ସ୍ବରାଜ ମିଶ୍ର
ହସ ହିଁ ଆଜିର ଚାପଗ୍ରସ୍ତ ମଣିଷ ପାଇଁ ଏକମାତ୍ର ମହୌଷଧି। ନିଜ ରଚନାର ବିଚକ୍ଷଣ ବ୍ୟଙ୍ଗ ଓ ଶବ୍ଦଚାତୁରୀ ମାଧ୍ୟମରେ ଯିଏ ଆମ ଜୀବନରେ ନିରୁତା ହାସ୍ୟରସର ଛଟା ଭରି ଦେଇଛନ୍ତି, ସେ ଏଇ ଓଡ଼ିଶା ମାଟିର ବିସ୍ମୟ ବିନ୍ଧାଣି, ଶବ୍ଦର ଯାଦୁକର ଯଦୁମଣି ମହାପାତ୍ର। ହୟଗ୍ରୀବଙ୍କ ପ୍ରସାଦରୁ ହାସ୍ୟରସର ସମ୍ରାଟ ପାଲଟିଥିବା ଉତ୍କଳଘଣ୍ଟ ଯଦୁମଣିଙ୍କ ଜୀବନ କାହାଣୀ ଯେତିକି କୌତୂହଳପୂର୍ଣ୍ଣ ସେତିକି ଚମକପ୍ରଦ।
ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣା ଗୋଟିଖଡ଼ିକା ସାହିେର ଠାକୁର ଯଦୁକୃଷ୍ଣଙ୍କ କୃପାରୁ ଜନ୍ମ ନେଇଥିବାରୁ ନାମ ଯଦୁମଣି। ବାପା ମୁକୁନ୍ଦ ମହାପାତ୍ର ବୃତ୍ତିରେ ଶିଳ୍ପୀ ଓ ଚିତ୍ରକର। ନୟାଗଡ଼ର ରାଜା ନିଜ ରାଜବାଟୀ ନିକଟରେ ତୋଳୁଥିବା ରାଧାମୋହନ ଜୀଉ ମନ୍ଦିରରେ ମୂର୍ତ୍ତି ଗଢ଼ିବା ପାଇଁ ଆଠଗଡ଼ପାଟଣାରୁ ଲୋଡ଼ି ଆଣିଥିଲେ କୁଶଳୀ ସ୍ଥପତି ମୁକୁନ୍ଦଙ୍କୁ। ପତ୍ନୀ ଶୋଭା ଓ ଦଶ ବର୍ଷର ପୁଅ ଯଦୁମଣିଙ୍କୁ ସାଥୀରେ ଧରି ମୁକୁନ୍ଦ ନୟାଗଡ଼ ଚାଲି ଆସିଥିଲେ। ତାଙ୍କ କଳାକୌଶଳରେ ମୁଗ୍ଧ ହୋଇ ରାଜା ତାଙ୍କୁ ନିଜ ରାଜ୍ୟର ସ୍ଥାୟୀ ବାସିନ୍ଦା ହିସାବରେ ରଖିନେଇଥିଲେ। ସପରିବାର ମୁକୁନ୍ଦ ରହିଲେ ନୟାଗଡ଼ ଉପକଣ୍ଠସ୍ଥ ଇଟାମାଟିଠାରେ। ଯଦୁମଣି ପିଲାଦିନରୁ ଖଜବଜିଆ ଓ କୌତୁକପ୍ରିୟ। ମାନ୍ଧାତାପୁରର ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ଚଉପାଢ଼ିରେ ସଂସ୍କୃତ ସାହିତ୍ୟର ଶିକ୍ଷା ଲାଭ କରିଥିଲେ ସେ। ମାତ୍ର ତାଙ୍କର ସ୍ବପ୍ନ ଥିଲା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ପ୍ରତିଷ୍ଠିତ କବିଟିଏ ହେବା ପାଇଁ। ଏଥିପାଇଁ ସେ ଗୁରୁଙ୍କ ପରାମର୍ଶରେ ଘୁମୁସରର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତିଙ୍କ ନିକଟକୁ ଯାଇ ତାଙ୍କ ଠାରୁ ହୟଗ୍ରୀବ ମନ୍ତ୍ର ଦୀକ୍ଷା ନେଇ ସାଧନା ଆରମ୍ଭ କରିଥିଲେ।
କଥିତ ଅଛି ଯେ, ଏହି ସାଧନା ଶେଷରେ ସେ ହୟଗ୍ରୀବଙ୍କର ଦର୍ଶନ ପାଇଥିଲେ। ଏକ ତନ୍ଦ୍ରାଛନ୍ନ ମୁହୂର୍ତ୍ତରେ ସେ ଦେଖିଲେ, ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି ଚତୁର୍ଭୁଜ ବିଷ୍ଣୁ ହୟଗ୍ରୀବ ରୂପରେ। ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ମାତ୍ର ଘୋଡ଼ାର ମସ୍ତକ। ଘୋଡ଼ାର ନାକ ସୁଡୁସୁଡୁ ହେଉଥାଏ। କୌତୁକପ୍ରିୟ ଯଦୁମଣି କୌତୂହଳ ରୋକିନପାରି ପଚାରି ବସିଲେ, “ପ୍ରଭୁ, ଆପଣ ତ ଚାରି ହାତରେ ଚାରିଟି ପଦାର୍ଥ ଧରିଛନ୍ତି। ନାକ ସୁଡୁସୁଡୁ କଲାବେଳେ ସିଙ୍ଘାଣି ପୋଛୁଛନ୍ତି କେଉଁ ହାତରେ?” ହୟଗ୍ରୀବ ହସିଦେଇ କହିଲେ, “ତୁ ମୋତେ ମଧ୍ୟ ପରିହାସ କରିବାକୁ ଛାଡ଼ିଲୁ ନାହିଁ। ଯା’ ତୁ ଜଣେ ନିର୍ଭୀକ ହାସ୍ୟରସିକ ହିସାବରେ ପ୍ରତିଷ୍ଠା ଲାଭ କରିବୁ।” ସେଇଆ ହେଲା। ଯଦୁମଣି ଜଣେ ଆଶୁକବି ହିସାବରେ ପ୍ରଭୂତ ପ୍ରତିଷ୍ଠା ହାସଲ କଲେ। କଥାକଥାକେ ଅତି ସୁନ୍ଦର ଶବ୍ଦ ସଂଯୋଜନା କରି ସେ ଏତେ ସୁନ୍ଦର କବିତା ରଚନା କରିଦେଉଥିଲେ ଯେ ତାହା ସମସ୍ତଙ୍କ ମନକୁ ଛୁଇଁଯାଉଥିଲା। ସହଜେ ତ ସେ କୌତୁକପ୍ରିୟ, ପୁଣି ନିର୍ଭୀକ। ତେଣୁ ସାଧାରଣ ଜନତା ହୁଅନ୍ତୁ, ରାଜ କର୍ମଚାରୀ ବା ରାଜା ନିଜେ, କେହି ବି ତାଙ୍କ ବ୍ୟଙ୍ଗବାଣରୁ ବର୍ତ୍ତି ପାରୁନଥିଲେ। ଏଥିପାଇଁ ସ୍ଥଳବିଶେଷରେ ସେ ଅନେକଙ୍କ ବିରାଗଭାଜନ ହୋଇଥିଲେ ହେଁ ନୟାଗଡ଼ର ଉଦାର ଓ ଗୁଣଗ୍ରାହୀ ରାଜା ବିନାୟକ ସିଂହ ମାନ୍ଧାତା ତାଙ୍କୁ ଖୁବ୍ ଆଦର କରୁଥିଲେ। ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁର ଭଳି ଆଖପାଖ ଗଡ଼ଜାତଗୁଡ଼ିକରେ ମଧ୍ୟ ତାଙ୍କ ଖ୍ୟାତି ବ୍ୟାପିଯାଇଥିଲା। ‘ରାଘବ ବିଳାସ’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ କାବ୍ୟ ତାଙ୍କର ଦୁଇଟି ଅନନ୍ୟ ସୃଷ୍ଟି। ତେବେ ସେ ଯେଉଁ ରଚନାଗୁଡ଼ିକ ପାଇଁ ଓଡ଼ିଶାର ଘରେଘରେ ପରିଚିତ, ତାହା ହେଲା ତାଙ୍କର ଶତାଧିକ ହାସ୍ୟ କବିତା, ଯାହାର ସଂଗୃହୀତ ରୂପ ‘ଯଦୁମଣି ରହସ୍ୟ’ ନାମରେ ଖୁବ୍ ଜନପ୍ରିୟ।
ଶବ୍ଦଚାତୁରୀ ବଳରେ ସେ ଅନେକ କଥା ଖୁବ୍ କମ୍ ଶବ୍ଦରେ କହିପାରୁଥିଲେ ଏବଂ ଏପରି ଶବ୍ଦ ସଂଯୋଜନା କରୁଥିଲେ ଯେ ଗୋଟିଏ ଶବ୍ଦରୁ ଭିନ୍ନ ଭିନ୍ନ ଅର୍ଥ ବାହାରୁଥିଲା। ଥରେ ସେ ଧନୁ ମାସରେ ପୁରୀ ଆସିଥିବା ସମୟରେ ତତ୍କାଳୀନ ଗଜପତି ମୁକୁନ୍ଦ ଦେବଙ୍କୁ ଭେଟିଥିଲେ। ଗଜପତି ଯେତେବେଳେ ପଚାରିଲେ, ‘ମହାପାତ୍ରେ, କ’ଣ ଇଚ୍ଛା?’ ଯଦୁମଣି ତାଙ୍କ ସ୍ବଭାବସୁଲଭ ଶୈଳୀରେ କହିଥିଲେ- ‘ଧନୁମାସ ହେଲା, ହନୁ ନଚଳିଲା କହିବାକୁ ବଡ଼ ଲାଜ। ମୁଁ ଆଁ କରିଛି ମୁଆଁ ଖାଇବାକୁ ଦେବା ହେଉ ମହାରାଜ’। ସେହିପରି ଥରେ କାର୍ତ୍ତିକମାସର ପଞ୍ଚୁକ ସମୟରେ ନୟାଗଡ଼ ରାଜା ପ୍ରାତଃକାଳରେ ଦେବଦର୍ଶନ ସାରି ଫେରୁଥିବାବେଳେ ରାସ୍ତାରେ ବହୁଲୋକ ଚାଲି ଚାଲି ଯାଉଥିବାର ଦେଖିଲେ। ରାଜ ଦରବାରକୁ ଆସି ସେ ପଚାରିଲେ,‘‘ଯଦୁମଣି, ଏ କାକରେ କେଉଁମାନେ ଯାଉଛନ୍ତି?” ଯଦୁମଣିଙ୍କର ତୁରନ୍ତ ଉତ୍ତର-‘‘ଆଜ୍ଞା, ଏ କାକରେ, ଦ୍ବିକରେ, ସ୍ତ୍ରୀକର ଧରି, ଚତୁସ୍କର ଦର୍ଶନକୁ ପଞ୍ଚକରେ ସଡ଼କରେ ଯାଉଛନ୍ତି।” ଏକ ରୁ ଛଅ ପର୍ଯ୍ୟନ୍ତ ସଂଖ୍ୟାକୁ ଲଗାଇ ଏତେ ସୁନ୍ଦର ଭାବରେ ସେ କଥାଟି କହିଲେ ଯେ ସାରା ରାଜସଭା ସ୍ତମ୍ଭୀଭୂତ ହୋଇଯାଇଥିଲା। ମହାରାଜା ବିନାୟକ ସିଂହ ମାନ୍ଧାତା ଯଦୁମଣିଙ୍କୁ ରାଜ ଦରବାରରେ ସ୍ଥାନ ଦେଇଥିଲେ। ମାତ୍ର ଯଦୁମଣି ଚାଟୁକାର ବା ବିଦୂଷକ ନଥିଲେ। ସେ ଥିଲେ ଜଣେ ଉଚ୍ଚକୋଟୀର କବି, ହାସ୍ୟରସିକ ତଥା ନିର୍ଭୀକ ସମାଲୋଚକ। ତାଙ୍କର ‘ଅନ୍ଧଦେଶକୁ ଗଲି ଦର୍ପଣ ବିକି’, ‘ନିକିତି ତଉଲ ସାନବଡ଼କୁ’ ଓ ‘ଚାକୁଣ୍ଡା ବୁଣିଲେ ଉଠଇ ନାହିଁ’ ଆଦି ପଦଗୁଡ଼ିକ ଆଜିବି ଲୋକଙ୍କ ମୁହଁରେ ରହିଛି।
