ଫୁଲବାଣୀ: ପାହାଡ଼ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଖଣିଜ ସମ୍ପଦ ଭରି ରହିଛି। ପୂର୍ବରୁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଓ କୋଟଗଡ଼ ଅଞ୍ଚଳରେ ଗ୍ରାଫାଇଟ୍‌ ଭଳି ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଥିଲା। ମାତ୍ର ଉକ୍ତ ଖଣି ଅଞ୍ଚଳ କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଭୁକ୍ତ ହୋଇଯିବା ଫଳରେ ଏଠାରୁ ଖଣି ଖନନ ବନ୍ଦ ହୋଇଯାଇଛି। ନିକଟରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖଣିଜ ସର୍ଭେ କରିବାବେଳେ ଦାରିଙ୍ଗବାଡ଼ି, ରାଇକିଆ, କ.ନୂଆଗାଁ ଭଳି ବ୍ଲକ୍‌ରେ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଛି। ସେହିଭଳି ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ୍‌ର କେତେକ ଅଞ୍ଚଳରେ କୋଇଲା ଗଚ୍ଛିତ ଥିବା ନେଇ ଫୁଲବାଣୀସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। 

Advertisment

ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ବେଲଘର ନିକଟବର୍ତ୍ତୀ ବରଗାଁ ଓ କୋଟଗଡ଼ ବ୍ଲକ୍‌ର ମାଦାଗୁଡ଼ାରେ ପୂର୍ବରୁ ଗ୍ରାଫାଇଟ୍‌ ଉତ୍ତୋଳନ କରାଯାଉଥିଲା। ଏହା ୨୦୦୦ ମସିହାରୁ ବନ୍ଦ ହୋଇଯାଇଛି। ଏହି ଗ୍ରାଫାଇଟ୍‌ ଅତି ଉଚ୍ଚମାନର ଥିଲା ବୋଲି ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ସେହିଭଳି ବୌଦ୍ଧ ଜିଲ୍ଲାର କାଲାସାଲିଆ ଓ ସେକାମାଳରେ କ୍ବାର୍ଜ ଖଣି ଥିବା ବେଳେ ବୌଦ୍ଧ ଜିଲ୍ଲାରେ ଅନେକ ସୁନା ଗଚ୍ଛିତ ଥିବା ସୂଚନା ମିଳିଛି। ଅନ୍ୟପ‌ଟେ ବୌଦ୍ଧ ଜିଲ୍ଲାରେ ମହାନଦୀ ବାଲିରୁ ମଧ୍ୟ ସୁନା ଓ ହୀରା ଉତ୍ତୋଳନ କରାଯାଉଛି। ତେବେ ଏହା ବେଆଇନ ଭାବେ କରାଯାଉଥିବାରୁ ଖଣି ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ କଟ୍ରିଙ୍ଗିଆ, ଗୋଛାପଡ଼ା ଦେଇ ସମ୍ବଲପୁର ପର୍ଯ୍ୟନ୍ତ କୋଇଲା ଗଚ୍ଛିତ ଥିବା ନେଇ ଜିଓଲୋଜିକାଲ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ନିକଟରେ ଖଣି ବିଭାଗର ଭୂତତ୍ତ୍ବ ଶାଖା ପକ୍ଷରୁ ଓର୍‌ସାକ୍‌ (ଓଡ଼ିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର୍‌) ଦ୍ବାରା କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡିଜିପିଏ (ଡିଫରେନ୍‌ସିଆଲ୍‌ ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌) ସର୍ଭେ କରାଯାଇଥିଲା। ଏଥିରୁ ଜିଲ୍ଲାର କେଉଁ ସ୍ଥାନରେ କେଉଁ କେଉଁ ଖଣିଜ ପଦାର୍ଥ କେତେ ପରିମାଣରେ ଗଚ୍ଛିତ ରହିଛି, ତାହା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଛି। 

ଖନନ ପାଇଁ ସ୍ବତନ୍ତ୍ର ରୂପରେଖ କେବେ?

ସରକାରଙ୍କୁ ପ୍ରଦାନ କରାଯାଇଥିବା ଏହି ସର୍ଭେ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ବିପୁଳ ପରିମାଣର କୋଇଲା ଓ ଗ୍ରାଫାଇଟ୍‌ ଗଚ୍ଛିତ ରହିଛି। ସେହିଭଳି ବେଲଘର ରୁକୁଡ଼ିପଟ ପାହାଡ଼ରେ ଭରପୂର ବକ୍ସାଇଟ୍‌ ଗଚ୍ଛିତ ରହିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କନ୍ଧମାଳରେ ଏତେ ପରିମାଣର କୋଇଲା, ବକ୍ସାଇଟ୍‌ ଓ ଗ୍ରାଫାଇଟ୍‌ ଗଚ୍ଛିତ ଥିବାରୁ କେବେଠୁ ଏହାର ଖନନ କାର୍ଯ୍ୟକ୍ରମ ଆରମ୍ଭ ହେବ ତାହାକୁ ଅପେକ୍ଷା କରାଯାଇଛି। ତେବେ ଜଙ୍ଗଲ ଓ ପରିବେଶ ମଞ୍ଜୁରି ମଧ୍ୟ ସବୁଠୁ ଆହ୍ବାନପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଯେକୌଣସି ଖଣି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିଲେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପାଖରୁ ଅନୁମତି ଆଣିବାକୁ ପଡ଼ିଥାଏ। ଏଥିପାଇଁ ଜଙ୍ଗଲ, ରାଜସ୍ବ ଏବଂ ଖଣି ବିଭାଗର ସମ୍ମିଳିତ ଉଦ୍ୟମ ଲୋଡ଼ା। କନ୍ଧମାଳ ଜିଲ୍ଲା ପଞ୍ଚମ ଅନୁସୂଚିତ ଅଞ୍ଚଳ ମଧ୍ୟରେ ଥିବାରୁ ଖଣିଜ ଖନନ ନେଇ ଅନେକ କଟକଣାର ସାମନା କରିବାକୁ ପଡ଼ିବ। ତେବେ କନ୍ଧମାଳ ଜିଲ୍ଲାର ମାଟି ଯେ ରତ୍ନଗର୍ଭା ଏଥିରେ ସନ୍ଦେହ ନାହିଁ। ଏହା ଭବିଷ୍ୟତ ପିଢ଼ି ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି।