ମାର୍ଗଶିର ମାସ ଲକ୍ଷ୍ମୀପୂଜାର ସମୟ। ଏହି ସମୟରେ ମନେପଡ଼ୁଛି ଆମ ଓଡ଼ିଶାମାଟିର ଏକ ଛୋଟ ଝିଅର କଥା। ଯିଏ ମାତ୍ର ଚଉଦ ବର୍ଷ ବୟସରେ ଆଜାଦ ହିନ୍ଦ୍ ଫୌଜରେ ଯୋଗଦେଇ ଫୌଜର ସର୍ବକନିଷ୍ଠା ମହିଳା ସଂଗ୍ରାମୀ ହେବାର ବିରଳ ମାନ୍ୟତା ହାସଲ କରିଥିଲା। ନାଁଟି ତା’ର ଲକ୍ଷ୍ମୀ। ନାଁ ଲକ୍ଷ୍ମୀ, ହେଲେ ଦୁଃଖ ଓ ଦାରିଦ୍ର୍ୟ ତାଙ୍କ ପିଛା ଛାଡ଼ିନଥିଲା ଜୀବନସାରା। ଏପରିକି ପରିଣତ ବୟସରେ ଏଇ ସ୍ବାଧୀନତା ସେନାନୀଙ୍କୁ ପରଘରେ ବାସନମାଜି ପେଟ ପୋଷିବାକୁ ପଡ଼ିଥିଲା। ତାଙ୍କ ଜୀବନ କାହାଣୀ ଯେତିକି ରୋମାଞ୍ଚକର, ସେତିକି କରୁଣ।
ଲକ୍ଷ୍ମୀ ଗଞ୍ଜାମ ଜିଲ୍ଲାର ଝିଅ। ହିଞ୍ଜିଳିକାଟୁ ନିକଟବର୍ତ୍ତୀ ପିତଳ ଗାଁ’ର ଏକ ବ୍ରାହ୍ମଣ ପରିବାରରେ ୧୯୩୦ ମସିହାରେ ତାଙ୍କର ଜନ୍ମ। ସେତେବେଳେ ଏହି ଅଞ୍ଚଳର ଅନେକ ଲୋକ କାମ କରିବାକୁ ଦରିଆପାରି ବ୍ରହ୍ମଦେଶ ଯାଉଥିଲେ। ଗୋପାଳପୁର ବନ୍ଦରରୁ ରେଙ୍ଗୁନକୁ ଯାତ୍ରୀବାହୀ ଷ୍ଟିମର୍ ସେବା ଆରମ୍ଭ ହୋଇଥିବାରୁ ଯାତାୟାତ ସହଜ ହେଉଥାଏ। ଗବେଷକ ଅନନ୍ତରାମ କରଙ୍କ ସୂଚନା ଅନୁଯାୟୀ ଲକ୍ଷ୍ମୀଙ୍କ ବାପା ତାଙ୍କ ଗାଁର କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାସଦଳ ସହିତ ସପରିବାର ଯାଇଥିଲେ ରେଙ୍ଗୁନ୍ ଏବଂ ଏକ ରେଳପଥ ନିର୍ମାଣ ପ୍ରକଳ୍ପରେ କାମ ପାଇ ରହିଯାଇଥିଲେ ସେଇଠି। ସେମାନେ ରହୁଥିଲେ ଶ୍ରମିକବସ୍ତିରେ। ବାପାମା’ ଦିନସାରା କାମକୁ ଚାଲିଯାନ୍ତି। ଲକ୍ଷ୍ମୀ ଓ ସାନଭାଇ ନକୁଳ ବସ୍ତିପିଲାଙ୍କ ସହ ମାତିଥାନ୍ତି ଖେଳକୁଦରେ। ସେତେବେଳକୁ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ବ୍ରହ୍ମଦେଶ ଭିତରକୁ ପଶି ଆସିଥିବା ଜାପାନୀ ସେନାବାହିନୀଙ୍କୁ ରୋକିବା ପାଇଁ ବ୍ରିଟିସ୍ସେନା ରେଙ୍ଗୁନରେ ବୋମାମାଡ଼ ଆରମ୍ଭ କରିଥାନ୍ତି। ଦିନେ ସେଭଳି ଏକ ବୋମା ମାଡ଼ରେ ଅନ୍ୟ କିଛି ଶ୍ରମିକଙ୍କ ସହ ଲକ୍ଷ୍ମୀଙ୍କ ପିତାମାତା ପ୍ରାଣ ହରାଇଲେ। ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ଲକ୍ଷ୍ମୀଙ୍କୁ। ବୟସ ତାଙ୍କର ଚଉଦ ବର୍ଷରୁ ବି କମ୍। ସାଙ୍ଗରେ ଛୋଟ ଭାଇଟିଏ। ପ୍ରବାସରେ ଚଳିବେ କେମିତି? ତାଙ୍କୁ କିଏ ଦେବ କାମ?
