ଭାଗ୍ୟ ପ୍ରତି ମୁହୂର୍ତ୍ତରେ ମଣିଷର ପରୀକ୍ଷା ନିଏ। ଜୀବନରେ ସଫଳତାର ଶୀର୍ଷ ଛୁଇଁଥିବା ଲୋକେ ମଧ୍ୟ ସେଥିରୁ ବାଦ୍ ଯାଆନ୍ତି ନାହିଁ। ମା’ ସରସ୍ବତୀଙ୍କ ଆଶୀର୍ବାଦରେ ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ ଗାୟନରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଯାଇଥିବା ଓଡ଼ିଶାର ଜଣେ ପ୍ରଖ୍ୟାତ ସଙ୍ଗୀତ ସାଧକଙ୍କ ଜୀବନରେ ମଧ୍ୟ ସେଇଆ ଘଟିଛି। ପେଟ ପୋଷିବା ପାଇଁ ତାଙ୍କୁ ଡ୍ରାଇଭିଂ ଶିଖି ବସ୍ ଚଳାଇବାକୁ ପଡ଼ିଛି। ଜୀବନର ଶେଷ ଭାଗରେ ପ୍ରତିଦିନ ଶ୍ରୀମନ୍ଦିର ଯାଇ ଠାକୁରଙ୍କ ଚାମରସେବା ସହିତ ଭଜନ ଜଣାଣ ଗାନ କରୁଥିବା ଏଇ ସାଧକଜଣକ ହେଲେ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନ। କପାଳରେ ଚନ୍ଦନ, ହାତରେ ଚାମର, ଆଖିରେ ଲୁହ ଓ ହୃଦୟରେ କୋହ ଧରି ସେ ଯେଉଁ ସଙ୍ଗୀତ ପରିବେଷଣ କରିଯାଇଛନ୍ତି, ତାହା ଓଡ଼ିଶାର ପ୍ରତି ସଙ୍ଗୀତପ୍ରେମୀଙ୍କ ହୃଦୟରେ ଆଜି ବି ଗୁଞ୍ଜରିତ ହେଉଛି।

Advertisment

୧୯୦୧ ମସିହା ଜୁଲାଇ ୯ ତାରିଖରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ପରିବାରରେ ତାଙ୍କର ଜନ୍ମ । ନିମାଇଁଙ୍କ ବାପା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଥିଲେ ରାଧାଶ୍ୟାମ ନରେନ୍ଦ୍ରଙ୍କର ନାତି। ତାଙ୍କ ପରିବାରର ପ୍ରାୟ ସମସ୍ତେ ସଂଗୀତପ୍ରିୟ। କୁଳଦେବତା ରାଧାଗୋବିନ୍ଦ ଜୀଉଙ୍କ ମନ୍ଦିରରେ ବର୍ଷସାରା ଭଜନକୀର୍ତ୍ତନ ଚାଲିଥାଏ। ବୃନ୍ଦାବନ ଚନ୍ଦ୍ରଙ୍କ ଭାଇ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେ  ସମୟର ଜଣେ ପ୍ରତିଷ୍ଠିତ ସଙ୍ଗୀତ ଶିଳ୍ପୀ। ତାଙ୍କରି ପାଖରେ ହିଁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ନିମାଇଁ। ଶ୍ରୀନୃସିଂହ ଟିକିରି ମଠ, କେନ୍ଦ୍ରାପଡ଼ାରୁ ପ୍ରକାଶିତ ଏକ ପୁସ୍ତକରେ ସନ୍ନିବେଶିତ ‘ମୋ ଜୀବନ କଥା’ରେ ନିମାଇଁ ଲେଖିଛନ୍ତି, ‘‘ଦାଦା ଗୋକୁଳ ଚନ୍ଦ୍ର ମୋତେ ହାର୍‌ମୋନିୟମ୍‌ଟି ଟେକିଦେଇ କହିଲେ, ‘ଏ ବଂଶର ସେ ପୂର୍ବ ଗୌରବ ଆଉ ନାହିଁ। ହେଲେ ସେ ଗୌରବୋଜ୍ଜ୍ବଳ ସ୍ମୃତିକୁ ତୁ ସଂଗୀତ ଗାଇ ପୁଣିଥରେ ଜୀବନ୍ତ କରିବୁ, ଏହାହିଁ ମୋର ତୋତେ ଆଶୀର୍ବାଦ।”

କିଶୋର ନିମାଇଁ ଗୋକୁଳ ଚନ୍ଦ୍ରଙ୍କ ମାଧ୍ୟମରେ ଓସ୍ତାତ ମାଧୋରାଓଙ୍କଠାରୁ ହିନ୍ଦୁସ୍ଥାନୀ ସଙ୍ଗୀତ ଶିକ୍ଷାର ସୌଭାଗ୍ୟ ପାଇଛନ୍ତି, ଯାହା ତାଙ୍କ ଗଳାକୁ ଅଧିକ ମାର୍ଜିତ କରିଛି। କଲିକତାରେ ସଙ୍ଗୀତ ରସିକ ବାବାଜୀ ରାମଦାସଙ୍କ ପାଖରେ କିଛିଦିନ ରହି ସେଠାରେ ମଧ୍ୟ ସେ ସଙ୍ଗୀତ ଶିକ୍ଷା କରିଛନ୍ତି। ତେବେ ଦାଦା ଗୋକୁଳଚନ୍ଦ୍ର ଓ କଟକର ଗ୍ରାମୋଫୋନ୍ ବ୍ୟବସାୟୀ ମସ୍ତାନ୍‌ବାବୁଙ୍କ ସହାୟତାରେ ୧୯୩୩ରେ କଲିକତାର ହିଜ୍ ମାଷ୍ଟର୍ସ ଭଏସ୍ (ଏଚ୍‌ଏମ୍‌ଭି) କମ୍ପାନିରେ ପହଞ୍ଚି ଯେତେବେଳେ ସେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ’ ଗାଇ ରେକର୍ଡ କରାଇଛନ୍ତି, ତାଙ୍କ ଜୀବନର ମୋଡ଼ ବଦଳିଯାଇଛି। ରେକର୍ଡଟି ଅଭୂତପୂର୍ବ ବ୍ୟାବସାୟିକ ସଫଳତା ହାସଲ କରିବାପରେ ସେ ଏଚ୍‌ଏମ୍‌ଭିର ଅନ୍ୟତମ ସଫଳତମ ଗାୟକ ପାଲଟିଛନ୍ତି ଏବଂ ଓଡ଼ିଶା ପାଇଛି ଶୁଦ୍ଧ ପାରମ୍ପରିକ ଗାୟନ ପାଇଁ ଏକ ଦମ୍‌ଦାର୍ ଗଳା।
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ କହନ୍ତି, “ପ୍ରକୃତରେ ସେ ହରିଙ୍କର ଚନ୍ଦନ ଥିଲେ। ପ୍ରଥମେ ଯେତେବେଳେ ତାଙ୍କର ଗୀତ ରେକର୍ଡ ବାହାରିଲା, ସେତେବେଳେ ସୁବାସିତ ଚନ୍ଦନର ବାସ୍ନା ସାରା ଓଡ଼ିଶା ମହକାଇ ଦେଇଥିଲା। ସେତେବେଳକୁ ମୋର ସଂଗୀତ ସାଧନା ଆରମ୍ଭ ହୋଇ ନଥାଏ। ଏଚ୍‌ଏମ୍‌ଭି ରେକର୍ଡରେ ତାଙ୍କ ଗୀତ ଶୁଣିବା ପରେ ମୋର ସଂଗୀତ ପ୍ରତି ଆଗ୍ରହ ଜନ୍ମିଥିଲା।”  

