ବିପ୍ଳବୀ କବି ରବି ସିଂଙ୍କ ପିଲାଦିନ

ଶିକ୍ଷକଙ୍କ ମୁଣ୍ଡ ଫଟାଇ ପାଠପଢ଼ା ଛାଡ଼ିଥିଲେ
ଜଗତସିଂହପୁର ଜିଲ୍ଲା, ବିରିଡି ବ୍ଲକ୍ ନିଜ ଗାଁ ନବପାଟଣା ଚାଟଶାଳୀରେ ପଢିବା ସମୟରେ ଖଡ଼ି ଗୋଟାଳିରେ ଶିକ୍ଷକଙ୍କ ମୁଣ୍ଡ ପଠାଇ ତୃତୀୟ ଶ୍ରେଣୀରୁ ପଠପଢ଼ା ଛାଡିଥିଲେ ରବି ସିଂ। ଶିକ୍ଷକଙ୍କ ବିନା ଅନୁମତିରେ ଶ୍ରେଣୀ ଛାଡ଼ି ଶୌଚ ହେବାକୁ ପଳାଇଥିଲେ। ଶ୍ରେଣୀରେ ରବିଙ୍କୁ ନପାଇ ଶିକ୍ଷକ ତା‌ଙ୍କୁ ଖୋଜିଥିଲେ। ଶୌଚ ହୋଇ ଶ୍ରେଣୀକୁ ଆସିବା ‌ପରେ ଶିକ୍ଷକ ତାଙ୍କୁ ବେତରେ ପିଟିଥିଲେ। ଏଥିରେ ରବି ସିଂ ଉତକ୍ଷିପ୍ତ ହୋଇ ଶିକ୍ଷକଙ୍କ ମୁଣ୍ଡକୁ ଖଡ଼ିଗୋଟାଳି ଫୋପାଡ଼ି ଫଟାଇ ଦେଇଥିଲେ। ସେହିଦିନଠାରୁ ରବି ସିଂ ସ୍କୁଲ ଯିବା ବନ୍ଦ କରିଦେଇଥିଲେ।

ରାମଚନ୍ଦ୍ର ଭବନରେ ଷଣ୍ଢ ପୂରାଇଥିଲେ
ତରୁଣ ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ରବି ସିଂ ସବୁ ସମୟରେ ଉଦ୍ୟମ କରୁଥିଲେ। ୬୦ ଦଶକରେ ତରୁଣ ସାହିତ୍ୟିକଙ୍କ ଉପରେ ପ୍ରବୀଣ ସାହିତ୍ୟିକଙ୍କ ଅତ୍ୟାଚରକୁ ବିରୋଧ କରୁଥିଲେ ସେ। ସେତେବେଳେ ଶ୍ରୀରାମଚନ୍ଦ୍ର ଭବନ ମଧ୍ୟକୁ ତରୁଣ ତଥା ଯୁବ ସାହିତ୍ୟିକଙ୍କ ପ୍ରବେଶ ଉପରେ ରୋକ ଥିଲା। ଏକଦା ମାୟାଧର ମାନସିଂହ, ସଚ୍ଚି ରାଉତରାୟଙ୍କ ଉପସ୍ଥିତିରେ ଏକ ସାହିତ୍ୟ ଉତ୍ସବ ଚାଲିଥିବା ବେଳେ ରବି ସିଂ ଓ ତାଙ୍କ ସହଯୋଗୀ ରବିନାରାୟଣ ମହାପାତ୍ର, ମୁରାରୀମୋହନ ଜେନା, ନଗେନ ବେଉରିଆ ପ୍ରମୁଖ ରାମଚନ୍ଦ୍ର ଭବନ ଭିତରକୁ ଷଣ୍ଢ ପୂରାଇ ଉତ୍ସବ ଆୟୋଜନକୁ ଭଣ୍ଡୁର କରିଥିଲେ।

ଗୋଆ ମୁକ୍ତି ଆନ୍ଦୋଳନରେ ସାମିଲ
ଗୋଆ ପ୍ରଦେଶକୁ ପର୍ତ୍ତୁଗିଜଙ୍କଠାରୁ ମୁକ୍ତ କରିବାକୁ ଗୋଆ ବିମୋଚନ ସମିତି ଗଠନ କରାଯାଇଥିଲା। ଏଥିରେ ଯୋଗଦେବାକୁ ୧୯୫୫ରେ ଓଡ଼ିଶାରୁ ରବି ସିଂ ଓ ରଥ ବେହେରା ଗୋଆ ଯାଇଥିଲେ। ଗୋଆର ପଶ୍ଚିମଘାଟ ପର୍ବତମାଳାରେ ଜାତୀୟ ପତାକା ଉଡାଇବାକୁ ରବି ସିଂଙ୍କୁ ଦାୟିତ୍ବ ଦିଆଯାଇଥିଲା। ପାର୍ବତମାଳାରେ ପର୍ତ୍ତୁଗିଜ ସେନାଙ୍କ ସହିତ ସଂର୍ଘଷ ଘଟି ରବିଙ୍କ ହାତ ଭାଙ୍ଗିଥିଲା। ଖବର ପାଇ ସେତେ‌ବେଳେ ଦିଲ୍ଲୀର ରାଜ୍ୟପାଳ ଥିବା ହରେକୃଷ୍ଣ ମହତାବ ରବି ସିଂ ଓ ରଥ ବେହେରାଙ୍କୁ ଓଡ଼ିଶାକୁ ଆଣିବା ପାଇଁ ସାହାଯ୍ୟର ହାତ ବଢାଇଥିଲେ।

ଦୁର୍ଗମ ଗିରି ପୁସ୍ତକ ସରକାରଙ୍କ ଦ୍ବାରା ବାଜ୍ୟାପ୍ତ
ନକ୍ସଲବାଦୀକୁ ଉତ୍ସାହିତ କରିବା ପାଇଁ ରବି ସିଂଙ୍କ କଲମରୁ ଜନ୍ମ ନେଇଥିଲା ‘ଦୁର୍ଗମ ଗିରି ପୁସ୍ତକ। ଓଡ଼ିଶାରୁ ପୁଞ୍ଜିବାଦକୁ ଲୋପ କରିବାକୁ ସବୁ ସମୟରେ ନିଜ କଲମ ବ୍ୟବହାର କରୁଥିବା ରବି ସିଂ ନକ୍ସଲ ସମ୍ମର୍ଥିତ ନେତା ନାଗଭୂଷଣ ପଟ୍ଟନାୟକ, ଚାରୁ ମଜୁନଦାର, କାହ୍ନୁ ସ୍ବାନାଲିଙ୍କ ପରି ଅନେକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଦୁର୍ଗମ ଗିରି ପୁସ୍ତକୁ ରଚନା କରିଥିଲେ। ଏଥିରେ ବିଶେଷ ଭାବେ ନକ୍ସଲବାଦର ମୂଳ ଲକ୍ଷ୍ୟ ଉପରେ ଆଲୋକପାତ କରିବା ସହିତ ଏହାକୁ ସମ୍ମର୍ଥନ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ଆହ୍ବାନ ଥିଲା। ଉକ୍ତ ପୁସ୍ତକକୁ ସରକାର ବାଜ୍ୟାପ୍ତ କରିବା ସହିତ ଏହାର ପ୍ରକାଶନ ଉପରେ ରୋକ ଲଗାଇଥିଲେ।

‘ବେଆଇନ୍‌ କବିତା’, ପଲିଟିକାଲ୍‌ ପ୍ରଫେଟ୍‌
୧୯୬୪ ମସିହାରେ ଛାତ୍ର ଆନ୍ଦୋଳନକୁ ତୀବ୍ର କରିବା ପାଇଁ ତାଙ୍କ ‘ବେଆଇନ କବିତା’ ଖୋରାକ ଯୋଗାଇଥିଲା। ଏପରିକି ସେଇ କବିତାକୁ ଲିଫ୍‌ଲେଟ୍‌ କରି ନବକୃଷ୍ଣ ଚୌଧୁରୀ ଓ ମାଳତି ଚୌଧୁରୀ ବାଣ୍ଟିଥିଲେ। ଯେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଏ ଖବର ପାଇଲେ, ରବିଙ୍କୁ କଟକ ଡକାଇ କବିତାର ଲେଖା ସାମ୍ବିଧାନିକ ହେଉ ବୋଲି ତାଗିଦ କରିଥିଲେ। ଏହାର ଜବାବରେ ରବି ସିଂ କହିଥିଲେ, ଶ୍ରୀକୃଷ୍ଣଙ୍କ ଜନ୍ମ ଯଦି ସାମ୍ବିଧାନିକ ନୁହେଁ, ମୋ କବିତା କେମିତି ସାମ୍ବିଧାନିକ ହେବ। ସୋଭିଏତ ୟୁନିୟନ ଭାଙ୍ଗିବା ପୂର୍ବରୁ ସେ ଜେଲ୍‌ରେ ଥାଇ ଏହାର ପୂର୍ବାନୁମାନ କରି କବିତାରେ ଲେଖି ଦେଇଥିଲେ। ତେଣୁ କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗନେତା ସରୋଜ ପଟ୍ଟନାୟକ ସେତେବେଳେ ତାଙ୍କୁ କହିଥିଲେ, ତମେ କ’ଣ ସତରେ ପଲିଟିକାଲ୍‌ ପ୍ରଫେଟ୍‌। କ’ଣ ତମେ ଯାହା ଲେଖୁଛ ସେୟା ହୋଇଯାଉଛି!

ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ
ସାଲିସ ବିହୀନ ନିର୍ଭୀକ ସାମ୍ବାଦିକତା କାରଣରୁ ୧୯୭୮ ମସିହାରେ ଖୋଦ୍‌ କଟକ ସହରର ଛାତି ଉପରେ ସ୍ପଷ୍ଟ ଦିବାଲୋକରେ ଶ୍ରୀ ସିଂ, ତାଙ୍କ ପତ୍ନୀ, ପିଲାଛୁଆଙ୍କୁ ହତ୍ୟା କରିବାକୁ ୩ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଇବର୍ଷ ଜୁନ୍‌, ଜୁଲାଇ ଓ ଅକ୍ଟୋବାର ମାସରେ ଏପରି ଘଟିଥିଲା। ତତ୍କାଳୀନ ପୁଲିସ ଆଇ.ଜି ବି.କେ ରାୟ ଓ କେନ୍ଦ୍ରାଞ୍ଚଳ ଡିଆଇଜି ଧ୍ରୁବ ନାରାୟଣ ସିଂହଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ତାଙ୍କ ପରିବାର ବଞ୍ଚିଯାଇଥିଲା ବୋଲି ସେ ସ୍ବୀକାର କରିଥିଲେ। ଏମିତିକି ବିବାହ ପରେ ସେ ୧୯୬୦ ମସିହାରୁ ୧୯୬୭ ମସିହା ଏହି ୮ ବର୍ଷ ମଧ୍ୟରେ ମୋଟ୍ ୨୦ରୁ ୨୫ ଥର ବାସସ୍ଥାନ ବଦଳାଇଥିଲେ।

ମା ଖତଗଦାକୁ ଫୋପାଡି ଦେଇଥିଲେ
ରବି ସିଂଙ୍କ ବାପା ରାମଚନ୍ଦ୍ର ସିଂ ଜେଲରେ ଥିବାବେଳେ ୧୯୩୩ରେ ତାଙ୍କର ଜନ୍ମ ହୋଇଥିଲା। ୧୯୨୧ରେ କାଠଯୋଡ଼ି ନଦୀକୂଳରେ ଆୟୋଜିତ ଗାନ୍ଧୀଙ୍କ ସଭାରେ ଯୋଗଦେଇ ରାମଚନ୍ଦ୍ର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଦେଶ ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା ବେଳେ ବ୍ରିଟିସ ସରକାର ତାଙ୍କୁ ଜେଲରେ ଭରିଥିଲେ। ଜେଲରେ ଥିବାବେଳେ ବାରମ୍ବାର ତାଙ୍କ ଘରକୁ ବ୍ରିଟିସ ପୁଲିସ ଆସି ଖାନତଲାସ କରୁଥିଲା। ଏହି ସମୟରେ ରବିଙ୍କ ଜନ୍ମ ହୋଇଥିଲା। ପୁଲିସ ଭୟରେ ରବିଙ୍କ ମା ସାରଦା ଦେବୀ ତାଙ୍କୁ ଖତଗଦାକୁ ଫୋପାଡି ଦେଇଥିଲେ। ରବିଙ୍କ ପିଉସୀ ତାଙ୍କୁ ଗୋଟାଇ ଆଣି ରଖିଥିଲେ।

ସମ୍ବନ୍ଧିତ ଖବର