ସ୍ବରାଜ ମିଶ୍ର
ଖବରକାଗଜ ସଂପାଦକଙ୍କ ନାମରେ ମାନହାନି ମାମଲା ନୂଆକଥା ନୁହେଁ। ବେଳେ ବେଳେ ତାହା ସଙ୍ଗିନ ରୂପ ନେବାର ନଜିର ମଧ୍ୟ ଅଛି। କିନ୍ତୁ ଓଡ଼ିଶାର ପ୍ରଥମ ମୁଦ୍ରିତ ଖବରକାଗଜ ପ୍ରକାଶନର ତିନିବର୍ଷ ଭିତରେ ତାହା ବିରୁଦ୍ଧରେ ଏଭଳି ଏକ ମାମଲା ଦାଏର ହୋଇଥିବ ଏବଂ ସେଥିରେ ‘ମାଷ୍ଟର ମହାଶୟ’ ତଥା ଓଡ଼ିଆ ଭାଷାର ସମ୍ମାନ ପ୍ରସଙ୍ଗ ଜଡ଼ିତ ହୋଇ ପଡ଼ିଥିବ, ଏକଥା ବିଶ୍ବାସ କରିହୁଏନା। ଊଣାଅଧିକେ ସମସ୍ତେ ଜାଣନ୍ତି ଯେ କର୍ମବୀର ଗୌରୀଶଙ୍କର ରାୟଙ୍କ ଉଦ୍ୟମରେ କଟକ ପ୍ରିଣ୍ଟିଙ୍ଗ୍ ପ୍ରେସ୍ ସ୍ଥାପିତ ହେବା ପରେ ୧୮୬୬ ମସିହାରେ ପ୍ରଥମ ଓଡ଼ିଆ ମୁଦ୍ରିତ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶନ ଆରମ୍ଭ ହୋଇଥିଲା। ତେବେ ଅନେକେ ହୁଏତ ଜାଣି ନଥିବେ ଯେ ‘ଉତ୍କଳ ଦୀପିକା’ର ସମ୍ପାଦକ ଗୌରୀଶଙ୍କରଙ୍କୁ ଉତ୍କଳ ଗୌରବ ମଧୁସୂଦନ ଆଦରରେ ଡାକୁଥିଲେ ‘ମାଷ୍ଟର ମହାଶୟ’। ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତକାରୀଙ୍କ ତରଫରୁ ଦାଏର ହୋଇଥିବା ଏହି ମୋକଦ୍ଦମା ଥିଲା ସମସ୍ତ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ସ୍ବାଭିମାନର ପ୍ରଶ୍ନ ଏବଂ ଏହାର ରାୟ କାହା ପକ୍ଷରେ ଯିବ ସେଥିପାଇଁ ଉଭୟ ପକ୍ଷ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ।
ମଧୁବାବୁଙ୍କଠାରୁ ବୟସରେ ୧୦ ବର୍ଷ ବଡ଼ ଗୌରୀଶଙ୍କରଙ୍କର ଜନ୍ମ ହୋଇଥିଲା ୧୮୩୮ ମସିହା ଜୁଲାଇ ୧୩ ତାରିଖରେ। କଟକ ଜିଲ୍ଲାର ଅସୁରେଶ୍ବର ନିକଟବର୍ତ୍ତୀ ଦୀକ୍ଷିତପଡ଼ା ଗ୍ରାମର ସଦାଶିବପ୍ରସାଦ ରାୟ ଓ ଅନ୍ନପୂର୍ଣ୍ଣା ଦେବୀଙ୍କ କୋଳରେ ତାଙ୍କର ଜନ୍ମ। ଗୌରୀଶଙ୍କର ଥିଲେ ବେଶ୍ ବିଚକ୍ଷଣ। ସେ କଟକ ହାଇସ୍କୁଲ୍ରୁ ଏଣ୍ଟ୍ରାନ୍ସ ପାସ୍ କରିବା ପରେ ସରକାରୀ ବୃତ୍ତି ପାଇ ୧୮୫୬ ଜୁନ୍ରେ ଉଚ୍ଚଶିକ୍ଷା ପାଇଁ ହୁଗୁଳି ଯାତ୍ରା କରିଥିଲେ। ମାତ୍ର ଏକ ବିଚିତ୍ର ଘଟଣାକ୍ରମରେ ବର୍ଷକ ପରେ ପଢ଼ା ଅଧାରଖି ତାଙ୍କୁ ଫେରିବାକୁ ପଡ଼ିଥିଲା। ୧୯୨୫ରେ ପ୍ରକାଶିତ ‘କର୍ମଯୋଗୀ ଗୌରୀଶଙ୍କର’ ପୁସ୍ତକରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଲେଖିଛନ୍ତି, ‘‘ସେଠାରେ ତାଙ୍କର ବିବାହ ପ୍ରସ୍ତାବ ହେଉଥିବାର ଶୁଣିପାରି ପିତା ତାହାଙ୍କୁ ଶୀଘ୍ର ହୁଗୁଳି ପରିତ୍ୟାଗ କରି ଚାଲିଆସିବାକୁ ଲେଖିଥିଲେ। ବାପାଙ୍କ ଆଦେଶରେ ସେ ଓଡ଼ିଶା ଫେରିଆସିଥିଲେ।’’ ଫେରିବା ବାଟରେ ସେ ବାଲେଶ୍ବରରେ କାକା ଭବାନୀପ୍ରସାଦ ରାୟଙ୍କ ଘରେ ରହି ବାଲେଶ୍ବର ସ୍କୁଲ୍ରେ ମାସିକ କୋଡ଼ିଏ ଟଙ୍କା ବେତନରେ କିଛି ମାସ ଅସ୍ଥାୟୀ ଶିକ୍ଷକ ପଦରେ ରହିଥିଲେ ଏବଂ ୧୮୫୯ ଶେଷଭାଗରେ କଟକ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ। ମଧୁସୂଦନ ତାଙ୍କଠାରୁ କିଛିଦିନ ଶିକ୍ଷାଲାଭ କରିଥିବାରୁ ତାଙ୍କୁ ଆଜୀବନ ‘ମାଷ୍ଟର ମହାଶୟ’ ବୋଲି ଡାକୁଥିଲେ।’’
କଟକ ଫେରି ସେ କଲେକ୍ଟର୍ଙ୍କ ଦପ୍ତରରେ କିରାଣି ପଦରେ ଯୋଗଦେଲେ। ମାତ୍ର ସେ ଥିଲେ ପ୍ରଚଣ୍ଡ ସ୍ବାଧୀନଚେତା ଓ ନିର୍ଭୀକ। ତାଙ୍କ ଭଳି ଜଣେ ତେଜସ୍ବୀ ମଣିଷ ଓଡ଼ିଶାର ପ୍ରଥମ ମୁଦ୍ରିତ ଖବରକାଗଜର ସମ୍ପାଦକ ହେବା ଥିଲା ବିଧିର ବିଧାନ। ସେତେବେଳେ କମିସନର୍ ସାହେବଙ୍କ ସିରସ୍ତାଦାର ପଦରେ ନିଯୁକ୍ତ ଥିବା ବିଚିତ୍ରାନନ୍ଦ ଦାସଙ୍କ ପରାମର୍ଶ ଓ ସହାୟତାରେ ସେ କଟକରେ ଛାପାଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କଲେ। ୩୦୦ଟି ୨୫ଟଙ୍କିଆ ସେୟାର୍ ଇସୁ କରି ୭୫୦୦ ଟଙ୍କା ମୂଳଧନରେ ‘କଟକ ପ୍ରିଣ୍ଟିଙ୍ଗ୍ କମ୍ପାନି’ ଗଠିତ ହେଲା ଏବଂ ଏହାର ନବନିର୍ମିତ ଛାପାଖାନାରୁ ‘ଉତ୍କଳ ଦୀପିକା’ ସାପ୍ତାହିକର ପ୍ରକାଶନ ଆରମ୍ଭ ହେଲା। ଗୌରୀଶଙ୍କର ଏହାର ସମ୍ପାଦକ ପଦରେ ରହିଲେ। ତାହା ଥିଲା ନଅଙ୍କ ଦୁର୍ଭିକ୍ଷ ସମୟ। ଏହି ଦାରୁଣ ସଙ୍କଟ ସମୟରେ ଜନସାଧାରଣଙ୍କ ସ୍ବର ସାଜିଥିଲା ‘ଉତ୍କଳ ଦୀପିକା’। ସରକାରୀ ଚାକିରିରେ ଥାଇ ମଧ୍ୟ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇବାରେ ଗୌରୀଶଙ୍କର ଯେଉଁ ଅସାଧାରଣ ସାହସ ଦେଖାଇଥିଲେ ତାହା ଖବରକାଗଜକୁ ଅତ୍ୟନ୍ତ ଲୋକପ୍ରିୟ କଲା। ବିଶେଷକରି ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ସାରଥୀ ସାଜିଲା ‘ଉତ୍କଳ ଦୀପିକା’।