ସେତେବେଳେ ରେଙ୍ଗୁନରେ ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ କାମ କରିବା ଆରମ୍ଭ କରିଥାଏ ଏବଂ ଅନେକ ପ୍ରବାସୀ ଓଡ଼ିଆ ସେଥିରେ ଯୋଗ ଦେଉଥାନ୍ତି। ଲକ୍ଷ୍ମୀ ଥିଲେ ସାହସୀ ଓ ପରିଶ୍ରମୀ। ସେ ଆଜାଦ ହିନ୍ଦ ଫୌଜରେ ଯୋଗଦେବାକୁ ଚାହିଲେ। ମାତ୍ର ବୟସ କମ୍ ଥିବା କାରଣରୁ କ୍ୟାମ୍ପ କମାଣ୍ଡାଣ୍ଟ ତାଙ୍କୁ ମନା କରିଦେଲେ। ଲକ୍ଷ୍ମୀ କିନ୍ତୁ ପ୍ରତିଦିନ ଫୌଜ ଅଫିସକୁ ଆସୁଥିଲେ। ଥରେ ନେତାଜୀ ସୁଭାଷ ସେଠାକୁ ଆସିବାବେଳେ ସେ ତାଙ୍କ କାର୍ ଆଗରେ ଠିଆ ହୋଇଗଲେ ଏବଂ ତାଙ୍କୁ ଫୌଜରେ ନେବାକୁ ନେହୁରା ହେଲେ। ନେତାଜୀ ଆଶ୍ଚର୍ଯ୍ୟ ହେଲେ ଝିଅଟିର ଜିଦ୍ ଦେଖି। ଏତେ କମ୍ ବୟସରେ ତା’ର ଆତ୍ମବିଶ୍ୱାସ ଓ ନିଷ୍ଠା ତାଙ୍କୁ ପ୍ରଭାବିତ କଲା। ସେତେବେଳେ ମହିଳାମାନଙ୍କ ପାଇଁ ଆଜାଦ ହିନ୍ଦ ଫୌଜର ‘ରାଣୀ ଝାନ୍ସୀ ରେଜିମେଣ୍ଟ’ ନୂଆକରି ଗଠିତ ହେଉଥାଏ। ସେଥିରେ ଲକ୍ଷ୍ମୀଙ୍କୁ ଭର୍ତ୍ତି କରିବା ପାଇଁ ସେ ଅନୁମତି ଦେଲେ ଏବଂ ଲକ୍ଷ୍ମୀ ପାଲଟିଗଲେ ଏହି ରେଜିମେଣ୍ଟର ସର୍ବକନିଷ୍ଠା ସଦସ୍ୟା।
ବୟସ କମ୍ ଥିବାରୁ ପ୍ରଥମେ ତାଙ୍କୁ ଛୋଟ ଛୋଟ କାମ ଦିଆଯାଉଥିଲା। ମାତ୍ର ଖୁବ୍ ଶୀଘ୍ର ସେ ଅସିଚାଳନା ଓ ବନ୍ଧୁକ ଚାଳନା ଶିଖିଗଲେ। ସ୍ଥାନୀୟ ଭାଷା ଜାଣିଥିବାରୁ ତାଙ୍କୁ ଗୁପ୍ତଚର ବିଭାଗେର କାମ ମିଳିଲା। ନେତାଜୀ ସୁଭାଷ ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ ଏବଂ ତାଙ୍କର ନାଁ ଦେଇଥିଲେ ‘ଇନ୍ଦିରା’। କାରଣ ସେତେବେଳେ ‘ରାଣୀ ଝାନ୍ସୀ ରେଜିମେଣ୍ଟ’ର ନେତୃତ୍ବ ନେଉଥିଲେ କ୍ୟାପଟେନ ଲକ୍ଷ୍ମୀ, ଯେ କି ପରବର୍ତ୍ତୀ ସମୟରେ ପ୍ରେମ କୁମାର ସେହଗଲଙ୍କୁ ବିବାହ କରି ଲକ୍ଷ୍ମୀ ସେହଗଲ ହେଲେ। ଏକ ଟେଲିଭିଜନ ସାକ୍ଷାତକାରରେ ଲକ୍ଷ୍ମୀ ପ୍ରଥମଥର ନେତାଜୀଙ୍କୁ ଫୌଜ କାର୍ଯ୍ୟାଳୟ ସାମନାରେ ଭେଟିବାର ଅନୁଭୂତି ବଖାଣିଥିଲେ। ନେତାଜୀ ତାଙ୍କୁ ପଚାରିଥିଲେ -ତୁମେ କେଉଁ ଅଞ୍ଚଳର? ଲକ୍ଷ୍ମୀ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାପରେ ନେତାଜୀ ଖୁବ୍ ଖୁସି ହୋଇ କହିଥିଲେ - ମୁଁ ମଧ୍ୟ ଓଡ଼ିଶାର। କିନ୍ତୁ ଏଠି ତ ଆଉ ଜଣେ ଲକ୍ଷ୍ମୀ ଅଛି। ତେଣୁ ଆଜିଠାରୁ ତୁମ ନାଁ ହେବ ‘ଇନ୍ଦିରା’। ସେହିଦିନ ଠାରୁ ତାଙ୍କୁ ରେଜିମେଣ୍ଟରେ ସମସ୍ତେ ଇନ୍ଦିରା ନାମରେ ଜାଣିଲେ। ଖୁବ୍ କମ୍ଦିନ ଭିତରେ ନିଜର କର୍ତ୍ତବ୍ୟନିଷ୍ଠା ଓ ସାଧୁତା ବଳରେ ସମସ୍ତଙ୍କ ମନ ଜିଣି ପାରିଥିଲେ ଲକ୍ଷ୍ମୀ।
ମାତ୍ର ଖୁବ୍ ଶୀଘ୍ର ପରିସ୍ଥିତି ବଦଳିଗଲା। ବିଶ୍ବ ଯୁଦ୍ଧରେ ଜାପାନର ପରାଜୟ ଦେଖି ନେତାଜୀଙ୍କ ନିର୍ଦ୍ଦେଶକ୍ରମେ ରାଣୀ ଝାନ୍ସୀ ରେଜିମେଣ୍ଟଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରି ବ୍ରହ୍ମଦେଶରୁ ଫେରି ଆସିବାକୁ ନିଷ୍ପତ୍ତି ନିଆଗଲା। ସେଠାରୁ ଲକ୍ଷ୍ମୀ ଆସିଥିଲେ ସିଙ୍ଗାପୁର ଏବଂ ସେଇଠି ଶେଷଥର ପାଇଁ ନେତାଜୀଙ୍କୁ ଭେଟିଥିଲେ ୧୯୪୫ ଅଗଷ୍ଟ ୧୨ ତାରିଖରେ, ଯାହାର ମାତ୍ର ସପ୍ତାହେ ପରେ ନେତାଜୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାର ଖବର ଆସିଲା। ତାହା ଥିଲା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ସମୟ। ଆଜାଦ ହିନ୍ଦ୍ ଫୌଜର ଅନେକ ସୈନିକ ବ୍ରିଟିସ ଫୌଜ ହାତରେ ବନ୍ଦୀ ହେଲେ। ବୟସ ୧୬ବର୍ଷରୁ କମ୍ ଥିବାରୁ ଲକ୍ଷ୍ମୀଙ୍କୁ କିନ୍ତୁ ଛାଡ଼ି ଦିଆଗଲା। ବହୁ କଷ୍ଟରେ ସିଙ୍ଗାପୁରରୁ ସେ ଫେରିଲେ ରେଙ୍ଗୁନ୍। ନିଜ ପରିଚୟ ଗୋପନ ରଖିବା ପାଇଁ ସେ ଫୌଜରେ କାମ କରିଥିବାର ସମସ୍ତ ପ୍ରମାଣ- ବ୍ୟାଜ୍ ଓ କାଗଜପତ୍ର ଆଦି ଫିଙ୍ଗି ଦେଇଥିଲେ ସମୁଦ୍ରକୁ। ଏଣେ ରେଙ୍ଗୁନରେ ପହଞ୍ଚିବା ବେଳକୁ ଭାଇର କୌଣସି ପତ୍ତା ନାହିଁ। ଦୁଃଖରେ ଭାଙ୍ଗିପଡ଼ିଲେ ଲକ୍ଷ୍ମୀ। ଅନନ୍ୟୋପାୟ ହୋଇ ଫେରିଲେ ଓଡ଼ିଶା ଏବଂ ୧୯୫୧ରେ ବିବାହ କଲେ ଆଜାଦ ହିନ୍ଦ ଫୌଜର ଅନ୍ୟତମ ଓଡ଼ିଆ ସଦସ୍ୟ ଜୟପୁରର ଖଗେଶ୍ବର ପଣ୍ଡାଙ୍କୁ। ଏବେ ତାଙ୍କର ନାଁ ହେଲା ଲକ୍ଷ୍ମୀ ପଣ୍ଡା।
