ସ୍ବରାଜ ମିଶ୍ର

Advertisment

“ଆଗେ ଥିଲା ବାଘଭାଲୁ ଭରା ଏ ଜଙ୍ଗଲ
ତୁ ଦେଖ ଲୋ ଶୁକୁଟାବୋଉ,
ଜଳୁଚି ଆଜି ଦାଉଦାଉ
ବାଃ ବାଃ ବାଃରେ କାପିଟେଲ, 
ବାଃରେ କାପିଟେଲ...”

ଅକ୍ଷୟ ମହାନ୍ତି ଗାଇଥିବା ଏଇ ଜନପ୍ରିୟ ଗୀତଟି ମନେ ପକାଇଦିଏ ସହସ୍ରାବ୍ଦୀର ସହର କଟକଠାରୁ ଅଳ୍ପ ଦୂରରେ ଥିବା ମନ୍ଦିରମାଳିନୀ ଭୁବନେଶ୍ବରର ବଣଜଙ୍ଗଲଘେରା ଭୂଇଁରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ହେବା ସମୟର କଥା। ପଥୁରିଆ ଉଠାଣିଗଡ଼ାଣି ଭୂଇଁ। ପୁଣି ସେଥିରେ ଭରିଥାଏ ଅନେକ ଜଙ୍ଗଲାବୃତ ପାହାଡ଼ ଓ ମୁଣ୍ଡିଆ। ସେଇଥିରୁ ଗୋଟିଏ ଅନୁଚ୍ଚ ମୁଣ୍ଡିଆ ଉପରେ ରାଜ୍ୟର ସର୍ବୋଚ୍ଚ ଶାସନମୁଖ୍ୟଙ୍କ କୋଠି ତିଆରି କରିବାକୁ ନିଷ୍ପତ୍ତି ହେଲା। ତାହାର ନାଁ ‘ଭାଲୁମୁଣ୍ଡିଆ’। ପୁରୀ ସମୁଦ୍ରକୂଳର ସରକାରୀ କୋଠି ଓ କଟକର କାଠଯୋଡ଼ି କୂଳରେ ଥିବା ଲାଲବାଗ କୋଠି ପରେ ରାଜ୍ୟପାଳ ଏଥର ରହିଲେ ଭାଲୁମୁଣ୍ଡିଆ ଉପରେ ଗଢ଼ା ହୋଇଥିବା ସୁଦୃଶ୍ୟ ରାଜଭବନରେ। ଏହି ଗୃହପ୍ରବେଶ ଘଟିଥିଲା ୧୯୬୦ରେ, ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍‌ଥଙ୍କର୍‌ଙ୍କ ସମୟରେ। 

ଆଜକୁ ୭୭ ବର୍ଷ ତଳେ ୧୯୪୮ ମସିହା ଏପ୍ରିଲ୍‌ ୧୩ ତାରିଖ ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ଦିନ ପଣ୍ଡିତ ଜବାହରଲାଲ୍‌ ନେହେରୁ ଭୁବନେଶ୍ବରରେ ନୂଆ ରାଜଧାନୀ ନିର୍ମାଣର ଶୁଭ ଦେଇଥିଲେ। ଏହାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନ୍‌ ସ୍ଥପତି ଅଟ୍ଟୋ ଏଚ୍. କୋନିସ୍‌ବର୍ଗର୍‌। ପୂର୍ବରୁ ବର୍ଲିନ୍‌ ଅଲିମ୍ପିକ୍‌ ଷ୍ଟାଡିୟମ୍‌ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା ସାଉଁଟିଥିବା କୋନିସ୍‌ବର୍ଗର୍‌ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ନାଜି ଅତ୍ୟାଚାରରୁ ବର୍ତ୍ତିବା ପାଇଁ ୧୯୩୯ରୁ ଭାରତ ଚାଲିଆସି ମହୀଶୂର ରାଜ୍ୟର ଆର୍କିଟେକ୍ଟ୍‌ ହିସାବରେ କାର୍ଯ୍ୟରତ ଥିଲେ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସର ନକ୍ସା ସେ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ଓଡ଼ିଶାର ନୂଆ ରାଜଧାନୀ ସହରର ନକ୍ସା ପ୍ରସ୍ତୁତ କରିବାର ଦାୟିତ୍ବ ପାଇ ସେ ଖୁବ୍ ଉତ୍ସାହିତ ହୋଇ ପଡ଼ିଥିଲେ। ବିଶେଷକରି କମ୍ ସମ୍ବଳ ବିନିଯୋଗ କରି ଏକ ଐତିହ୍ୟସମ୍ପନ୍ନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସହରର ଆଧୁନିକ ଢାଞ୍ଚା ପ୍ରସ୍ତୁତ କରିବା ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ଥିଲା। ଏଥିପାଇଁ ସେ ପାଖକୁ ପାଖ ଲାଗିରହିଥିବା ସ୍ବୟଂସମ୍ପୂର୍ଣ୍ଣ ୟୁନିଟ୍‌ର ଢାଞ୍ଚା ବ୍ୟବହାର କରିଥିଲେ। ସହରର କେନ୍ଦ୍ରରେ ବିଧାନସଭା, ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତର ପାଇଁ ସ୍ଥାନ ନିରୂପଣ କରିବା ପରେ ସେ ରାଜ୍ୟପାଳଙ୍କ ବାସଭବନ ପାଇଁ ବାଛିଥିଲେ ସହରର ପଶ୍ଚିମ ଦିଗରେ ଥିବା ଭାଲୁମୁଣ୍ଡିଆକୁ। ୟୁନିଟ୍‌ ଏକ ଓ ଦୁଇକୁ ଦୁଇ ପାଖରେ ରଖି କଟକ-ପୁରୀ ରାସ୍ତାରୁ ରାଜମହଲ ଦେଇ ରାଜଭବନ ପର୍ଯ୍ୟନ୍ତ ଏକ ସୁଦୃଶ୍ୟ ସଳଖ ରାସ୍ତା କଳ୍ପନା କରିଥିଲେ ସେ।

କୋନିସ୍‌ବର୍ଗର୍‌ ଓଡ଼ିଶାରେ ବେଶୀ ସମୟ ରହି ପାରି ନଥିଲେ। କାରଣ ତାଙ୍କୁ ପ୍ରଧାନମନ୍ତ୍ରୀ ନେହେରୁ ଦିଲ୍ଲୀରେ ଦେଶ ବିଭାଜନ ପରେ ଆସିଥିବା ଶରଣାର୍ଥୀଙ୍କ ପାଇଁ କମ୍ ଖର୍ଚ୍ଚରେ ବାସଗୃହ ନିର୍ମାଣର ଯୋଜନାର ଦାୟିତ୍ବ ଦେଇଥିଲେ। ଏପଟେ ଓଡ଼ିଶାରେ ନୂଆ ରାଜଧାନୀ ନିର୍ମାଣ ଆଗେଇ ନେବାର ଦାୟିତ୍ବ ନେଇଥିଲେ ଓଡ଼ିଶା ପ୍ରଦେଶର ଚିଫ୍ ଆର୍କିଟେକ୍ଟ‌୍ ଜୁଲିଅସ୍ ଲାଜାରସ୍‌ ଭାଜ୍। ନୂଆ ରାଜଧାନୀର ବିଭିନ୍ନ ୟୁନିଟ୍ ଓ ସରକାରୀ ଦପ୍ତର ତିଆରି କାମ ଆରମ୍ଭ ହେବାର କିଛିଦିନ ପରେ ଭାଲୁମୁଣ୍ଡିଆର ୮୮ ଏକର ପରିମିତ ଅଞ୍ଚଳରେ ରାଜଭବନ ତିଆରି ଆରମ୍ଭ ହେଲା, କାରଣ ଏଠିକାର ଘନଜଙ୍ଗଲ ସଫାକରିବା ଅପେକ୍ଷାକୃତ କଷ୍ଟକର ଥିଲା। ପୁଣି ଅନତିଦୂରରେ ଥିବା ଚନ୍ଦକା ବନାଞ୍ଚଳରୁ ଅନେକ ବନ୍ୟଜନ୍ତୁ ଏଠାକୁ ପଶି ଆସୁଥିଲେ। ବିଷଧର ସାପ ଓ ଅନ୍ୟାନ୍ୟ ସରୀସୃପ ଭରା ଏଇ ମୁଣ୍ଡିଆରେ ହାତୀ, ଭାଲୁଙ୍କ ସମେତ ବାଘ ଆସୁଥିବାର ମଧ୍ୟ ଖବର ମିଳେ। ଭୁବନେଶ୍ବର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଗୁଣନିଧି ମହାପାତ୍ର ଥରେ କହିଥିଲେ, ଭାଲୁମୁଣ୍ଡିଆରେ ଜଣେ ଯୁବକକୁ ବାଘ ଖାଇଯିବାର ଖବର ପାଇ ସେ  ୩୦ରୁ ଅଧିକ ଲୋକଙ୍କୁ ସାଥିରେ ଧରି ସେଠାକୁ ଯାଇଥିଲେ ଏବଂ ଯୁବକଟିର ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରିଥିଲେ।

ବର୍ଷୀୟାନ୍‌ ଐତିହାସିକ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ତାଙ୍କର ‘ଭୁବନେଶ୍ବର ଇତିହାସ’ ପୁସ୍ତକରେ ଲେଖିଛନ୍ତି- “ଭୁବନେଶ୍ବରର ସଚିବାଳୟ ତିଆରି ହେବାର ମୁଁ ଦେଖିଛି। ରବିବାର ଛୁଟିଦିନରେ ପାଠପଢ଼ା ସାଙ୍ଗମାନଙ୍କ ସହ ଭୁବନେଶ୍ବରକୁ କାମ ଦେଖିବା ପାଇଁ ଚାଲି ଆସୁଥିଲୁ। ବର୍ତ୍ତମାନର ରାଜଭବନ ଏକ ମୁଣ୍ଡିଆ ଉପରେ ହୋଇଛି ଓ ତାହା ଉପରେ କୋଚିଲା ଓ କଣ୍ଟେଇକୋଳି ଲଟାର ଜଙ୍ଗଲମାନ ଭରି ରହିଥିଲା। ସେଠାରେ ବହୁତ ବଡ଼ ବଡ଼ ବୋଡ଼ା ସାପ ରହୁଥିବାର ମୁଁ ଦେଖିଛି। ରାଜଧାନୀ‌େର ବିଭିନ୍ନ ବନ୍ୟଜନ୍ତୁଙ୍କୁ ସନ୍ଧ୍ୟାରେ ଦେଖିବାକୁ ମିଳୁଥିଲା। ମଝିରେ ମଝିରେ ଚନ୍ଦକା ଜଙ୍ଗଲରୁ ହାତୀ ଓ ବାଘମାନେ ଜନବସତିକୁ ପଳାଇ ଆସୁଥିଲେ। ସେମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଡରିଯାଉଥିଲେ। ବାଜା ବଜାଇ ବା ନିଆଁହୁଳା ଧରି ହାତୀମାନଙ୍କୁ ତଡ଼ି ଦିଆଯାଉଥିଲା।” ୧୯୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ନବନିଯୁକ୍ତ ରାଜ୍ୟପାଳ ସାର୍ ଜନ୍ ଅଷ୍ଟିନ୍ ହବାକ୍ ପୁରୀ ସମୁଦ୍ରତଟରେ ଥିବା ସରକାରୀ ବାସଭବନରେ ରହୁଥିଲେ। ‘ବିହାର-ଓଡ଼ିଶା’ର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପାଇଁ ଗ୍ରୀଷ୍ମନିବାସ ଭାବେ ୧୯୧୪ ମସିହାରେ ଏହି କୋଠି ପୁରୀ ବେଳାଭୂମିରେ ନିର୍ମିତ ହୋଇଥିଲା। ତେବେ ନବଗଠିତ ଓଡ଼ିଶା ପ୍ରଦେଶର ରାଜଧାନୀ କଟକରେ ରହିବାରୁ ୧୯୪୨ରୁ ରାଜ୍ୟପାଳଙ୍କ ବାସଭବନ କଟକସ୍ଥିତ ଲାଲବାଗ କୋଠିକୁ ଉଠି ଆସିଲା। ସାର୍ ହଥର୍ଣ ଲୁଇସ୍‌ଙ୍କଠାରୁ ଆରମ୍ଭ କରି ରାଜ୍ୟପାଳମାନେ ସେଠାରେ ରହିଲେ। ୧୯୪୭ ଅଗଷ୍ଟ ୧୫ ତାରିଖରେ ଡକ୍ଟର କୈଳାସନାଥ କାଟ୍‌ଜୁ ଓଡ଼ିଶାର ରାଜ୍ୟପାଳ ରୂପେ ଶପଥ ନେଲେ ଏବଂ ଲାଲବାଗ କୋଠିକୁ ଆସିଲେ। ତାଙ୍କର ସାନଝିଅ ସରୋଜ କହନ୍ତି ଯେ ବାପା କାଠଯୋଡ଼ି ନଦୀ ଓ ଏହି ସୁନ୍ଦର ରାଜଭବନ ପ୍ରେମରେ ପଡ଼ିଯାଇଥିଲେ। କାଠଯୋଡ଼ି ନଦୀର ନାମ ସହ ନିଜ ସାଙ୍ଗିଆର ସାଦୃଶ୍ୟ ଦେଖାଇ ସେ କହୁଥିଲେ- ‘କାଠଯୋଡ଼ି କୂଳରେ କାଟଜୁ ରହିବା ବିଧିର ବିଧାନ ନୁହେଁ ତ ଆଉ କ’ଣ?’

ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ବରକୁ ଉଠାଇନେବା ପାଇଁ ୧୯୪୬ ସେପ୍ଟେମ୍ବର ୩୦ ତାରିଖରୁ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇ ୧୯୪୮ରେ ନୂଆ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇସାରିଥିଲେ ହେଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ରାଜଧାନୀ କଟକରେ ଚାଲିଥିଲା। ଷାଠିଏ ଦଶକ ଆରମ୍ଭରୁ ସଚିବାଳୟ, ବିଧାନସଭା ଗୃହ ଓ କର୍ମଚାରୀଙ୍କ ସରକାରୀ ବାସଗୃହ ସବୁ ପ୍ରସ୍ତୁତ ହେବା ପରେ ଧୀରେ ଧୀରେ ଭୁବନେଶ୍ବରରୁ ସରକାରୀ କାର୍ଯ୍ୟ ଚାଲିବା ଆରମ୍ଭ ହେଲା। ଭୁବନେଶ୍ବରରେ ନୂଆ ରାଜଭବନର ନିର୍ମାଣ ୧୯୫୮ ଜାନୁଆରି ପହିଲାରେ ଆରମ୍ଭ ହୋଇ ଠିକ୍ ଦୁଇବର୍ଷ ଦୁଇମାସ ପରେ ୩୧ ମାର୍ଚ୍ଚ ୧୯୬୦ରେ ଶେଷ ହୋଇଥିଲା। ଏହାର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ ଓଡ଼ିଶା ପ୍ରଦେଶର ମୁଖ୍ୟ ଆର୍କିଟେକ୍ଟ ଜୁଲିଅସ୍ ଭାଜ୍ ଏବଂ ନିର୍ମାଣ ଦାୟିତ୍ବରେ ଥିଲେ ମୁଖ୍ୟଯନ୍ତ୍ରୀ କେ କେ କାର୍ଥା। ମମ୍‌ତାଜ୍‌ ଅଲ୍ଲୀ ଏହାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଥିଲେ। କିଛିମାସ ଭିତରେ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ଶେଷ ହେବା ପରେ ତତ୍କାଳୀନ ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍‌ଥଙ୍କର୍‌ କଟକ କାଠଯୋଡ଼ି କୂଳର ଲାଲବାଗ କୋଠି ଛାଡ଼ି ଭୁବନେଶ୍ବର ଭାଲୁମୁଣ୍ଡିଆର ନୂଆ ରାଜଭବନକୁ ଆସିଲେ। ସେତେବେଳକୁ ବଣଜଙ୍ଗଲ ଘେରା ଭୁବନେଶ୍ବର ଧୀରେ ଧୀରେ ନବବଧୂ ରୂପେ ସଜାଇ ହୋଇ ଆସୁଥିଲା। ନୂଆ ରାଜଧାନୀର ଆଲୁଅ ଦାଉ ଦାଉ ଝଲସି ଉଠିଲା ବେଳକୁ ପଶୁପକ୍ଷୀମାନେ ଘୁଞ୍ଚି ଯାଇଥିଲେ ଦୂରକୁ। ସଂଯୋଗକୁ ସେହି ବର୍ଷ ଡିସେମ୍ବରରେ ଚନ୍ଦକା ବନଖଣ୍ଡ ଭିତରେ ବିଶାଳ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରତିଷ୍ଠିତ ହେଲା ଏବଂ ସମୟକ୍ରମେ ଚନ୍ଦକା-ଡମପଡ଼ା ଜଙ୍ଗଲକୁ ଅଭୟାରଣ୍ୟ ରୂପେ ଘୋଷିତ କରାଗଲା। ବନ୍ୟପ୍ରାଣୀମାନେ ଏଥର ପାଇଲେ ନୂଆ ଏକ ଠିକଣା।