ସେତେବେଳ ଓଡ଼ିଶାରେ ବଙ୍ଗଳା ଓ ଓଡ଼ିଆ ମଧ୍ୟରେ ଭାଷାବିବାଦ ଆରମ୍ଭ ହୋଇଯାଇଥାଏ। ସରକାରୀ ପଦପଦବିରେ ଥିବା କିଛି ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ଭାଷାକୁ ଶିକ୍ଷା ଓ ଶାସନକ୍ଷେତ୍ରରୁ ହଟାଇଦେବାକୁ ସୁସଂଗଠିତ ଉଦ୍ୟମ କରୁଥାନ୍ତି। ଦ୍ବିଭାଷୀ ପାକ୍ଷିକ ‘ଉତ୍କଳ ହିତୈଷିଣୀ’ ଓ ଇଂରାଜୀ ସାପ୍ତାହିକ ‘କଟକ ଷ୍ଟାର୍’ ଓଡ଼ିଆ ଭାଷାବିରୋଧୀମାନଙ୍କର ମୁଖପତ୍ର ଥିଲାବେଳେ ‘କଟକ ଡିବେଟିଂ ସୋସାଇଟି’ ଥିଲା ସେମାନଙ୍କର ଅଘୋଷିତ ରାଜନୈତିକ ମଞ୍ଚ। କଟକରେ ଅବସ୍ଥାପିତ ଯୁବ ଆଇନ ଅଧ୍ୟାପକ ବାବୁ ରାଜକୃଷ୍ଣ ମୁଖୋପାଧ୍ୟାୟ ଓ ଉମାଚରଣ ହାଲଦାର ପ୍ରମୁଖ ଏଥିରେ ମୁଖ୍ୟ କାର୍ପଟ୍ଦାର ଥିଲେ। ବଙ୍ଗଳାର ପ୍ରତିଷ୍ଠିତ ପ୍ରତ୍ନତତ୍ତ୍ବବିତ୍ ରାଜେନ୍ଦ୍ର ଲାଲ୍ ମିତ୍ର ଓଡ଼ିଶା ଆସିଥିବା ବେଳେ ଡିବେଟିଂ ସୋସାଇଟିର ଏକ ସଭାରେ ଓଡ଼ିଆରେ ଛାପା ପାଠ୍ୟପୁସ୍ତକ ଅଭାବ ଦର୍ଶାଇ ବଙ୍ଗଳା ପାଠ୍ୟପୁସ୍ତକ ଏଠାରେ ଚଳାଇବା ଉଚିତ ବୋଲି ଯୁକ୍ତି ରଖିଲେ। ମାତ୍ର ଉମାଚରଣ ହାଲଦାର ଆଉ ପାଦେ ଆଗକୁ ଯାଇ ‘କଟକ ଷ୍ଟାର୍’ରେ ଲେଖିଲେ ଯେ ଓଡ଼ିଆ ଭାଷାର ପୁସ୍ତକ ବଙ୍ଗଳା ଲିପିରେ ଲେଖା ହେବା ଉଚିତ ଏବଂ ଡିବେଟିଂ ସୋସାଇଟିରେ ଏହି ମତର ଦୃଢ଼ ସମର୍ଥନ କରାଗଲା। ସମସ୍ୟା ଉପୁଜିଲା ଯେତେବେଳେ ହାଲଦାରଙ୍କୁ ସମର୍ଥନ କରି ଡିବେଟିଂ ସୋସାଇଟିରେ ବକ୍ତୃତା ଦେଇଥିବା ରାଜକୃଷ୍ଣ ମୁଖୋପାଧ୍ୟାୟଙ୍କ ଉଦ୍ଦେଶ୍ୟରେ ସମ୍ପାଦକଙ୍କୁ ପତ୍ର ସ୍ତମ୍ଭରେ ‘ଶ୍ରୀରଙ୍ଗ ପଞ୍ଚାନନ’ ଛଦ୍ମନାମରେ ଗୌରୀଶଙ୍କର ଏକ ତୀବ୍ର ଶ୍ଳେଷଭରା ଚିଠି ଛାପିଲେ। ଏହାକୁ ବ୍ୟକ୍ତିଗତ ଆକ୍ଷେପ ମଣି ରାଜକୃଷ୍ଣ ଗୌରୀଶଙ୍କରଙ୍କୁ ପତ୍ର ଲେଖିଲେ ଏବଂ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ଅଗଷ୍ଟ ୨ ତାରିଖରେ ଜଏଣ୍ଟ୍ ମାଜିଷ୍ଟ୍ରେଟ୍ କର୍କଉଡ୍ ସାହେବଙ୍କ ଇଜଲାସରେ ମାନହାନି ମକଦ୍ଦମା ଦାଏର କଲେ। ଶୁଣାଣି ଦିନ ଅଦାଲତ ଲୋକାରଣ୍ୟ ହୋଇଯାଇଥିଲା। କାରଣ ଏହା କେବଳ ମାନହାନି ମାମଲା ନ ଥିଲା, ଥିଲା ଅଗଣିତ ଓଡ଼ିଆଙ୍କ ସ୍ବାଭିମାନର ଲଢ଼େଇ।
