ହିମାଚଳ ପ୍ରଦେଶର ସିରମୌର ଜିଲାରେ ସମୁଦ୍ରପତ୍ତନଠାରୁ ୬୭୨ ମିଟର ଉଚ୍ଚରେ ଅବସ୍ଥିତ ଏକ ପୁରାଣପ୍ରସିଦ୍ଧ ସରୋବରର ନାମ ରେଣୁକା ସରୋବର। ଏହି ବୃହତ୍ ସରୋବରର ପରିସୀମା ପ୍ରାୟ ୩୨୧୪ ମିଟର। ଏହା କୋଶଳପତି ମହାରାଜ ପ୍ରସେନଜିତ୍‌ଙ୍କର କନ୍ୟା, ମହର୍ଷି ଜମଦଗ୍ନିଙ୍କର ପତ୍ନୀ ତଥା ଶ୍ରୀବିଷ୍ଣୁଙ୍କର ଷଷ୍ଠ ଅବତାର ପରଶୁରାମଙ୍କର ମାତା ଦେବୀ ରେଣୁକାଙ୍କ ନାମରେ ନାମିତ। ପୂର୍ବରୁ ତାହାର ନାମ ଥିଲା ରାମ ସରୋବର। 
ଲୋକବିଶ୍ୱାସ ଅନୁଯାୟୀ, ଏହି ସରୋବର ଆୟତାକାର ଥିଲା। କିନ୍ତୁ ଯେତେବେଳେ ଦେବୀ ରେଣୁକା ଏହି ସରୋବରରେ ଆତ୍ମ ବିସର୍ଜନ କରି ଜଳସମାଧି ଗ୍ରହଣ କଲେ,  ଆକାର ପରିବର୍ତ୍ତିତ ହୋଇ ଏହା ଶୟନରତା ଏକ ନାରୀର ରୂପ ଧାରଣ କଲା। ଏହି ସରୋବରକୁ ରେଣୁକା ତୀର୍ଥ ବୋଲି ମଧ୍ୟ କୁହାଗଲା। ଏହାର ତୀରରେ ଜମଦଗ୍ନି ଓ ରେଣୁକା ଶ୍ରୀବିଷ୍ଣୁଙ୍କୁ ପୁତ୍ର ରୂପରେ ପାଇବାପାଇଁ ତପସ୍ୟା କରିଥିଲେ। ଶିବଙ୍କ ଆଶୀର୍ବାଦରୁ ଶ୍ରୀବିଷ୍ଣୁ ତାଙ୍କର ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ। ରାମ ସରୋବର, ରେଣୁକା ସରୋବରରେ ପରିଣତ ହେବା ପୁରାଣବର୍ଣ୍ଣିତ ଏକ ବିଶେଷ ଉପାଖ୍ୟାନ ସହିତ ଜଡ଼ିତ।

Advertisment

ଏକଦା ମାହିଷ୍ମତୀପୁରର ହୈହୟରାଜ କାର୍ତ୍ତବୀର୍ଯ୍ୟ ଅର୍ଜୁନ  ସହସ୍ରାର୍ଜୁନ ନାମରେ ବିଖ୍ୟାତ ଥିଲେ। ଦିନେ ମହର୍ଷି ଜମଦଗ୍ନିଙ୍କ ଆଶ୍ରମକୁ ଆସି ସେ ମହର୍ଷିଙ୍କର ଆତିଥ୍ୟରେ ବିସ୍ମିତ ହେଲେ। କାରଣ ଅନୁସନ୍ଧାନ କରି ଜାଣିଲେ, ଜମଦଗ୍ନିଙ୍କ ପାଖରେ ଦେବଗାଭୀ କାମଧେନୁ ରହିଛି। ଫଳରେ ଜମଦଗ୍ନି ତାଙ୍କର ସହସ୍ର ସୈନ୍ୟଙ୍କର ପରିଚର୍ଯ୍ୟା କରିବାକୁ ଅଚିରେ ସମର୍ଥ ହୋଇପାରିଛନ୍ତି। ଲୋଭର ବଶବର୍ତ୍ତୀ ହୋଇ ସେ ଜମଦଗ୍ନିଙ୍କୁ କାମଧେନୁଙ୍କୁ ମାଗିଲେ। ମାତ୍ର କାମଧେନୁ ଦେବଭୋଗ୍ୟା କହି ଜମଦଗ୍ନି ଦେବାକୁ ମନା କରିଦେଲେ। ତେଣୁ ସହସ୍ରାର୍ଜୁନ ଜମଦଗ୍ନିଙ୍କୁ ହତ୍ୟା କରି କାମଧେନୁଙ୍କୁ ନେଇ ଚାଲିଗଲେ। 

