ରୋଗୀଙ୍କୁ ଚିକିତ୍ସା ସାରି ଘରକୁ ଫେରିଥିବା ଡାକ୍ତରଙ୍କ ହୃଦଘାତରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା କାର୍ଡିଓଲଜିଷ୍ଟଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି କାର୍ଡିଓଲଜିଷ୍ଟଙ୍କ ନାମ ଗୌରବ ଗାନ୍ଧି। ଯିଏକି ଗୁଜରାଟର ଜାମନଗରରେ ଜଣେ ଜଣାଶୁଣା କାର୍ଡିଓଲଜିଷ୍ଟ ଥିଲେ।

ସୂଚନାଯୋଗ୍ୟ, ଗୌରବ ଗାନ୍ଧି ସବୁଦିନ ପରି ଜୁନ ୫ ତାରିଖରେ ଲୋକଙ୍କ ଚିକିତ୍ସା କରିବା ପରେ ଘରକୁ ଫେରି ଆସିଥିଲେ। ଘରେ ପରିବାରଲୋକଙ୍କ ସହ ମଜା କରିବା ପରେ ରାତିରେ ଏକାଠି ବସି ଖାଇଥିଲେ। ଏହାପରେ ଗୌରବ ନିଜ କୋଠରିକୁ ଶୋଇବାକୁ ଯାଇଥିଲେ। ସକାଳ ୬ଟାରେ ତାଙ୍କର ଉଠିବା ବିଳମ୍ବ ଦେଖି ପରିବାରଲୋକ ଗୌରବଙ୍କୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ସେ ଆଉ ଉଠି ନଥିଲେ।

ଏହାପରେ ପରିବାରଲୋକ ବ୍ୟସ୍ତ ହୋଇ ଗୌରବଙ୍କୁ  ହସ୍ପିଟାଲ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ଗୌରବଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହିତ ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଛି ବୋଲି କହିଥିଲେ। ଏହି ଖବର ଶୁଣିବା ପରେ ଗୌରବଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। କାରଣ ଗୌରବ ସମ୍ପୂର୍ଣ୍ଣ ଭା‌ବେ ସୁସ୍ଥ ଥିଲେ। ହଠାତ ତାଙ୍କର ଏଭଳି ମୃତ୍ୟୁ ହୋଇଯିବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ।

ତେବେ ଗୌରବ ଚିକିତ୍ସା କରୁଥିବା ରୋଗୀମାନେ ‌ଯେତେବେଳେ ସେମାନଙ୍କ ପ୍ରିୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଖବର ପାଇଥିଲେ ସ୍ତବ୍ଧ ହୋଇଯାଇଥିଲେ। ଆଉ କହିଥିଲେ, ‘ଶରୀରକୁ କିପରି ସୁସ୍ଥ ରଖାଯାଇ ପାରିବ ସେ ବିଷୟରେ ସବୁବେଳେ ଲୋକଙ୍କୁ ବୁଝାଉଥିବା ମଣିଷ ଏପରି ସବୁଦିନ ପାଇଁ ଆଖି ବୁଜି ଦେବେ, ତାହା କେହି ବିଶ୍ବାସ କରି ପାରୁନାହାନ୍ତି।’

ସମ୍ବନ୍ଧିତ ଖବର