କବିସୂର୍ଯ୍ୟ ବଳଦେବ ରଥ ଯଦୁମଣିଙ୍କ ସମସାମୟିକ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା। ମାତ୍ର ସେ ତାଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ଥରେ କବିସୂର୍ଯ୍ୟ ଯଦୁମଣିଙ୍କ ପାଖକୁ ଦୁଇ ଟୋକେଇ ଆମ୍ବ ପଠାଇ ତା’ସହ ଚିଠିଟିଏ ଦେଇ କବିତାରେ ଲେଖିଥିଲେ-‘ଶୁଆ ଦିଆଗଲା, ସାରି ଦିଆଗଲା।’ ଅର୍ଥାତ୍ ଶୁଆସାରୀ ପରି ଉତ୍କୃଷ୍ଟ ଆମ୍ବ ଦିଆଗଲା। ଅନ୍ୟ ଅର୍ଥରେ ସୁଆଦିଆ ଓ ସାରିଦିଆ (ସାରଦିଆ) ଦୁଇପ୍ରକାର ଆମ୍ବ ଗଲା। ଯଦୁମଣି ଚିଠି ପଢି ତୁରନ୍ତ ଉତ୍ତର ଲେଖିଲେ-‘ଦୁଇଟା ଆମ୍ବରେ ଦୁଇଟା କୁଆ, ଭିତରେ ଯୋଡ଼ିଏ କୋଇଲି ଥୁଆ’। ସେ ଟାକୁଆ ଓ କୋଇଲି କଥା କହିବା ବାହାନାରେ ଆମ୍ବଗୁଡିକ ଶୁଆସାରି ପରି ଉତ୍କୃଷ୍ଟ ନୁହେଁ ବରଂ କୁଆ ପରି ସାଧାରଣ ସ୍ତରର ବୋଲି ଜଣାଇଥିଲେ। ଶୁଆସାରୀ ଉତ୍ତରରେ କୁଆକୋଇଲି ଦୁଇ ପକ୍ଷୀଙ୍କ ନାଁ ନେଇ ସେ ଯେଉଁ ସୁନ୍ଦର ଉତ୍ତର ଦେଇଥିଲେ ତାହାକୁ କବିସୂର୍ଯ୍ୟ ପ୍ରଶଂସା କରିଥିଲେ। ରାଜ ଅନୁଗ୍ରହ ସତ୍ତ୍ବେ ଆର୍ଥିକ ଅନଟନ ଓ ଦାରିଦ୍ର୍ୟ ମଧ୍ୟରେ ତାଙ୍କର ଜୀବନ କଟିଛି। ବିଶେଷକରି ରାଜା ବିନାୟକ ମାନ୍ଧାତାଙ୍କ ମୃତ୍ୟୁ ପରେ ତାଙ୍କ ପରିସ୍ଥିତି ଆହୁରି ବିଗିଡ଼ି ଯାଇଛି ତଥାପି ସେ ନିଜ ସ୍ବାଭିମାନ ଛାଡ଼ିନାହାନ୍ତି। ଜଣେ ନୀର୍ଭିକ ବ୍ୟଙ୍ଗକାର ଭାବେ ସେ ନିଜକୁ ଉପସ୍ଥାପିତ କରିଛନ୍ତି ‘ଉତ୍କଳ ଘଣ୍ଟ’ ନାମରେ। ନିଜ ପରିଚୟ ଦେବାକୁ ଯାଇ କହିଛନ୍ତି-
“ହୟଗ୍ରୀବ ମହାପ୍ରଭୁ ପ୍ରତାପେ,
ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ। xxx
ଭଲେ ଭଲ ଖଣ୍ଟେ ଖଣ୍ଟ ଯେ,
ନବଦୁର୍ବାଦଳ ଶ୍ୟାମଳ କୃପାରୁ
ମୋ ନାମ ଉତ୍କଳ ଘଣ୍ଟ ଯେ।”
କବି ଯଦୁମଣିଙ୍କର ଜନ୍ମ ଖ୍ରୀ.୧୭୮୧ରେ। ୮୫ ବର୍ଷ ବୟସରେ ଖ୍ରୀ.୧୮୬୬ ଶ୍ରୀଗୁଣ୍ଡିଚା ଦିନ ତାଙ୍କର ପରଲୋକ ହୋଇଥିଲା। ଜାନୁଆରି ୮ ତାରିଖରେ ଉତ୍କଳ ଘଣ୍ଟଙ୍କର ଜୟନ୍ତୀ ଅବସରରେ ସେହି ମହାନ ବିଭୂତିଙ୍କୁ କୋଟିକୋଟି ପ୍ରଣାମ।