ଲୋକ ପରଂପରା ଅନୁଯାୟୀ ଦଶମୀ ଦିନ ହିମାଚଳପ୍ରଦେଶର ଜାମୁକୋଟି ଗ୍ରାମରୁ ଏକ ପାଲିଙ୍କିରେ ବସି ପର୍ଶୁରାମ ରେଣୁକା ସରୋବର ତୀରକୁ ଯାଆନ୍ତି। ଏକ ବିଶାଳ ପଟୁଆର ତାଙ୍କର ଅନୁଗମନ କରେ। ଏକାଦଶୀ ଦିନ ମାତା ଓ ପୁତ୍ରଙ୍କର ମିଳନ ହୁଏ। ଏହି ଉତ୍ସବ ପାଞ୍ଚ ଦିନ ଧରି ଚାଲେ।

ସେହି ସମୟରେ ପର୍ଶୁରାମ ଆଶ୍ରମରେ ନ ଥିଲେ। ଆଶ୍ରମକୁ ଫେରିବା ପରେ ତାହା ଜାଣି ସେ କ୍ରୋଧିତ ହୋଇ ସହସ୍ରବାହୁ ସହିତ ସଂଗ୍ରାମ କରିବା ନିମିତ୍ତ ଚାଲିଗଲେ। ତାଙ୍କୁ ପରାଜିତ କରି ଫେରିଆସି ଦେଖିଲେ, ତାଙ୍କ ମାତା ରାମ ସରୋବରରେ ଆତ୍ମବିସର୍ଜନ କରି ଜଳ ସମାଧି ଗ୍ରହଣ କରି ସାରିଛନ୍ତି। ପର୍ଶୁରାମ ମାତାଙ୍କୁ ଫେରି ଆସିବାକୁ ଅନୁରୋଧ କଲେ। ମାତ୍ର ମାତା ରେଣୁକା ସେଥିରେ ଅସମ୍ମତି ପ୍ରକାଶ କରିବା ସହିତ ତାଙ୍କୁ ଆଶ୍ୱାସନା ଦେଇ କହିଲେ, ଏହି ସରୋବର ମୋର ନିତ୍ୟ ନିବାସ ସ୍ଥାନ। ବର୍ଷରେ ଥରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ତୁମକୁ ଆଶୀର୍ବାଦ କରିବା ନିମିତ୍ତ ମୁଁ ଜଳ ମଧ୍ୟରୁ ବାହାରକୁ ଆସିବି। ତାହା ପ୍ରବୋଧିନୀ ଏକାଦଶୀ ଭାବରେ ପ୍ରସିଦ୍ଧ ହେବ। ସେହି ଦିନଟି ମଧ୍ୟ ଦେବ ଉତ୍‌ଥାପନ ଏକାଦଶୀ। ସ୍ୱୟଂ ବିଷ୍ଣୁ ଏହିଦିନ ଚତୁର୍ମାସ୍ୟା ନିଦ୍ରା ତ୍ୟାଗ କରି ଉଠିଥାଆନ୍ତି। ପରମ୍ପରା ଅନୁଯାୟୀ ବିଷ୍ଣୁଙ୍କର ଷଷ୍ଠ ଅବତାର ପର୍ଶୁରାମ ଏହି ଦିନ ନିଜ ମାତାଙ୍କୁ ଦର୍ଶନ କରିବା ନିମିତ୍ତ ରେଣୁକା ସରୋବରକୁ ଯାତ୍ରା କରିଥାନ୍ତି। ଲୋକ ପରଂପରା ଅନୁଯାୟୀ ଦଶମୀ ଦିନ ହିମାଚଳପ୍ରଦେଶର ଜାମୁକୋଟି ଗ୍ରାମରୁ ଏକ ପାଲିଙ୍କିରେ ବସି ପର୍ଶୁରାମ ରେଣୁକା ସରୋବର ତୀରକୁ ଯାଆନ୍ତି। ଏକ ବିଶାଳ ପଟୁଆର ତାଙ୍କର ଅନୁଗମନ କରେ। ଏକାଦଶୀ ଦିନ ମାତା ଓ ପୁତ୍ରଙ୍କର ମିଳନ ହୁଏ। ଏହି ଉତ୍ସବ ପାଞ୍ଚ ଦିନ ଧରି ଚାଲେ। ସରୋବର ନିକଟରେ ଥିବା ରେଣୁକା ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମେ।