ଦଳର ମୁଖ୍ୟାଳୟ ଓ ନିଜ ଘରର ଭଡ଼ା ଦେଇପାରୁନାହାନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ! ବାକି ପଡ଼ିଛି ଏତେ ଟଙ୍କା

ନୂଆଦିଲ୍ଲୀ: ଘର ଭଡ଼ା ଦେଇପାରୁନାହାନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ! ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ କଂଗ୍ରେସକୁ ନେଇ ଏ‌ଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। କଂଗ୍ରେସ ମୁଖ୍ୟାଳୟ ଓ ସୋନିଆ ଗାନ୍ଧୀ ରହୁଥିବା ସରକାରୀ ଘରର ଭଡ଼ା ଦିଆଯାଇନଥିବା ଜଣାପଡ଼ିଛି। ସାମାଜିକ କାର୍ଯ୍ୟକର୍ତ୍ତା ସୁଜିତ ପଟେଲଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆରଟିଆଇ ଆବେଦନର ଉତ୍ତରରେ ଏହା ପ୍ରକାଶ ପାଇଛି ଯେ, କଂଗ୍ରେସର ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ଭଡ଼ା ଦେଇନାହାନ୍ତି।

କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ର‌ାଳୟ ଦେଇଥିବା ତଥ୍ୟ ଅନୁଯାୟୀ, ଆକବର ରୋଡରେ କଂଗ୍ରେସ ପାର୍ଟି ମୁଖ୍ୟାଳୟ ଏ ପର୍ଯ୍ୟନ୍ତ ୧୨,୬୯,୯୦୨ ଟଙ୍କା ଭଡା ଦେଇନାହିଁ। ଶେଷ ଥର ପାଇଁ ଡିସେମ୍ବର ୨୦୧୨ରେ କଂଗ୍ରେସ ପାର୍ଟି ମୁଖ୍ୟାଳୟ ଭଡା ଦେଇଥିଲା। ସେହିଭଳି ୧୦ ଜନପଥ ରୋଡରେ ଥିବା ସୋନିଆ ଗାନ୍ଧୀଙ୍କ ବାସଭବନ ଉପ‌ରେ ଏବେ ୪,୬୧୦ ଟଙ୍କା ଭଡ଼ା ବାକି ରହିଛି। ସେପ୍ଟେମ୍ବର ୨୦୨୦ରେ ଶେଷ ଥର ପାଇଁ ଭଡ଼ା ଦିଆଯାଇଥିଲା। ଏହା ସହ ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଭିନ୍ସେଣ୍ଟ ଜର୍ଜଙ୍କର ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଥିବା ବଙ୍ଗଳା ଉପରେ ୫,୦୭,୯୧୧ ଟଙ୍କା ଭଡ଼ା ବାକି ରହିଛି।

ନିୟମ ଅନୁଯାୟୀ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳଗୁଡିକୁ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପାଇଁ ତିନି ବର୍ଷ ସମୟ ଦିଆଯାଇଥାଏ। ୩ ବର୍ଷ ପରେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପରେ ସେମାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥାଏ। କିନ୍ତୁ ୨୦୧୦ରୁ ୨୦୨୨ ହୋଇଯାଇଥିଲେ ବି କଂଗ୍ରେସ ସରକାରୀ ବଙ୍ଗଳା ଛାଡ଼ିନାହିଁ। କଂଗ୍ରେସକୁ ପାର୍ଟି କାର୍ଯ୍ୟାଳୟ ନିର୍ମାଣ ପାଇଁ ୯-ଏ ରାଉଜ୍ ଆଭେନ୍ୟୁରେ ଜୁନ୍ ୨୦୧୦ରେ ଜମି ଆବଣ୍ଟନ କରାଯାଇଥିଲା।  ୨୦୧୩ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲେ ବି କଂଗ୍ରେସ ଦିନ ପରେ ଦିନ ଗଢ଼ାଇ ଚାଲିଛି।

ସମ୍ବନ୍ଧିତ ଖବର