଥା ସବୁ ଘଟିଯାଉଥିବ, ହେଲେ ଆପଣା ସୁଆର୍ଥକୁ ଜଗି ସେମାନେ ଆଖି ବୁଜି ଦେଉଥିବେ।’’

(ନରୋତ୍ତମ ଚକଡ଼ା- ୫୨, ନରିଆ ଦାସ)

“ଏ ସନାତନ ବରଗଛଟା ଯେମିତି ‘ଏଷ୍ଟାବ୍ଲିଶମେଣ୍ଟ’ର ପ୍ରତୀକ। ଦକ୍ଷିଣାର ହିଲ୍ଲୋଳ ତାକୁ ଆଦୌ ସ୍ପର୍ଶ କରିପାରୁନାହିଁ। ସିଏ ଯେପରି ଅପେକ୍ଷା କରୁଛି ବିପ୍ଳବର ଅନ୍ଧଘୂର୍ଣ୍ଣି ପରି ଉନ୍ନତ ଚୈତାଳୀ। ଆସ ଚୈତାଳୀ, ଭାଙ୍ଗି ଉଡ଼ାଇ ନିଅ ଏ ବିବର୍ଣ, ଧୂସର ନିର୍ବେଦତା। ଏ ପୃଥିବୀ ପୁଣି ଥରେ ସବୁଜ ହେଉ। ନବ ପଲ୍ଲବ ପାଇଁ ଅପର୍ଣ୍ଣାର ଦୀର୍ଘ ମୌନ ତପସ୍ୟା ଫଳବତୀ ହେଉ।’’

(ଶେଷସ୍ତମ୍ଭ: ଅପର୍ଣ୍ଣାର ତପସ୍ୟା,
‘ସମ୍ବାଦ’ ତା. ୮.୨.୧୯୮୬)

ଶ୍ରୀକୃଷ୍ଣଙ୍କ ଓଠରେ ସ୍ମିତହସର ରେଖାଟିଏ ଫୁଟି ମେଘମାଳା ମଧ୍ୟରେ ପ୍ରତିପଦାର ଶଶିଲେଖା ପରି ବିଲୀନ ହୋଇଗଲା। କାହାର ଲଜ୍ଜା ନିବାରଣ କରିବେ ସେ? ଏଇ କୁଳନାରୀର? ଯାଦବୀମାନେ ସୁଦ୍ଧା ଆଜି ରୂପଯୌବନପ୍ରମତ୍ତା, ମଦମତ୍ତନୟନା, ଝୀନବସନ ତଳେ ସେମାନେ ମାଂସଳତାର ପ୍ରଦର୍ଶନୀ! ଏଇପରି ଧର୍ଷଣ ପାଇଁ ଆପାଙ୍ଗରେ ସେମାନଙ୍କର ମୁଗ୍ଧ ଆମନ୍ତ୍ରଣ। କାହିଁ ଦ୍ରୌପଦୀର ଅଗ୍ନିସ୍ନାତ ଶୁଚି? କାହିଁ ଐକାନ୍ତିକ ଭକ୍ତି? ଆତ୍ମସମର୍ପଣ? ସେମାନେ ତ ଆଜି ନିଜକୁ ସମର୍ପଣ କରିଛନ୍ତି, ସେଇ ପ୍ରମତ୍ତ କାମ ଠାରେ। କାହାର ଲଜ୍ଜା ନିବାରଣ କରିବେ ଶ୍ରୀକୃଷ୍ଣ? ଶ୍ରୀକୃଷ୍ଣଙ୍କ ବାମହସ୍ତରେ ସୁଦର୍ଶନ ଚ‌ଞ୍ଚଳ ହୋଇ ଉଠୁଥିଲା, ଅମ୍ବରୀଷର ଶିରଚ୍ଛେଦନ ପାଇଁ। ଏଇ ଧର୍ଷିତା ରମଣୀ ତ ଆଜି ଏଇ ଆତ୍ମଘାତୀ କାଳର ପ୍ରତୀକ! ଅମ୍ବରୀଷର ଶିରଚ୍ଛେଦନ କରି ଲାଭ ନାହିଁ। ତୁମେ ବରଂ ଶେଷ ଯାଦବକୁ ଧ୍ବଂସ କରିବ ସୁଦର୍ଶନ! କିନ୍ତୁ ସେଥିପାଇଁ ବିଳମ୍ବ ଅଛି।

(ଗଳ୍ପ: ‘ଯଦୁବଂଶ’)

ଅଜାତଶତ୍ରୁ ଥରେ ଚାହିଁଲେ ଧାତ୍ରୀ ବସୁମତୀ ଆେଡ଼, ଆଉ ଥରେ ଚାହିଁଲେ ଚଣ୍ତ ଆେଡ଼। ତା’ପରେ ବିହ୍ବଳ ପରି ଧାଇଁ ଚାଲିଗଲେ ବାହାରକୁ। ଅଙ୍ଗନ ପରେ ଅଙ୍ଗନ, ଅଳିନ୍ଦ ପରେ ଅଳିନ୍ଦ, ସୋପାନ ଶ୍ରେଣୀ ପରେ ସୋପାନ ଶ୍ରେଣୀ, ଅଜାତଶତ୍ରୁ ଧାଇଁ ଚାଲିଛନ୍ତି ଉନ୍ମାଦ ପରି। କାରାଗାରର ପ୍ରବେଶ ଦ୍ବାର ନିକଟରେ ଅଜାତଶତ୍ରୁ ରହିଗଲେ। ରକ୍ଷୀ ଅଭିବାଦନ ଜଣାଇଲା।
ଅଜାତଶତ୍ରୁ ଆଦେଶ ଦେଲେ – ଦ୍ବାର ଖୋଲ ରକ୍ଷୀ!
ଦୁଇ ପ୍ରକାଣ୍ତ ଲୌହ କବାଟ ବିକଟ ଶବ୍ଦ କରି ଖୋଲିଗଲା। ଭିତର ନିରନ୍ଧ୍ର ଅନ୍ଧକାର। ଅଜାତଶତ୍ରୁ ଅନ୍ଧକାରାବୃତ୍ତ ସୋପାନ ଶ୍ରେଣୀ ଅତିକ୍ରମ କରି ଧାଇଁଗଲେ କାରାଗାର ଭିତରକୁ!
ପିତା ଆଜି ପାଇଛି ପିତୃତ୍ବ ସନ୍ଧାନ।

(ଗଳ୍ପ: ‘ପିତା ଓ ପୁତ୍ର’)

ଉପକ ଚାହିଁ ଦେଖୁଥିଲା–ଶିରୀଷମାଲ୍ୟଭୂଷିତା, ନବମଣି ବିନିର୍ମିତ କାଞ୍ଚ‌ୀ, କେୟୂର, କଙ୍କଣ ଓ ନୂପୁରଭୂଷିତା, ସୁଧାରସ ତରଙ୍ଗିତନୟନା, ମଦାବେଶବିହ୍ବଳା ଏହି ରତିକାଙ୍‌କ୍ଷିଣୀ ନାରୀ, ନାରୀ ନୁହେଁ; ବିଶ୍ବର ପୁଞ୍ଜୀଭୂତ କାମନା ଯେପରି ଅଗଣିତ ଜୀନ, ତୀର୍ଥଙ୍କର ନିର୍ବାଣ ସାଧନାକୁ ଉପହାସ କରି, କମଳଦଳାବୃତ ଶଯ୍ୟାରେ, ଅଳସ ଅପରାହ୍‌ଣ ପରି ଦେହ ଢାଳି ଶୋଇଛି।

(ଗଳ୍ପ: ‘ମଧୁମତ୍ତାର ରାତ୍ରି’)

ଗୃଧ୍ରକୂଟ ବିହାରର ତ୍ରିତଳ ଶିଖରରେ, ନିଜ ପ୍ରକୋଷ୍ଠ ସମ୍ମୁଖସ୍ଥ ଏକ ମୁକ୍ତ ଚତୁଷ୍କୋଣାକାର ଅଳିନ୍ଦରେ ଗୋଟିଏ ଉଚ୍ଚାସନ ଉପରେ ଆଚାର୍ଯ୍ୟ ଶାନ୍ତିଦେବ, ତଥାପି ଧ୍ୟାନାସନ ପରି ବସିଥିଲେ। ପୂର୍ଣ୍ଣିମା ତିଥିର ଜ୍ୟୋତ୍ସ୍ନାପ୍ଳାବନ ମଧ୍ୟରେ, ଛାୟାଚ୍ଛନ୍ନ ଶାନ୍ତିଦେବ, ଗୋଟିଏ ନିଶ୍ଚଳ ଶିଳାମୂର୍ତ୍ତି ପରି ଦିଶୁଥିଲେ। ବିହାରର ଆମ୍ରବୀଥିକାରେ ବୃକ୍ଷର ଛାୟାସବୁ, ରାତ୍ରିର ବିନିଦ୍ର ପ୍ରହରରେ ଶତ ବେଦନାର ସ୍ମୃତି ପରି ବିଚ୍ଛୁରିତ ହୋଇ ପଡ଼ିଥିଲା। ଗୋଟିଏ ଟିଟ୍ଟିଭର ଅଶାନ୍ତ ଚିତ୍କାର, ବେଳେ ବେଳେ ଆବେଗ ଓ କାମନାବିହୀନ କୁମାରୀ ରାତ୍ରିକୁ ଶୀତଳ ସୁଷୁପ୍ତିରୁ ଜାଗ୍ରତ କରିବା ପାଇଁ ଚେଷ୍ଟା କରି, ଯେପରି ବାରମ୍ବାର ବିଫଳ ହେଉଥିଲା।

(ଗଳ୍ପ: ‘ମହାନିର୍ବାଣ’)

କାରୋ ଗାଁରେ ହେଉଥିଲା ଇନ୍ଦ୍ ପରବ। ଶାଳ ଜଙ୍ଗଲରେ ନାଲିପତ୍ରର, ପଲାଶ ଗଛରେ ନାଲି ପଲାଶର, ହୋରି ଲାଗିଥିଲା। ମହୁଲ ଗଛରେ କଳା ଭଅଁର ମାତାଲ୍ ହୋଇଥିଲା। ତଳେ କାରୋ ଗାଁ, ଦଲକୀ ଗାଁ, ଖେଣ୍ତ୍ରା ଗାଁ, ଆଉ ବେଲକୋଣ୍ତ୍ରୀ ଗାଁର ଯେତେକ ଧାଙ୍ଗଡ଼ା, ଯେତେକ ଧାଙ୍ଗଡ଼ୀ ମାତାଲ ହୋଇଥିଲେ ମହୁଆ ନିଶାରେ, ଝମୁର୍ ନାଚରେ, ମାଦଲ ବାଜାରେ, ବଂଶୀର ଲହରରେ। ନାଚି ନାଚି ପାଦ ଥକିଗଲେ, ଦମ୍ ଛିଣ୍ତିଗଲେ, ଦଳ ଦଳ ହୋଇ ଧାଙ୍ଗଡ଼ା ଧାଙ୍ଗଡ଼ୀ ହାତ ଧରାଧରି ହୋଇ ଚାଲି ଯାଉଥିଲେ ଜଙ୍ଗଲ ଭିତରକୁ, କାରା ନଈ କୂଳକୁ। ଆକାଶରେ ଆଜି ପୁଷୁ ପୂନେଇଁର ଚାଣ୍ତୁ ଉଠିବ। ଯୌବନ ଦରିଆରେ ତେଣୁ ଆଜି ଜୁଆର ଉଠିଛି। ଆଜି ସାତ ଖୁଣ୍ ମାଫ୍।

(ଗଳ୍ପ: ‘ଖାଦାନୀ’)

ରୂପଶ୍ରୀ ରୂଢ଼ କଣ୍ଠରେ କହିଲା, “ଫେରିଯାଅ ଭିକ୍ଷୁ! କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ ଭିକ୍ଷୁ। ଏ ମୋର ଅଭିଶାପ!”

(ଗଳ୍ପ: ‘ସାରୀପୁତ୍ତ’)

ଏବେ କିନ୍ତୁ ଦଳ ଦଳ ଉତ୍‌ଫେଣ ବାସୁକି ଯେପରି ମେଦିନୀର ଭାର ତଳେ ଫିଙ୍ଗି, କଚାଡ଼ି ସୃଷ୍ଟିର ସଂହାର ପାଇଁ ଆକାଶର ପୂର୍ବ ଓ ଦକ୍ଷିଣ କୋଣରୁ ବଗପାଟିଆ ଚକ ଉପରେ ଝଡ଼ର ଜିହ୍ବା ଲହ ଲହ ଲମ୍ବାଇ ଓହ୍ଲାଇ ଓହ୍ଲାଇ ଆସୁଥିଲେ। କଳାଧୂଆଁର ଘୂର୍ଣ୍ଣିସବୁ ଚକ୍ର ପରି ଘୂରି ଘୂରି ଶିଶୁ ଶାରଦ ଧାନର ପତ୍ର ଓ ଫୁଲ ଉଡ଼ାଇ ଆସୁଥିବା ଧାନକେଣ୍ତା ଟିକିଟିକି ଛିଣ୍ତାଇ, ଫୁତ୍କାରରେ ଉଡ଼ାଇ ନେଉଥିଲେ। ବରକୋଳିଆ ମେଘଟୋପା ସବୁ ଦିନର ସ୍ତମ୍ଭିତ ଆଲୋକ, ଓଲଟା ବିଜୁଳି ମଧ୍ୟରେ ଝରିପଡୁଥିବା ଅଗ୍ନି ସ୍ଫୁଲିଙ୍ଗର ଭ୍ରମ ସୃଷ୍ଟି କରିଥିଲେ।
ଏଇ କ’ଣ ପ୍ରଳୟ–ରୁଦ୍ର ସୌନ୍ଦର୍ଯ୍ୟ?
ପରିଚିତ ଉପଲବ୍ଧିର ସଂକୀର୍ଣ୍ଣ ପରିଧି ଅତିକ୍ରମ କରି, ଯେଉଁ ଅନାପେକ୍ଷିକ ମହିମା ମନୁଷ୍ୟକୁ ସମ୍ମୋହିତ, ଅଭିଭୂତ କରିଦିଏ; ଏଇ କ’ଣ ସେଇ ବିଶ୍ବରୂପ?

(ଉପନ୍ୟାସ: ‘କାଳାନ୍ତର’)

ମୁଁ କହିଲି... “ତୁମେ ଖୁସି ହବ? ମୁଁ ବୃତ୍ତି ପାଇଲେ କ’ଣ ଆଣିବ ମୋ ପାଇଁ?’’
ଅଜା ଉତ୍ତର ଦେଲେ... “ଆର ଥରକୁ ଗୋଟାଏ ବଇଁଶୀ ଆଣିବି। ନଈ ବନ୍ଧରେ, ଆମ୍ବ ତୋଟାରେ ବସି ବଇଁଶୀ ବଜେଇବୁ।’’
ଶୈଶବର ସବୁ ଐଶ୍ବର୍ଯ୍ୟ, ଅଜା ମୋ ଆଗରେ ଫିଟାଇ ଦେଉଥିଲେ ଗୋଟି ଗୋଟି କରି। ଅଜା ଜାଣିଲେ କେମିତି, ମତେ ଭଲ ଲାଗେ, ନିଛାଟିଆ ଖରାବେଳେ ବଇଁଶୀର ନାଗେଶ୍ବରୀ ସ୍ବର ଶୁଣିବା ପାଇଁ?
ହଠାତ୍ ରସଭଙ୍ଗ କରି, ଭିତରୁ ବାପାଙ୍କ କଠଉ ଠକ୍ ଠକ୍ ଶୁଭିଲା। ଅଜା କହିଲେ – “ପଳା, ପଳା, ତୋ ବାପା ତୋତେ ମୋ ପାଖରେ ଦେଖିଲେ ଅବିକା ରାଗିବ।’’
“ଗୁଡ଼ି?’’ – ମୁଁ ପଚାରିଲି ଅସହାୟ କଣ୍ଠରେ।
“ତୁ ସ୍କୁଲରୁ ଫେରିବା ବେଳକୁ, ମୁଁ ତିଆରି କରି ରଖିଥିବି।’’
“ରସୁଣ କାଖ ତଳେ ଜାକିବି ନାଇଁ?’’ ଇସ୍କୁଲକୁ ଯିବା ପାଇଁ ମୋର ମନ ନ ଥିଲା।
ଅଜାଙ୍କ କଣ୍ଠସ୍ବର କଠିନ ହୋଇ ଉଠିଲା, “ତୁ’ଟା ସତରେ ପାଠଚୋର। ତୁ ଇସ୍କୁଲ ନ ଗଲେ ମୁଁ ଆଉ ଗୁଡ଼ି ତିଆରି କରିବି ନାହିଁ।’’

(ଆତ୍ମଚରିତଧର୍ମୀ ଉପନ୍ୟାସ: ‘ନେତି ନେତି’)

ବୁଲ୍‌‌ଡୋଜର ସବୁ ଚାଲି ଭୂମି ସମତଳ ହେଉଛି। ବଡ଼ ବଡ଼ ଗଛସବୁ ଆଘାତରେ ଟଳିପଡୁଛନ୍ତି... ସଭ୍ୟତା ଆସୁଛି... ଏକ କ୍ଷୁଧିତ ରାକ୍ଷସ ପରି। ଭୁବନେଶ୍ବରର ଶାନ୍ତି, ସ୍ନିଗ୍ଧତା ଓ ପରିବେଶ... ସବୁ ଗ୍ରାସ କରିଯାଉଛି ସଭ୍ୟତା ଓ ରାଜନୀତି। ସବୁ ହଜିଯାଉଛି, ତା’ର ମହାକ୍ଷୁଧାର ଯାନ୍ତ୍ରିକ ଚିତ୍କାର ମଧ୍ୟରେ!

(ଜୀବନସ୍ମୃତି: ପଥ ଓ ପୃଥିବୀ -
‘ପ୍ରଥମ କାଉନ୍‌ସିଲ୍ ଅଫ୍ ଷ୍ଟେଟ୍‌ସ୍‌’)