ଶେଷଜୀବନରେ ଶ୍ରୀମନ୍ଦିର ନିକଟସ୍ଥ ମାଟିମଣ୍ଡପ ସାହିରେ ରହି ସେ ପ୍ରତ୍ୟହ ଠାକୁରଙ୍କ ସେବାରେ ଉପସ୍ଥିତ ରହୁଥିଲେ। ଗଜପତିଙ୍କ ଅନୁମୋଦନକ୍ରମେ ତାଙ୍କୁ ଶ୍ରୀ ଜୀଉମାନଙ୍କର ଚାମର ସେବା ସୁଯୋଗ ମିଳିଥିଲା। କି ବର୍ଷା, କି ଶୀତ ପ୍ରତିଦିନ ଭୋର୍‌ ୪ଟାରେ ସେ ପହଞ୍ଚି ଯାଉଥିଲେ ସିଂହଦ୍ବାରରେ। ଗରୁଡ଼ସ୍ତମ୍ଭ ପଛରେ ଥାଇ ବାଢ଼ି ଦେଉଥିଲେ ଆପଣା ହୃଦୟର ସଙ୍ଗୀତ ଅର୍ଘ୍ୟ।

ପ୍ରକୃତରେ ଜମିଦାର ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ନିମାଇଁଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ବାପା ରୋଗାକ୍ରାନ୍ତ ଥିବାରୁ ଚିକିତ୍ସା ଖର୍ଚ୍ଚ ବଢ଼ିଯାଇଥାଏ। ପୁଣି ଜମିବାଡ଼ି ନେଇ ମାଲିମୋକଦ୍ଦମାରେ ପରିବାରର ଆର୍ଥିକ ଅବସ୍ଥା ବିଗିଡ଼ିଯାଇଥାଏ। ଏଇ ଅବସରରେ ଆଠଗଡ଼ ରାଜପରିବାରର କନ୍ୟା ଲକ୍ଷ୍ମୀପ୍ରିୟାଙ୍କ ସହ ତାଙ୍କର ବିବାହ ହୋଇଛି। କିନ୍ତୁ ପରିସ୍ଥିତି ଦାଉସାଧିଛି। ପେଟ ପୋଷିବା ପାଇଁ ତାଙ୍କୁ ଛୋଟମୋଟ ବ୍ୟବସାୟ କରିବାକୁ ପଡ଼ିଛି। ଏପରିକି ସେ ବସ୍ ବ୍ୟବସାୟରେ ମଧ୍ୟ ହାତ ଦେଇଛନ୍ତି। କଟକରେ ଅନ୍ୟ କେତେଜଣଙ୍କ ସହ ମିଶି ସେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ନିଜେ ଡ୍ରାଇଭିଂ ଶିଖି ବସ୍ ଚଳାଇଛନ୍ତି। ହାର୍‌ମୋନିୟମ୍‌ ରିଡ୍‌ରେ ଅଙ୍ଗୁଳି ଚଳାଇ ସୁର ତୋଳୁଥିବା ହାତ ଡ୍ରାଇଭିଂ ଶିଖିବା ପାଇଁ ବସ୍‌ର ଷ୍ଟିଅରିଂ ଧରିଛି। ତଥାପି ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇପାରିନାହାନ୍ତି ସେ। ବରଂ ମାତା ସରସ୍ବତୀଙ୍କ କରୁଣାରୁ ବିଭିନ୍ନ ସମ୍ଭ୍ରାନ୍ତ ପରିବାରରେ ଘରୋଇ ସଙ୍ଗୀତ ଶିକ୍ଷକ କାମ ପାଇ ଅର୍ଥ ଉପାର୍ଜନ ସହ ନିଜ ସାଧନା ଅବ୍ୟାହତ ରଖିଛନ୍ତି।
ଧୀରେ ଧୀରେ କିନ୍ତୁ ପରିସ୍ଥିତି ବଦଳେ। ଏଚ୍‌ଏମ୍‌ଭି ରେକର୍ଡର ଅସାଧାରଣ ଜନପ୍ରିୟତା ପରେ ନିମାଇଁଙ୍କୁ କଲିକତା ଆକାଶବାଣୀ କେନ୍ଦ୍ରର ଓଡ଼ିଆ କାର୍ଯ୍ୟକ୍ରମରେ ଗାଇବାକୁ  ସୁଯୋଗ ମିଳିଲା ୧୯୩୪ରେ।

ନିମାଇଁ ଲେଖିଛନ୍ତି,‘‘ଯେତେବେଳେ ମୁଁ ଜଣାଣ, ଛାନ୍ଦ, ଓଡ଼ିଶୀ ଓ ଚମ୍ପୂ ଗୀତମାନ ରେକର୍ଡିଂ କଲି, କମ୍ପାନି (ଏଚ୍‌ଏମ୍‌ଭି) ର କର୍ମକର୍ତ୍ତାଗଣ ମୋର କଣ୍ଠସ୍ବରରେ ମୁଗ୍ଧହୋଇ ମୋତେ ‘ବାଣୀକଣ୍ଠ’ ଉପାଧିରେ ଭୂଷିତ କଲେ।” ଆଠଗଡ଼ର ରାଜାସାହେବ ମଧ୍ୟ ତାଙ୍କୁ ଡାକିନେଇ ରାଜସଙ୍ଗୀତଜ୍ଞ ପଦରେ ଅବସ୍ଥାପିତ କଲେ ଏବଂ ୧୦୦ ଏକର ଜମି ଖଞ୍ଜା ଦେବା ସହିତ ମାସିକ ୩୦ଟଙ୍କା ଭତ୍ତା ମଞ୍ଜୁର କରିବାରୁ ତାଙ୍କର ଆର୍ଥିକ ଅସୁବିଧା ଘୁଞ୍ଚିଲା। ୧୯୪୮ରେ କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ସେ ଗାଇଥିବା ପ୍ରଥମ ଗୀତ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ଶ୍ରୀରାଧା ବାତୁଳୀ...’ ଖୁବ୍ ଜନପ୍ରିୟ ହୋଇଥିଲା। ପରେ ପରେ ସେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥ’(୧୯୫୦)ରେ ଦୁଇଟି ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଥିଲେ, ଯାହା ଲୋକଙ୍କ ହୃଦୟକୁ ଛୁଇଁଯାଇଥିଲା। ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ,  କବିସୂର୍ଯ୍ୟ, ଅଭିମନ୍ୟୁ, ବନମାଳୀ ପ୍ରମୁଖଙ୍କ ଛାନ୍ଦ, ଚଉପଦୀ, ଭଜନ ଆଦି ତାଙ୍କ କଣ୍ଠରେ ଏପରି ଜୀବନ୍ୟାସ ପାଉଥିଲା ଯେ ଓଡ଼ିଶାର ଘରେ ଘରେ ଗୁଞ୍ଜରିତ ହେଉଥିଲା ସେ ବଳିଷ୍ଠ ସ୍ବର। ବାଳକୃଷ୍ଣ ଦାଶଙ୍କ ଭାଷାରେ “ତାଙ୍କ କଣ୍ଠସ୍ବରର ରେଞ୍ଜ୍‌ ଏତେ ଅଧିକ ଥିଲା ଯେ ସେ ବିନା ମାଇକ୍‌ରେ ସ୍ପଷ୍ଟ ଉଚ୍ଚାରଣ କରି ଶହ ଶହ ଲୋକଙ୍କୁ ଶୁଣାଇ ପାରୁଥିଲେ।”