ଦେଶ ସ୍ବାଧୀନ ହୋଇସାରିଥାଏ। ଆଶା ଥିଲା, ଭାଗ୍ୟ ବଦଳିବ। ଦୁଃସ୍ଥିତି କିନ୍ତୁ ତାଙ୍କର ପିଛା ଛାଡୁନଥାଏ। ହୀରାକୁଦ ନଦୀବନ୍ଧ ଯୋଜନାରେ ଡ୍ରାଇଭର କାମ କରୁଥିବା ଖଗେଶ୍ବର ୧୯୭୬ରେ ପ୍ରାଣ ହରାଇଲେ। ବାଧ୍ୟହୋଇ ନିଜର ଛୁଆଙ୍କୁ ଧରି ସେ ଫେରିଲେ କୋରାପୁଟର ଜୟପୁର ସହରକୁ। ସେଇଠି ବସ୍ତିରେ ରହି ପରଘରେ କାମକରି ପେଟ ପୋଷିଲେ ସେ। କାରଣ ସେ ପାଉଥିବା ଏକ ହଜାର ଟଙ୍କା ପେନସନରେ ଚଳିବା ସମ୍ଭବ ନଥିଲା। ନା ତାଙ୍କ ପାଖରେ ଥିଲା କିଛି କାଗଜପତ୍ର ନା ଜେଲ୍ ଖଟିଥିବାର ପ୍ରମାଣ। ବିଶିଷ୍ଟ ଗବେଷକ ଅନୀଲ ଧୀରଙ୍କ ସହାୟତାରେ ବହୁ କଷ୍ଟରେ ବିଭିନ୍ନ ତଥ୍ୟ ପ୍ରମାଣ ଜୁଟାଇ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ୨୦୦୮ ମସିହା ଅଗଷ୍ଟରେ ଭେଟିଥିଲେ ସେ। ରାଷ୍ଟ୍ରପତି ତାଙ୍କ ପାଇଁ ‘ରାଷ୍ଟ୍ରୀୟ ସ୍ବତନ୍ତ୍ରତା ସୈନିକ ସମ୍ମାନ ପେନସନ୍’ ମଧ୍ୟ ମଞ୍ଜୁର କରିଥିଲେ। ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର। ରାଷ୍ଟ୍ରପତିଙ୍କୁ ଭେଟିବାର ମାତ୍ର କିଛିଦିନ ପରେ ସେ ଶଯ୍ୟାଶାୟୀ ହେଲେ ଏବଂ ପେନସନ ମିଳିବା ଆଗରୁ ୨୦୦୮ ଅକ୍ଟୋବର ୬ ତାରିଖରେ ଇହଧାମ ତ୍ୟାଗ କଲେ। ମୃତ୍ୟୁ ପରେ ତାଙ୍କୁ ଅନେକ ସମ୍ମାନ ମିଳିଛି। ଜୟପୁର ସହରରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିଟିଏ ମଧ୍ୟ ସ୍ଥାପିତ ହୋଇଛି। ଆଜନ୍ମଦୁଃଖିନୀ ହେଲେ ବି ତ୍ୟାଗ, ସମର୍ପଣ, ଓ ଆତ୍ମବିଶ୍ୱାସ ପରି ଆତ୍ମିକ ଐଶ୍ବର୍ଯ୍ୟରେ ବିମଣ୍ଡିତା ଥିଲେ ସେ। ଆଜାଦ ହିନ୍ଦ ଫୌଜର ଏହି ଏକମାତ୍ର ଓଡ଼ିଆ ମହିଳା ବୀରାଙ୍ଗନା ଓ ସର୍ବକନିଷ୍ଠା ସଦସ୍ୟା ଲକ୍ଷ୍ମୀ ମାଆଙ୍କୁ ବିନମ୍ର ପ୍ରଣାମ।