ଦୀପିକାରେ ପ୍ରକାଶିତ ବିବାଦୀୟ ସମ୍ପାଦକଙ୍କୁ ପତ୍ରରେ ରାଜକୃଷ୍ଣଙ୍କ ସମ୍ବନ୍ଧରେ ଲେଖାଥିଲା ଯେ ‘‘ବାବୁ ମହାଶୟ ଅନେକ ବିଦ୍ୟାରେ ପରିପୂର୍ଣ୍ଣ ହୋଇ ପ୍ରଶଂସାପତ୍ରମାନ ଲାଭ କରି ଏମେ ଉପାଧି ପ୍ରାପ୍ତ ହୋଇଛନ୍ତି। ××× ତାହାଙ୍କ ଜଠରରେ କେତେଗୋଟି ଉତ୍କଳ ଅକ୍ଷର ରହିବାକୁ ଯେବେ ସ୍ଥାନ ଥାନ୍ତା ତେବେ ଆଉ ପଟାନ୍ତର ନଥିଲା। ବାବୁ ଏ ପ୍ରକାର ଚତୁରତାର କର୍ମ କରି ଉପାଧିରୁ ‘ଷ’ ଲୋପ କରିଅଛନ୍ତି।’’ ‘ଏମେ’ ସହିତ ‘ଷ’ ଯୋଗହେଲେ ତାହା ‘ଏମେଷ’ ଅର୍ଥାତ୍ ‘ଏ ମେଷ’ ହେବ।’’ ଏଣୁ ଏହି ଚିଠିରେ ତାଙ୍କୁ ମେଷ ବା ମେଣ୍ଢା କହି ଅପମାନିତ କରାଯାଇଛି ବୋଲି ରାଜକୃଷ୍ଣ କହିଥିଲେ। କଥାଟି ବୁଲାଇ ବଙ୍କାଇ କୁହାଯାଇଥିବାରୁ ଇଂରେଜ ହାକିମଙ୍କ ପକ୍ଷରେ ଏହି ଭାଷାଚାତୁରୀ ବୁଝିବା ସହଜ ନଥିଲା। ତେବେ କଥାଟିକୁ ଗଭୀର ଭାବେ ବୁଝିବା ପରେ ସେ ଯେଉଁ ରାୟ ଦେଇଥିଲେ ତାହା ରାୟଙ୍କ ସପକ୍ଷରେ ହିଁ ଯାଇଥିଲା। ଏବେ ଦୀପିକା ପାଲଟିଥିଲା ଓଡ଼ିଆ ସ୍ବାଭିମାନର ମୁଖପତ୍ର। ସ୍ଥିରବିଚାର ଓ ଦୃଢ଼ମତ ପ୍ରକାଶକରି ଏହା ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲା। କମ୍ପାନି ପରିଚାଳନାରେ ସାଧୁତା ଓ ସ୍ବଚ୍ଛତା ରଖି ଗୌରୀଶଙ୍କର ଅଂଶଧାରକମାନଙ୍କୁ ନିୟମିତ ଲାଭାଂଶ ପ୍ରଦାନ କରୁଥିଲେ। ‘ଉତ୍କଳ ଦୀପିକା’ରେ ସେ ମଧୁବାବୁ ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ସେ ମଧୁସୂଦନଙ୍କର କେବଳ ଅଗ୍ରଜ ନଥିଲେ, ଅନେକ ଦୃଷ୍ଟିରୁ ସେ ଥିଲେ ତାଙ୍କର ପଥପ୍ରଦର୍ଶକ ଓ ଗୁରୁ। ୧୯୧୭ ମାର୍ଚ୍ଚ ୭ ତାରିଖରେ ଗୌରୀଶଙ୍କରଙ୍କ ତିରୋଧାନ ପରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ ଉତ୍କଳଗୌରବ ମଧୁସୂଦନ ଶ୍ରଦ୍ଧାଞ୍ଜଳି ନିବେଦନ କରି କହିଥିଲେ, ‘‘ଚାରିଦିନ ସକାଶେ ହେଉ ମୁଁ ଗୌରୀଶଙ୍କରଙ୍କ ଚରଣ ତଳେ ଶିକ୍ଷା କରିଛି। ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରେ ସେ ମୋତେ ଆଶୀର୍ବାଦ କରନ୍ତୁ, ଯେପରି ମୁଁ ତାଙ୍କ ପରି ନିର୍ଭୀକ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବି।’’
ଆଜି ଜୟନ୍ତୀ ଅବସରରେ ‘ମାଷ୍ଟର ମହାଶୟ’ ଗୌରୀଶଙ୍କରଙ୍କ ଚରଣ ତଳେ ବିନମ୍ର ପ୍ରଣାମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/13/sfsfcxcxc-2025-07-13-02-01-45.jpg)