ବାଣୀକଣ୍ଠ ତାଙ୍କ ଜୀବନର ଶେଷ ବାରବର୍ଷରୁ ଅଧିକ ସମୟ କଟାଇଛନ୍ତି ପୁରୀରେ। ତାହା ହିଁ ଥିଲା ତାଙ୍କର ଆନ୍ତରିକ ଅଭିଳାଷ। ଶ୍ରୀମନ୍ଦିର ନିକଟସ୍ଥ ମାଟିମଣ୍ଡପ ସାହିରେ ରହି ସେ ପ୍ରତ୍ୟହ ଠାକୁରଙ୍କ ସେବାରେ ଉପସ୍ଥିତ ରହୁଥିଲେ। ଗଜପତିଙ୍କ ଅନୁମୋଦନକ୍ରମେ ତାଙ୍କୁ ଶ୍ରୀ ଜୀଉମାନଙ୍କର ଚାମର ସେବା ସୁଯୋଗ ମିଳିଥିଲା। କି ବର୍ଷା, କି ଶୀତ ପ୍ରତିଦିନ ଭୋର୍‌ ୪ଟାରେ ସେ ପହଞ୍ଚି ଯାଉଥିଲେ ସିଂହଦ୍ବାରରେ। ଗରୁଡ଼ସ୍ତମ୍ଭ ପଛରେ ଥାଇ ବାଢ଼ି ଦେଉଥିଲେ ଆପଣା ହୃଦୟର ସଙ୍ଗୀତ ଅର୍ଘ୍ୟ। ମନ୍ଦିର ଭିତରେ ଭଜନ ଗାଉଥିବାବେଳେ ତାଙ୍କ ଆଖିରୁ ବହିଯାଉଥାଏ ଧାର ଧାର ଲୁହ। ତନ୍ମୟ ଭାବାବେଶର ସେ ମଧୁର ଗାୟନ ଦେଖଣାହାରିଙ୍କୁ ବିଭୋର କରିବା ସହ ଠାକୁରଙ୍କ ହୃଦୟକୁ ଛୁଇଁ ଯାଉଥିଲା ନିଶ୍ଚୟ। ନହେଲେ ଠାକୁରଙ୍କ ନାମ ଭଜି ଭଜି ବାହୁଡ଼ାରେ ବାହୁଡ଼ିଯିବା ପାଇଁ ତାଙ୍କର ଶେଷ ଆଶା ପୂରଣ ହୋଇଥାନ୍ତା କିପରି?
୧୯୮୩ ମସିହା ରଥଯାତ୍ରା ସମୟ। ବାହୁଡ଼ାଯାତ୍ରାର ପୂର୍ବରାତି ୧୯ ଜୁଲାଇର କଥା। ବାଣୀକଣ୍ଠଙ୍କ ନାତି ଆଡ୍‌ଭୋକେଟ୍‌ ପ୍ରଣୟକିଶୋର ହରିଚନ୍ଦନ ମନେପକାଇ କହନ୍ତି-ସେଦିନ ସନ୍ଧ୍ୟାରେ ସେ ବାପାମାଆ ଓ ଭାଇଙ୍କ ସହ ପହଞ୍ଚିଥିଲେ ପୁରୀରେ। ରାତିରେ ଜେଜେବାବା କହିବାରୁ ତାଙ୍କ ସହ ଗୋଟିଏ ଖଟରେ ଶୋଇଥିଲେ ସେ। କିନ୍ତୁ, ସେହି ରାତି ଯେ କାଳରାତି ହେବ ତାହା ସେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ। ସେହି ରାତିରେ ବାଣୀକଣ୍ଠ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଲେ ଏବଂ ପାଖାପାଖି ଭୋର୍ ସମୟରେ ତାଙ୍କର ଦେହାନ୍ତ ହେଲା। ବାହୁଡ଼ା ଦିନ ସକାଳେ ତାଙ୍କ ମରଶରୀର ସ୍ବର୍ଗଦ୍ବାର ନେବାବେଳକୁ ବଡ଼ଦାଣ୍ଡ ଲୋକାରଣ୍ୟ। କି ଅଦ୍ଭୁତ ସେ ସଂଯୋଗ! ଦିନକ ତଳେ ଶରଧାବାଲିରେ ଠିଆହୋଇ ସେ ଗାଇଥିଲେ-“ତୁମ ନାମ ଭଜି ଭଜି ଏ ଜୀବ ଯାଉ।” ସତକୁ ସତ ବାହୁଡ଼ାରେ କାଳିଆଠାକୁର ବଡ଼ଦେଉଳକୁ ବାହୁଡ଼ିବା ବେଳକୁ ତାଙ୍କ ପ୍ରିୟଭକ୍ତ ବାଣୀକଣ୍ଠ ବି ବାହୁଡ଼ି ଯାଇଥିଲେ ଅମରଧାମକୁ।