ଜୟପୁର: ଭାରତରେ ପ୍ରାୟ ପ୍ରତ୍ୟେକ କୋଣରେ ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ୍ ରହିଛି। ଆମ ଦେଶର ଲୋକମାନେ ଖାଦ୍ୟ ଖାଇବାକୁ ଖୁବ୍ ଭଲ ପାଆନ୍ତି ଏବଂ ବିଭିନ୍ନ ପ୍ରକାରର ରୋଷେଇ କରିବାର ବି ସଉକ ରଖିଥାନ୍ତି।
ଦେଶର ପ୍ରତ୍ୟେକ ସହର ନିଜସ୍ୱ ଖାଦ୍ୟ ପାଇଁ ପ୍ରସିଦ୍ଧ। ଦିଲ୍ଲୀର ଛୋଲେ ଭଟୋରେରୁ ନେଇ ମୁମ୍ବାଇର ବଡାପାଓ ପର୍ଯ୍ୟନ୍ତ ପ୍ରତ୍ୟେକ ସହର ଖାଦ୍ୟକୁ ନେଇ ସ୍ୱତନ୍ତ୍ର ସ୍ୱାଦ ପ୍ରଦାନ କରିବାରେ ଜଣାଶୁଣା। ସ୍ୱାଦ ବ୍ୟତୀତ ଆଉ ଏକ ଜିନିଷ ଯାହା ଅତ୍ୟନ୍ତ ପ୍ରସିଦ୍ଧ, ତାହା ହେଉଛି ଏହି ରେଷ୍ଟୁରାଣ୍ଟଗୁଡ଼ିକର ନାମ। ଆମ ଦେଶରେ ଥିବା କିଛି ରେଷ୍ଟୁରାଣ୍ଟ୍ ଓ ହୋଟେଲର ଖୁବ୍ ନିଆରା ନାମ ରହିଛି।
କେତେକ ଖାଦ୍ୟ ଷ୍ଟଲ୍ ସେମାନଙ୍କ ନାମ ପରିବାର ସଦସ୍ୟଙ୍କ ନାମରେ ନାମିତ କରୁଥିବାବେଳେ, ଅନ୍ୟମାନେ ସେମାନଙ୍କର ଦୋକାନଗୁଡିକର ନାମକରଣ ପାଇଁ କିଛି ଭିନ୍ନ ଚିନ୍ତା କରିଥାନ୍ତି। ନିକଟରେ ରାଜସ୍ଥାନ କୁନ୍ନୁରରେ ଏକ ନିଆରା ହୋଟେଲ୍ର ଛବି ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଏହି ହୋଟେଲ୍ର ନାମ ହେଉଛି ‘ହୋଟେଲ୍ ସେକେଣ୍ଡ୍ ୱାଇଫ୍’।
ଏହି ରେଷ୍ଟୁରାଣ୍ଟଟି ଦୁଇ ଭାଇ ସଞ୍ଜୟ ଏବଂ କୃଷ୍ଣଙ୍କ ଦ୍ୱାରା ପରିଚାଳିତ ଏବଂ ଏହି ଅଞ୍ଚଳରେ ବେଶ୍ ପ୍ରସିଦ୍ଧ ହୋଇପାରିଛି। ଖବର ଅନୁଯାୟୀ, ଜଣେ ଭାଇ ପ୍ରକାଶ କରିଛନ୍ତି ଯେ ସେମାନଙ୍କ ରେଷ୍ଟୁରାଣ୍ଟ ପ୍ରଥମେ ଏକ ଟିଫିନ୍ ସେବା ଭାବରେ ଆରମ୍ଭ ହୋଇଥିଲା, ଯାହା ସେମାନଙ୍କ ମା ଦ୍ୱାରା ପରିଚାଳିତ ହେଉଥିଲା। ସେହି ସମୟରେ, ସେମାନେ ୫୦ ଟଙ୍କାରେ ଏକ ପ୍ଲେଟ୍ ବିକ୍ରି କରୁଥିଲେ। ଧୀରେ ଧୀରେ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇଲା ଏବଂ ସେମାନେ ନିଜର ଏକ ହୋଟେଲ ଆରମ୍ଭ କଲେ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେମାନେ ଅନୁଭବ କଲେ କି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୁ ବାହାରକୁ ଟିଫିନ୍ ନେଇ ଯାଉନାହାନ୍ତି। ସେମାନେ ଏହି ହାଟେଲ୍ର ନାମ ‘ହୋଟେଲ୍ ସେକେଣ୍ଡ୍ ୱାଇଫ୍’ ବା ଦ୍ବିତୀୟ ପତ୍ନୀ ରଖିବାର କାରଣ ହେଉଛି, ଏଠାରେ ଖାଦ୍ୟ ଖାଇବା ଲୋକଙ୍କୁ ନିଜ ପତ୍ନୀଙ୍କ ହାତରୁ ଖାଉଥିବାର ଅନୁଭବ ମିଳିବ।