ତେବେଳେ ଶିଶୁଟି ଶୈଶବରୁ କୈଶୋର ଅବସ୍ଥାରେ ପାଦ ଥାପେ, ସେତେବେଳେ ତା’ର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ଘଟେ। ଯଦ୍ଦ୍ବାରା ଶରୀରରେ ହର୍ମୋନ୍‌ ସନ୍ତୁଳନ ବାଧାପ୍ରାପ୍ତ ହୁଏ, ସ୍ବର କର୍କଶ ଓ ତ୍ବଚାରେ ଛୋଟ ଛୋଟ ବ୍ରଣ ସୃଷ୍ଟି ହେବା ଆରମ୍ଭ ହୁଏ। ଏହି ବ୍ରଣ ବା ଆକ୍‌ନି ବା ପିମ୍ପଲ୍‌ ତ୍ବଚାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ। ଯାହାଫଳରେ କିଶୋର ବା କିଶୋରୀଟିଏ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼େ। କେବଳ କିଶୋରକିଶୋରୀ ନୁହନ୍ତି, ହର୍ମୋନ୍‌ର ଅସନ୍ତୁଳନ, ରକ୍ତ ଅପରିଷ୍କାର, ତେଲମସଲା ଯୁକ୍ତ ଖାଦ୍ୟ, ବ୍ୟସ୍ତବହୁଳ ଜୀବନଶୈଳୀ ଓ ରାତି ଅନିଦ୍ରା କାରଣରୁ ବିଭିନ୍ନ ବୟସର ବ୍ୟକ୍ତିବିଶେଷ ଓ ମହିଳା ଏହି ବ୍ରଣ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆଜିର ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ପଦ୍ଧତିରେ ବ୍ରଣ ସମସ୍ୟା ସମାଧାନ କରିବା ଅତ୍ୟନ୍ତ ସହଜ। ବ୍ରଣ ସମସ୍ୟାର କାରଣ, ନିରାକରଣ ଓ ପ୍ରତିକାର କରିବାର କିଛି ଘରୋଇ ଉପାୟ ବିଷୟରେ ଆସନ୍ତୁ ଜାଣିବା।
୧. ଜଳ ଆମ ରକ୍ତକୁ ପରିଷ୍କାର କରିଥାଏ। ତେଣୁ ପ୍ରତିଦିନ ୩-୪ ଲିଟର ବିଶୁଦ୍ଧ ଜଳ ପାନ କରିବା ଉଚିତ
୨. ଆପଣଙ୍କର ବ୍ରଣ ହେଉଥିଲେ ଗରିଷ୍ଠ ଖାଦ୍ୟରୁ ଦୂରେଇ ରହନ୍ତୁ। ସହଜରେ ହଜମ ହେଉଥିବା ଖାଦ୍ୟ ଆପଣଙ୍କ ଖାଇବା ରୁଟିନ୍‌ରେ ସାମିଲ କରନ୍ତୁ
୩. ଅତ୍ୟଧିକ ମସଲା, ତୈଳ, ଲବଣ ଓ ମିଠାଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ
୪. ନିୟମିତ ୬ରୁ ୮ ଘଣ୍ଟା ସୁଖ ନିଦ୍ରାରେ ଶୟନ କରିବା ପାଇଁ ଚେଷ୍ଟା କରନ୍ତୁ
୫. ମାନସିକ ଚାପରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ
୬. ବ୍ରଣ ହେଉଥିଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି କେମିକାଲଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
୭. ସକାଳୁ ଉଠିଲା ପରେ ଲେମ୍ବୁ ମିଶ୍ରିତ ଉଷୁମ ପାଣି ବା ଗ୍ରିନ୍‌ ଟି’ ପିଅନ୍ତୁ
୮. ପ୍ରତିଦିନ ତ୍ବଚାକୁ ଦୁଇଥର ହାଲ୍‌କା ଉଷୁମ ପାଣିରେ ଧୋଇ ସାଲିସିଲିକ୍‌ ଏସିଡ୍‌ ଫୋମ୍‌ ଫେସ୍‌ୱାସ୍‌ରେ ମୁହଁ ଧୁଅନ୍ତୁ
୯. ଦିନରେ କିଛି ଜଳଭିତ୍ତିକ (ହାଇଡ୍ରେଟିଙ୍ଗ୍‌) ମଶ୍ଚରାଇଜର୍‌ ଓ ଜେଲ୍‌ ସନ୍‌ସ୍କ୍ରିନ୍‌ ବ୍ୟବହାର କରନ୍ତୁ 
୧୦. ରାତିରେ ଶୋଇବା ପୁର୍ବରୁ ଭଲ ଭାବରେ ମୁହଁ ଧୋଇ ବ୍ରଣ ପାଇଁ ସିରମ୍‌ ବ୍ୟବହାର କରନ୍ତୁ
୧୧. ଆପଣ ନିୟମିତ ଭାବରେ ଆଲୋଭେରା ଜେଲ୍‌ ବ୍ୟବହାର କରିପାରିବେ
୧୨. ଟି’ ଟ୍ରି ବା ଗ୍ରୀନ୍‌ ଟି’ ତେଲକୁ ବ୍ରଣ ଦାଗରେ ବ୍ୟବହାର କରିପାରିବେ
୧୩. ହଳଦୀ, ଚନ୍ଦନ ଓ ଗୋଲାପ ଜଳର ମିଶ୍ରଣକୁ ମଧ୍ୟ ବ୍ରଣ ସ୍ଥାନରେ ଲଗାଇ ପାରିବେ
୧୪. କିଛି ମହୁ ଓ କେଇ ବୁନ୍ଦା ଲେମ୍ବୁ ରସକୁ ନେଇ ବ୍ରଣର ମୃତ ଚର୍ମ କୋଷରେ ଘଷିଲେ ବ୍ରଣଜନିତ କଳାଦାଗ ଦୂର ହୋଇଥାଏ
୧୫. କିଛି ଆପଲ୍‌ ସାଇଡର୍‌ ଭିନେଗାର୍‌କୁ ପାଣିରେ ମିଶାଇ ଲଗାଇ ପାରିବେ।